୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ । ଅକ୍ଟୋବର ୨୬ରୁ ଘରକୁ ଘର ଭୋଟର ସର୍ଭେ । ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତିକୁ ନେଇ ତତ୍ପର ହୋଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ସଠିକ୍, ଅଦ୍ୟତନ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ଅକ୍ଟୋବର ୨୬ରୁ ରାଜ୍ୟରେ ଘରକୁ ଘର ସର୍ଭେ ଆରମ୍ଭ ହେବ । ଏହା ପୂର୍ବରୁ କାଲି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ ହୋଇଛି।
ଆଗାମୀ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି, ଘରକୁ ଘର ସର୍ଭେ ଏବଂ ରାଜନୈତିକ ଦଳଗୁଡ଼ିକର ସହଯୋଗ ନେଇ ବୈଠକରେ ଆଲୋଚନା ହୋଇଛି। ଆସନ୍ତା୨୬ରୁ ହେବାକୁ ଥିବା ସର୍ଭେରେ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ଅଛି କି ନାହିଁ, ତଥ୍ୟ ସଠିକ୍ ଅଛି କି ନାହିଁ—ତାହା ଯାଞ୍ଚ କରାଯିବ। ଏହାସହ ମୃତ, ସ୍ଥାନାନ୍ତରିତ କିମ୍ବା ଅଯୋଗ୍ୟ ଭୋଟରଙ୍କ ସମ୍ପର୍କିତ ତଥ୍ୟ ମଧ୍ୟ ଯାଞ୍ଚ ହେବ। ନାମ ଯୋଗ, ବାଦ୍ ଓ ସଂଶୋଧନ ସମ୍ପର୍କିତ ବିଷୟ ମଧ୍ୟ ଏହି ପ୍ରକ୍ରିୟାରେ ଗୁରୁତ୍ୱ ପାଇବ। ସର୍ଭେ ପ୍ରକ୍ରିୟାରେ ରାଜନୈତିକ ଦଳଗୁଡ଼ିକୁ ସକ୍ରିୟ ସହଯୋଗ ପାଇଁ ଆୟୋଗ ଅନୁରୋଧ କରିଛନ୍ତି।
ପ୍ରତ୍ୟେକ ମତଦାନ କେନ୍ଦ୍ରରେ ବୁଥ୍ ସ୍ତରୀୟ ଏଜେଣ୍ଟ ବା BLA ନିୟୋଜନ କରିବାକୁ ଦଳଗୁଡ଼ିକୁ କୁହାଯାଇଛି। ଅକ୍ଟୋବର ୧୫ ସୁଦ୍ଧା BLAଙ୍କ ତଥ୍ୟ ଦାଖଲ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି। ଗ୍ରାମାଞ୍ଚଳରେ BLAଙ୍କ ତଥ୍ୟ ବିଡିଓଙ୍କ ନିକଟରେ, NAC ଓ ପୌରାଞ୍ଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଏବଂ ମହାନଗର ନିଗମ ଅଞ୍ଚଳରେ ଡେପୁଟି କମିଶନର କିମ୍ବା ଆସିଷ୍ଟାଣ୍ଟ କମିଶନରଙ୍କ ନିକଟରେ ଦାଖଲ କରାଯିବ।
ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ କହିଛନ୍ତି, ସଠିକ୍ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ସ୍ୱଚ୍ଛ ନିର୍ବାଚନର ମୂଳ ଆଧାର। ତେଣୁ ଭୋଟର ତାଲିକା ପ୍ରସ୍ତୁତିର ପ୍ରତ୍ୟେକ ପର୍ଯ୍ୟାୟରେ ସ୍ୱଚ୍ଛତା, ନିରପେକ୍ଷତା ଏବଂ ସମସ୍ତଙ୍କ ଅଂଶଗ୍ରହଣକୁ ଗୁରୁତ୍ୱ ଦିଆଯିବ। ଆୟୋଗର ମୁଖ୍ୟ ଲକ୍ଷ୍ୟ ହେଉଛି—କୌଣସି ଯୋଗ୍ୟ ଭୋଟରଙ୍କ ନାମ ଯେପରି ତାଲିକାରୁ ବାଦ୍ ନପଡ଼େ ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ଯେପରି ତାଲିକାରେ ନରହେ।
ଏଥିପାଇଁ ରାଜନୈତିକ ଦଳ, ପ୍ରଶାସନ ଓ ସାଧାରଣ ଭୋଟରଙ୍କ ସହଯୋଗ ଲୋଡ଼ିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତ ଓ ସହରାଞ୍ଚଳ ସ୍ଥାନୀୟ ନିର୍ବାଚନ ପରିଚାଳନା କରେ; ଆୟୋଗର ନିର୍ବାଚନ ମାନୁଆଲ୍ ରେ ମଧ୍ୟ ନିର୍ବାଚନ ପ୍ରକ୍ରିୟାକୁ ତ୍ରୁଟିମୁକ୍ତ ଓ ନିରପେକ୍ଷ ଭାବେ ସମ୍ପାଦନ ଉପରେ ଗୁରୁତ୍ୱ ଦିଆଯାଇଛି।
