ଓଡ଼ିଆ ଅସ୍ମିତା ଓ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଶ୍ଚିମବଙ୍ଗର ଦୀଘାଠାରେ ନିର୍ମିତ ନୂତନ ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦକୁ ସମ୍ପୂର୍ଣ୍ଣ ଭାବେ ବାଦ୍ ଦେବା ପାଇଁ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଏକ ଆଧିକାରିକ ଚିଠି ଲେଖି ଜରୁରୀ ହସ୍ତକ୍ଷେପ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ‘ଜଗନ୍ନାଥ ଧାମ’ ଶବ୍ଦଟି ଭାରତର ପୂଜ୍ୟ ଚାରିଧାମ ମଧ୍ୟରୁ ଗୋଟିଏ— ଅର୍ଥାତ୍ ପୁରୀରେ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ପୀଠ ସହିତ ଆନ୍ତରିକ ଭାବରେ ଜଡ଼ିତ। ଏହି ନାମକରଣ ଅତ୍ୟନ୍ତ ଆଧ୍ୟାତ୍ମିକ, ଐତିହାସିକ ଏବଂ ସାଂସ୍କୃତିକ ଗୁରୁତ୍ୱ ବହନ କରେ ଏବଂ ବିଶ୍ୱର ଅଗଣିତ ଭକ୍ତଙ୍କ ବିଶ୍ୱାସ ଏବଂ ଚେତନାରେ ଏକ ଅନନ୍ୟ ସ୍ଥାନ ଅଧିକାର କରିଛି। ପୁରୀ ଶ୍ରୀଜଗନ୍ନାଥ ଧାମ ସହିତ ଜଡ଼ିତ ପବିତ୍ରତା ଏବଂ ସ୍ୱତନ୍ତ୍ର ପରିଚୟକୁ ସଂରକ୍ଷଣ କରିବାର ମନୋଭାବ ରଖି ଦୀଘା ମନ୍ଦିର ପରିସରର ନାମକରଣରେ ଉପଯୁକ୍ତ ସଂଶୋଧନ କରାଯାଉ। ‘ଧାମ’ ଶବ୍ଦକୁ ବାଦ୍ ଦେଇ ଏହା ପରିବର୍ତ୍ତେ ‘ଶ୍ରୀ ଜଗନ୍ନାଥ ମନ୍ଦିର, ଦୀଘା’ ଭଳି ଏକ ଉପଯୁକ୍ତ ବିକଳ୍ପ ନାମ ଗ୍ରହଣ କରିବାକୁ ମୋହନ ମାଝୀ ଅନୁରୋଧ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ପୁରୀ ଶ୍ରୀମନ୍ଦିରର ଅବିକଳ ନକଲରେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦୀଘାଠାରେ ପ୍ରୟ ୨୦ ଏକର ଜମିରେ ଏବଂ ₹୨୫୦ କୋଟି ବ୍ୟୟରେ ଏହି ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଛି। ମନ୍ଦିର ନିର୍ମାଣ ଦିନଠାରୁ ହିଁ ଏହା କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ବ୍ୟଥିତ କରିଥିଲା ଏବଂ ସବୁଆଡୁ ବିରୋଧର ସୁଅ ଛୁଟିଥିଲା। ପୂର୍ବରୁ ପୁରୀ ସାଂସଦ ସମ୍ବିତ ପାତ୍ର ମଧ୍ୟ ଦୀଘାରୁ ‘ଜଗନ୍ନାଥ ଧାମ’ ନାମ ହଟାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅପିଲ କରିଥିଲେ। ଓଡ଼ିଶାର ଜନସାଧାରଣ, ଶ୍ରୀମନ୍ଦିର ପ୍ରଶାସନ ସମେତ ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ତୀବ୍ର ବିରୋଧ ଏବଂ ବିବାଦ ବଢ଼ିବା ପରେ ଶେଷରେ ବେଙ୍ଗଲ ପ୍ରଶାସନ ଦୀଘାରୁ ‘ଜଗନ୍ନାଥ ଧାମ’ ନାମ ହଟାଇବାକୁ ବାଧ୍ୟ ହୋଇଛି। ନାମକରଣ ବୋର୍ଡରେ ଯେଉଁ ଜଗନ୍ନାଥ ଧାମ ଲେଖାଯାଇଥିଲା, ତାକୁ ସମ୍ପୂର୍ଣ୍ଣ ଭାବେ ବାଦ୍ ଦିଆଯାଇଛି। ଓଡ଼ିଆ ଅସ୍ମିତାର ଏହି ବଡ଼ ବିଜୟ ଏବେ ରାଜ୍ୟ ପଲିଟିକାଲ କରିଡରରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ମନ୍ଦିରର ନାମ ପୋର୍ଟାଲରେ ଏବେ ବି ଧାମ ରହିଛି । ଯାହା କି ପରିଚାଳନା ସହ ଜଡିତ ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀ ଧାମ ଶବ୍ଦ ବ୍ୟବହାର ନକରିବାକୁ ଅନୁରୋଧ କରିଛନ୍ତି ।
