ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ଜାରି,ଯେପରି ଶାନ୍ତି ଓ ଶୃଙ୍ଖଳାର ସହ ଅନୁଷ୍ଠିତ ହେବ, ସେ ନେଇ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବୈଠକ

ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ଜାରି,ଯେପରି ଶାନ୍ତି ଓ ଶୃଙ୍ଖଳାର ସହ ଅନୁଷ୍ଠିତ ହେବ, ସେ ନେଇ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବୈଠକ

ଚଳିତ ବର୍ଷ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଯେପରି ଶାନ୍ତି ଓ ଶୃଙ୍ଖଳାର ସହ ଅନୁଷ୍ଠିତ ହେବ, ସେ ନେଇ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଦୀର୍ଘ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସମସ୍ତ ଜିଲ୍ଲାମାନଙ୍କରେ ଥିବା ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ଯେପରି ଶାନ୍ତି ଓ ଶୃଙ୍ଖଳାର ସହ ନିର୍ବାଚନ ସୁପରିଚାଳିତ ହେବ ତାହାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଛାତ୍ର ସଂସଦ ନିର୍ବାଚନ ପାଇଁ ଅକ୍ଟୋବର ୯ ତାରିଖ ଦିନ ପ୍ରାର୍ଥୀମାନଙ୍କର ନୋମିନେସନ୍‌ ଫାଇଲିଂ ଥିବାବେଳେ ଅକ୍ଟୋବର ୧୫ ତାରିଖ ଦିନ ନିର୍ବାଚନ ହେବା ସହ ନିର୍ବାଚନର ଫଳାଫଳ ଘୋଷଣା ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି କ୍ୟାମ୍ପସ୍‌ରେ ଯେପରି କୌଣସି ପ୍ରକାର ହିଂସା ବା ବିଶୃଙ୍ଖଳା ପରିସ୍ଥିତି ନ ଉପୁଜେ, ତାହାକୁ ଜିଲ୍ଲାପାଳ ଓ ଏସ୍‌ପିମାନେ ସୁନିଶ୍ଚିତ କରିବା ସହ ଶିକ୍ଷାନୁଷ୍ଠାନଗୁଡିକୁ ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗ ପରାମର୍ଶ ଦେଇଛନ୍ତି।

ଏଥିସହ ଲିଙ୍ଗଡ଼ୋ କମିଶନ ରିପୋର୍ଟ ଅନୁଯାୟୀ ଛାତ୍ର ସଂସଦ ନିର୍ବାଚନ ସମୟରେ ଅଣଛାତ୍ରମାନଙ୍କର ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ ମଧ୍ୟରେ ପ୍ରବେଶ ଓ ଅଯଥା ହସ୍ତକ୍ଷେପ ଏବଂ ବିଶୃଙ୍ଖଳା ସୃଷ୍ଟିକୁ ନିଷେଧ କରାଯାଇଛି। ଏହା ଉପରେ ମଧ୍ୟ ନଜର ରଖିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାପାଳ,ଏସ୍‌ପି, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳମାନେ ନିଜ ଜିଲ୍ଲାରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ପରିଦର୍ଶନ କରିବା ସହ ଛାତ୍ର ସଂସଦ ନିର୍ବାଚନ ଓ ଏହାର ପରିଚାଳନା ସମ୍ବନ୍ଧରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ  ଅରବିନ୍ଦ ଅଗ୍ରୱାଲ ଛାତ୍ର ସଂସଦ ନିର୍ବାଚନର ସମୟ ସାରଣୀ ଓ ନିୟମାବଳୀ ଉପରେ ଆଜିର ବୈଠକରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଉଚ୍ଚ ଶିକ୍ଷାନୁଷ୍ଠାନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏବଂ ନିର୍ବାଚନ ପରିଚାଳନାର ଏସ୍‌ଓପି ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଥିଲେ। ଏଥିସହ ନିର୍ବାଚନ ସମୟରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟମାନଙ୍କରେ ଲିଙ୍ଗଡ଼ୋ କମିଶନ ରିପୋର୍ଟ ଓ ଉଚ୍ଚଶିକ୍ଷା ବିଭାଗର ନିୟମାବଳୀକୁ ପାଳନ କରାଯିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ଉଚ୍ଚଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଦେଓରଞ୍ଜନ କୁମାର ସିଂ, ପୋଲିସ ଡିଜି  ବିନୟତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ  ଆର. ପି. କୋଚେ କହିଥିଲେ ଯେ, ନୋମିନେସନ୍‌ ଫାଇଲିଂ ପୂର୍ବରୁ ଏସ୍‌ପିମାନେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ପରିଦର୍ଶନ କରିବେ। ନୋମିନେସନ୍‌ ଫାଇଲିଂ ଠାରୁ ଆରମ୍ଭ କରି ଭୋଟ୍ ଗଣତି ଓ ଫଳାଫଳ ଘୋଷଣା ଓ ନିର୍ବାଚନ ପରବର୍ତ୍ତୀ ସମୟର କଲେଜ ବାତାବରଣକୁ ଅନୁଧ୍ୟାନ କରିବା ସହ ଶାନ୍ତି ଓ ଶୃଙ୍ଖଳା ପରିସ୍ଥିତିକୁ ଯାଞ୍ଚ କରିବେ।

ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ପୂର୍ବ ବର୍ଷମାନଙ୍କରେ ଅନୁଷ୍ଠିତ ହୋଇଥିବା ଛାତ୍ର ସଂସଦ ନିର୍ବାଚନର ରିପୋର୍ଟ ଅନୁଯାୟୀ ଯେଉଁ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ନିର୍ବାଚନ ସମୟରେ ଛାତ୍ର ଅଶାନ୍ତି ଓ ବିଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା ତାହା ଉପରେ ବିଶେଷ ଭାବେ ଧ୍ୟାନ ଦେଇ ଚଳିତ ବର୍ଷ ପ୍ରସ୍ତୁତି କରିବାକୁ ଆଜିର ବୈଠକରେ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଶାନ୍ତି ଶୃଙ୍ଖଳା ପରିସ୍ଥିତିକୁ ସୁନିଶ୍ଚିତ କରିବା ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନର ଶୈକ୍ଷିକ ବାତାବରଣ ବଜାୟ ରଖିବା ହେଉଛି ଆମର ପ୍ରାଥମିକତା । ଏହାକୁ ଧ୍ୟାନରେ ରଖି ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ସହଯୋଗରେ, ଛାତ୍ର ସଂସଦ ନିର୍ବାଚନକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ବୈଠକରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର, ଯୁଗ୍ମ ଶାସନ ସଚିବ  ମୌସୁମୀ ନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Posted in ରାଜ୍ୟ.