ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ କାହିଁକି ନିହାତି ଜରୁରୀ

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ କାହିଁକି ନିହାତି ଜରୁରୀ

ଅଯୋଧ୍ୟା ଶ୍ରୀରାମ ମନ୍ଦିର, ତିରୁପତି ବାଲାଜୀ, ବୈଷ୍ଣୋଦେବୀ, ଶିରିଡ଼ି ଏବଂ ଉଜ୍ଜୟିନୀର ମହାକାଳେଶ୍ୱର ମନ୍ଦିର ଭଳି ପ୍ରମୁଖ ତୀର୍ଥସ୍ଥଳୀରେ ବର୍ଷ ତମାମ ଲକ୍ଷାଧିକ ଭକ୍ତଙ୍କ ଆଗମନ ହେଉଥିଲେ ମଧ୍ୟ ସେଠାରେ ଧାଡ଼ି ଦର୍ଶନ ବ୍ୟବସ୍ଥା ବେଶ୍ ସଫଳ। ଟୋକନ୍, ବାରକୋଡ୍ ଏବଂ ସୁସଜ୍ଜିତ ରାମ୍ପ୍ ଯୋଗୁଁ ପ୍ରତ୍ୟେକ ଭକ୍ତ ସମାନ ସୁବିଧାରେ କିଛି ମିନିଟ୍ ଭିତରେ ଦର୍ଶନ ପାଆନ୍ତି। ବର୍ଷ ବର୍ଷ ଧରି ମହାପ୍ରଭୁ ଜଗନ୍ନାଥଙ୍କୁ ଶୃଙ୍ଖଳିତ ଦର୍ଶନ ପାଇଁ ଦାବି ହେଉଛି । କିନ୍ତୁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ । ଏବେ ପୁରୀ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଓ ସୁଗମ ଦର୍ଶନ ପାଇଁ ଆଗାମୀ ୩ରୁ ୪ ମାସ ମଧ୍ୟରେ ସ୍ଥାୟୀ ‘ଧାଡ଼ି ଦର୍ଶନ’ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି। ଉଚ୍ଚସ୍ତରୀୟ ବୈଠକ ପରେ ରାଜ୍ୟ ଆଇନ ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ୫ଟି ରାମ୍ପ୍‌ ଜରିଆରେ ଏକାସାଙ୍ଗରେ ପ୍ରାୟ ୫୦ ଜଣ ଏବଂ ଘଣ୍ଟାକୁ ପାଖାପାଖି ୮ ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ। ଏହାର ଏକ ପାଇଲଟ୍ ମଡେଲ୍ ଆଗାମୀ ୮ରୁ ୧୦ ଦିନ ମଧ୍ୟରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ। ଏହା ସ୍ବାଗତଯୋଗ୍ୟ ପଦକ୍ଷେପ । ତୁରନ୍ତ ଏହା କାର୍ଯ୍ୟକାରୀ କରାଯିବା ଆବଶ୍ୟକ ।

ଶ୍ରୀମନ୍ଦିରରେ ମନୁଷ୍ୟକୃତ ଅସମ୍ଭାଳ ଭିଡ଼ ଯୋଗୁଁ ଠେଲାପେଲା ସଦାବେଳେ ହୋଇଥାଏ। ଧାଡ଼ି ବ୍ୟବସ୍ଥା ଲାଗୁ ହେଲେ ଦଳାଚକଟା ଆଶଙ୍କା ସମ୍ପୂର୍ଣ୍ଣ ଦୂର ହେବ। ବୟସ୍କ ଏବଂ ଶିଶୁମାନେ ଭିଡ଼ ଭିତରେ ଅଣନିଶ୍ୱାସୀ ହେବାରୁ ରକ୍ଷା ପାଇବେ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଦର୍ଶନ କରି ଫେରିପାରିବେ। ଭକ୍ତଙ୍କୁ ଦୀର୍ଘ ସମୟ ଧରି ଅନିଶ୍ଚିତତା ମଧ୍ୟରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ । ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ରରେ ପ୍ରତିଦିନ ଦେଶବିଦେଶରୁ ଭକ୍ତମାନେ ଆସୁଥିବାରୁ ଏଠାରେ ମଧ୍ୟ ଆଧୁନିକ ଢାଞ୍ଚାରେ ଶୃଙ୍ଖଳିତ ବ୍ୟବସ୍ଥା ଅପରିହାର୍ଯ୍ୟ। ଏହି ପଦକ୍ଷେପ ଶ୍ରୀମନ୍ଦିର ପ୍ରଶାସନର ପରିଚାଳନାକୁ ମଜଭୁତ କରିବା ସହ ଭକ୍ତଙ୍କୁ ଏକ ସୁରକ୍ଷିତ ଓ ଭାବପୂର୍ଣ୍ଣ ଆଧ୍ୟାତ୍ମିକ ଅନୁଭୂତି ପ୍ରଦାନ କରିବ।

Posted in ରାଜ୍ୟ.