ବାରକୋଟର ଐତିହାସିକ ‘କଲା ଚନ୍ଦନ ଯାତ୍ରା’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
ଦେବଗଡ଼, ଏପ୍ରିଲ ୨୪, ଦେବଗଡ଼ ଜିଲ୍ଲା ବାରକୋଟ୍ ବ୍ଲକର ଐତିହାସିକ ‘କଲା ଚନ୍ଦନ ଯାତ୍ରା’ କେବଳ ଏକ ପର୍ବ ନୁହେଁ, ଏହା ଆମ ସମୃଦ୍ଧ ଓଡ଼ିଆ ସଂସ୍କୃତି, ଅନନ୍ୟ ପରମ୍ପରା ଏବଂ ଗଭୀର ଆଧ୍ୟାତ୍ମିକ ଚେତନାର ଏକ ଜ୍ୱଳନ୍ତ ପ୍ରତୀକ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଆଜି ଦେବଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ସାଂସ୍କୃତିକ ଓ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ‘କଲା ଚନ୍ଦନ ଯାତ୍ରା’ ସମାରୋହରେ ଉପସ୍ଥିତ ରହି ଶ୍ରୀ ପ୍ରଧାନ କହିଛନ୍ତି, କଲା ଗ୍ରାମର ଏହି ପାରମ୍ପରିକ ଯାତ୍ରାର ଏକ ଗୌରବମୟ ଇତିହାସ ରହିଛି, ଯାହା ଆଜି ସମଗ୍ର ଦେବଗଡ଼ ଜିଲ୍ଲାର ପରିଚୟ ପାଲଟିଛି । ଶୃଙ୍ଖଳିତ ଜୀବନଶୈଳୀ ଓ ସାମାଜିକ ଏକତାର ବାର୍ତ୍ତା ଦେଉଥିବା ଏହି ପର୍ବ ଆଗାମୀ ପିଢ଼ିକୁ ସଠିକ୍ ଦିଗଦର୍ଶନ ଦେବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ଏହା ପୂର୍ବରୁ ଦେବଗଡ଼ରେ ପାର୍ଟି କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ । ଦଳର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ସହ ‘ଡବଲ ଇଞ୍ଜିନ’ ସରକାରର ପ୍ରତ୍ୟେକ ଜନକଲ୍ୟାଣକାରୀ ଯୋଜନାକୁ ସବୁ ବର୍ଗର ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ପରାମର୍ଶ ଦେଇଛନ୍ତି । ‘ବିକଶିତ ଦେବଗଡ଼’ ଓ ‘ବିକଶିତ ଓଡ଼ିଶା’ର ସଂକଳ୍ପକୁ ସାକାର କରିବା ଦିଗରେ ଏକନିଷ୍ଠ ଭାବେ କାର୍ଯ୍ୟ କରିବାକୁ ସେ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଦେବଗଡ଼ ସହରରେ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ପ୍ରଭୁଙ୍କ ନିକଟରେ ସମସ୍ତଙ୍କର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ । ଏଥିସହିତ ବାରକୋଟ୍ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।
