ରାଜ୍ୟ ବାହାରକୁ କିମ୍ବା ବିଦେଶ ଯିବାକୁ ଦେଲେ ୨୧ ଦିନ ପୂର୍ବରୁ ଛୁଟି ଆବେଦନ କରିବାକୁ ପଡ଼ିବ

ରାଜ୍ୟ ବାହାରକୁ କିମ୍ବା ବିଦେଶ ଯିବାକୁ ଦେଲେ ୨୧ ଦିନ ପୂର୍ବରୁ ଛୁଟି ଆବେଦନ କରିବାକୁ ପଡ଼ିବ

ବ୍ୟକ୍ତିଗତ କାରଣରୁ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯିବାକୁ ଯୋଜନା କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଅର୍ଥ ବିଭାଗ କଡ଼ା ନିର୍ଦ୍ଦେଶ ଜାରି କରିଛି। ଏଣିକି ଏଭଳି ଯାତ୍ରା ପାଇଁ ଅତି କମ୍ ରେ ୨୧ ଦିନ ପୂର୍ବରୁ ଛୁଟି ଆବେଦନ କରିବା ସହ ମୁଖ୍ୟାଳୟ ଛାଡ଼ିବା ପାଇଁ ଆବଶ୍ୟକ ପୂର୍ବାନୁମତି ନେବାକୁ ପଡ଼ିବ।

ଜୁଲାଇ ୨୧ରେ ଜାରି ସର୍କୁଲାରରେ ଅତିରିକ୍ତ ସଚିବ ତଥା ଏଷ୍ଟାବ୍ଲିସମେଣ୍ଟ ଅଫିସର ସାଗରିକା ହୋତା ସ୍ପଷ୍ଟ କରିଛନ୍ତି ଯେ, କାଜୁଆଲ୍ ଲିଭ୍ ବ୍ୟତୀତ ଅନ୍ୟ ଛୁଟି ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ୱାରା ମଞ୍ଜୁର ହେବା ଆବଶ୍ୟକ। ସେହିପରି ଯାତ୍ରା ପୂର୍ବରୁ ମୁଖ୍ୟାଳୟ ଛାଡ଼ିବା ଅନୁମତି ମଧ୍ୟ ମିଳିଥିବା ଦରକାର।

ବିଭାଗର ନଜରକୁ ଆସିଛି ଯେ, ବିଭିନ୍ନ ନିର୍ଦ୍ଦେଶାଳୟ ଓ ଅଧସ୍ତନ କାର୍ଯ୍ୟାଳୟର କେତେକ ଅଧିକାରୀ ଓ କର୍ମଚାରୀ ପୂର୍ବ ଅନୁମତି ବିନା କିମ୍ବା ଯାତ୍ରାର ଠିକ୍ ପୂର୍ବରୁ ଆବେଦନ କରି ରାଜ୍ୟ ବାହାରକୁ ଅଥବା ବିଦେଶ ଯାଉଛନ୍ତି। ଫଳରେ ଏଭଳି ଆବେଦନକୁ ଠିକ୍ ସମୟରେ ବିଚାର କରି ଅନୁମୋଦନ ଦେବାରେ ପ୍ରଶାସନିକ ଅସୁବିଧା ହେଉଛି।

ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ଜାରି ହୋଇଥିବା ସରକାରୀ ନିର୍ଦ୍ଦେଶ ଓ ଓଡ଼ିଶା ସର୍ଭିସ୍ କୋଡ୍ ର ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। କେବଳ ପ୍ରକୃତ ଜରୁରୀ ପରିସ୍ଥିତିକୁ ଛାଡ଼ି ଅନ୍ୟ ସମସ୍ତ କ୍ଷେତ୍ରରେ ୨୧ ଦିନ ପୂର୍ବରୁ ଆବେଦନ କରିବା ନିୟମ ପାଳନ କରିବାକୁ ହେବ । କର୍ମଚାରୀ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଛୁଟି ମଞ୍ଜୁର ହେବା ସହ ମୁଖ୍ୟାଳୟ ଛାଡ଼ିବାର ଅନୁମତି ମିଳିବା ଆବଶ୍ୟକ ବୋଲି ଅର୍ଥ ବିଭାଗ ସ୍ପଷ୍ଟ କରିଛି।

Posted in ରାଜ୍ୟ.