ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରୁଟି ସୁଧାରିବା ଲାଗି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି । ୭ ଦିନ ମଧ୍ୟରେ ଏହି କମିଟି ରିପୋର୍ଟ ଦାଖଲ କରିବେ ଏବଂ କମିଟିର ରିପୋର୍ଟ ଆଧାରରେ ଦାୟୀ ଅଧିକାରୀ/ସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଆଧାରରେ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପାଠ୍ୟପୁସ୍ତକରେ ବଡ଼ ପରିବର୍ତ୍ତନ କରାଗଲା, ହେଲେ ଏହି ପରିବର୍ତ୍ତନ ଭିତରେ ଓଡ଼ିଶାର କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଏକ ପ୍ରକାର ଖେଳ ଖେଳାଯାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ଶବ୍ଦର ବନାନଠାରୁ ଆରମ୍ଭ କରି ମହାପୁରୁଷଙ୍କ ନାମ ଯାଏ ସବୁଥିରେ ମାଳମାଳ ତ୍ରୁଟି ଦେଖିବାକୁ ମିଳିଛି, ଯାହାକୁ ଖୋଦ୍ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ୱୀକାର କରିଛି। ସାରା ରାଜ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟି ଗଠନ କରିଛନ୍ତି।
ରିପୋର୍ଟ ଅନୁସାରେ ୨ କୋଟି ୯୮ ଲକ୍ଷ ବହି ପ୍ରସ୍ତୁତିରେ ପାଖାପାଖି ଦୁଇ କୋଟିରୁ ଅଧିକ ଟଙ୍କା ଏବଂ ଛାପିବା ପାଇଁ ଆହୁରି ୪୫ରୁ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଏତେ ବଡ଼ ଅର୍ଥ ରାଶି ଖର୍ଚ୍ଚ ହେବା ପରେ ବି ମୋଟ ୧୬୭୮ଟି ଭୁଲ୍ ଚିହ୍ନଟ ହୋଇଛି, ଯେଉଁଥିରେ ସର୍ବାଧିକ ୭୦ଟି ଭୁଲ୍ ଅଷ୍ଟମ ଶ୍ରେଣୀ ବହିରେ ଏବଂ ୩୮୭ଟି ଭୁଲ୍ ସପ୍ତମ ଶ୍ରେଣୀ ବହିରେ ରହିଛି। ତେବେ ଏତେ ବଡ଼ ଅପରାଧ ପାଇଁ ପ୍ରକୃତରେ ଦୋଷ କାହାର ଏବଂ ଏହାର ସମାଧାନ କିପରି ହେବ, ଆସନ୍ତୁ ନଜର ପକାଇବା:
ଜାତୀୟ ସ୍ତରରେ ଏନ୍ସିଇଆର୍ଟି (NCERT) କୁ ଗୋଟିଏ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବାକୁ ୩ରୁ ୪ ବର୍ଷ ଲାଗୁଥିବା ବେଳେ ଓଡ଼ିଶାରେ SCERT ମାତ୍ର ୬ ମାସରେ ତରତର କରି ପାଠ୍ୟପୁସ୍ତକ ପ୍ରସ୍ତୁତ କରିଦେଲା। ଅଭିଯୋଗ ଅନୁଯାୟୀ, SCERT ର ବରିଷ୍ଠ ଅଧିକାରୀମାନେ ବିଶେଷଜ୍ଞମାନଙ୍କୁ ଚାପ ଦେଇ ଗୋଟିଏ ଦିନରେ ଗୋଟିଏ ବହି ସମୀକ୍ଷା କରିବାକୁ ବାଧ୍ୟ କରିଥିଲେ, ଯାହାଫଳରେ ଏଭଳି ସାଙ୍ଘାତିକ ଭୁଲ୍ ରହିଗଲା।
ସାଧାରଣ ନିୟମ ଅନୁସାରେ ଡିଟିପି (DTP) ହୋଇ ଆସିବା ପରେ ସମୀକ୍ଷା କରାଯିବା କଥା, କିନ୍ତୁ ଏଠାରେ ଆଗ ସମୀକ୍ଷା କରାଯାଇ ପରେ ଡିଟିପି କରିବାକୁ ଦିଆଗଲା। ଡିଟିପି ସମୟରେ ହୋଇଥିବା ଭୁଲ୍କୁ ସଂଶୋଧନ କରିବା ପାଇଁ ପ୍ରୁଫ୍ ରିଡିଂ ପାଇଁ ଆଦୌ ପର୍ଯ୍ୟାପ୍ତ ସମୟ ଦିଆଗଲା ନାହିଁ।
ଚୂଡ଼ାନ୍ତ ସମୀକ୍ଷା ପାଇଁ ଗଠିତ କୋର କମିଟିର ସଦସ୍ୟମାନେ ପାଠ୍ୟପୁସ୍ତକକୁ ଆଦୌ ଭଲଭାବେ ଦେଖିନାହାନ୍ତି। ଏପରିକି, ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାର ସୂଚନା ଅନୁଯାୟୀ, ଓସେପା (OSEPA) ବହି ଛପା ହେବା ପୂର୍ବରୁ SCERT ଦ୍ୱାରା ପ୍ରସ୍ତୁତ ବହିଗୁଡ଼ିକୁ ବିନା ଚୂଡ଼ାନ୍ତ ସମୀକ୍ଷାରେ ଛାପିବାକୁ ପଠାଇ ଦେଇଥିଲା।
ମୌଳିକ ଚିନ୍ତାଧାରା କିମ୍ବା ଓଡ଼ିଶାର ପରିପ୍ରେକ୍ଷୀକୁ ନଦେଖି କେବଳ ଶୀଘ୍ର କାମ ସାରିବା ପାଇଁ NCERT ବହିକୁ ୮୫ରୁ ୯୦ ପ୍ରତିଶତ ସିଧାସଳଖ ଅନୁବାଦ କରାଗଲା, ଯେଉଁଥିପାଇଁ ଭାଷାଗତ ଏବଂ ବନାନଗତ ମାଳମାଳ ତ୍ରୁଟି ସୃଷ୍ଟି ହେଲା।
ସାରା ରାଜ୍ୟରେ ବହି ବଣ୍ଟନ ସରିଥିବାରୁ ଏବେ ସମସ୍ତ ବହିକୁ ଫେରାଇ ଆଣିବା ସମ୍ଭବ ନୁହେଁ। ତେଣୁ ଶିକ୍ଷା ବିଭାଗ ତୁରନ୍ତ ପ୍ରତି ଶ୍ରେଣୀର ବହି ଅନୁସାରେ ଭୁଲ୍ ଓ ତାହାର ସଠିକ୍ ରୂପକୁ ନେଇ ଏକ ‘ଶୁଦ୍ଧିପତ୍ର’ ପ୍ରସ୍ତୁତ କରି ସମସ୍ତ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଖକୁ ପଠାନ୍ତୁ, ଯେପରି ଶିକ୍ଷକମାନେ ପିଲାଙ୍କୁ ଶ୍ରେଣୀଗୃହରେ ସଠିକ୍ ପାଠ ପଢ଼ାଇପାରିବେ।
ଓସେପା ଏବଂ ଶିକ୍ଷା ବିଭାଗର ୱେବସାଇଟ୍ରେ ଥିବା ସମସ୍ତ ପାଠ୍ୟପୁସ୍ତକର PDF ଫାଇଲ୍କୁ ତୁରନ୍ତ ସଂଶୋଧନ କରାଯାଇ ଅପଲୋଡ୍ କରାଯାଉ, ଯେପରି ଅନ୍ଲାଇନ୍ରେ ସଠିକ୍ ସଂସ୍କରଣ ଉପଲବ୍ଧ ହେବ।
ଆସନ୍ତା ବର୍ଷର ପାଠ୍ୟପୁସ୍ତକ ଛପା ପାଇଁ ଏବେଠାରୁ ହିଁ ବରିଷ୍ଠ ଭାଷାବିତ୍, ମହାପୁରୁଷଙ୍କ ଇତିହାସ ସମ୍ପର୍କିତ ବିଶେଷଜ୍ଞ ଏବଂ ଅଭିଜ୍ଞ ଶିକ୍ଷକମାନଙ୍କୁ ନେଇ ସ୍ୱତନ୍ତ୍ର ପ୍ୟାନେଲ ଗଠନ କରାଯାଉ। ବହି ଛାପିବା ପୂର୍ବରୁ ଅତିକମରେ ୩ ରୁ ୪ ଥର ମଲ୍ଟି-ଲେଭଲ୍ ପ୍ରୁଫ୍ ରିଡିଂ ବାଧ୍ୟତାମୂଳକ କରାଯାଉ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୭ ଦିନ ମଧ୍ୟରେ ତଦନ୍ତ କମିଟି ରିପୋର୍ଟ ଆସିବା ପରେ, ଯେଉଁ ବରିଷ୍ଠ ଅଧିକାରୀ କିମ୍ବା ଛାପିବା ଦାୟିତ୍ୱରେ ଥିବା ସଂସ୍ଥା ଏଭଳି ଚାପ ପ୍ରୟୋଗ କରି କାମରେ ଅବହେଳା କରିଛନ୍ତି, ସେମାନଙ୍କୁ ଚାକିରିରୁ ନିଲମ୍ବନ କରିବା ସହ ଦୃଢ଼ ଦଣ୍ଡବିଧାନ କରାଯାଉ, ଯେପରି ଭବିଷ୍ୟତରେ କେହି ପିଲାଙ୍କ ପାଠପଢ଼ା ସହ ସାଲିସ୍ କରିବାକୁ ସାହସ କରିବେ ନାହିଁ।
