Daily Archives: September 5, 2025
ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ
——-
ବିଗତ ଚାରି ଦଶନ୍ଧି ଧରି ଆମେ କଳ ଗାଉଣା ଯନ୍ତ୍ର ସଂରକ୍ଷିତ ସ୍ବର ଭଳି ଗୋଟିଏ ଵାକ୍ୟକୁ କହି ଓ ଲେଖିଆସିଛୁ ଯେ ଏଯାବତ୍ ଓଡ଼ିଶାର ସଠିକ୍ ଇତିହାସ ଲେଖା ଯାଇ ପାରିଲା ନାହିଁ । କାରଣ ଦର୍ଶାଇ କହି ଲେଖି ଆସିଛୁ ଯେ ” ବିଜେତା ଯେବେ ପରାଜିତର ଇତିହାସ ଲେଖେ , ସେତେବେଳେ ସେ ସ୍ବଭାବିକ ଭାବେ ନିଜକୁ ମହିମା ମଣ୍ଡିତ କରିଥାଏ ଓ ପରାଜିତ କୁ ମସିଲିପ୍ତ କରିଥାଏ ।” ତାହାହିଁ ପ୍ରତିଫଳିତ ହୋଇଛି ଓଡିଶା ଇତିହାସ ରଚନା କ୍ଷେତ୍ରରେ । ବ୍ରିଟିଶ ଜାତିର ଦାୟାଦ ଓ ଓଡ଼ିଆ ଵିଦ୍ଵେଷୀ ଭଗାରି ଜାତିର ଲୋକମାନେ ଯେଉଁ ଇତିହାସ ଲେଖିଥିଲେ , ତାହାକୁ ସ୍ବତନ୍ତ୍ର ପ୍ରଦେଶ ଗଠନର ପରବର୍ତ୍ତୀ ସମୟରେ ଆମର ଐତିହାସିକମାନେ ଅନୁସରଣ କଲେ ଏବଂ ତାହାକୁ “ଶାଗ ବଡ଼ି ଥୋଡ଼ି, ବଡ଼ି ଥୋଡି ଶାଗ” ଲେଖା ଲେଖି ଉପାଧି (ପିଏଚଡ଼ି,ଡିଲିଟ୍) ମଣ୍ଡିତ ହୋଇ ଅଧ୍ୟାପକ, ପ୍ରାଧ୍ୟାପକ ଭାବରେ ସମ୍ମାନ ସାଉଁଟିଲେ । ୧୯୨୦ ମସିହାରେ ମହାନ୍ ସ୍ଵାଧୀନତା ସଂଗ୍ରାମୀ, ଗବେଷକ, ଐତିହାସିକ ତଥା ବିଶ୍ବମଣି ପଣ୍ଡିତ ଗୋପବନ୍ଧୁଙ୍କ ଘନିଷ୍ଠ ସାଙ୍ଗ,ସହଯୋଗୀ , ପ୍ରବୀଣ ଅଧିବକ୍ତା ଜଗବନ୍ଧୁ ସିଂହଙ୍କ ” ପ୍ରାଚୀନ ଉତ୍କଳ” କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଗଲା ନାହିଁ କି ତାହା ଗବେଷଣାର ଭିତ୍ତି କରାଗଲା ନାହିଁ । ଏପରିକି ଆମର ସାରସ୍ଵତ ପରିଚିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମ ତିଥି,ସାଲ, ତାହା ଆଧାରରେ ମସିହା, ତାରିଖ ନିର୍ଣ୍ଣୟ ଏପର୍ଯ୍ୟନ୍ତ କରାଯାଇ ପାରିଲା ନାହିଁ । କେତେକ ତାଙ୍କ ଜୀବନ କାଳ ୧୬୭୦ ରୁ ୧୭୪୦ କହିଯାଇଥିବା ବେଳେ କେତେକଙ୍କ ମତରେ ଏହା ୧୬୮୦ ରୁ ୧୭୨୦ । ସେହିପରି ତିଥି ମଧ୍ୟ ଭିନ୍ନ ଭିନ୍ନ । ସାମ୍ପ୍ରତିକ ସମୟରେ ଆମ ଭାଷାରେ ଜଣେ ପ୍ରାଜ୍ଞ, ଜନାଦୃତ ପ୍ରବଚକ, ଗବେଷକ ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ ଙ୍କ ମତରେ ଶ୍ରୀପଞ୍ଚମୀ ତିଥି ତ କେତେକ ଙ୍କ ମତରେ ମାଘ ଶୁକ୍ଳ ଚତୁର୍ଦ୍ଦଶୀ । ଆମର ସୀମିତ ଜ୍ଞାନ ଆଧାରରେ ଗର୍ବର ସହିତ କହିପାରୁ ଯେ କବି ସମ୍ରାଟ ହିଁ ବିଶ୍ଵର ସର୍ବ ଶ୍ରେଷ୍ଠ କବି । ବିଶ୍ଵର ଯେତେ ଶ୍ରେଷ୍ଠ କବି ଭାବେ ପରିଚିତ, ସେମାନେ ପ୍ରାୟତଃ ଏକ ଅବା ଦ୍ବିଧର୍ମୀୟ କବି ମାତ୍ର, କବି ସମ୍ରାଟ ସର୍ବାନ୍ତକରଣରେ କଵି । ରୀତି ଯୁଗର ଏହି ଶ୍ରେଷ୍ଠ କବିଙ୍କ ସମ୍ପର୍କରେ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ ଦାସ କହିଯାଇଛନ୍ତି -” ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ ,ପଥ ପ୍ରାନ୍ତେ ହୃଷ୍ଟ ମନା, ବିଲେ ବୋଲେ ଚଷା ଅନ୍ତଃପୁରେ ଯୋଶା ,ନୃତ୍ୟରଙ୍ଗେ ବାରଙ୍ଗନା ” । ଆମର ପୂର୍ବ ଆଲେଖ୍ୟ ଅନୁସାରେ ଉପେନ୍ଦ୍ରଙ୍କର ବାଲ୍ୟଶିକ୍ଷା ଚାହାଳୀରେ ଆରମ୍ଭ ହୋଇଥିଲା । ବାପା ନୀଳକଣ୍ଠ ଓ ଜେଜେ ଧନଞ୍ଜୟଙ୍କଠାରୁ ସେ ବିଭିନ୍ନ ଶାସ୍ତ୍ର ପଢ଼ିଥିଲେ । ଧନଞ୍ଜୟ ଭଞ୍ଜ ଜଣେ କବି ହୋଇଥିବାରୁ ତାଙ୍କ ଦରବାରକୁ ଅନେକ କବି, ପଣ୍ଡିତ, ସାଧୁସନ୍ଥ ବିଭିନ୍ନ ସମୟରେ ଆସୁଥିଲେ ଓ ସେଠାରେ ରହି ସାହିତ୍ୟ ସଙ୍ଗୀତ ବିଷୟରେ ଚର୍ଚ୍ଚା କରୁଥିଲେ । ଉପେନ୍ଦ୍ର ମଧ୍ୟ ଜେଜେଙ୍କ ପାଖରେ ବସି ସେଗୁଡିକ ଶୁଣୁଥିଲେ ଓ ଧୀରେ ଧୀରେ ସେମାନଙ୍କଦ୍ୱାରା ପ୍ରଭାବିତ ହୋଇ ସେ ଶାସ୍ତ୍ରମାନ ଆୟତ୍ତ କରିଥିଲେ । ଚାହାଳୀରେ ପଢୁଥିବା ସମୟରେ ଉପେନ୍ଦ୍ର କବିତା ଲେଖିବା ଆରମ୍ଭ କରି ଦେଇଥିଲେ ଯାହା ଜେଜେ ଧନଞ୍ଜୟ ବେଶ୍ ପସନ୍ଦ କରିଥିଲେ ଓ ନାତିକୁ ଆହୁରି ଲେଖିବାକୁ ପ୍ରେରଣା ଦେଲେ । ଉପେନ୍ଦ୍ର ଯାହା ଯେତେବେଳେ ଲେଖୁଥିଲେ ଜେଜେଙ୍କୁ ନେଇ ଦେଖାଉଥିଲେ ଓ ତାଙ୍କର ପରାମର୍ଶ ନେଉଥିଲେ । ସେ ଜେଜେଙ୍କୁ ନିଜର କାବ୍ୟଗୁରୁ ଭାବରେ ବିଚାର କରି ନିଜ ସାଧନାରେ ଆଗେଇ ଯାଉଥିଲେ । ରାଜା ଧନଞ୍ଜୟଙ୍କ ଦରବାରକୁ ଥରେ ରଘୁନାଥ ନାମରେ ଜଣେ ସିଦ୍ଧପୁରୁଷ ସନ୍ୟାସୀ ଅସିଥିଲେ । ସେ ଉପେନ୍ଦ୍ରଙ୍କର ପାଠପଢ଼ା ଓ କବିତା ଲେଖିବାର ଆଗ୍ରହ ଦେଖି ତାଙ୍କୁ “ତାରକ ମନ୍ତ୍ର” ବୋଲି ଏକ ସିଦ୍ଧ ମନ୍ତ୍ର ଶିଖାଇ ଏହାକୁ କେମିତି ସାଧନା କରିବାକୁ ହେବ ବତାଇଦେଲେ । ମନ୍ତ୍ରଟି ଶିଖିବା ପାଇଁ ଉପେନ୍ଦ୍ର କୁଲାଡ଼ଗଡ଼ ଛାଡ଼ି ଅଳ୍ପ ଦୂରରେ ଥିବା ଏକ ନିର୍ଜନ ସ୍ଥାନକୁ ଚାଲିଗଲେ । ହିଂସ୍ରଜନ୍ତୁପୂର୍ଣ୍ଣ ଓ ପାହାଡ ପର୍ବତଘେରା ସେହି ସ୍ଥାନରେ ଗୋଟିଏ ଗୁମ୍ଫା ଭିତରେ ବସି କିଛିଦିନ ଗୁରୁମନ୍ତ୍ର ସାଧନା କରିବାପରେ ସିଦ୍ଧିଲାଭ କରି ସେ ରାଜପ୍ରସାଦକୁ ଫେରି ଆସିଲେ । ସେହି ସ୍ଥାନଟି ଏବେ “ବାଘବଲି” ଓ “ଡାମଣ ଝୋଲି” ନାମରେ ପରିଚିତ । ସାଧନା କରି ଫେରିବା ପରେ ଉପେନ୍ଦ୍ରଙ୍କର ଆଗ ଅପେକ୍ଷା ଆହୁରି କାବ୍ୟ ଲେଖିବା ଓ କାବ୍ୟକବିତା ବିଷୟରେ ଜାଣିବାରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଲା । କାବ୍ୟ ଆଲୋଚନା ପାଇଁ ସେ ଜେଜେ ଧନଞ୍ଜୟ ଭଞ୍ଜଙ୍କ ସହିତ ସମୟ ବିତାଉଥିଲେ । ଦିନେ ସାହିତ୍ୟ ଆଲୋଚନା ହେଉଥିଲା ବେଳେ ଧନଞ୍ଜୟ ନିଜର ଶ୍ରେଷ୍ଠ କାବ୍ୟ ‘ରଘୁନାଥ ବିଳାସ’ ଉପେନ୍ଦ୍ରଙ୍କୁ ଦେଲେ ଓ କିଛି ଦୋଷତୃଟି ଥିଲେ ନିର୍ଭୟରେ ତାଙ୍କୁ ଜଣେଇବାକୁ କହିଲେ । ଉପେନ୍ଦ୍ର କାବ୍ୟଟିକୁ ମନଦେଇ ପଢ଼ିସାରିଲାପରେ ଅଳଙ୍କାରର ପ୍ରୟୋଗ କରିଥିଲେ ଆହୁରି ଭଲ ହୋଇଥାନ୍ତା ବୋଲି କହିଲେ, ଧନଞ୍ଜୟ ଭଞ୍ଜ ଏକଥା ଶୁଣି ଖୁସି ହେଲେ । ରାଣୀ ମଣ୍ଡାଦେବୀ ତାଙ୍କ ପୁଅ ନୀଳକଣ୍ଠଙ୍କୁ ଭଞ୍ଜବଂଶର ରାଜସିଂହାସନରେ ବସାଇବାକୁ ଚାହୁଁଥିଲେ, ତେଣୁ ସେ ଷଡଯନ୍ତ୍ର କରି ଧନଞ୍ଜୟଙ୍କୁ ବିଷ ଦେଇ ହତ୍ୟା କରାଇଲେ । ନୀଳକଣ୍ଠ ଭଞ୍ଜ ରାଜଗାଦିରେ ବସାଇବାରେ ସଫଳ ହେଲେ ଓ କିଛିଦିନ ପାଇଁ ରାଜ୍ୟଶାସନ କଲେ । ହେଲେ ତାଙ୍କର କାକାପୁଅ ଭାଇ ଘନଭଞ୍ଜ ଧରାକୋଟରେ ଥାଇ ନୀଳକଣ୍ଠଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଦେଲେ ଏବଂ ସୈନ୍ୟସାମନ୍ତ ଧରି ଘୁମୁସରକୁ ଆକ୍ରମଣ କଲେ । ରଣକ୍ଷେତ୍ରରେ ନୀଳକଣ୍ଠ ଘନଭଞ୍ଜଙ୍କଠାରୁ ପରାସ୍ତ ହୋଇ ରାଜ୍ୟ ଛାଡ଼ି ଚାଲିଗଲେ । ନିଜର ସ୍ତ୍ରୀ ଓ ଯୋଗ୍ୟପୁତ୍ର ଉପେନ୍ଦ୍ରଙ୍କୁ ଧରି ନୀଳକଣ୍ଠ ନୟାଗଡ଼ର ମାଳିସାହି ଢେଙ୍କଣା ଗ୍ରାମରେ ଘରଟିଏ କରି ଅତି ସାଧାରଣ ଭାବରେ ଜୀବନ ଅତିବାହିତ କରିବାକୁ ଲାଗିଲେ । ନୀଳକଣ୍ଠ ଭଞ୍ଜ ଏହି ସମୟରେ ଉପେନ୍ଦ୍ରଙ୍କୁ ଘୋଡାଚଢା, ଖଣ୍ଡା, ତରବାରୀ ଚାଳନାରେ ଧୁରନ୍ଧର କରାଇଥିଲେ । ଉପେନ୍ଦ୍ର ଭଞ୍ଜ କାବ୍ୟ କବିତା ରଚନାରେ ଧ୍ୟାନ ଦେଲେ । ମାତ୍ର ୧୫ ବର୍ଷ ବୟସରେ ଉପେନ୍ଦ୍ର ପିତା ନୀଳକଣ୍ଠ ଭଞ୍ଜଙ୍କୁ ହରାଇଲେ ଓ ତାଙ୍କ ମାମୁଙ୍କ ଘରେ ରହିବାକୁ ଲାଗିଲେ ।୧୮ ବର୍ଷ ବୟସରେ ଉପେନ୍ଦ୍ରଙ୍କର ବିବାହ ନୟାଗଡ଼ ରାଜା ପୁରୁଷୋତ୍ତମ ମାନ୍ଧାତାଙ୍କ ଭଉଣୀ ଲାବଣ୍ୟବତୀଙ୍କ ସହ ସମ୍ପନ୍ନ ହେଲା । ଲାବଣ୍ୟବତୀ ସୁନ୍ଦରୀ, ବୁଦ୍ଧିମତୀ ଓ ସସ୍କୃତ ସାହିତ୍ୟରେ ନିପୁଣ ଥିଲେ । କୁଲାଡ଼ଗଡ ପାଖରେ ଅନ୍ଧାରଗଡ ବୋଲି ଦୂର୍ଗଟିଏ, ପାହାଡ଼ ଓ ସବୁଜିମା ଭରା ଜଙ୍ଗଲଦ୍ୱାରା ଘେରି ରହିଥିଲା । ଉପେନ୍ଦ୍ର ସେହି ସ୍ଥାନକୁ ସବୁବେଳେ ଏକୁଟିଆ ଚାଲିଯାଉଥିଲେ ଏବଂ କିଛିଦିନ ସେଠାରେ ରହିବା ପରେ ଫେରି ଆସୁଥିଲେ । ଥରେ ଉପେନ୍ଦ୍ର ସେହି ସ୍ଥାନକୁ ଯାଇ ବହୁଦିନ ପର୍ଯ୍ୟନ୍ତ ରାଜଉଆସକୁ ଫେରିଲେ ନାହିଁ । ଏଣେ ରାଜପ୍ରାସାଦରେ ଲାବଣ୍ୟବତୀ ବ୍ୟସ୍ତ ହୋଇପଡିଲେ ଓ ପତିଙ୍କୁ ଖୋଜି ଆଣିବା ପାଇଁ ଦୂତଟିଏ ପଠାଇଲେ । ଦୂତଟି ଗଡ଼ ଭିତରକୁ ନଯାଇ ଅଳ୍ପବାଟରୁ ଫେରି ଆସିଲା ଓ କହିଲା ଯେ ସେ ଗୋଟିଏ ମହାବଳ ବାଘ ଦେଖିଲା । ତା ପାଖରେ ମଣିଷର ରକ୍ତାକ୍ତ ଶବ ପଡିଥିବାର ଦେଖି ଭୟରେ ଫେରି ଆସିଲା । ଦୂତଠାରୁ ଏପରି ଖବର ଶୁଣି ଲାବଣ୍ୟବତୀ ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ, ତାଙ୍କର ସଙ୍ଗେ ସଙ୍ଗେ ଚେତା ବୁଡିଗଲା ଓ ଚାହୁଁ ଚାହୁଁ ତାଙ୍କର ପ୍ରାଣବାୟୁ ଉଡିଗଲା । କିଛିଦିନ ପରେ ଉପେନ୍ଦ୍ର ରାଜପୁରକୁ ଫେରିଲା ପରେ ପତ୍ନୀ ଲାବଣ୍ୟବତୀଙ୍କ ସ୍ୱର୍ଗବାସ କଥା ଜାଣି ବହୁତ ମର୍ମାହତ ହେଲେ । ଉପେନ୍ଦ୍ରଙ୍କ ଶଳାଭାଉଜ ଶୋଭବତୀଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ବୋଲି ଜଣେ ସୁନ୍ଦରୀ ଓ ବୁଦ୍ଧିମତୀ ଭଉଣୀଟିଏ ଥିଲେ, ତାଙ୍କ ସହିତ ଉପେନ୍ଦ୍ରଙ୍କ ଦ୍ୱିତୀୟଥର ବିବାହ ଉତ୍ସବ ଅନୁଷ୍ଠିତ ହେଲା । କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଉପେନ୍ଦ୍ରଙ୍କୁ କାବ୍ୟ ଲେଖିବାରେ ସାହାଯ୍ୟ କରୁଥିଲେ, ତାଙ୍କର ପରାମର୍ଶରେ ଉପେନ୍ଦ୍ର ମଧ୍ୟ ନିଜର କାବ୍ୟକବିତାକୁ ସଂଶୋଧନ କରି ଆହୁରି ଉନ୍ନତି କରିବାରେ ସମର୍ଥ ହେଉଥିଲେ ।
କବି ଭାବରେ ବେଶ୍ ନାଁ କରିସାରିଥିବା ଉପେନ୍ଦ୍ରଙ୍କର ଖ୍ୟାତି ବିଷୟରେ କାକା ଘନଭଞ ଶୁଣିବାକୁ ପାଇଲେ । ଘନଭଞ୍ଜ ଜଣେ ରାଜା ହେବା ସହ ଜଣେ କବି ମଧ୍ୟ ଥିଲେ, ତେଣୁ ସେ ପୁତୁରା ଉପେନ୍ଦ୍ରଙ୍କୁ ସମ୍ମାନର ସହିତ କୁଲାଡ଼ଗଡକୁ ଫେରାଇ ଆଣିଲେ ତଥା ଅନ୍ୟ କବି ଓ ପଣ୍ଡିତମାନଙ୍କ ସହିତ କାବ୍ୟଶାସ୍ତ୍ର ଆଦି ଆଲୋଚନା କରି ସମୟ କଟାଇଲେ । ଭଞ୍ଜଙ୍କୁ ତାଙ୍କ ଜୀବନ କାଳରେ ଓ ପରେ ଅନେକ ଉପାଧିଦ୍ୱାରା ସମ୍ବୋଧିତ କରାଯାଇଥିଲା ବୀରବର ,ମଙ୍ଗରାଜ,କବିସାର୍ବଭୌମ
କବିକୁଳକେଶରୀ,ବୀରବର ପଦ ଉପଇନ୍ଦ୍ର ମୋର ନାମ ।ବାରେ ବାରେ ସେବାରେ ମନାଇଁ ସୀତାରାମ ଯେ “।
କାବ୍ୟକବିତା ଲେଖି ଉପେନ୍ଦ୍ର ସମଗ୍ର ଉତ୍କଳରେ ବେଶ୍ ପ୍ରସିଦ୍ଧି ଲାଭ କରିସାରିଥିଲେ । ପୁରୀର ତତ୍କାଳୀନ ଗଜପତି ରାଜା ଦିବ୍ୟସିଂହ ଦେବ କବିଙ୍କ ବିଷୟରେ ଶୁଣିବାକୁ ପାଇଲେ ଓ ତାଙ୍କୁ ସମ୍ମାନିତ କରିବା ପାଇଁ ପୁରୀକୁ ଡକାଇଲେ। ରାଜାଙ୍କ ନିମନ୍ତ୍ରଣ ରକ୍ଷା କରି ଉପେନ୍ଦ୍ର ପୁରୀ ଆସିଲେ । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ରାଜଦରବାରରେ କାବ୍ୟ ଆଲୋଚନା କଲେ । ତାଙ୍କର କାବ୍ୟ ଆଲୋଚନା ଏତେ ପାଣ୍ଡିତ୍ୟପୁର୍ଣ୍ଣ ଥିଲା ଯେ ଖାଲି ରାଜା କାହିଁକି ବଡ ବଡ ପଣ୍ଡିତମାନେ ମଧ୍ୟ ତାହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ଶେଷରେ ରାଜା ଦରବାର ଭିତରେ ଉପେନ୍ଦ୍ରଙ୍କ ମୁଣ୍ଡରେ ପାଟଶାଢୀ ବାନ୍ଧିଦେଇ କହିଲେ “ଧନ୍ୟ ଉପେନ୍ଦ୍ର। ତୁମେ ଖାଲି ରାଜପୁତ୍ର ନୁହଁ, ତୁମେ ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ। ତୁମକୁ ଆଜି ମୁଁ ‘ବୀରବର’ ଉପାଧିରେ ଭୂଷିତ କରୁଛି”। ଉପେନ୍ଦ୍ର ଗଜପତି ଦିବ୍ୟସିଂହ ଦେବଙ୍କର ସେହି ଉପାଧିକୁ ଆଗ୍ରହର ସହିତ ଗ୍ରହଣ କଲେ । ପୁରୀରେ ରହିଥିବାବେଳେ ଉପେନ୍ଦ୍ରଙ୍କର ପରିଚୟ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ସହିତ ହୋଇଥିଲା । ଦୀନକୃଷ୍ଣ ଦାସ ସେତେବେଳକୁ “ରସକଲ୍ଲୋଳ” କାବ୍ୟଟିକୁ ସମ୍ପୁର୍ଣ୍ଣ ରୁପେ ଲେଖିସାରିଥାନ୍ତି । କବି ଉପେନ୍ଦ୍ର ଯେତେବେଳେ ପୁରୀକୁ ଆସିଛନ୍ତି, ତାଙ୍କୁ ଟିକେ ନିଜର କାବ୍ୟଟିକୁ ଦେଖାଇ ମତାମତ ହେବାକୁ ଦୀନକୃଷ୍ଣଙ୍କର ଭାରି ମନ ହେଲା । ତେଣୁ “ରସକଲ୍ଲୋଳ” କାବ୍ୟଟିକୁ ନେଇ ସେ ଉପେନ୍ଦ୍ର ଭଞଙ୍କୁ ଦେଖାଇଲେ । ଉପେନ୍ଦ୍ର ପୋଥିକୁ ଭଲ କରି ପଢିଲେ, ତାପରେ ହସି ହସି କହିଲେ – “ବୁଝିଲେ ଦାସେ ଆପଣେ, ଦିବ୍ୟସୁନ୍ଦର କାବ୍ୟଟିଏ ଲେଖିଲେ ସିନା ହେଲେ ଭଲ ନାଁଟିଏ ଦେଇପାରିଲେ ନାହିଁ । ପ୍ରତି ଅକ୍ଷର ଯେତେବେଳେ “କ” ଅକ୍ଷରରେ ଆରମ୍ଭ କରିଛନ୍ତି, ତା ନା “କଳକଲ୍ଲୋଳ” ବା “କୃଷ୍ଣକଲ୍ଲୋଳ” ରଖିଥିଲେ ଭଲ ହୋଇଥାନ୍ତା”।
ପୁରୀରୁ ଫେରିଲା ପରେ ଉପେନ୍ଦ୍ର ‘କ’ ଅକ୍ଷରକୁ ପ୍ରଥମରେ ରଖି “କଳାକୌତୁକ” ନାମରେ କବିତାଟିଏ ଲେଖିଲେ ଯାହାର ମୂଳରେ “କ” ଅକ୍ଷରକୁ ରଖି କୃଷ୍ଣଙ୍କର ସମସ୍ତ ଲୀଳାଖେଳା ବର୍ଣ୍ଣିତ। ଚିର ବନ୍ଦନୀୟ ଉପେନ୍ଦ୍ର ଭଞଙ୍କ ପୂର୍ବବର୍ତ୍ତୀ କବିମାନେ ତତ୍କାଳିନ ପାଠକମାନଙ୍କର ପସନ୍ଦକୁ ଅନୁସାରେ କେବଳ ରାଧାକୃଷ୍ଣଙ୍କ ଉପରେ ବର୍ଣିତ କାବ୍ୟକବିତା ଲେଖିଥିଲେ । ଉପେନ୍ଦ୍ର ପ୍ରଥମ କରି ଓଡ଼ିଆ ସାହିତ୍ୟରେ ସୀତାରାମଙ୍କୁ ନେଇ କାବ୍ୟ ଲେଖିଲେ । ନୂଆ ପ୍ରକାରର କାବ୍ୟ ରସାମୃତ ପରିବେଷଣ ହେବା ଫଳରେ ସେତେବେଳର ସମାଜରେ ତାହା ବେଶ୍ ଅଲୋଡନ ସୃଷ୍ଟି କରିବା ସହିତ ପାଠକମାନଙ୍କଦ୍ୱାରା ଆଦରଲାଭ ମଧ୍ୟ କଲା । ନିଜର ଆରାଧ୍ୟ ଠାକୁର ରାମସୀତାଙ୍କ ଲୀଳା ବର୍ଣ୍ଣନା କରିବାରେ ତାଙ୍କର ଲେଖନୀ ଚଳଚଞ୍ଛଳ ହୋଇ ଉଠିଲା । ନିପୁଣ ଭାବରେ ସେ ରାମସୀତା ଚରିତ ବିଭିନ୍ନ ଛନ୍ଦରେ ମାଳଟିଏ ଗୁନ୍ଥିଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ । ସାଧାରଣ ପାଠକଟିଏ ଏହି କାବ୍ୟଟି ପଢିବାଦ୍ୱାରା ତାର ଆଧ୍ୟାତ୍ମ୍ୟ ଜ୍ଞାନ ବୃଦ୍ଧି ପାଇଲା ।ଉପେନ୍ଦ୍ର ଭଞ୍ଜ ବହୁ ଶାସ୍ତ୍ର ପଢିଥିଲେ, ଯାହାଫଳରେ ସେଗୁଡିକ ନିଜ କାବ୍ୟକବିତାରେ ପ୍ରୟୋଗ କରିବାରେ ସଫଳ ହୋଇପାରିଥିଲେ । ତାଙ୍କ ପୁର୍ବରୁ ଯେଉଁ କାବ୍ୟକବିତା ଲେଖା ହୋଇଥିଲା ସେଥିମଧ୍ୟରୁ ଅଧିକାଂଶ ସଂସ୍କୃତରେ ଲେଖା ହୋଇଥିଲା । ତେଣୁ ଓଡ଼ିଆ ଭାଷୀ ଲୋକମାନଙ୍କ ପକ୍ଷରେ ବୁଝିବା ଟିକେ କଷ୍ଟ ହୋଇପଡୁଥିଲା । ତାଛଡା ସଂସ୍କୃତ ଅଳଙ୍କାରକୁ ନେଇ ଓଡ଼ିଆ କାବ୍ୟରେ ପ୍ରୟୋଗ କରିବାରେ ଉପେନ୍ଦ୍ର ଥିଲେ ପ୍ରଥମ ଓ ସିଦ୍ଧହସ୍ତ । ତାଙ୍କ ରଚନାବଳୀରେ ଯେଉଁ ବହୁଳ ଶବ୍ଦ ଭଣ୍ଡାରର ପ୍ରୟୋଗ ହୋଇଛି, ତାହା ମଧ୍ୟ ପଢିଲେ ଆଶ୍ଚର୍ଯ଼୍ୟ ଲାଗେ । ବିଭିନ୍ନ ଛନ୍ଦ ଓ ବୃତ୍ତର ବ୍ୟବହାର କରିବାଦ୍ୱାରା ତାଙ୍କ କାବ୍ୟଗୁଡିକ ସଙ୍ଗୀତ ଜଗତରେ ଏକ ଉଜ୍ୱଳ ମଣିତୁଲ୍ୟ ଶୋଭାପାଉଛି । କବି ସମାଜରେ ଉପେନ୍ଦ୍ର ଭଞଙ୍କ ସ୍ଥାନ ସମସ୍ତଙ୍କଠାରୁ ବହୁ ଉଚ୍ଚରେ ରହିଲା । ସମସ୍ତ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରି କାବ୍ୟମାନ ଲେଖିଥିବାରୁ ଆଜି ସେ ବାସ୍ତବରେ କବି ସମ୍ରାଟ ଭାବରେ ସବୁଆଡେ ପରିଚିତ । କବି ଉପେନ୍ଦ୍ର ଭଞ୍ଜ ପାଖାପାଖି ୫୨ ଗୋଟି ଗ୍ରନ୍ଥ ରଚନା କରିଥିଲେ ବୋଲି ଏକାଧିକ ଗବେଷକମାନଙ୍କଦ୍ୱାରା ଅନୁମିତ ହୋଇଅଛି । କିନ୍ତୁ ମୁଦ୍ରଣଯନ୍ତ୍ର ଅଭାବରୁ ଏହି ଗ୍ରନ୍ଥଗୁଡ଼ିକ ମଧ୍ୟରୁ ଅନେକ ଗ୍ରନ୍ଥ ଆଉ ଖୋଜିଲେ ମଧ୍ୟ ମିଳିବା ଅସମ୍ଭବ ପ୍ରାୟ । ଏବେ ମାତ୍ର ୨୦-୨୫ ଗୋଟି ରଚନା ମିଳୁଛି । ଏହି ବିଷୟରେ ପ୍ରସିଦ୍ଧ ପତ୍ରିକା ଉତ୍କଳ ଦୀପିକାରେ ୧୮୬୬ ମସିହାରେ ଛପାଯାଇଥିଲା ।“ ମୁଦ୍ରାଯନ୍ତ୍ର ଅଭାବରେ ଅନେକ ଗ୍ରନ୍ଥ ଲୋପ ହୋଇଅଛି । ଓଡ଼ିଶାର କବିକୁଳ କେଶରୀ ଉପେନ୍ଦ୍ର ଭଞ୍ଜ ୫୨ ଖଣ୍ଡ ଗ୍ରନ୍ଥ ରଚନା କରନ୍ତି ମାତ୍ର ବର୍ତ୍ତମାନ ସୁଦ୍ଧା ପ୍ରକାଶିତ କବି ରଚିତ ୨୦/୨୫ ଖଣ୍ଡ ଗ୍ରନ୍ଥରୁ ଅଧିକ ମିଳୁନାହିଁ । କବି ସମ୍ରାଟ ଉପେନ୍ଦ୍ରଙ୍କ ପତ୍ନୀ ଲାବଣ୍ୟବତୀଙ୍କର ଭାଇ ପୁରୁଷୋତ୍ତମ ଜଣେ ପ୍ରସିଦ୍ଧ କବି ଓ ଭାଉଜ ଶୋଭାବତୀ ଜଣେ ବିଦୁଷୀ ନାରୀ ଥିଲେ । ଥରେ ପୁରୁଷୋତ୍ତମ “ଶୋଭାବତୀ” ନାମରେ କାବ୍ୟଟିଏ ଲେଖି ଉପେନ୍ଦ୍ରଙ୍କ ପାଖକୁ ପଠାଇଥିଲେ । ଉପେନ୍ଦ୍ର କାବ୍ୟଟିକୁ ନେଇ ଲାବଣ୍ୟବତୀଙ୍କୁ ଦେଖାଇଲେ, କବିତାଟି ପଢି ଲାବଣ୍ୟବତୀ ମନେ ମନେ ଭାଉଜଙ୍କୁ ଈର୍ଷା କଲେ । ଭାଉଜଙ୍କଠାରୁ ସେ ଥିଲେ ବହୁତ ସୁନ୍ଦର, ହେଲେ ତାଙ୍କ ନାଁରେ କଣ ଏମିତି ଗୋଟାଏ କାବ୍ୟ ତାଙ୍କ ସ୍ୱାମୀ ଲେଖି ପାରିବେ? ଲାବଣ୍ୟବତୀ ଅଭିମାନରେ ନିଜ ଶୋଇବା ଘରେ ମୁହଁମାଡି ଶୋଇଲେ. ଉପେନ୍ଦ୍ର ସ୍ତ୍ରୀଙ୍କ ମନଦୁଃଖ ହୋଇଥିବା କଥା ଜାଣିପାରି ତାଙ୍କୁ କହିଲେ “କିଛିଦିନ ସମୟ ଦିଅ. ତୁମକୁ ମୁଁ ଏହାଠାରୁ ଅଧିକ ସୁନ୍ଦର ଓ ଉନ୍ନତମାନର କାବ୍ୟଟିଏ ଲେଖି ଉପହାର ଦେବି”। ସ୍ୱାମୀଙ୍କଠାରୁ ଭରସା ପାଇ ଲାବଣ୍ୟବତୀ ଅଭିମାନ ଛାଡି ଉଠିଲେ । ମାତ୍ର ଦୁଇ ମାସ ପରେ ଉପେନ୍ଦ୍ର “ଲାବଣ୍ୟବତୀ” ନାମରେ କାବ୍ୟଟିଏ ଲେଖି ଆଣି ସ୍ତ୍ରୀଙ୍କ ହାତରେ ଅର୍ପଣ କଲେ । ଲାବଣ୍ୟବତୀ ନିଜ ନାମରେ ଲେଖା ଯାଇଥିବା କାବ୍ୟଟିକୁ ହାତରେ ପାଇ ନିଜକୁ ଗର୍ବିତ ମନେ କଲେ. ଉପେନ୍ଦ୍ର ସେହି କାବ୍ୟରୁ ଗୋଟିଏ ପୋଥି ନିଜ ଶଳା ଓ ଶଳା ଭାଉଜଙ୍କ ପାଖକୁ ମଧ୍ୟ ପଠାଇଲେ. ଏକ କାଳ୍ପନିକ ବିଷୟବସ୍ତୁକୁ ନେଇ ଲେଖାଯାଇଥିବା “ଲାବଣ୍ୟବତୀ” କାବ୍ୟଟିକୁ ପଢି ରସପ୍ରେମୀ ପାଠକମାନେ ମୁଗ୍ଧ ହୋଇଯାଆନ୍ତି । ବିଷୟବସ୍ତୁ, ଅଳଙ୍କାର, ଶବ୍ଦ ବିନ୍ୟାସ କୌଣସି କ୍ଷେତ୍ରରେ କାବ୍ୟଟି କମ୍ ନୁହେଁ। ଓଡ଼ିଶାର ପୁରପଲ୍ଲୀର ଚିତ୍ର ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ବର୍ଣ୍ଣନାରେ କାବ୍ୟଟିର ବିଷୟବସ୍ତୁ ପ୍ରତ୍ୟେକ ପାଠକର ମନକୁ ହରି ନେଇଥାଏ। କାବ୍ୟଟି ଯଦିଓ କାଳ୍ପନିକ ବିଷୟବସ୍ତୁକୁ ନେଇ ଆଧାରିତ ତଥାପି ଏଥିରେ ନାରୀ ଚରିତ୍ରର ସମସ୍ତ ଗୁଣ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି। ତେଣୁ ଏହା ତତ୍କାଳିନ କବିସମାଜକୁ ନତମସ୍ତକ ହେବାକୁ ବାଧ୍ୟ କରିଥିଲା ।
ବଇଦେହୀଶ ବିଳାସ ନାମ ଗୀତ ବ’ ଆକାରେ ରଚନ ।
ବାନପଦେ ଛାନ୍ଦ ଉପଇନ୍ଦ୍ର କୃତ ବୁଝିବେ ସୁମନ ।
ଆଲେଖ୍ୟକୁ ଆଉ ଦୀର୍ଘ ନ କରି ଆମ ଭାଷା ଜନନୀଙ୍କ ସର୍ବାନ୍ତକରଣରେ ପ୍ରଭାବଶାଳୀ ସନ୍ତାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି ଓ ଆଶୀର୍ବାଦ ଭିକ୍ଷା କରୁଛୁ ଯେ ସେ ଆମକୁ ତାଙ୍କୁ ପଢିବାକୁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତୁ ।
ବୋଉ ଏକ ଆସ୍ଥା,ଏକ ଆସ୍ଥାନ
—————-+
“मातः सोऽहमुपस्तितोऽस्मि पुरतः पूर्वप्रतिज्ञां स्मरन्,
प्रत्यश्रावि पुराहि तेऽन्त्य समये प्राप्तुं समीपं तव ।
ग्राहग्रासमिषाद्यया ह्यनुमतस्तुर्याश्रमं प्राप्तुवान्,
यत्प्रीत्यै च समागतोऽहमधुना तस्यै जनन्यै नमः “
“नास्ति मातृसमा छाया, नास्ति मातृसमा गतिः।
नास्ति मातृसमं त्राण, नास्ति मातृसमा प्रिय ।
ପ୍ରତ୍ୟେକ ସନ୍ତାନ ର ଆଦ୍ୟ ଗୁରୁ, ତା’ର ଜନ୍ମଦାତ୍ରୀ । ଏପରିକି ପୃଥିବୀର ଆଲୋକ ସ୍ପର୍ଶ କରିବା ପୂର୍ବରୁ, ଅର୍ଥାତ୍ ଭୂମିଷ୍ଠ ହେବା ପୂର୍ବରୁ ,ମାତୃଗର୍ଭ ରେ ସନ୍ତାନ ଶିକ୍ଷା ଗ୍ରହଣ କରିଥାଏ , ଯାହାର ପ୍ରମାଣ ଆମର ଶାସ୍ତ୍ରରେ ଅନେକ ଉଦାହରଣ ସହିତ ରହିଛି । ସେଥିପାଇଁ ଭୃଣ ଅବସ୍ଥାରେ ଜନନୀଙ୍କ ନିମନ୍ତେ ବହୁବିଧ ଶିକ୍ଷଣୀୟ ଜୀବନଚର୍ଯ୍ୟା ସମ୍ପର୍କରେ ଉଲ୍ଲେଖ କରାଯାଇଛି । ମହାଭାରତ ଯୁଦ୍ଧରେ ସଂଶପ୍ତକଙ୍କ ସହିତ ଯୁଦ୍ଧ କରିବା ଉଦ୍ଦେଶ୍ୟରେ ଅର୍ଜୁନ ବହୁ ଦୂରକୁ ଚାଲିଯାଇଥିଲେ, ଯାହା ମଧ୍ୟ ଥିଲା ଯୋଜନାବଦ୍ଧ । କାରଣ ଅର୍ଜୁନଙ୍କ ଅନୁପସ୍ଥିତିରେ ଗୁରୁ ଦ୍ରୋଣାଚାର୍ଯ୍ୟ ରଚନା କରିଥିବା ଚକ୍ରବ୍ୟୁହ ଚକ୍ରାନ୍ତ ହିଁ ସଫଳତା ହାସଲ କରିହେବ , ଏହାହିଁ ଥିଲା ଦୃଢ଼ ବିଶ୍ୱାସ। ଏହି ଚକ୍ରାନ୍ତ ରେ ସ୍ବୟଂ ଶ୍ରୀକୃଷ୍ଣ ଓ ଦେବଦେବ ମହାଦେବଙ୍କ ବରଦାନ ଥିଲା ଅଂଶବିଶେଷ । ଏହାର କାରଣ ଅର୍ଜୁନଙ୍କ ବ୍ୟତୀତ ଅନ୍ୟ କେହି ଚକ୍ରବ୍ୟୁହ ଭେଦ କରିପାରିବେ ନାହିଁ , ଏହା ଜାଣିଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ । ମହାଦେବଙ୍କ ବରଦାନରେ ଅର୍ଜୁନଙ୍କ ବ୍ୟତୀତ ଅନ୍ୟମାନଙ୍କୁ ପରାସ୍ତ କରିପାରିବାର ବରଦାନ ପାଇଥିଲା ଦୁର୍ଯୋଧନଙ୍କ ଭିଣୋଇ ଜୟଦ୍ରଥ । ସେ ହିଁ ସମସ୍ତ ଙ୍କୁ ଚକ୍ରବ୍ୟୁହ ରେ ପ୍ରବେଶକୁ ରୋକିଦେଇଥିଲେ । ମାତ୍ର ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ ମାତୃଗର୍ଭରେ ଥିବା ସମୟରେ ପିତାଙ୍କ ଠାରୁ ମାଆଙ୍କ ମାଧ୍ୟମରେ ଚକ୍ରବ୍ୟୁହ ପ୍ରବେଶର ଶିକ୍ଷା ଲାଭ କରିଥିବାରୁ ପ୍ରବେଶରେ ସମର୍ଥ ହୋଇଥିଲେ ସତ୍ୟ ମାତ୍ର ଫେରିବା ସୂତ୍ର ଅର୍ଜୁନ ସୁଭଦ୍ରାଙ୍କୁ କହିବା ସମୟରେ ଶୋଇ ଯାଇଥିବାରୁ ଅଭିମନ୍ୟୁ ଶିକ୍ଷା ପାଇ ପାରି ନଥିଲେ । ଏଭଳି ଅନେକ ଉଦାହରଣରେ ସମୃଦ୍ଧ ଆମର ପୁରାଣ ଶାସ୍ତ୍ର ।ରାମାୟଣରେ ମହର୍ଷି ବାଲ୍ମୀକି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ତୁଣ୍ଡରେ ଲକ୍ଷ୍ମଣଙ୍କୁ କୁହାଇଛନ୍ତି ” ଅପି ସ୍ଵର୍ଣ୍ଣମୟୀ ଲଙ୍କା ନ ମେ ଲକ୍ଷ୍ମଣ ରୋଚତେ, ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ ” । Laxman, even this golden Lanka does not appeal to me, Mother and Motherland is greater than heaven. । ଯାହା ପରବର୍ତ୍ତୀ ସମୟରେ ମହର୍ଷି ଭରଦ୍ୱାଜ କହିଯାଇଛନ୍ତି ” ମିତ୍ରାଣି ଧନ ଧନ୍ୟାନି ପ୍ରଜାନାଂ ସମ୍ମତାନିବ, ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ” ।
ଅର୍ଥାତ୍ ବନ୍ଧୁ ବର୍ଗ,ଧନ ସମ୍ପତ୍ତି, କ୍ଷମତା ପ୍ରତିପତ୍ତି ପ୍ରିୟ ହୋଇପାରେ ମାତ୍ର ଜନନୀ ଓ ଜନ୍ମଭୂମି ସର୍ବାନ୍ତକରଣରେ ସର୍ବୋଚ୍ଚ ପୂଜ୍ୟ ।ଅତଏବ ମା’ ଓ ମାତୃଭୂମି ପ୍ରତ୍ୟେକ ମଣିଷର ପ୍ରତି ମୁହୂର୍ତ୍ତର ବନ୍ଦନୀୟା,ପୂଜ୍ୟନୀୟା,ସ୍ମରଣୀୟା । କୋୖଣସି ନିର୍ଦ୍ଦିଷ୍ଟ ସମୟର ଅବା ମୁହୂର୍ତ୍ତର ଗଣ୍ଡି ମଧ୍ୟରେ ସୀମିତ ରଖି ପୂଜା କରାଯାଏ ନାହିଁ । ଠିକ୍ ଗୋଟିଏ ମାସ ବିତିଗଲା ବୋଉର ଅବର୍ତ୍ତମାନରେ , କିଭଳି ମାନସିକ ଯନ୍ତ୍ରଣାର ଆମେ ଜର୍ଜରିତ, ତାହା କେବଳ ଜଣେ ଅନୁଭବୀ ହିଁ ଉପଲବ୍ଧି କରିପାରିବେ, ଯାହା ପ୍ରକାଶ କରିବା ପାଇଁ ଶବ୍ଦ ଅକୁଳାଣ । ଶାସ୍ତ୍ର ରେ ଉଲ୍ଲେଖ ରହିଛି-;”आस्तां तावदियं प्रसूतिसमये दुर्वारशूलव्यथा,नैरुच्यं तनुशोषणं मलमयी शय्या च सांवत्सरी ।एकस्यापि न गर्भ-भार-भरण-क्लेशस्य यस्याः क्षमो ,दातुं निष्कृतिमुन्नतोऽपि तनयः तस्यैः जनन्यै नमः ।।”
ଏହାର ଇଂରାଜୀ ଅନୁବାଦ ହେଲା-;
“The acute irrepressible pain endured by the mother at the time of delivery, the distaste towards food and the resulting emaciation of the body during pregnancy, the year-long period after delivery, during which the bed was dirtied by the baby – let all these be. But the suffering that the mother endures in carrying the weight of the foetus throughout pregnancy, can never be compensated the least by a son, even if he is great and famous. Salutations to that mother.” ।”नास्ति मातृसमा छाया नास्ति मातृसमा गतिः। नास्ति मातृसमं त्राणं नास्ति मातृसमा प्रपा।।”
ମାଆ ହିଁ ତ ସାମାଜିକ ରୌଦ୍ରତାପରେ ସୁଶିତଳ ଛାୟା, ବିକଳ୍ପ ବିହୀନ ସହାୟତା, ସୁରକ୍ଷା ପ୍ରଦାୟିନୀ ।ଅଗ୍ରପୂଜ୍ୟ ଗଣେଶ ଓ କାର୍ତ୍ତିକେୟ ଙ୍କ ମଧ୍ୟରେ ପ୍ରତିଯୋଗିତା ର କାହାଣୀ ମଧ୍ୟ ସର୍ବକାଳୀନ ଆଦର୍ଶ ଦର୍ଶନ ।”मातरं पितरं चैव यस्तु कुर्यात् प्रदक्षिणम्” ।प्रदक्षिणीकृता तेन सप्तद्वीपा वसुन्धरा।।”
ଅର୍ଥାତ୍ ମାଆ ବାପା ଙ୍କ ଚର୍ତୁପାଶ୍ୱ ପରିଭ୍ରମଣ ହିଁ ବିଶ୍ବ ପରିଭ୍ରମଣ ।ଆମେ ଅନେକ ସମୟରେ ଆମ ଭାଷାର ସାମାଜିକ ବିଜ୍ଞାନ ସମ୍ମତ ମହନୀୟତା ପ୍ରତିପାଦିତ କରିବା ସମୟରେ କହିଥାଉ ଯେ ବାପା ମାଆ ହିଁ ଭଗବାନ । ବାପା + ମାଆ =ଭଗବାନ ।ବା – ବାୟୁ + ପା- ପାଣି +ମା- ମାଟି+ଆ- ଆକାଶ =ଭ- ଭୂ ଧାତୁରେ ପୃଥିବୀ + ଗ- ଗଗନ- ଆକାଶ+ ବା- ବାୟୂ + ନ- ନୀର – ଜଳ- ପାଣି । ବନ୍ଧୁବର୍ଗ ! ବୋଉର ଅବର୍ତ୍ତମାନର ଗୋଟିଏ ମାସର ପ୍ରତି ମୁହୂର୍ତ୍ତ ଅନୁତାପର ଜ୍ୱାଳାରେ ଜର୍ଜରିତ । ଅନେକ ଥର ବୋଉ ଚାହିଁଛି,ତା ସହିତ ଗପସପ କରିବାକୁ , ବିଭିନ୍ନ ଆଧ୍ୟାତ୍ମିକ ସ୍ଥଳ ବୁଲି ଯିବାକୁ , ଅଥଚ ଅନ୍ୟାନ୍ୟ କାର୍ଯ୍ୟ ବ୍ୟସ୍ତତା ଭିତରେ ସେ ଚାହୁଁଥିବା ଅନେକ ସ୍ଥାନ କୁ ନେଇ ପାରି ନାହୁଁ । ଜୀବନରେ ଭୁଲରେ ଥରେ ହେଲେ ବୋଉ ଗାଳି ଦେଇ ନାହିଁ କି କୌଣସି କଥାରେ ଆକଟ କରିନାହିଁ । ଅଭାବ ସମୟରେ ପଦାର୍ଥର ପ୍ରକୃତ ପରିଚୟ ମିଳେ ” ନ୍ୟାୟରେ ବୋଉର ଅବର୍ତ୍ତମାନରେ ଆମ ଜୀବନ ଯାତ୍ରାରେ ବୋଉର ଅସୀମ ଆଶୀର୍ବାଦ ଏବଂ ମହନୀୟ ଅବଦାନ ଅବର୍ଣ୍ଣନୀୟ । ବାସ୍ତବରେ ବିଶ୍ବର ୬୭୦୧ ଭାଷା ମଧ୍ୟରେ ଜନ୍ମଦାତ୍ରୀଙ୍କୁ ବୋଉ ଡାକିବା କେବଳ ଆମ ଓଡିଆ ଭାଷାରେ ହୃଦୟୋତଫୁଲିତ ସମ୍ବୋଧନ, ଏହା ଏକ ଶବ୍ଦ ନୁହେଁ, ସାମାଜିକ ସମ୍ପର୍କର ସର୍ବନାମ । ବୋଉ ଏକ ଆସ୍ଥା,ଏକ ଆସ୍ଥାନ , ଜୀବନର ଜପା ମନ୍ତ୍ର ,ବୋଉ ଏକ ଶବ୍ଦ, ଯେଉଁଥିରେ ରହିଛି ଅସୀମ ମାଦକତା । ବୋଉ ଶବ୍ଦ ର କୌଣସି ତୁଳନା ନାହିଁ କି ବିକଳ୍ପ ନାହିଁ କି ସଠିକ୍ ସଂଜ୍ଞା ମଧ୍ୟ ହୋଇନାହିଁ ନିରୂପିତ । ମମତାର ଅସରନ୍ତି ଭଣ୍ଡାର ବୋଉ। ଅନାବିଳ ସ୍ନେହ, ସ୍ବାଭାବିକ ଶ୍ରଦ୍ଧା ଓ ସମର୍ପିତ ସେବାର ମୂର୍ତ୍ତିମନ୍ତ ପ୍ରତୀକ ବି ସେଇ ବୋଉ ।” ବୋଉ ଡାକ ସୁମଧୁର ଅମୃତ ସମାନ , ଯାହା ଉଚ୍ଚାରିଲେ ତୃପ୍ତ ହୁଏ ଆମରି ପରାଣ” । ମମତାର ଅସୀମ ଭଣ୍ଡାର , ଅନାବିଳ ସ୍ନେହ, ସ୍ବାଭାବିକ ଶ୍ରଦ୍ଧା ଓ ସମର୍ପିତ ସେବାର ମୂର୍ତ୍ତିମନ୍ତ ପ୍ରତୀକ ବି ସେଇ ବୋଉ । କେବଳ ମଣିଷ ନୁହେଁ,ଇତର ପ୍ରାଣୀମାନଙ୍କ କ୍ଷେତ୍ରରେ ବି ଏହା ପ୍ରତିଫଳିତ । ଯେତେବେଳେ ସନ୍ତାନ ବୋଉର ପଣତକୁ ଆଶ୍ରାକରେ, ଶତସିଂହ ବଳରେ ବଳୀୟାନ୍ ହୋଇ ବୋଉ ତାକୁ ସୁରକ୍ଷାଦିଏ। ଆଉ ସନ୍ତାନକୁ ଯଦି ସାହାରା ଦେବାର ଅବସର ଆସେ, ତେବେ ବୋଉ ଭିତରେ ଭରିଯାଏ ଅଫୁରନ୍ତ ସାମର୍ଥ୍ୟ। ଅତଏବ ବୋଉକୁ
ଶବ୍ଦରେ ବାଖ୍ୟା କରିବା ଅସମ୍ଭବ । ଯେଉଁ ସଂଜ୍ଞା ନିରୂପିତ ହୋଇ ପାରି ନଥିବା ଶବ୍ଦରେ ରହିଛି ସଂସାରର ସବୁ ସୁଖ ଆଉ ଶାନ୍ତି । ସଂସାରର ଯେତେ ବୋଉଠୁ ଆରମ୍ଭ, ବୋଉରେ ଶେଷ ।
ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ବି ବୋଉ ଆଗରେ ସବୁ ତୁଚ୍ଛ ହେଇଯାଏ। ବୋଉର ପ୍ରାର୍ଥନାରେ ଏତେ ଶକ୍ତି ଯେ ତାର ସନ୍ତାନ ନିକଟରେ ମୃତ୍ୟୁ ବି ଆସିବାକୁ ଭୟ କରେ । ଏହି ଦୁଇ ଅକ୍ଷରରୁ ହିଁ ଜୀବନର ଆରମ୍ଭ । ବୋଉ ଥିଲେ ସଂସାରରେ ସବୁକିଛି ଥିଲା ପରି ଲାଗେ । କୁହାଯାଏ ଦୁନିଆରେ ସଭିଙ୍କ ଋଣ ସୁଝି ହେବ , କିନ୍ତୁ ଜନନୀର ଋଣ ମରିବା ଯାଏ କେବେ କେହି ଶୁଝି ପାରିବେ ନାହିଁ। ସେ ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ ଜନ୍ମ ପ୍ରଦାୟିନୀକୁ ପୃଥିବୀ ସହିତ ବି ତୁଳନା କରାଯାଇଥାଏ ।ମାଟି, ମଞ୍ଜି ଓ ଗୋବର ଖତରେ ଟାଙ୍ଗରା ଜମିକୁ ଯେଉଁଭଳି ସବୁଜିମା କରିବାର ଶକ୍ତି ରଖିଥାଏ ସେହିପରି ବୋଉର ପଣତକାନି ସନ୍ତାନ ପାଇଁ ସୁରକ୍ଷିତ ଏବଂ ନିରାପଦ ରଖିଥାଏ । ଯାହାର ସ୍ନେହ ଆଉ ପ୍ରେମରେ ନଥାଏ କିଛି ସ୍ୱାର୍ଥ ଆଉ କାମନା । ଯିଏ ନିଃସ୍ୱାର୍ଥପରଭାବେ ସନ୍ତାନମାନଙ୍କ ପ୍ରତି ଅଜାଡ଼ି ଦେଇପାରେ ଅଜସ୍ର ଭଲ ପାଇବା ସେ ହେଉଛି ବୋଉ।