ଜଗନ୍ନାଥ ବେହେରା ଓ ଅକ୍ଷୟ ଚରଣ ସ୍ୱାଇଁଙ୍କ ସ୍ମୃତିରେ  ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ଜଗନ୍ନାଥ ବେହେରା ଓ ଅକ୍ଷୟ ଚରଣ ସ୍ୱାଇଁଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର: ଓଡ଼ିଆ ପାଲା ସଂସ୍କୃତିର ଦୁଇ ପ୍ରବାଦ ପୁରୁଷ—’ଗାୟକ ଶେଖର’ ଜଗନ୍ନାଥ ବେହେରା (୧୦୧ ବର୍ଷ) ଏବଂ ‘ଗାୟକ ସମ୍ରାଟ’ ଅକ୍ଷୟ ଚରଣ ସ୍ୱାଇଁ (୯୩ ବର୍ଷ)ଙ୍କ ପରଲୋକରେ ଓଡ଼ିଶାର ଭାଷା, ସାହିତ୍ୟ ଓ ପାଲା ସଂସ୍କୃତି ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଏହି ଦୁଇ ମହାନ୍ ଦିବଂଗତ ସାରସ୍ୱତ ସାଧକଙ୍କ ସ୍ମୃତିଚାରଣ ଓ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ ନିମନ୍ତେ ୧୦ ଅଗଷ୍ଟ ୨୦୨୬, ସୋମବାର ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ପ୍ରେକ୍ଷାଳୟରେ ଏକ “ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା” ଆୟୋଜିତ ହେବାକୁ ଯାଉଛି।

‘ରାଜ୍ୟ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ’ର ଆନୁକୂଲ୍ୟରେ ଏବଂ ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ସନ୍ଧ୍ୟା ୪ ଘଟିକା ସମୟରେ ଅନୁଷ୍ଠିତ ହେବ।

ଏହି ସ୍ମୃତି ସଭାରେ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ବରେଣ୍ୟ ଡଃ ସୌମ୍ୟରଞ୍ଜନ ପଟ୍ଟନାୟକ, ମାନ୍ୟବର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମାନ୍ୟବର ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ପ୍ରଖ୍ୟାତ ସାରସ୍ୱତ ସାଧକ ଦାଶ ବେନହୁର, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହ ସଚିବ ସଞ୍ଜୟ କୁମାର ଖୁଆଲସିଂହଙ୍କ ସମେତ ବହୁ ବିଶିଷ୍ଟ ପୂଜ୍ୟପୂଜା ସଂସ୍କୃତିପ୍ରେମୀ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି। ସଭା କାର୍ଯ୍ୟକ୍ରମ ପରେ ସନ୍ଧ୍ୟା ୫ ଘଟିକାରେ ଶବ୍ଦବ୍ରହ୍ମ ପରିପୋଷକ ଲମ୍ବୋଦର ବେହେରା ଓ ଗାୟକ ପ୍ରବୀର ସନାତନ ଦାଶଙ୍କ ଦ୍ୱାରା ଏକ ବିଶେଷ ପାଲା ପରିବେଷଣ କରାଯିବ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଦିବଂଗତ ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ‘ରାଜ୍ୟ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ’ର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ସମସ୍ତଙ୍କୁ ଆନ୍ତରିକ ନିମନ୍ତ୍ରଣ କରିଛନ୍ତି।

Posted in Uncategorized.