ଏନଆଇଆରଏଫ୍ ଇଣ୍ଡିଆ ରାଙ୍କିଙ୍ଗ୍ -୨୦୨୫ ଉନ୍ମୋଚିତ

ଏନଆଇଆରଏଫ୍ ଇଣ୍ଡିଆ ରାଙ୍କିଙ୍ଗ୍ -୨୦୨୫ ଉନ୍ମୋଚିତ

ଶିକ୍ଷାନୁଷ୍ଠାନର ଶକ୍ତି ଓ ଛାତ୍ରଛାତ୍ରୀଙ୍କ ବିଶ୍ୱାସକୁ ପ୍ରତିଫଳିତ

କରୁଛି ଏନଆଇଆରଏଫ୍ ରାଙ୍କିଂ – ଧର୍ମେନ୍ଦ୍ର ପ୍ରଧାନ

ନ୍ୟାସନାଲ ଇନଷ୍ଟିଚ୍ୟୁସନ ରାଙ୍କିଙ୍ଗ୍ ଫ୍ରେମୱାର୍କ(ଏନଆଇଆରଏଫ) ରାଙ୍କିଂ ଆମର ଅନୁଷ୍ଠାନର ଶକ୍ତି ଏବଂ ଆମର ଛାତ୍ରଛାତ୍ରୀଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ଆଜି ନୂଆଦିଲ୍ଲୀରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏନଆଇଆରଏଫ ଅନ୍ତର୍ଗତ “ଇଣ୍ଡିଆ ରାଙ୍କିଙ୍ଗ – ୨୦୨୫”କୁ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ବର୍ଷର ରାଙ୍କିଂରେ ସ୍ଥାନ ପାଇଥିବା ସମସ୍ତ ଅନୁଷ୍ଠାନକୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଏନଆଇଆରଏଫ୍ ଆଜି ଏକ ଜାତୀୟ ବେଞ୍ଚମାର୍କରେ ପରିଣତ ହୋଇଛି । ଜାତୀୟ ଶିକ୍ଷା ନୀତି ୨୦୨୦ ଆମର ଉଚ୍ଚ ଶିକ୍ଷାନୁଗୁଡ଼ିକର ବିକାଶ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିଛି, ଯେଉଁଥିରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକର ମାନ୍ୟତାକୁ ଉନ୍ନତ କରିବାର ଯୋଜନା ମଧ୍ୟ ସାମିଲ ଅଛି । ଏନଆଇଆରଏଫ ଭାରତକୁ ଏକ ଜ୍ଞାନ ମହାଶକ୍ତିରେ ପରିଣତ କରିବା ପାଇଁ ଆମର ଯାତ୍ରାରେ ଏକ ବିଶ୍ୱସ୍ତ ସ୍ତମ୍ଭ ଭାବରେ ଉଭା ହୋଇଛି । ଆମକୁ ଆମର ଆକ୍ରିଡେସନ ଢାଞ୍ଚାରେ ଉଚ୍ଚ ବେଞ୍ଚମାର୍କ ସ୍ଥାପନ କରିବାକୁ ପଡ଼ିବ । ଏନଆଇଆରଏଫ୍ ସର୍ବୋତ୍ତମ ମାନ୍ୟତା ଢାଞ୍ଚା ମଧ୍ୟରୁ ଗୋଟିଏ ଭାବରେ ବିକଶିତ ହେବ । ଅଧିକ ତଥ୍ୟ ଚାଳିତ ଆଭିମୁଖ୍ୟ ସହ ଆହୁରି ଅଧିକ ରାଙ୍କିଂ ପାରାମିଟର, ବର୍ଗ ଏବଂ ଅଧିକ ପ୍ରତିଷ୍ଠାନ ସହିତ ଯୋଡିହେବ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ ଆମେ ଏକ ବଡ ଲମ୍ଫ ମାରିବା ପାଇଁ ପ୍ରସ୍ତୁତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ସୁଦ୍ଧା ଏକ ବିକଶିତ ଏବଂ ଆତ୍ମନିର୍ଭର ଭାରତ ପାଇଁ ସ୍ପଷ୍ଟ ଆହ୍ୱାନ ଦେଇଛନ୍ତି । ଆମେ ‘ସ୍ୱରାଜ’ ପାଇଛୁ ଏବେ ଆମକୁ ଆମର ‘ସମୃଦ୍ଧି’ ପାଇଁ ଲଢ଼ିବାକୁ ପଡିବ । ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ଏହାର ମୂଳରେ ଅଛନ୍ତି । ‘ସମୃଦ୍ଧି’ ଏବଂ ‘ଆତ୍ମନିର୍ଭରତା’ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବାରେ ଆମର ଅନୁଷ୍ଠାନ ଗୁଡ଼ିକୁ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ପଡିବ । ଆମର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ନବସୃଜନ ଏବଂ ଉଦ୍ୟୋଗ ପାଇଁ ସମୃଦ୍ଧ କ୍ଷେତ୍ର ହେବା ସହ ଏନଆଇଆରଏଫ ଢାଞ୍ଚାରେ ସାମିଲ ହେବା ଦିଗରେ ସେ ଆହ୍ୱାନ କରିଛନ୍ତି ।

ଇଣ୍ଡିଆ ରାଙ୍କିଙ୍ଗର ପ୍ରଥମ ସଂସ୍କରଣ ୨୦୧୬ରେ ଗୋଟିଏ ବର୍ଗ ଏବଂ ତିନୋଟି ବିଷୟ ଡୋମେନ୍ ଯଥା ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ ଓ ଫାର୍ମାସୀରେ ପ୍ରକାଶିତ ହୋଇଥିଲା । ପରବର୍ତ୍ତୀ ସମୟରେ ୨୦୧୭ ରୁ ୨୦୨୫ ପର୍ଯ୍ୟନ୍ତ ନୂତନ ବର୍ଗ ଏବଂ ବିଷୟ ଡୋମେନ୍ ଯୋଡାଯାଇଛି । ଚଳିତ ଥର ଆଇଆଇଟି ମାଡ୍ରାସ  କ୍ରମାଗତ ସପ୍ତମ ବର୍ଷ ପାଇଁ ଓଭରାଲ ବର୍ଗରେ ପ୍ରଥମ ସ୍ଥାନ ବଜାୟ ରଖିଛି । ଓଭରାଲ ବର୍ଗରେ ଶ୍ରେଷ୍ଠ ୧୦୦ ତାଲିକାରେ ୨୪ଟି ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ, ୨୨ଟି ଘରୋଇ ଡିମ୍ଡ୍ ବିଶ୍ୱବିଦ୍ୟାଳୟ, ୧୯ଟି ଆଇଆଇଟି ଏବଂ ଆଇଆଇଏସସି, ୯ଟି ଘରୋଇ ବିଶ୍ୱବିଦ୍ୟାଳୟ, ୮ଟି ଏନଆଇଟି, ୭ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ୫ଟି ମେଡିକାଲ୍ ପ୍ରତିଷ୍ଠାନ, ୪ଟି ଆଇଜର, ୧ଟି କଲେଜ ଏବଂ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଆଇଏଆରଆଇ ସାମିଲ । ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆଇଆଇଏସସି ବେଙ୍ଗଲୁରୁ, ମ୍ୟାନେଜମେଣ୍ଟରେ ଆଇଆଇଏମ ଅହମ୍ମଦବାଦ ଏବଂ ମେଡିକାଲ ବର୍ଗରେ ଏମ୍ସ ଦିଲ୍ଲୀ ୧ ନମ୍ବର ରହିଛି । ଜାମିଆ ହମଦର୍ଦ, ନୂଆଦିଲ୍ଲୀ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଫାର୍ମାସିରେ ରାଙ୍କିଙ୍ଗରେ ଶୀର୍ଷରେ ରହିଛି।

ଏହି କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର, ଉଚ୍ଚ ଶିକ୍ଷା ବିଭାଗର ସଚିବ ଡକ୍ଟର ବୀନିତ ଯୋଶୀ, ଏଆଇସିଟିଇର ଚେୟାରମ୍ୟାନ ପ୍ରଫେସର ଟିଜି ସୀତାରାମ ,ଏନଇଟିଏଫ, ନାକ୍ ଏବଂ ଏନବିଏର ଚେୟାରମ୍ୟାନ ପ୍ରଫେସର ଅନିଲ ସହଶ୍ରବୁଦ୍ଧେ, ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର କୁଳପତି ଓ ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ ।

ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ

ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଜି ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଶ୍ରୀ ଚୌହାନ ଅମୃତସର, କପୁରଥାଲା ଓ ଗୁରୁଦାସପୁର ଜିଲ୍ଲାର ବିଭିନ୍ନ ଗ୍ରାମ ପରିଦର୍ଶନ କରି କୃଷକମାନଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ। ସେଥିସହିତ, ଜଳମଗ୍ନ କ୍ଷେତଗୁଡ଼ିକୁ ଯାଇ ଫସଲର କ୍ଷୟକ୍ଷତିର ଆକଳନ ମଧ୍ୟ କରିଥିଲେ। ଏହି ସମୟରେ କୃଷକମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଫସଲର ବ୍ୟାପକ କ୍ଷୟକ୍ଷତି ବିଷୟରେ ସୂଚନା ଦେଇଥିଲେ, ଯାହାକୁ ନେଇ ଶିବରାଜ ସିଂହ କହିଥିଲେ ଯେ କୃଷକ ଭାଇ ଓ ଭଉଣୀମାନେ ଚିନ୍ତା କରନ୍ତୁ ନାହିଁ, ସରକାର ସେମାନଙ୍କ ସହିତ ଅଛନ୍ତି।

କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଜି ସକାଳେ ଅମୃତସର ପହଞ୍ଚିବା ପରେ, ପଞ୍ଜାବର ରାଜ୍ୟପାଳ ଶ୍ରୀ ଗୁଲାବଚାନ୍ଦ କଟାରିଆ ବିମାନବନ୍ଦରରେ ବନ୍ୟା ପରିସ୍ଥିତି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏଥିସହିତ ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଗୁରୁତର ବନ୍ୟା ପରିସ୍ଥିତି ବିଷୟରେ ଅବଗତ କରାଇଥିଲେ।

ଏହାର ପରେ ଶ୍ରୀ ଚୌହାନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କହିଥିଲେ ଯେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର, ସଙ୍କଟ ଭୟଙ୍କର। ବନ୍ୟା ଯୋଗୁଁ ଫସଲ ଜଳମଗ୍ନ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପ୍ରାୟ ୧୪୦୦ ଗ୍ରାମ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଅଗଷ୍ଟ ୨୬ ତାରିଖରୁ ଏଠାକାର ଜମିଗୁଡ଼ିକ ଜଳମଗ୍ନ ହୋଇ ରହିଛି। ରାବି ନଦୀର ପାଣି ଚାଷଜମି ଉପରେ ପ୍ରବାହିତ ହେଉଛି। ପାଦ ତଳେ ମାଟି ନୁହେଁ, କାଦୁଅ ଜମା ହୋଇଛି। ଏହି ଫସଲ ନଷ୍ଟ ହୋଇଯାଇଛି, ପରବର୍ତ୍ତୀ ଫସଲ ମଧ୍ୟ ସଙ୍କଟରେ ଅଛି। ଯନ୍ତ୍ରଣା ଏବଂ କ୍ଷତିର ପୂର୍ବାନୁମାନ କରାଯାଇପାରିବ ନାହିଁ। ସେ କହିଥିଲେ ଯେ ଏହି ପରିସ୍ଥିତି ଅତ୍ୟନ୍ତ ହୃଦୟ ବିଦାରକ, କିନ୍ତୁ ଏହା ନିଶ୍ଚିତ ଭାବେ ତାଙ୍କ କୃଷକ ଭାଇ ଓ ଭଉଣୀମାନଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବୁ। ଏହା ଆହ୍ୱାନପୂର୍ଣ୍ଣ କିନ୍ତୁ ସମସ୍ତ ପ୍ରୟାସ କରାଯିବ ଏବଂ ରିଲିଫ୍ ପ୍ରଦାନ କରିବା ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ।

କେନ୍ଦ୍ର କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ପଞ୍ଜାବ ପରିସ୍ଥିତିର ଆକଳନ କରିବା ପାଇଁ କୃଷି, ଗ୍ରାମୀଣ ବିକାଶ, ସଡ଼କ, ଶକ୍ତି, ଅର୍ଥ ଏବଂ ଜଳ ଶକ୍ତି ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ନେଇ ଦୁଇଟି ଉଚ୍ଚସ୍ତରୀୟ ଟିମ୍‍ ପଠାଇଛନ୍ତି। ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଏହି ଦଳଗୁଡ଼ିକ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର ଆକଳନ କରିବେ ଏବଂ କେନ୍ଦ୍ର ସରକାରଙ୍କୁ ସେମାନଙ୍କର ରିପୋର୍ଟ ଦାଖଲ କରିବେ।

କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଗ୍ରାମାଞ୍ଚଳକୁ ଯାଇ ଲୋକଙ୍କ ସହ ଆଲୋଚନା କଲେ ବାସ୍ତବ ସ୍ଥିତି ବୁଝି ହେବ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯିବ। ରାଜ୍ୟ ସରକାର ମଧ୍ୟ ନିଜସ୍ୱ ଆକଳନ କରିବେ।

ହରିୟାଣାର ସୋହନାରେ ଅତ୍ୟାଧୁନିକ ଲିଥିୟମ-ଆୟନ ବ୍ୟାଟେରୀ ପ୍ଲାଣ୍ଟର ଉଦ୍ଘାଟନ କଲେ  ଅଶ୍ୱିନୀ ବୈଷ୍ଣବ

ହରିୟାଣାର ସୋହନାରେ ଅତ୍ୟାଧୁନିକ ଲିଥିୟମ-ଆୟନ ବ୍ୟାଟେରୀ ପ୍ଲାଣ୍ଟର ଉଦ୍ଘାଟନ କଲେ ଅଶ୍ୱିନୀ ବୈଷ୍ଣବ

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ହରିୟାଣାର ସୋହନାରେ ଟିଡିକେ କର୍ପୋରେସନର ଅତ୍ୟାଧୁନିକ ଲିଥିୟମ-ଆୟନ (ଲି-ଆୟନ) ବ୍ୟାଟେରୀ ଉତ୍ପାଦନ କାରଖାନାର ଉଦ୍ଘାଟନ କରିଛନ୍ତି।

ଦେଶର ଇଲେକ୍ଟ୍ରୋନିକ୍ସ ଯାତ୍ରାରେ ଏହାକୁ ଆଉ ଏକ ମୋଡ଼ ଭାବରେ ବର୍ଣ୍ଣନା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, “ଏହା ଆମ ପାଇଁ ଏକ ବିରାଟ ମାଇଲଖୁଣ୍ଟ କାରଣ ଆମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ସାକାର କରୁଛୁ। କ୍ୟାମେରା ମଡ୍ୟୁଲ୍, ପିସିବି ଆସେମ୍ବଲି, ସେମିକଣ୍ଡକ୍ଟର କିମ୍ବା ବ୍ୟାଟେରୀ – ଆଗାମୀ ବର୍ଷଗୁଡ଼ିକରେ ପ୍ରତ୍ୟେକ ଉପାଦାନ ସ୍ୱଦେଶୀ ଭାବରେ ନିର୍ମିତ ହେବ। ଇଲେକ୍ଟ୍ରୋନିକ୍ସରେ ଆମର ଆତ୍ମନିର୍ଭରଶୀଳତା ପାଇଁ ଭାରତକୁ ଏପରି ଉନ୍ନତ ପ୍ରଯୁକ୍ତିର ଆଗମନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।”

ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ, ସେମିକନ୍ ଇଣ୍ଡିଆ ୨୦୨୫ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଥର ପାଇଁ ମେଡ୍ ଇନ୍ ଇଣ୍ଡିଆ ଚିପ୍ସ ପ୍ରଦାନ କରାଯାଇଥିଲା। ଏହି ପ୍ଲାଣ୍ଟର ଶୁଭାରମ୍ଭ ସହିତ, ମୋବାଇଲ୍ ଫୋନ୍, ପିନ୍ଧିବାଯୋଗ୍ୟ ଜିନିଷ, ଘଣ୍ଟା, ଇୟରବଡ୍, ଶ୍ରବଣ ଯନ୍ତ୍ର ଯେପରିକି ଏୟାରପଡସ୍ ଏବଂ ଲାପଟପରେ ବ୍ୟବହୃତ ଲିଥିୟମ-ଆୟନ ବ୍ୟାଟେରୀ ଘରୋଇ ଭାବରେ ନିର୍ମିତ ହେବ। ଏହି ଅତ୍ୟାଧୁନିକ ପ୍ଲାଣ୍ଟ ପ୍ରତିବର୍ଷ ପ୍ରାୟ ୨୦ କୋଟି (୨୦୦ ନିୟୁତ) ବ୍ୟାଟେରୀ ପ୍ୟାକ୍ ଉତ୍ପାଦନ କରିବ। ଏହା ଦେଶର ବାର୍ଷିକ ୫୦ କୋଟି ପ୍ୟାକ୍ ଆବଶ୍ୟକତାର ପ୍ରାୟ ୪୦ ପ୍ରତିଶତ ପୂରଣ କରିବ। ବିସ୍ତାର ପାଇଁ ଅପାର ସମ୍ଭାବନା ସହିତ, ଏହି ପ୍ଲାଣ୍ଟ ଦେଶର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋ-ସିଷ୍ଟମକୁ ସୁଦୃଢ଼ କରିବାକୁ ପ୍ରସ୍ତୁତ।

ଶ୍ରୀ ବୈଷ୍ଣବ ଗୁରୁତ୍ୱାରୋପ କରିଥିଲେ ଯେ ଏହି ପ୍ଲାଣ୍ଟ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର (ଇଏମସି) ଯୋଜନା ଅଧୀନରେ ସ୍ଥାପିତ ହୋଇଛି। ନିଯୁକ୍ତି ସମ୍ଭାବନା ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ଏହି ପ୍ଲାଣ୍ଟ ପ୍ରାୟ ୫୦୦୦ ଲୋକଙ୍କୁ ସିଧାସଳଖ ନିଯୁକ୍ତି ପ୍ରଦାନ କରିବ । ଏଥିପାଇଁ ଏଟି ବାୱାଲ ପ୍ଲାଣ୍ଟରେ ପୂର୍ବରୁ ହିଁ ତାଲିମ ଚାଲିଛି। ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ସୁବିଧା ସ୍ଥାପନ କରିବାରେ ସମର୍ଥନ ପାଇଁ ସେ ହରିୟାଣା ସରକାରଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।

ସୋହନା ପ୍ଲାଣ୍ଟର ଉଦ୍ଘାଟନ ଏକ ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋ-ସିଷ୍ଟମ ନିର୍ମାଣ ଦିଗରେ ଦେଶର ନିରନ୍ତର ପ୍ରଗତିରେ ଆଉ ଏକ ପଦକ୍ଷେପ। ପ୍ରତ୍ୟେକ ମାଇଲଖୁଣ୍ଟ ସହିତ – ସେମି-କଣ୍ଡକ୍ଟର, ବ୍ୟାଟେରୀ, ପିସିବି ଆସେମ୍ବଲି କିମ୍ବା କ୍ୟାମେରା ମଡ୍ୟୁଲରେ ହେଉ – ଭାରତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଆଡକୁ ଅଗ୍ରସର ହେଉଛି। ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ସହିତ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ଭାରତର ସ୍ଥିତି ଦୃଢ଼ ହେଉଛି।

ଟିଡିକେ କର୍ପୋରେସନ ବିଷୟରେ :

ଟିଡିକେ ଏକ ଅଗ୍ରଣୀ ଇଲେକ୍ଟ୍ରୋନିକ୍ସ ଉପାଦାନ କମ୍ପାନୀ ଯାହା ବିଶ୍ୱର ୩୦ରୁ ଅଧିକ ଦେଶ ଏବଂ ଅଞ୍ଚଳରେ ୨୫୦ ରୁ ଅଧିକ ଉତ୍ପାଦନ, ଗବେଷଣା ଏବଂ ବିକାଶ ଏବଂ ବିକ୍ରୟ ସ୍ଥାନ ପରିଚାଳନା କରୁଛି।