ମଧ୍ୟପ୍ରଦେଶ ମୁଖ୍ୟ ଶାସନ ସଚିବ ଅନୁରାଗ ଜୈନ ନୀତିଆୟୋଗ ସିଇଓ ନିଯୁକ୍ତ ହୋଇଛନ୍ତି। ୧୯୮୯ ବ୍ୟାଚ୍ ଆଇଏଏସ ଅଫିସରଙ୍କ ଏହି ନିଯୁକ୍ତି ସହିତ ଗତ ୫ ମାସ ହେଲା ଜାରି ଅନ୍ତରୀଣ ବ୍ୟବସ୍ଥା ସମାପ୍ତ ହୋଇଯାଇଛି। ଏହି ସମୟରେ ନିଧି ଛିବର ଅତିରିକ୍ତ ପ୍ରଭାର ଭାବେ ଏହି ଦାୟିତ୍ୱ ତୁଲାଇ ଆସୁଥିଲେ। କ୍ୟାବିନେଟ ନିଯୁକ୍ତି କମିଟି (ଏସିସି) ଭାରତ ସରକାରଙ୍କ ସଚିବ ପଦ ଓ ବେତନରେ ଅନୁରାଗ ଜୈନଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଡିପାର୍ଟମେଣ୍ଟ ଓ ପର୍ସନେଲ ଆଣ୍ଡ ଟ୍ରେନିଂ (ଡିଓପିଟି) ଆନୁସାରେ ତାଙ୍କ କାର୍ଯ୍ୟକାଳ କାର୍ଯ୍ୟଭାର ଗ୍ରହଣ ଠାରୁ ଆରମ୍ଭ ହେବ।
ସେ ମୋଟ ୨ ବର୍ଷ ଅଥବା ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ଏହି ପଦରେ ରହିବେ। ଅନୁରାଗ ଜୈନ ନୀତି ଆୟୋଗର ଡେଭଲପମେଣ୍ଟ ମନିଟରିଂ ଆଣ୍ଡ ଇଭାଲ୍ୟୁଏସନ ଅଫିସ (ଡିଏମଇଓ) ମହାନିର୍ଦ୍ଦେଶକ ନିଧି ଛିବରଙ୍କ ସ୍ଥାନ ଗ୍ରହଣ କରିଛନ୍ତି। ଛିବର ବି.ଭି.ଆର. ସୁବ୍ରହ୍ମଣ୍ୟମଙ୍କ କାର୍ଯ୍ୟକାଳ ବଢାଯିବା ପରେ ତାହା ସମାପ୍ତ ହେବାରୁ ୨୪ ଫେବୃଆରୀ ୨୦୨୬ରୁ ସିଇଓ ପଦବୀର ଅତିରିକ୍ତ ଦାୟିତ୍ୱ ତୁଲାଇ ଆସୁଥିଲେ। ତାଙ୍କୁ କୁହାଯାଇଥିଲା ଯେ ନିୟମିତ ଅଧିକାରୀ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ।
ଚତିଶଗଡ଼ କ୍ୟାଡରର ୧୯୮୭ ବ୍ୟାଚ୍ ରିଟାୟାର୍ଡ ଆଇଏଏସ ସୁବ୍ରହ୍ମଣ୍ୟମଙ୍କୁ ଫେବୃଆରୀ ୨୦୨୩ରେ ନୀତି ଆୟୋଗ ସିଇଓ ନିଯୁକ୍ତ କରାଯାଇଥିଲା। ସୁବ୍ରହ୍ମଣ୍ୟମଙ୍କ ପ୍ରାରମ୍ଭିକ ଦୁଇ ବର୍ଷକୁ ଏକ ବର୍ଷ ନିମନ୍ତେ ସମ୍ପ୍ରସାରଣ କରାଯାଇଥିଲା, ଯାହା ଗତ ଫେବୃଆରୀରେ ସମାପ୍ତ ହୋଇଛି। ଏହା ପରେ ନିଧି ଛିବର ଅତିରିକ୍ତ ଦାୟିତ୍ୱ ଭାବେ ଏହି ପଦବୀର କାର୍ଯ୍ୟ ତୁଲାଇ ଆସୁଥିଲେ।
