ଭୁବନେଶ୍ୱର: ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ରମଣ ଡେକା ତା ୬/୮/୨୬ (ଗୁରୁବାର) ଦିନ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ତାଙ୍କ ବାସଭବନଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
ଏହି ଆଲୋଚନା ଓ ସାକ୍ଷାତକାର ଅବସରରେ ରାଜ୍ୟପାଳ ଶ୍ରୀ ଡେକା, ବରିଷ୍ଠ ଜନନେତା, ପୂର୍ବତନ ରାଜ୍ୟପାଳ ଶ୍ରୀ ହରିଚନ୍ଦନଙ୍କୁ ତାଙ୍କର (ବିଳମ୍ବିତ) ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଏହା ସହିତ ସେ ଶ୍ରୀ ହରିଚନ୍ଦନଙ୍କ ସାମ୍ପ୍ରତିକ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିବା ସହ ତାଙ୍କର ସୁସ୍ଥ, ନିରାମୟ ଏବଂ ଦୀର୍ଘ ଜୀବନ କାମନା କରିଛନ୍ତି।
ସାକ୍ଷାତ ସମୟରେ ଉଭୟ ନେତାଙ୍କ ମଧ୍ୟରେ ବେଶ୍ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଆଲୋଚନା ହୋଇଥିଲା। ଓଡ଼ିଶା ରାଜନୀତିର ଅନ୍ୟତମ ବରିଷ୍ଠ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ପୂର୍ବରୁ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର ରାଜ୍ୟପାଳ ଭାବେ ନିଜର ଦାୟିତ୍ୱ ନିଷ୍ଠାର ସହ ତୁଲାଇଛନ୍ତି।
ଛତିଶଗଡ଼ ରାଜ୍ୟପାଳ ଶ୍ରୀଯୁକ୍ତ ରମଣ ଡେକାଙ୍କ ଏହି ବ୍ୟକ୍ତିଗତ ଗସ୍ତ ଓ ସୌଜନ୍ୟମୂଳକ ସାକ୍ଷାତକାର ପାଇଁ ଶ୍ରୀ ହରିଚନ୍ଦନ ଏବଂ ତାଙ୍କ ପରିବାରବର୍ଗଙ୍କ ପକ୍ଷରୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଛି। ଉଭୟ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଅତୀତର ସ୍ମୃତି ଓ ବିଭିନ୍ନ ପ୍ରସଙ୍ଗକୁ ନେଇ କିଛି ସମୟ ଆଲୋଚନା ହୋଇଥିଲା।
