ଭାରତରେ ଶରଣ ନେବାର ୨ ବର୍ଷ ପରେ ଗଣମାଧ୍ୟମ ସାମ୍ନାକୁ ଆସିବେ ଶେଖ୍ ହସିନା

ଭାରତରେ ଶରଣ ନେବାର ୨ ବର୍ଷ ପରେ ଗଣମାଧ୍ୟମ ସାମ୍ନାକୁ ଆସିବେ ଶେଖ୍ ହସିନା

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପ୍ରଥମ ଥର ଭାରତରେ ଗଣମାଧ୍ୟମ ସାମ୍ନାକୁ ଆସିବେ। ଭାରତରେ ଶରଣ ନେବାର ପାଖାପାଖି ୨ ବର୍ଷ ପରେ ଏହା ପ୍ରଥମ ଥର ଯେଉଁଥିରେ କୌଣସି ସାର୍ବଜନିକ କାର୍ଯ୍ୟକ୍ରମରେ ହସିନା ଯୋଗ ଦେବେ। ଏହି କାର୍ଯ୍ୟକ୍ରମ ନୂଆ ଦିଲ୍ଲୀରେ ଫରେନ କରସପଣ୍ଡେଣ୍ଟସ୍ କ୍ଲବ ଅଫ ସାଉଥ ଏସିୟା (ଏଫସିସିଏସଏ) ଦ୍ୱାରା ଭର୍ଚୁଆଲି ହୋଷ୍ଟ କରାଯିବା, ଯେଉଁଥିରେ ଶେଖ ହସିନା ତାଙ୍କ ଭବିଷ୍ୟତର ଯୋଜନା ଓ ବାଂଲାଦେଶ ଫେରିବା ବାବଦେ କହି ପାରନ୍ତି।

ଏଥି ପାଇଁ ସାମ୍ବାଦିକ ସମ୍ମିଳନୀ ୫ ଅଗଷ୍ଟ ୨୦୨୬ ସନ୍ଧ୍ୟା ୬ଟରୁ ସାଢେ ୭ଟା ପର୍ଯ୍ୟନ୍ତ ଦିଲ୍ଲୀ ମଥୁରା ରୋଡସ୍ଥିତ ମାର୍କ ଟଲି ଅଡିଟରିୟମରେ ହେବ, ଏହାର ଲାଇଭ ଷ୍ଟ୍ରିମିଂ କ୍ଲବର ସୋସିଆଲ ମିଡିଆ ପ୍ଲାଟଫର୍ମରେ କରାଯିବ। ଏହି କାର୍ଯ୍ୟକ୍ରମ ଶେଖ ହସିନାଙ୍କ ୧୫ ବର୍ଷର ଶାସନ ସମାପ୍ତିର ଦ୍ୱିତୀୟ ବାର୍ଷିକ ଅବସରରେ ଅନୁଷ୍ଠିତ ହେବ। ୫ ଅଗଷ୍ଟ ୨୦୨୪ରେ ଏକ ବିବାଦୀୟ କୋଟା ବ୍ୟବସ୍ଥାକୁ ବିରୋଧ କରି ଛାତ୍ରଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ପ୍ରଦର୍ଶନ ଦେଶ ବ୍ୟାପୀ ସରକାର ବିରୋଧୀ ଆନ୍ଦୋଳନରେ ବଦଳି ଯାଇଥିଲା। ଏଣୁ ପ୍ରଧାନମନ୍ତ୍ରୀ ଶେଖ ହସିନା ପଦ ଛାଡିବାକୁ ବାଧ୍ୟ ହେବା ସହ ଭାରତ ପଳାଇ ଆସିଥିଲେ।

ଭାରତରେ ଶରଣ ନେଇଥିବା କାଳରେ ଶେଖ ହସିନା ସାର୍ବଜନିକ କାର୍ଯ୍ୟକ୍ରମ ଏବଂ ଔପଚାରିକ ମିଡିଆ ଆଲୋଚନାରୁ ନିଜକୁ ଦୂରେଇ ରଖିଛନ୍ତି। ତାଙ୍କର ଆଗାମୀ ସମ୍ବୋଧନ ପ୍ରଧାନମନ୍ତ୍ରୀ ପଦ ଛାଡିବା ପରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାର୍ବଜନିକ ଉପସ୍ଥିତି। ଏଥି ପାଇଁ ଦିଆଯାଇଥିବା ନିମନ୍ତ୍ରଣରେ ଅନେକ ବାଂଲାଦେଶୀ ରାଜନୈତିକ ନେତା, କୂଟନୀତିଜ୍ଞ ଓ ସାର୍ବଜନିକ ବ୍ୟକ୍ତିତ୍ୱଙ୍କ ନାମ ରହିଛି। ଏମାନେ ଶେଖ ହସିନାଙ୍କ ସହ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି। ଏମାନଙ୍କ ମଧ୍ୟରେ ହସିନାଙ୍କ ପୁଅ ତଥା ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ଆଇସିଟି ପରାମର୍ଶଦାତା ସଜୀବ ବାଜେଦ ଜୋୟ, ବାଂଲାଦେଶର ପୂର୍ବତନ ଶିକ୍ଷାମନ୍ତ୍ରୀ ମୋହିବୁଲ ହସନ ଚୌଧୁରୀ ନୋଭଫେଲ, ବାଂଲାଦେଶ ହ୍ୟୁମାନ ରାଇଟସ୍ ୱାଚ୍ ର ସାଧାରଣ ସମ୍ପାଦକ ମହମ୍ମଦ ଅଲୀ ସିଦ୍ଦିକୀ ଓ ବାଂଲାଦେଶ ହ୍ୟୁମ୍ୟାନ ରାଇଟ୍ ୱାଚ୍ ୟୁଏସଏର ନିର୍ଦ୍ଦେଶକ ଶାହ ମହମ୍ମଦ ବଖତିୟାର ମଧ୍ୟଯୋଗ ଦେବେ।

ଏହି କାର୍ଯ୍ୟକ୍ରମରେ ଏଫସିସିଏସଏ ଓ ଇଣ୍ଟରନ୍ୟାସନାଲ ଆସୋସିଏସନ ଅଫ ପ୍ରେସ୍ କ୍ଲବ(ଆଇଏପିସି) ପ୍ରେସିଡେଣ୍ଟ ଡ. ଭ୍ୟାଲ ଆବାଦ ଅଧ୍ୟକ୍ଷତା କରିବେ। ଶେଖ ହସିନା ଶାସନରୁ ହଟିବା ପରେ ବାଂଲାଦେଶ ରାଜନୈତିକ ପରିବେଶରେ ବେଶ୍ ପରିବର୍ତ୍ତନ ଆସିଛି। ନୋବେଲ ପୁରସ୍କାର ବିଜେତା ମୁହମ୍ମଦ ୟୁନୁସଙ୍କ ଅନ୍ତରୀଣ ପ୍ରଶାସନ ପେବୃଆରୀ ୨୦୨୬ ସାଧାରଣ ନିର୍ବାଚନ ପରେ ସମାପ୍ତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ନେତୃତ୍ୱରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ସରକାର ଶାସନ କୁ ଆସିଛି। ନୂଆ ସରକାର ମଧ୍ୟ ପିଛିଲା ଆବାମୀ ଲିଗ୍ ସରକାରର କେତେକ ନେତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି।

Posted in ଦେଶ ବିଦେଶ.