ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶା ଏବଂ ସମଗ୍ର ମୟୂରଭଞ୍ଜ ଜିଲ୍ଲା ପାଇଁ ସୃଷ୍ଟି ହେବାକୁ ଯାଉଛି ଏକ ନୂଆ ଇତିହାସ। ନିଜର ଜନ୍ମମାଟି ପାହାଡ଼ପୁରରେ ପହଞ୍ଚିଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଶୁକ୍ରବାର ଅପରାହ୍‌ଣରେ ସେ ନିଜ ମାଟିରେ ପାଦ ଦେଇସାରିଥିବା ବେଳେ, ଶନିବାର (ଜୁନ୍ ୨୦) ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ରକ୍ଷା କରି ତାଙ୍କ ଜନ୍ମଦିନ ଅବସରରେ ପହଞ୍ଚୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶର ଦୁଇ ଶୀର୍ଷ ଜନନାୟକଙ୍କୁ ଏକାଠି ସ୍ୱାଗତ କରିବା ପାଇଁ ପୂରା ପାହାଡ଼ପୁର ଗାଁ ଦୁଲୁକୁଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଜୁନ୍ ୨୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ସାଙ୍ଗରେ ଧରି ରାଷ୍ଟ୍ରପତି ପ୍ରଥମେ ଗାଁର ସାମାଜିକ ତଥା ଧାର୍ମିକ କେନ୍ଦ୍ର ‘ଗୋଷାଣୀ ପୀଠ’ ଯାଇ ପୂଜାର୍ଚ୍ଚନା କରିବେ। ଏହାପରେ ଦୁହେଁ ସାନ୍ତାଳୀ ଜାହିରା ପୀଠ ଏବଂ ହୋ-ମୁଣ୍ଡା ଜାହିରା ପୀଠ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ନିକଟସ୍ଥ ଦକ୍ଷତା ବିକାଶ କେନ୍ଦ୍ରକୁ ଯାଇ ପ୍ରଶିକ୍ଷଣ ପରେ ବିଭିନ୍ନ କ୍ଷେତ୍ରରେ ଚାକିରି ପାଇଥିବା ସ୍ଥାନୀୟ ଯୁବକଯୁବତୀଙ୍କ ସହ ଉଭୟ ନେତା ଆଲୋଚନା କରିବେ।

ରାଷ୍ଟ୍ରପତିଙ୍କ ସ୍ୱର୍ଗତ ସ୍ୱାମୀ ଓ ଦୁଇ ପୁତ୍ରଙ୍କ ସ୍ମୃତିରେ ପ୍ରତିଷ୍ଠିତ ଏସ୍‌ଏଲ୍‌ଏସ୍‌ ମେମୋରିଆଲ୍‌ ସ୍କୁଲକୁ ଯାଇ ସେମାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଏବଂ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ। ସ୍କୁଲ ପଡ଼ିଆରେ ଆୟୋଜିତ ଆଞ୍ଚଳିକ ହସ୍ତଶିଳ୍ପ ମେଳା ବୁଲି ଦେଖିବା ପରେ ଦାଣ୍ଡବୋଷଠାରେ ଆୟୋଜିତ ଏକ ବିଶାଳ ସାଧାରଣ ସଭାକୁ ଉଭୟ ସମ୍ବୋଧିତ କରିବେ। ଏହି ଗସ୍ତ କେବଳ ଭାବଗତ ନୁହେଁ, ବରଂ ଓଡ଼ିଶାର ବିକାଶ ପାଇଁ ଏକ ବଡ଼ ମାଇଲଖୁଣ୍ଟ ସାଜିବ। ଗୋଟିଏ ମଞ୍ଚରୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଓଡ଼ିଶା ଏବଂ ମୟୂରଭଞ୍ଜ ଜିଲ୍ଲା ପାଇଁ ୫୦ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ୪୦ରୁ ଅଧିକ ପ୍ରକଳ୍ପର ଉଦ୍‌ଘାଟନ, ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ। ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଏହି ବହୁ ପ୍ରତୀକ୍ଷିତ ଗସ୍ତ ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ଓ ପ୍ରସ୍ତୁତି କାର୍ଯ୍ୟ ସରିଥିବା ବେଳେ ଏକ ଭବ୍ୟ ଏବଂ ପାରମ୍ପରିକ ସ୍ୱାଗତ ପାଇଁ ପାହାଡ଼ପୁରବାସୀ ଚାହିଁ ରହିଛନ୍ତି।

Posted in ରାଜ୍ୟ.