ଇସ୍କନର ବେଆଇନ ରଥଯାତ୍ରା ବିରୋଧରେ ଗଜପତିଙ୍କ ବଡ଼ ପ୍ରହାର: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ମହାରାଜା

ଇସ୍କନର ବେଆଇନ ରଥଯାତ୍ରା ବିରୋଧରେ ଗଜପତିଙ୍କ ବଡ଼ ପ୍ରହାର: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ମହାରାଜା

ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା ଏବଂ ଶାସ୍ତ୍ରୀୟ ନୀତିର ସୁରକ୍ଷା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏକ ବଡ଼ ତଥା ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆନ୍ତର୍ଜାତୀୟ ଆଧ୍ୟାତ୍ମିକ ସଂଗଠନ ‘ଇସ୍କନ’ (ISKCON) ଦ୍ୱାରା ବିଦେଶ ମାଟିରେ ମନଇଚ୍ଛା ଏବଂ ଶାସ୍ତ୍ର ବିରୋଧୀ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ କରିବାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଗଜପତି। ଏହି ବେଆଇନ ପରମ୍ପରା ଉପରେ ରୋକ୍ ଲଗାଇବା ଏବଂ ଜରୁରୀ ହସ୍ତକ୍ଷେପ ପାଇଁ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦୁଇଟି ପୃଥକ ଚିଠି ଲେଖିଛନ୍ତି।

ଗଜପତି ମହାରାଜା ନିଜ ଚିଠିରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି ଯେ, ଇସ୍କନ ବିଦେଶର ବିଭିନ୍ନ ସହରରେ ଶାସ୍ତ୍ରସମ୍ମତ ନୀତି ବାହାରେ ଅନ୍ୟ ତିଥିରେ ରଥଯାତ୍ରା କରୁଛି, ଯାହା ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ଗଭୀର ଆଘାତ ଦେଇଛି। ପୂର୍ବରୁ ହୋଇଥିବା ଦୀର୍ଘ ଆଲୋଚନା ପରେ ଇସ୍କନ ଭାରତ ମଧ୍ୟରେ ସଠିକ୍ ତିଥିରେ ରଥଯାତ୍ରା କରିବାକୁ ସମ୍ମତି ପ୍ରକାଶ କରିଥିବା ବେଳେ ବିଦେଶରେ କିନ୍ତୁ ଏହି ନିୟମକୁ ବାରମ୍ବାର ଉଲ୍ଲଂଘନ କରୁଛି।

ରିପୋର୍ଟ ମୁତାବକ, ଇସ୍କନ ଦଶନ୍ଧି ଦଶନ୍ଧି ଧରି ବିଦେଶରେ ମନମାନୀ କରିଆସୁଛି। ଗତବର୍ଷ ମଧ୍ୟ ବିଦେଶର ପ୍ରାୟ ୬୮ଟି ମନ୍ଦିରରେ ଅଦିନିଆ ରଥଯାତ୍ରା କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ବିଦେଶର ପ୍ରାୟ ୭୦ରୁ ଅଧିକ ସହରରେ ଭୁଲ୍ ତିଥିରେ ରଥଯାତ୍ରା ଏବଂ ୧୦ଟି ସହରରେ ସ୍ନାନଯାତ୍ରା ଆୟୋଜନ କରିବାକୁ ଇସ୍କନ ପ୍ରସ୍ତୁତି ଚଳାଇଛି, ଯାହା ସମ୍ପୂର୍ଣ୍ଣ ଚିନ୍ତାଜନକ ବୋଲି ଗଜପତି ଦର୍ଶାଇଛନ୍ତି। ସେ ଶାସ୍ତ୍ରୀୟ ପ୍ରମାଣର ଉଦାହରଣ ଦେଇ ସ୍ପଷ୍ଟ କରିଛନ୍ତି ଯେ, ଶାସ୍ତ୍ର ଅନୁଯାୟୀ କେବଳ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନଯାତ୍ରା ଏବଂ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ହିଁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ।

ପୁରୀ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଏବଂ ସନାତନ ଧର୍ମର ବରିଷ୍ଠ ବୈଷ୍ଣବ ଆଚାର୍ଯ୍ୟ ତଥା ସାଧୁସନ୍ଥମାନେ ଇସ୍କନର ଏହି ପ୍ରଥାକୁ ଦୃଢ଼ ନିନ୍ଦା କରିଛନ୍ତି। ବିଶ୍ୱର କୌଣସି ପ୍ରମୁଖ ହିନ୍ଦୁ ପର୍ବ (ଯେପରିକି ଦୀପାବଳି କିମ୍ବା ମହାଶିବରାତ୍ରି) ଯେତେବେଳେ ନିର୍ଦ୍ଦିଷ୍ଟ ତିଥି ବାହାରେ ପାଳନ କରାଯାଏ ନାହିଁ, ତେବେ ମହାପ୍ରଭୁଙ୍କ ରଥଯାତ୍ରା କ୍ଷେତ୍ରରେ ଏଭଳି ମନମାନୀ କାହିଁକି କରାଯାଉଛି ବୋଲି ବରିଷ୍ଠ ମହଲରେ ପ୍ରଶ୍ନ ଉଠିଛି।

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ସ୍ୱାକ୍ଷରିତ ଏହି ଦୁଇଟି ଚିଠି ମାଧ୍ୟମରେ ମହାପ୍ରଭୁଙ୍କ କାଳଜୟୀ ଶାସ୍ତ୍ରୀୟ ପରମ୍ପରା ଓ ଗାରିମାକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ତୁରନ୍ତ ଆଧିକାରିକ ହସ୍ତକ୍ଷେପ ଏବଂ କଠୋର ମାର୍ଗଦର୍ଶନ ଲୋଡ଼ାଯାଇଛି।

Posted in ରାଜ୍ୟ.