ଓଡ଼ିଶାର ଭିତ୍ତିଭୂମି ଏବଂ ପ୍ରଗତି ପାଇଁ କେନ୍ଦ୍ର ସରକାର ଏକ ବଡ଼ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ‘କୋଷ୍ଟାଲ ହାଇୱେ’ (ଉପକୂଳ ରାଜପଥ) ପ୍ରକଳ୍ପକୁ ଗ୍ରୀନ୍ ସିଗନାଲ୍ ମିଳିଛି। ଏନଏଚ୍-୯୦ (NH-90) ଅଧୀନରେ ପ୍ରାୟ ୧୬୦.୧୮ କିଲୋମିଟର ଲମ୍ବ ବିଶିଷ୍ଟ ଏହି ଗ୍ରୀନଫିଲ୍ଡ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୮ ହଜାର ୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟୟବରାଦ କରିଛନ୍ତି।
ଏହି ମେଗା ପ୍ରକଳ୍ପକୁ ମଞ୍ଜୁରି ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସମଗ୍ର ଓଡ଼ିଶାବାସୀଙ୍କ ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ପୂର୍ବୋଦୟ ମିଶନ’ରେ ଓଡ଼ିଶାର ଆର୍ଥିକ ପ୍ରଗତି, ପର୍ଯ୍ୟଟନ, ଗ୍ରାମୀଣ ଅର୍ଥନୀତି ଏବଂ ବାଣିଜ୍ୟ-ଶିଳ୍ପାୟନ କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ‘ଗେମ୍-ଚେଞ୍ଜର’ ସାବ୍ୟସ୍ତ ହେବ। ଏହା ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ରାଜ୍ୟର ‘ବ୍ଲୁ ଇକୋନୋମୀ’ (ସାମୁଦ୍ରିକ ଅର୍ଥନୀତି) କୁ ଏକ ନୂଆ ଶକ୍ତି ଓ ଗତି ପ୍ରଦାନ କରିବ। ଏହି ପ୍ରକଳ୍ପ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ।
ଏହି ସମ୍ପୂର୍ଣ୍ଣ ମେଗା ପ୍ରକଳ୍ପଟି ‘ହାଇବ୍ରିଡ୍ ଆନୁଇଟି ମୋଡ୍’ (Hybrid Annuity Mode) ରେ ନିର୍ମାଣ କରାଯିବ ଏବଂ ଏହାକୁ ଦୁଇଟି ପ୍ୟାକେଜ୍ରେ ବିଭକ୍ତ କରାଯାଇଛି: ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱର ଠାରୁ କୋଣାର୍କ ଦେଇ କାକଟପୁର ପର୍ଯ୍ୟନ୍ତ ପ୍ରାୟ ୭୯ କିଲୋମିଟର ରାସ୍ତାକୁ ୪-ଲେନ୍ ବିଶିଷ୍ଟ ହାଇୱେ ଭାବେ ନିର୍ମାଣ କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ କାକଟପୁର ଠାରୁ ପ୍ରମୁଖ ସାମୁଦ୍ରିକ ବନ୍ଦର ପାରାଦୀପ ପର୍ଯ୍ୟନ୍ତ ପ୍ରାୟ ୮୦ କିଲୋମିଟର ରାସ୍ତାକୁ ପକ୍କା ସୋଲ୍ଡର ବିଶିଷ୍ଟ ୨-ଲେନ୍ ରୋଡ୍ ଭାବେ ଗଢ଼ି ତୋଳାଯିବ।
ଏହି ପ୍ରକଳ୍ପର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଏହା ଓଡ଼ିଶାର ପ୍ରମୁଖ ସାମୁଦ୍ରିକ ବନ୍ଦରଗୁଡ଼ିକ ସହିତ ଉପକୂଳବର୍ତ୍ତୀ ଅଞ୍ଚଳର ପ୍ରସିଦ୍ଧ ଆଧ୍ୟାତ୍ମିକ ତଥା ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ସିଧାସଳଖ ସଂଯୋଗ କରିବ। ଓଡ଼ିଶାର ବିକାଶ ପ୍ରତି କେନ୍ଦ୍ର ସରକାରଙ୍କ ଏହି ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ଆଗାମୀ ଦିନରେ ରାଜ୍ୟର ପ୍ରଗତିକୁ ଆହୁରି ଦ୍ରୁତଗାମୀ କରିବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି।
