ପ୍ରଧାନମନ୍ତ୍ରୀ କିଷାନ ଯୋଜନା ନାଁରେ ନକଲି ମୋବାଇଲ୍ ଆପ୍ (ଏପିକେ) ମାଧ୍ୟମରେ ସାଇବର ଠକେଇ ଚଳାଇଥିବା ଏକ ଅନ୍ତଃରାଜ୍ୟ ଗ୍ୟାଙ୍ଗ୍କୁ ଧରିବାରେ ରାଉରକେଲା ପୁଲିସ ସଫଳ ହୋଇଛି। ମାମଲାର ତଦନ୍ତକୁ ଆଗକୁ ବଢ଼ାଇ ମାମଲାର ତଦନ୍ତ କରୁଥିବା ଉଦିତନଗର ପୁଲିସ ଝାଡ଼ଖଣ୍ଡର ଦେଓଘରରୁ କିଙ୍ଗପିନ୍ ସମେତ ୪ ଜଣଙ୍କୁ ଗିରଫ କରିଛି।
ସାଇବର ଠକେଇ ତଦନ୍ତ ସମୟରେ ଗତ ୬ ଅଗଷ୍ଟ ୨୦୨୬ ରେ ଏହି ନେଟୱର୍କ ସମ୍ପର୍କରେ ପୁଲିସକୁ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଥିଲା। ଅଭିଯୁକ୍ତମାନେ ସରକାରୀ ଯୋଜନାର ଆପ୍ ଏପିକେ ଫାଇଲ୍ ପଠାଇ ଲୋକଙ୍କ ମୋବାଇଲ୍ ଓ ୟୁପିଆଇ ଆକାଉଣ୍ଟରେ ଅନଧିକୃତ ପ୍ରବେଶ କରିବା ପରେ
ହ୍ୟାକ୍ ହୋଇଥିବା ୟୁପିଆଇ ଆକାଉଣ୍ଟ, ଏଟିଏମ୍ ଏବଂ ବ୍ୟବସାୟିକ କ୍ୟୁଆର୍ କୋଡ୍ ମାଧ୍ୟମରେ ଠକେଇ କରି ଟଙ୍କା ହଡ଼ପ କରୁଥିଲେ। ଏହାପରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କାକୁ ଟ୍ରାନସଫର୍ କରିଦେଉଥିଲେ।
ପୁଲିସର ତଦନ୍ତରୁ ଏପର୍ଯ୍ୟନ୍ତ ୩.୫ କୋଟି ଟଙ୍କାରୁ ଅଧିକ ସନ୍ଦିଗ୍ଧ କାରବାର ସହ ଅଭିଯୁକ୍ତମାନଙ୍କ ସମ୍ପର୍କ ଠାବ ହୋଇଛି। ଦେଶର ବିଭିନ୍ନ ସ୍ଥାନରୁ ୩୧ଟି ଅଭିଯୋଗ/ଏଫ୍ଆଇଆର୍ ମଧ୍ୟ ଏହି ଅଭିଯୁକ୍ତମାନଙ୍କ ସହ ଯୋଡ଼ି ହୋଇଥିବା ବେଳେ ୪୭ ଲକ୍ଷରୁ ଅଧିକ ଟଙ୍କା ବିଭିନ୍ନ ଆକାଉଣ୍ଟରେ ଫ୍ରିଜ୍ କରାଯାଇଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଦେଓଘର ଜିଲ୍ଲାର ବିକାଶ କୁମାର ମାଂଝୀ (୨୯), ପ୍ରଦୀପ କୁମାର (୨୪), ସୁରଜ କୁମାର (୨୪) ଏବଂ ମନୀଷ କୁମାର ଯାଦବ (୨୬)। ସେମାନଙ୍କଠାରୁ ୨୪,୯୦୦ ଟଙ୍କା ନଗଦ, ୫ଟି ମୋବାଇଲ୍ ଫୋନ୍, ୫ଟି ATM କାର୍ଡ ଏବଂ ଗୋଟିଏ ସ୍କର୍ପିଓ ଗାଡ଼ି ଜବତ ହୋଇଛି।
ଏହି ମାମଲାରେ ଜ୍ୟୋତିଷ ପ୍ରସାଦ ବର୍ମା (୨୫)ଙ୍କୁ ପୁଲିସ ପୂର୍ବରୁ ଗିରଫ କରି ଅଗଷ୍ଟ ୭ରେ କୋର୍ଟକୁ ପଠାଇଥିଲା।
ସାଇବର ଠକେଇ ନେଟୱର୍କର ଅନ୍ୟ ସଦସ୍ୟ, ସେମାନଙ୍କ ଭୂମିକା, ସମ୍ପୂର୍ଣ୍ଣ ଟଙ୍କା କାରବାର ଓ ଠକେଇ ଟଙ୍କାର ଅନ୍ତିମ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ତଦନ୍ତ ଜାରି ରଖିଛି ପୁଲିସ।
ରାଉରକେଲା ପୁଲିସ ପକ୍ଷରୁ ଏ ସଂକ୍ରାନ୍ତରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଅବସରରେ ରାଉରକେଲା ଏସପି ନିତେଶ ୱାଧୱାନି ଲୋକଙ୍କୁ ଅଜଣା ଏପିକେ ଫାଇଲ୍ କିମ୍ବା ଆପ୍ ଡାଉନଲୋଡ୍ ନକରିବା ସହ ଡିଜିଟାଲ୍ ଏବଂ ୟୂପିଆଇ କାରବାର ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
