ସ୍ୱତନ୍ତ୍ର ଲୋକ ଅଦାଲତ ‘ସମାଧାନ ସମାରୋହ-୨୦୨୬’ ଅବସରରେ ମାମଲାର ଶୀଘ୍ର ଫଇସଲା ପାଇଁ ଅଗଷ୍ଟ ୨୧ରୁ ୨୩ ଯାଏଁ ସୁଯୋଗ ରହିଛି । କୋର୍ଟ କଚେରୀରେ ବର୍ଷ ବର୍ଷ ଧରି ପଡ଼ି ରହିଥିବା ମାମଲାର ଶୀଘ୍ର ଓ ଆପୋଷ ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦେଶରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବାକୁ ଯାଉଛି ।
ଏହି କ୍ରମରେ ଓଡ଼ିଶାରେ ଆସନ୍ତା ଅଗଷ୍ଟ ୨୧, ୨୨ ଓ ୨୩ ତାରିଖରେ ତିନି ଦିନିଆ ସ୍ୱତନ୍ତ୍ର ଲୋକ ଅଦାଲତ ‘ସମାଧାନ ସମାରୋହ-୨୦୨୬’ ଆୟୋଜନ ହେବ । ଏହି ମେଗା ଇଭେଣ୍ଟକୁ ସଫଳ କରିବା ପାଇଁ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ (OSLSA) ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସ୍ୱତନ୍ତ୍ର ଲୋକ ଅଦାଲତ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ କଟକସ୍ଥିତ ଓଡ଼ିଶା ଜୁଡିସିଆଲ୍ ଏକାଡେମୀରେ ବଡ଼ ଧରଣର ସଚେତନତା କାର୍ଯ୍ୟକ୍ରମର ଆୟୋଜନ ହେଉଛି ।
ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ତଥା OSLSA ର ପାଟ୍ରନ୍-ଇନ୍-ଚିଫ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି। ତାଙ୍କ ସହ ହାଇକୋର୍ଟଙ୍କ ଅନ୍ୟାନ୍ୟ ବରିଷ୍ଠ ବିଚାରପତି ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ। ମୁଖ୍ୟ ବିଚାରପତି ଏହି ଅବସରରେ ‘ସମାଧାନ ସମାରୋହ-୨୦୨୬’ ର ମହତ୍ତ୍ୱ ଓ ଏହାର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିବେ । ବିକଳ୍ପ ବିବାଦ ସମାଧାନ ମାଧ୍ୟମରେ ଅତି ସହଜରେ ଓ ସ୍ୱଳ୍ପ ସମୟ ମଧ୍ୟରେ ପଡ଼ି ରହିଥିବା ମାମଲାଗୁଡ଼ିକର ସମାଧାନ କରି ସାଧାରଣ ଜନତାଙ୍କ ପାଖରେ ମୁହଁରେ ନ୍ୟାୟ ପହଞ୍ଚାଇବା ମୁଖ୍ୟ ଲକ୍ଷ୍ୟ । ଲୋକ ଅଦାଲତର ସବୁଠାରୁ ବଡ଼ ସୁବିଧା ହେଉଛି ଏଠାରେ ମାମଲା ପରିଚାଳନା ପାଇଁ କୌଣସି କୋର୍ଟ ଫି’ (Court Fee) ଦେବାକୁ ପଡ଼େ ନାହିଁ। ଯଦି କୌଣସି ପୁରୁଣା ମାମଲାରେ ପୂର୍ବରୁ କୋର୍ଟ ଫି’ ଦାଖଲ କରାଯାଇଥାଏ, ତେବେ ନିୟମ ଅନୁଯାୟୀ ସେହି ଅର୍ଥ ମଧ୍ୟ ଆବେଦନକାରୀଙ୍କୁ ଫେରସ୍ତ କରିଦିଆଯାଏ। ଏହା ଗରିବ ଓ ମଧ୍ୟବିତ୍ତ ଲୋକଙ୍କୁ ଓକିଲ ଫି’ ଏବଂ ବାରମ୍ବାର କୋର୍ଟ ଆସିବାର ଆର୍ଥିକ ବୋଝରୁ ରକ୍ଷା କରିବ।
ନିୟମିତ କୋର୍ଟରେ ଗୋଟିଏ ମାମଲାର ଶୁଣାଣି ପାଇଁ ବର୍ଷ ବର୍ଷ ସମୟ ଲାଗିଯାଉଥିବା ବେଳେ ‘ସମାଧାନ ସମାରୋହ’ରେ ଉଭୟ ପକ୍ଷଙ୍କ ଆପୋଷ ବୁଝାମଣା ଆଧାରରେ ମାତ୍ର ଗୋଟିଏ ଦିନରେ ଏବଂ ତୁରନ୍ତ ମାମଲାର ସମାଧାନ ହୋଇଥାଏ। ଲୋକ ଅଦାଲତରେ ଦୁଇ ପକ୍ଷଙ୍କ ସହମତିରେ ମାମଲା ତୁଟିଥାଏ। ତେଣୁ ଏଠାରେ କୌଣସି ପକ୍ଷର ହାର୍ କିମ୍ବା ଜିତ୍ ହୁଏନାହିଁ, ବରଂ ଉଭୟ ପକ୍ଷଙ୍କ ମଧ୍ୟରେ ସମ୍ପର୍କ ମଧୁର ରହେ। ଏହାଦ୍ୱାରା ପାରିବାରିକ ଓ ସାମାଜିକ ସଦ୍ଭାବନା ବଜାୟ ରହିଥାଏ। ‘ସମାଧାନ ସମାରୋହ’ରେ ହେଉଥିବା ନିଷ୍ପତ୍ତିକୁ ସିଭିଲ୍ କୋର୍ଟର ଡିକ୍ରି ସହ ସମାନ ମାନ୍ୟତା ମିଳିଥାଏ। ଏହି ରାୟ ବିରୋଧରେ କୌଣସି ଉପର କୋର୍ଟରେ ପୁନର୍ବାର ଅପିଲ୍ କରାଯାଇପାରିବ ନାହିଁ। ଫଳରେ ମାମଲାର ସେହିଠାରେ ହିଁ ସ୍ଥାୟୀ ଅନ୍ତ ଘଟେ। ଏହି ସ୍ୱତନ୍ତ୍ର ଲୋକ ଅଦାଲତରେ ମୁଖ୍ୟତଃ କମ୍ପାଉଣ୍ଡେବଲ୍ (ଆପୋଷ ନିଷ୍ପତ୍ତି ଯୋଗ୍ୟ) ମାମଲାଗୁଡ଼ିକର ବିଚାର କରାଯିବ:
ପାରିବାରିକ ଓ ବୈବାହିକ ବିବାଦ
ଜମିଜମା ଓ ରାଜସ୍ୱ ସମ୍ବନ୍ଧୀୟ ମାମଲା
ବ୍ୟାଙ୍କ ଋଣ ସଂକ୍ରାନ୍ତୀୟ ଉପଶମ (Bank Loan Recovery)
ବିଦ୍ୟୁତ୍ ଓ ଜଳ ଯୋଗାଣ ବାବଦୀୟ ବିବାଦୀୟ ବିଲ୍
ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା (MACT)
ଚେକ୍ ବାଉନ୍ସ ଏବଂ ସାଧାରଣ ଶାନ୍ତିଭଙ୍ଗ ସମ୍ପର୍କିତ ମାମଲା।
ସମାଧାନ ସମାରୋହ-୨୦୨୬’ ଓଡ଼ିଶାର ଆଇନ ସେବା କ୍ଷେତ୍ରରେ ଏକ ପ୍ରଶଂସନୀୟ ପଦକ୍ଷେପ। ସାଧାରଣ ଲୋକେ ଏହାର ସଦୁପଯୋଗ କରି ନିଜର ଦୀର୍ଘ ଦିନର ବିବାଦକୁ ବିନା ଖର୍ଚ୍ଚ ଓ ବିନା ଚିନ୍ତାରେ ସମାଧାନ କରି ଏକ ଶାନ୍ତିପୂର୍ଣ୍ଣ ଜୀବନ ବିତାଇପାରିବେ, ଏଥିରେ କୌଣସି ସନ୍ଦେହ ନାହିଁ।
