୨ ସପ୍ତାହ ହେଲାଣି ବହିରେ ତ୍ରୁଟିକୁ ନେଇ ସାରା ରାଜ୍ୟ ହୁଲ୍ସ୍ତୁଲ୍ ହେଉଛି । ୪୦ ଲକ୍ଷ ପିଲାଙ୍କ ଭବିଷ୍ୟତକୁ ନେଇ ଠିଆ ହୋଇଛି ପ୍ରଶ୍ନ ଚିହ୍ନ । ଅଭିଭାବକ ଚିନ୍ତାରେ । ଶିକ୍ଷକ ଚିନ୍ତାରେ । ଛାତ୍ରଛାତ୍ରୀ ମଧ୍ୟ ଚିନ୍ତାରେ । ସମସ୍ତଙ୍କ ମନରେ ଅସନ୍ତୋଷ । ଏମିତି ସ୍ଥିତିରେ ପୁସ୍ତକ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ସୂଚନା ସାମ୍ନାକୁ ଆସିଛି । ସେ କହିଛନ୍ତି ସରକାର ଏ ତ୍ରୁଟିଗୁଡିକୁ ଗମ୍ଭୀରତାର ସହ ନେଇଛନ୍ତି । “ପୂର୍ବରୁ ତ୍ରୁଟି ଘଟିଥିଲା, କିନ୍ତୁ ଏଥର ପରିମାଣ ଯଥେଷ୍ଟ ଅଧିକ। ପାଣ୍ଡୁଲିପି ପ୍ରସ୍ତୁତି ଏବଂ ଯାଞ୍ଚ ଠାରୁ ମୁଦ୍ରଣ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟାର ଯାଞ୍ଚ ଆବଶ୍ୟକ। ମୋ ସରକାରଙ୍କୁ ବଦନାମ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ସନ୍ଦେହ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଦୋଷୀଙ୍କ ବିରୋଧରେ କଠୋର ଆକ୍ସନ ନିଆଯିବାର ଚେତବାନୀ ଦେଇଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରାଯାଇଥିବା ସମସ୍ତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର କରାଯିବ । ନୂଆ ବହି ଛପାଯାଇ ପିଲାଙ୍କୁ ବଣ୍ଟନ କରାଯିବ । ସମସ୍ତ, ନୂତନ କପି ମୁଦ୍ରଣ ଏବଂ ପୁନଃବଣ୍ଟନ କରାଯିବ। ଯେଉଁମାନେ ଷଡଯନ୍ତ୍ରରେ ସାମିଲ ଥିଲେ ତଣ୍ଡ ଗଣିବେ । ସେମାନଙ୍କ ପାଖରୁ ତ୍ରୁଟି ବହିର ମୂଲ୍ୟ ଆଦାୟ କରାଯିବ । ତଦନ୍ତ ରିପୋର୍ଟ ଅଯାୟୀ ଆକ୍ସନ ନିଆଯିବା ନେଇ ଚେତାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସେପଟେ ତ୍ରୁଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛି ଉଚ୍ଚସ୍ତରୀୟ କମିଟି । ସବୁ ଦିଗକୁ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିଛି କମିଟି । ୭ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।ଉନ୍ନୟନ କମିଶନଙ୍କର ଅଧ୍ୟକ୍ଷତାରେ ଗଠିତ ହୋଇଥିଲା କମିଟି । ପ୍ରାରମ୍ଭିକ ଭାବରେ ପ୍ୟାନେଲକୁ ୧୫ ଦିନ ସମୟ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା, କିନ୍ତୁ ସାତ ଦିନର ଡେଡଲାଇନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଯେଉଁମାନେ ଏଥିରେ ଜଡିତ ରହିବେ ସେମାନଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ସେଇ ଉଚ୍ଚସ୍ତରୀୟ କମିଟି ତଦନ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛି । ତେବେ ସେ ରିପୋର୍ଟରେ କମିଟି କଣ ତଥ୍ୟ ଦେଇଛି । ଷଡଯନ୍ତ୍ରର ପ୍ରମାଣ କମିଟି ପାଇଛି କି ନାହିଁ ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ସ୍ପଷ୍ଟ କରିପାରନ୍ତି ।
କିଛି ଦିନ ତଳେ ଓଡ଼ିଶାର ସରକାରୀ ପୁସ୍ତକରେ ମାଳ ମାଳ ଭୁଲ୍ ସାମ୍ନାକୁ ଆସିଥିଲା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବିଭିନ୍ନ ପାଠ୍ୟପୁସ୍ତକରେ ୧ହଜାର ୬୭୮ଟି ମୁଦ୍ରଣ ଓ ତଥ୍ୟଗତ ଭୁଲ୍ ଥିବା ସାମ୍ନାକୁ ଆସିଥିଲା । କେଉଁଠି ନିୟମଗିରି ପାହାଡ ଝାଡଖଣ୍ଡକୁ ଚାଲିଗଲାଣି ଆଉ କେଉଁଠି ଓଡ଼ିଶା ବିଧାନସଭା ଫଟୋ ଜାଗାରେ କର୍ଣ୍ଣାଟକ ବିଧାନସଭାର ଫୋଟ ରହିଛି । SCERT ଦ୍ବାରା ପ୍ରସ୍ତୁତ ନୂଆ ବହିରେ ଶିକ୍ଷାବିତ୍ ଓ ଶିକ୍ଷକ ମୋଟ୍ ୧, ୬୭୮ଟି ଭୁଲ୍ ଚିହ୍ନଟ କରିଥିଲେ । ସବୁଠୁ ଚକିତ କଲା ପରି କଥା ହେଉଛି କେବଳ ଅଷ୍ଟମ ଶ୍ରେଣୀ ବହିରେ ହିଁ ୭୦୫ଟି ଭୁଲ୍ ରହିଛି । ଗଞ୍ଜାମ ଜିଲ୍ଲାକୁ ଭୁଲରେ ବ୍ରହ୍ମପୁର ଜିଲ୍ଲା ବୋଲି ଲେଖାଯାଇଛି । ଯାହାକୁ ନେଇ ଶିକ୍ଷକ ସଂଘ ଓ ବିଭିନ୍ନ ରାଜନୈତିକ ଦଳ ଉଦବେଗ ପ୍ରକାଶ କରିଥିଲେ । ବିଜେଡି କହିଥିଲା ଏ କଣ ଓଡ଼ିଆ ଅସ୍ମିତା । ସରକାର କଣ ଓଡ଼ିଆ ଭାଷାକୁ ମାରିଦେବାକୁ ଚାହୁଁଛନ୍ତି । ସେପଟେ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟି ରହିଥିବାର ସଫେଇ ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଖୁବଶୀଘ୍ର ସଂଶୋଧନର ପ୍ରତିଶ୍ରୁତି ଦେଇଥିଲେ ।
