କେନ୍ଦ୍ର ସରକାରଙ୍କ 12 ବର୍ଷର ସଫଳତା

କେନ୍ଦ୍ର ସରକାରଙ୍କ 12 ବର୍ଷର ସଫଳତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ୧୨ ବର୍ଷର ଶାସନ ଭାରତକୁ ସୁଯୋଗ, ନବସୃଜନ ଏବଂ ଆତ୍ମବିଶ୍ୱାସ ଦ୍ୱାରା ପରିଚାଳିତ ଏକ ଶକ୍ତିଶାଳୀ ଓ ମହତ୍ୱାକାଂକ୍ଷୀ ରାଷ୍ଟ୍ରରେ ପରିଣତ କରିଛି। ସରକାରଙ୍କ ଶାସନ ସଂସ୍କାର, ପ୍ରଯୁକ୍ତିବିଦ୍ୟାର ଗଣତାନ୍ତ୍ରିକୀକରଣ ଏବଂ ନାଗରିକ-କୈନ୍ଦ୍ରିକ ନୀତି ଯୋଗୁଁ ଭାରତୀୟମାନେ ନିଜର ସମ୍ଭାବନାକୁ ଦେଖିବାର ଦୃଷ୍ଟିକୋଣ ମୌଳିକ ଭାବେ ପରିବର୍ତ୍ତନ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ପ୍ରକାଶ କରିଛନ୍ତି। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ୪,୩୯୯ ଦିନର କାର୍ଯ୍ୟକାଳ ଉପରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ ଗତ ଦଶନ୍ଧିର ବିଭିନ୍ନ ମାପଯୋଗ୍ୟ ଫଳାଫଳର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି।

ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ, କିଛି ବର୍ଷ ପୂର୍ବେ ଦେଶରେ ମହାକାଶ ଷ୍ଟାର୍ଟଅପ୍ ସଂଖ୍ୟା ଏକକ ଅଙ୍କରେ (Single Digit) ସୀମିତ ଥିବା ବେଳେ ଆଜି ତାହା ବୃଦ୍ଧି ପାଇ ପ୍ରାୟ ୪୦୦ରେ ପହଞ୍ଚିଛି ଏବଂ ଏଥିମଧ୍ୟରୁ ଗୋଟିଏ ଷ୍ଟାର୍ଟଅପ୍ ‘ୟୁନିକର୍ଣ୍ଣ’ ସ୍ଥିତି ହାସଲ କରିସାରିଛି। ବର୍ତ୍ତମାନ ଭାରତର ମହାକାଶ ଅର୍ଥନୀତିର ମୂଲ୍ୟ ପ୍ରାୟ ୯ ବିଲିୟନ ଡଲାର ରହିଛି। ଦେଶ ୨୦Detail୪୭ ସୁଦ୍ଧା ଏକ ‘ବିକଶିତ ରାଷ୍ଟ୍ର’ ହେବାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ, ଆଗାମୀ ୭ ରୁ ୮ ବର୍ଷ ମଧ୍ୟରେ ଏହି ମହାକାଶ ଅର୍ଥନୀତି ପ୍ରାୟ ୪୫ ବିଲିୟନ ଡଲାରକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ସାମ୍ପ୍ରତିକ ମହାକାଶ ଉତକ୍ଷେପଣ ସମୟରେ ପ୍ରାୟ ୧୦,୦୦୦ ଦର୍ଶକ ଓ ୧,୫୦୦ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତି ବିଜ୍ଞାନ ପ୍ରତି ଜନସାଧାରଣଙ୍କ ବଢ଼ୁଥିବା ଆଗ୍ରହକୁ ପ୍ରତିଫଳିତ କରୁଛି।

ମନ୍ତ୍ରୀଙ୍କ ସୂଚନା ମୁତାବକ, ୨୦୧୪ ମସିହାରେ ଦେଶରେ ମାତ୍ର ୩୫୦-୪୦୦ ଷ୍ଟାର୍ଟଅପ୍ ଥିବା ବେଳେ ବର୍ତ୍ତମାନ ତାହା ସାଂଘାତିକ ଭାବେ ବୃଦ୍ଧି ପାଇ ୨.୩ ଲକ୍ଷରୁ ଅଧିକ ହୋଇଛି, ଯାହା ସାରା ଦେଶରେ ପ୍ରାୟ ୨୪ ରୁ ୨୫ ଲକ୍ଷ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିଛି। ବଡ଼ କଥା ହେଉଛି, ଏହି ଷ୍ଟାର୍ଟଅପ୍ ମଧ୍ୟରୁ ପ୍ରାୟ ଅଧା ଟାୟାର-II ଏବଂ ଟାୟାର-III ଅର୍ଥାତ୍ ଛୋଟ ସହରଗୁଡ଼ିକରେ ଗଢ଼ିଉଠିଛି ଏବଂ ଏଥିମଧ୍ୟରୁ ୩୫ ରୁ ୩୯ ପ୍ରତିଶତ ଷ୍ଟାର୍ଟଅପ୍ ମହିଳାମାନଙ୍କ ନେତୃତ୍ୱରେ ପରିଚାଳିତ ହେଉଛି।

ମୋଦି ସରକାରଙ୍କ ଆଦ୍ୟକାଳର କେତେକ ସଂସ୍କାରକୁ ଐତିହାସିକ ବୋଲି ଦର୍ଶାଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସରକାରୀ କାଗଜପତ୍ର ପାଇଁ ପୂର୍ବରୁ ପ୍ରଚଳିତ ଗେଜେଟେଡ୍-ଅଫିସରଙ୍କ ସାର୍ଟିଫିକେସନ୍ ପ୍ରଥାକୁ ସମାପ୍ତ କରି ‘ସ୍ୱ-ପ୍ରମାଣୀକରଣ’ (Self-Attestation) କୁ ଅନୁମତି ଦେବା ଯୁବପିଢ଼ିଙ୍କ ଉପରେ ସରକାରଙ୍କ ବିଶ୍ୱାସକୁ ସୂଚାଉଛି। ସେହିପରି ସରକାରୀ ଚାକିରିର ବିଭିନ୍ନ ବର୍ଗରେ ‘ସାକ୍ଷାତକାର (Interview) ଉଚ୍ଛେଦ’ କରିବା ଦ୍ୱାରା ପରିବାରବାଦ, ପାତରଅନ୍ତର ଏବଂ ଅସଦାଚରଣର ସୁଯୋଗ ହ୍ରାସ ପାଇଛି ଏବଂ କେବଳ ଯୋଗ୍ୟତା ଓ କଠିନ ପରିଶ୍ରମ ଆଧାରରେ ଯୁବକମାନେ ସଫଳତା ପାଉଛନ୍ତି। ପ୍ରକ୍ରିୟାଗତ ପରିବର୍ତ୍ତନ ଅପେକ୍ଷା ଜନସାଧାରଣଙ୍କ ମଧ୍ୟରେ ଆସିଥିବା ମନସ୍ତାତ୍ତ୍ୱିକ ପରିବର୍ତ୍ତନ ଓ “ମୁଁ ମଧ୍ୟ ଏହା କରିପାରିବି” (I can also do it) ଭାବନା ହିଁ ସବୁଠାରୁ ବଡ଼ ସଫଳତା।

ଦଶନ୍ଧି ଦଶନ୍ଧି ଧରି ବନ୍ଦ ଦ୍ୱାର ପଛରେ କାର୍ଯ୍ୟ କରୁଥିବା ମହାକାଶ ଏବଂ ପରମାଣୁ ଇକୋସିଷ୍ଟମ ଭଳି ରଣନୈତିକ କ୍ଷେତ୍ରକୁ ମୋଦି ସରକାର ଘରୋଇ ଉଦ୍ୟୋଗୀ, ଶିଳ୍ପ ଓ ଷ୍ଟାର୍ଟଅପ୍ ପାଇଁ ଖୋଲି ଦେଇଛନ୍ତି, ଯାହା ନବସୃଜନକୁ ତ୍ୱରାନ୍ୱିତ କରିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରାୟଣର ସଫଳ ଅବତରଣ ଏବଂ ପୂର୍ବରୁ ଭାରତୀୟ ମିଶନ ଦ୍ୱାରା ଚନ୍ଦ୍ରରେ ଜଳ ଅଣୁ ଆବିଷ୍କାର ଦେଶର ବୈଜ୍ଞାନିକ ଗାରିମାକୁ ବିଶ୍ୱରେ ଶୀର୍ଷକୁ ନେଇଛି। ଏହା ସହିତ ସରକାରଙ୍କ ଆବାସ ତଥା ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନାରେ ଜାତି, ଧର୍ମ ବା ଭେଦଭାବ ବିନା ସାର୍ବଜନୀନ ଓ ସ୍ୱଚ୍ଛ ପ୍ରଦାନ ଶାସନ ବ୍ୟବସ୍ଥା ପ୍ରତି ନାଗରିକଙ୍କ ଆସ୍ଥାକୁ ସୁଦୃଢ଼ କରିଛି ବୋଲି ଡକ୍ଟର ସିଂହ ଆଲୋକପାତ କରିଛନ୍ତି।

Posted in ଦେଶ ବିଦେଶ.