ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିନିକିଆ ଓଡ଼ିଶା ଗସ୍ତ ସୂଚୀ । ୨୦ ତାରିଖ ପୂର୍ବାହ୍ନ ୧୧ଟା ୫ରେ ପାହାଡ଼ପୁର ହେଲିପ୍ୟାଡ୍ ରେ ଓହ୍ଲାଇବେ । ୧୧ଟା ୧୫ରେ ଗୋଷାଣୀ ପୀଠରେ ପହଞ୍ଚିବେ । ଘଣ୍ଟାଏ ପାହାଡ଼ପୁରରେ ରହିବେ । ୧୨ଟା ୫୫ ମିନିଟରେ ସଭାସ୍ଥଳରେ ଯୋଗଦେବେ ମୋଦି । ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ୧ଟାରୁ ୨ଟା ଯାଏଁ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ୨ଟା ୧୫ରେ ଓଡ଼ିଶା ଛାଡ଼ିବେ ମୋଦି ।
ମୋଦୀଙ୍କ ଓଡ଼ିଶା ଗସ୍ତ ସଂଗଠନ ଓ ସରକାରଙ୍କ ପାଇଁ ବେଶ ସହାୟକ ହେବ । ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଓଡ଼ିଶା । PM ଙ୍କ ଓଡ଼ିଶା ଗସ୍ତ ଉଭୟ ସଂଗଠନ ଓ ସରକାରଙ୍କ ପାଇଁ ବେଶ ସହାୟକ ହେବ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ କହିଛନ୍ତି । ମୋଦି ଯେତେବେଳେ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଜ୍ୟକୁ ବଡ଼ ଭେଟି ଦେଇଛନ୍ତି ।
ଏଥର ମଧ୍ୟ ସେ ବିଜେପିର ଦୁଇବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାର ରାଇରଙ୍ଗପୁରକୁ ଆସୁଛନ୍ତି । ତେଣୁ ସେ ଆୟୋତ ଦୁଇବର୍ଷ କାର୍ଯ୍ୟକ୍ରମରେ ଅନେକ କିଛି ନୂଆ ଯୋଜନା ଏବଂ ପ୍ରକଳ୍ପ ଭେଟିଦେବେ । ଓଡ଼ିଶାରେ ବିଜେପି ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶାକୁ ବିକଶିତ ଓଡ଼ିଶା କରିବା ପାଇଁ ସବୁବେଳେ ଚାହାଁନ୍ତି । ତେଣୁ ଏଥର ମଧ୍ୟ ଅନେକ କିଛି ଯୋଜନା ଘୋଷଣା କରି ପାରନ୍ତି ବୋଲି ବିରଞ୍ଚି କହିଛନ୍ତି । ଏହି ଗସ୍ତ ସମୟରେ ଅନେକ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଓଡ଼ିଶାର ବିକାଶକୁ ଆହୁରି ଗତିଶୀଳ କରିବା ପାଇଁ ପୁଣି ଥରେ ରାଜ୍ୟ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଏକ ବଡ଼ ଏବଂ ଐତିହାସିକ ପଦକ୍ଷେପ ସ୍ୱରୂପ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜସ୍ଥିତ ପୈତୃକ ଗାଁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଏହି ହାଇ-ପ୍ରୋଫାଇଲ୍ ଗସ୍ତକୁ ନେଇ ସ୍ଥାନୀୟ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ମୟୂରଭଞ୍ଜ ତଥା ସମଗ୍ର ଓଡ଼ିଶାବାସୀଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି।
ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କେବଳ ଏକ ପରିଦର୍ଶନରେ ସୀମିତ ନରହି, ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳର ଭିତ୍ତିଭୂମି ବିକାଶ ସହ ସାଧାରଣ ଲୋକଙ୍କୁ ଅନେକ ବଡ଼ ବଡ଼ ସୁବିଧା ଓ କେନ୍ଦ୍ରୀୟ ପ୍ରକଳ୍ପର ଭେଟି ମିଳିବାକୁ ଯାଉଛି। ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଓ ରାଇରଙ୍ଗପୁର ଅଞ୍ଚଳର ରାସ୍ତାଘାଟର ସମ୍ପ୍ରସାରଣ ଓ ଆଧୁନିକୀକରଣ କରାଯାଉଛି। ଏହା ସହିତ ସ୍ଥାନୀୟ ରେଳ ଯୋଗାଯୋଗ ଏବଂ ଭବିଷ୍ୟତର ବିମାନ ସେବା ପାଇଁ ଭିତ୍ତିଭୂମିକୁ ସୁଦୃଢ଼ କରାଯିବ, ଯାହା ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବଦଳାଇ ଦେବ। ରାଷ୍ଟ୍ରପତିଙ୍କ ଗାଁ ଏବଂ ଏହାର ଆଖପାଖ ଅଞ୍ଚଳକୁ ସରକାରୀ ସ୍ତରରେ ‘ସ୍ମାର୍ଟ ଆଦର୍ଶ ଗ୍ରାମ’ ଭାବେ ଗଢ଼ିତୋଳିବା ପାଇଁ ମେଗା ପ୍ୟାକେଜ୍ ଘୋଷଣା ହୋଇପାରେ। ଏହା ଦ୍ୱାରା ଶତପ୍ରତିଶତ ପକ୍କାଘର, ସ୍ୱଚ୍ଛ ପାନୀୟ ଜଳ (ହର ଘର ଜଳ) ଏବଂ ଉନ୍ନତ ବିଦ୍ୟୁତୀକରଣର ସୁବିଧା ତୃଣମୂଳ ସ୍ତରରେ ପହଞ୍ଚିବ। ଏହି ଅଞ୍ଚଳର ଆଦିବାସୀ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (EMRS) ଏବଂ ଉନ୍ନତ ସ୍ୱାସ୍ଥ୍ୟ କେନ୍ଦ୍ରର ଭେଟି ମିଳିବ। ଡାକ୍ତରଖାନାଗୁଡ଼ିକରେ ସାଧାରଣ ଲୋକଙ୍କ ପାଇଁ ମାଗଣା ଚିକିତ୍ସା ଓ ଆଧୁନିକ ପରୀକ୍ଷାଗାରର ସୁବିଧା ବୃଦ୍ଧି କରାଯିବ। ମୟୂରଭଞ୍ଜର ସାନ୍ତାଳୀ ସଂସ୍କୃତି ଓ ଜନଜାତି ଐତିହ୍ୟକୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ସହ ସ୍ଥାନୀୟ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ କେନ୍ଦ୍ରୀୟ ପାଣ୍ଠି ମଞ୍ଜୁର ହୋଇପାରେ, ଯାହା ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ନୂଆ ରୋଜଗାରର ସୁଯୋଗ ସୃଷ୍ଟି କରିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଷ୍ଟ୍ରପତିଙ୍କ ଗାଁକୁ ଏହି ଗସ୍ତ କେବଳ ସାଂସ୍କୃତିକ କିମ୍ବା ଆନୁଷ୍ଠାନିକ ନୁହେଁ, ବରଂ ଏହା ଓଡ଼ିଶାର ଜନଜାତି ଅଞ୍ଚଳର ବିକାଶ ପାଇଁ ଏକ ବଡ଼ ରୋଡ୍ମ୍ୟାପ୍ ସାଜିବ।
