ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛ ହେବା ଆବଶ୍ୟକ ‘ଭୋଟର ଲିଷ୍ଟ’

ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛ ହେବା ଆବଶ୍ୟକ ‘ଭୋଟର ଲିଷ୍ଟ’

ଗଣତନ୍ତ୍ରର ସବୁଠାରୁ ବଡ଼ ମୂଳଦୁଆ ହେଉଛି ଏକ ସ୍ୱଚ୍ଛ, ନିରପେକ୍ଷ ଏବଂ ତ୍ରୁଟିଶୂନ୍ୟ ଭୋଟର ତାଲିକା। ଯଦି ଭୋଟର ତାଲିକାରେ ଅନିୟମିତତା ରହେ, ତେବେ ତାହା ସୁଶାସନ ପ୍ରକ୍ରିୟାକୁ ବାଧିତ କରିଥାଏ। ଭୋଟର ତାଲିକାକୁ ନିର୍ମଳ କରିବା ପାଇଁ ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ ହେଉଛି ଭୋଟର କାର୍ଡ (EPIC) ସହିତ ଆଧାର ନମ୍ବରର ସମ୍ପୂର୍ଣ୍ଣ ସଂଯୋଗୀକରଣ। ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କ ବାୟୋମେଟ୍ରିକ୍ ତଥ୍ୟ ସହଜରେ ଯାଞ୍ଚ କରାଯାଇପାରିବ। ଯେଉଁମାନେ ଭିନ୍ନ ଭିନ୍ନ ସ୍ଥାନରେ ନକଲି ନାମ କିମ୍ବା ପରିଚୟ ବ୍ୟବହାର କରି ଏକାଧିକ ଭୋଟର କାର୍ଡ ପ୍ରସ୍ତୁତ କରିଛନ୍ତି, ସେମାନଙ୍କ ଠକେଇ ତୁରନ୍ତ ଧରାପଡ଼ିବ । ଜଣେ ପ୍ରକୃତ ଭାରତୀୟ ନାଗରିକ ହିଁ ତାଲିକାରେ ସ୍ଥାନ ପାଇବେ।ବର୍ତ୍ତମାନ ସମୟରେ ଓଡ଼ିଶାର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲା ସମେତ ରାଜ୍ୟର ଅନେକ ସହରାଞ୍ଚଳରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ନାମ ସ୍ଥାନୀୟ ଭୋଟର ତାଲିକାରେ ସାମିଲ ହେବା ଏକ ବଡ଼ ଜାତୀୟ ଚିନ୍ତାର ବିଷୟ ପାଲଟିଛି। ଏହି ବେଆଇନ ଅନୁପ୍ରବେଶକାରୀମାନେ ନକଲି କାଗଜପତ୍ର ଜରିଆରେ ଗଣତନ୍ତ୍ରର ଏହି ପବିତ୍ର ଅଧିକାରକୁ ହାତେଇବାରେ ସଫଳ ହେଉଛନ୍ତି, ଯାହା ସ୍ଥାନୀୟ ଜନସଂଖ୍ୟା ଏବଂ ନିରାପତ୍ତା ପ୍ରତି ବଡ଼ ବିପଦ ସୃଷ୍ଟି କରୁଛି।

ଏଭଳି ସ୍ଥିତିରେ ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ କରିବା ଏବଂ ବେଆଇନ ଅନୁପ୍ରବେଶକାରୀଙ୍କ ନାମକୁ ଚିହ୍ନଟ କରି ବାଦ୍ ଦେବା ପାଇଁ ଏକ ଦୃଢ଼ ଓ ବୈଷୟିକ ରଣନୀତିର ଆବଶ୍ୟକତା ରହିଛି।

ଓଡ଼ିଶାର କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ ଏବଂ ପୁରୀ ଭଳି ଉପକୂଳବର୍ତ୍ତୀ ଅଞ୍ଚଳରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସକ୍ରିୟତା ଅଧିକ ଦେଖିବାକୁ ମିଳେ। ନିର୍ବାଚନ କମିଶନ ଓ ରାଜ୍ୟ ପ୍ରଶାସନ ପକ୍ଷରୁ ବୁଥ୍ ସ୍ତରୀୟ ଅଧିକାରୀ , ବିଏଲଓ ମାନଙ୍କ ଦ୍ୱାରା ‘ଘରକୁ ଘର ବୁଲି ଯାଞ୍ଚ’ ପ୍ରକ୍ରିୟା କଡ଼ାକଡ଼ି କରାଯିବା ଉଚିତ। ସନ୍ଦେହଜନକ ଭୋଟରଙ୍କ ନାଗରିକତା ପ୍ରମାଣପତ୍ର ଓ ପୁରୁଷାନୁକ୍ରମିକ କାଗଜପତ୍ରର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯିବା ଜରୁରୀ।

ଭୋଟର ଡାଟାବେସ୍‌କୁ ସମ୍ପୂର୍ଣ୍ଣ ଡିଜିଟାଇଜ୍ କରିବା ସହ ଏଥିରେ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ ବା ଏଆଇ ସଫ୍ଟୱେର୍ ବ୍ୟବହାର କରାଯାଇପାରିବ। ଏହି ଟେକ୍ନୋଲୋଜି ସମାନ ଫଟୋ, ପିତାଙ୍କ ନାମ କିମ୍ବା ବୟସ ଥିବା ନକଲି ତଥ୍ୟକୁ ସ୍ୱୟଂକ୍ରିୟ ଭାବେ ଚିହ୍ନଟ କରି ବାଦ୍ ଦେବାରେ ସକ୍ଷମ ହେବ।

ନୂତନ ଭୋଟର ନାମ ପଞ୍ଜୀକରଣ ସମୟରେ କେବଳ ସ୍ଥାନୀୟ ବାସିନ୍ଦା ପ୍ରମାଣପତ୍ର ନୁହେଁ, ବରଂ ଜନ୍ମ ପ୍ରମାଣପତ୍ର, ପରିବାରର ପୁରୁଣା ଜମି କାଗଜପତ୍ର କିମ୍ବା ୧୯୫୧ ର ଜାତୀୟ ନାଗରିକ ପଞ୍ଜିକା ଭଳି କଡ଼ା ମାନଦଣ୍ଡର ବ୍ୟବହାର ହେବା ଆବଶ୍ୟକ। ସ୍ଥାନୀୟ ପୋଲିସ ଓ ସ୍ପେଶାଲ୍ ଇଣ୍ଟେଲିଜେନ୍ସ ୱିଙ୍ଗ୍ ସହାୟତାରେ ଅନୁପ୍ରବେଶକାରୀ ଗ୍ରୁପ୍‌କୁ ଟ୍ରାକ୍ କରି ସେମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବେଆଇନ ଭୋଟର କାର୍ଡକୁ ସମ୍ପୂର୍ଣ୍ଣ ରଦ୍ଦ କରାଯିବା ଉଚିତ।

କୌଣସି ଅଞ୍ଚଳରେ ଯଦି କେହି ସନ୍ଦେହଜନକ ବିଦେଶୀ ନାଗରିକ ଭୋଟର ତାଲିକାରେ ନାମ ସାମିଲ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ସ୍ଥାନୀୟ ଲୋକେ ଯେପରି ସିଧାସଳଖ ଏବଂ ଗୋପନୀୟ ଭାବେ ଜିଲ୍ଲାପାଳ କିମ୍ବା ନିର୍ବାଚନ ଅଧିକାରୀଙ୍କୁ ଜଣାଇପାରିବେ, ସେଥିପାଇଁ ଏକ ସ୍ୱତନ୍ତ୍ର ହେଲ୍ପଲାଇନ କିମ୍ବା ଅନଲାଇନ୍ ପୋର୍ଟାଲ୍ ଜାରି ହେବା ଦରକାର।

ଭୋଟର ତାଲିକାରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ନାମ ହଟାଇବା ଏକ ବଡ଼ ଆହ୍ୱାନ ହୋଇଥିଲେ ମଧ୍ୟ ସରକାର ଓ ନିର୍ବାଚନ କମିଶନଙ୍କ ଦୃଢ଼ ଇଚ୍ଛାଶକ୍ତି ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସଠିକ୍ ପ୍ରୟୋଗ ଦ୍ୱାରା ଏହା ସମ୍ପୂର୍ଣ୍ଣ ସମ୍ଭବ। ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ହିଁ ଆମ ଗଣତନ୍ତ୍ର ଓ ରାଷ୍ଟ୍ରର ସୁରକ୍ଷାକୁ ଅଧିକ ମଜବୁତ କରିବ।

Posted in ରାଜ୍ୟ, Featured.