ନୂତନ ଚିକିତ୍ସା ପଦ୍ଧତି ଅନ୍ୱେଷଣ ଲାଗି ଆଇଏଲଏସ ପକ୍ଷରୁ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ

ନୂତନ ଚିକିତ୍ସା ପଦ୍ଧତି ଅନ୍ୱେଷଣ ଲାଗି ଆଇଏଲଏସ ପକ୍ଷରୁ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ) ପକ୍ଷରୁ ନୂତନ ଚିକିତ୍ସା ପଦ୍ଧତିର ଅନ୍ୱେଷଣ ଲାଗି ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯାଉଛି। ଗତକାଲି ଠାରୁ ଆରମ୍ଭ ହୋଇଥିବା ସମ୍ମିଳନୀ ତିନି ଦିନ ଧରି ଚାଲିବ। ଏଥିରେ ଦେଶବିଦେଶର ବହୁ ବିଶିଷ୍ଟ ବୈଜ୍ଞାନିକ ଯୋଗ ଦେଇଛନ୍ତି। ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଭିନ୍ନ ରୋଗ ନିଦାନ ଓ ଚିକିତ୍ସାରେ ଏକ୍ସଟ୍ରାସେଲୁଲାର୍‌ ଭେସିକଲ୍ସ (ଇଭି)ର ସମ୍ଭାବନା ଅନୁସନ୍ଧାନ କରିବା। ଏକ୍ସଟ୍ରାସେଲୁଲାର୍‌ ଭେସିକଲ୍ସ ହେଉଛି ଅତି ଛୋଟ ଝିଲ୍ଲି ଦ୍ୱାରା ଘେରି ରହିଥିବା କଣିକା ଯାହା ବିଭିନ୍ନ ପ୍ରକାର କୋଷରୁ ବାହାରିଥାଏ। ଏହା ଶରୀରର ଭିନ୍ନ ଭିନ୍ନ ଭାଗ ମଧ୍ୟରେ ପ୍ରୋଟିନ୍‌, ଲିପିଡ୍‌ ଏବଂ ନ୍ୟୁକ୍ଲିକ୍‌ ଏସିଡ୍‌ ପହଞ୍ଚାଇ କୋଷ ମଧ୍ୟରେ ଆପୋସ ସଞ୍ଚାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ।ଇଭୋଲ୍ଭ-୨୦୨୬ ନାମକ ଏହି ସମ୍ମିଳନୀ ଇଣ୍ଡିଆନ୍‌ ସୋସାଇଟି ଫର୍ ଏକ୍ସଟ୍ରାସେଲୁଲାର୍‌ ଭେସିକଲ୍ସର ତତ୍ତ୍ୱାବଧାନରେ ଆୟୋଜିତ ଆୟୋଜିତ ହେଉଛି। ଏଥିରେ ସାରା ଭାରତରୁ ୬୨ଟି ଭିନ୍ନ ଭିନ୍ନ ପ୍ରତିଷ୍ଠାନରୁ ୧୮୦ ଜଣ ପ୍ରତିଯୋଗୀ ଏବଂ ଫ୍ରାନ୍ସ, ଜର୍ମାନୀ, ସ୍ୱିଡେନ, ୟୁଏଇ, ଆମେରିକା ଆଦି ଦେଶର ବୈଜ୍ଞାନିକମାନେ ଅଂଶଗ୍ରହଣ କରିଛନ୍ତି। ସମ୍ମିଳନୀରେ ଜୀବାଣୁ, ଭୂତାଣୁ ଏବଂ ଅନ୍ୟ ସଂକ୍ରାମକ ରୋଗରେ ଏକ୍ସଟ୍ରାସେଲୁଲାର୍‌ ଭେସିକଲ୍ସରର ଭିନ୍ନ ଭିନ୍ନ ଭୂମିକା ଯାଞ୍ଚ କରାଯାଇଛି। ଗବେଷକମାନେ କର୍କଟ, ପାର୍କିନସନ ରୋଗ ଭଳି ସ୍ନାୟବିକ ବିକାର, ପଲ୍ମୋନାରୀ ଫାଇବ୍ରୋସିସ୍ ଭଳି ଅଣସଂକ୍ରାମକ ରୋଗରେ ଇଭିର ଭୂମିକା ଉପରେ ମଧ୍ୟ ନିଜର ଗବେଷଣା ନିଷ୍କର୍ଷ ଉପସ୍ଥାପନ କରିଥିଲେ। ସମ୍ମିଳନୀର ମୁଖ୍ୟ ଆକର୍ଷଣ ଥିଲା, ଔଷଧ ପହଞ୍ଚାଉଥିବା ମାଧ୍ୟମ ରୂପରେ ଇଭିର କ୍ଷମତା ତଥା ଟିସ୍ୟୁଗୁଡ଼ିକର ପୁନଃନିର୍ମାଣ, ବିଶେଷ କରି ଅଷ୍ଟିୟୋ ପୋରୋସିସ୍‌ ଏବଂ ଅସ୍ଥି କର୍କଟ କାରଣରୁ ହେଉଥିବା ଅସ୍ଥି କ୍ଷୟ ମରାମତିରେ ସେଗୁଡ଼ିକର ପ୍ରୟୋଗ ଉପରେ ଆଲୋଚନା।

Posted in Uncategorized.