ନିଜ ଜୀବନର ଏକ ଅତ୍ୟନ୍ତ ଦୁଃଖଦ ଓ ବ୍ୟକ୍ତିଗତ ଘଟଣାକୁ ପ୍ରଥମଥର ପାଇଁ ସାର୍ବଜନୀନ କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ

ନିଜ ଜୀବନର ଏକ ଅତ୍ୟନ୍ତ ଦୁଃଖଦ ଓ ବ୍ୟକ୍ତିଗତ ଘଟଣାକୁ ପ୍ରଥମଥର ପାଇଁ ସାର୍ବଜନୀନ କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ

ପ୍ରଥମ ସନ୍ତାନ ପାଇବାର ଖୁସି କେବଳ ଜଣେ ମାଆ ବୁଝିପାରିବେ । କିନ୍ତୁ ଜନ୍ମ ପରେ ତୁରନ୍ତ ସନ୍ତାନକୁ ହରାଇବାର ଯନ୍ତ୍ରଣା କେହି ବୁଝିପାରିବେ ନାହିଁ । ସୋନିଆ ଗାନ୍ଧୀ ତାଙ୍କର ପୁସ୍ତକ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍’ରେ ପ୍ରଥମ ଥର ପାଇଁ ଏହି ଯନ୍ତ୍ରଣାକୁ ସେୟାର କରିଛନ୍ତି । ନିଜ ଜୀବନର ଏକ ଅତ୍ୟନ୍ତ ଦୁଃଖଦ ଓ ବ୍ୟକ୍ତିଗତ ଘଟଣାକୁ ପ୍ରଥମଥର ପାଇଁ ସାର୍ବଜନୀନ କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ନିଜର ପୁସ୍ତକରେ ସେ ତାଙ୍କର ପ୍ରଥମ ସନ୍ତାନକୁ ହରାଇବାର ଦୁଃଖଦ ଅନୁଭୂତି ବଖାଣିଛନ୍ତି ।

ସୋନିଆଙ୍କ ଅନୁସାରେ, ୧୯୬୯ ମସିହା ଜାନୁଆରୀରେ ତାଙ୍କର ପ୍ରଥମ ସନ୍ତାନ ଦୁଇ ମାସ ପୂର୍ବରୁ ଜନ୍ମ ହୋଇଥିଲା ଏବଂ ମାତ୍ର ଗୋଟିଏ ଦିନ ପରେ ମୃତ୍ୟୁବରଣ କରିଥିଲା । ତାଙ୍କ ସ୍ୱାମୀ ରାଜୀବ ଗାନ୍ଧୀ ଏବଂ ଦିଅର ସଞ୍ଜୟ ଗାନ୍ଧୀ ଦିଲ୍ଲୀର ମେହରୌଲିରେ ତାଙ୍କ ଶ୍ୱଶୁର ଫିରୋଜ ଗାନ୍ଧୀଙ୍କ ଫାର୍ମହାଉସରେ ନବଜାତ ଶିଶୁକୁ କବର ଦେଇଥିଲେ ।

ସୋନିଆ ଗାନ୍ଧୀଙ୍କ ଅନୁଯାୟୀ, ୧୯୬୮ ମସିହା ସେପ୍ଟେମ୍ବରର ଗୋଟିଏ ସକାଳରେ ସେ ଗର୍ଭବତୀ ଥିବା ଖବର ଗାନ୍ଧୀ ପରିବାରରେ ଖୁସିର ଲହରୀ ଖେଳାଇ ଦେଇଥିଲା । ସାଧାରଣତଃ ଗମ୍ଭୀର ରହୁଥିବା ଇନ୍ଦିରା ଗାନ୍ଧୀ ଏହି ଖବର ଶୁଣି ଖୁସିରେ ସୋନିଆଙ୍କୁ ଆଲିଙ୍ଗନ କରିବା ସହ ଚୁମ୍ବନ ଦେଇଥିଲେ । ଏପରିକି ମଜାଳିଆ ଢଙ୍ଗରେ କହିଥିଲେ, ‘ଗୋଟିଏ ବଡ଼ ଛୁଆ ଆଉ ଗୋଟିଏ ଛୁଆକୁ ଜନ୍ମ ଦେବାକୁ ଯାଉଛି !’

ହେଲେ ପରିବାରର ଏହି ଖୁସି ବେଶୀ ଦିନ ରହିନଥିଲା । ୧୯୬୯ ଜାନୁଆରୀ ୧୮ ତାରିଖରେ ସୋନିଆ ଗାନ୍ଧୀ ନିର୍ଦ୍ଧାରିତ ସମୟର ପ୍ରାୟ ଦୁଇ ମାସ ପୂର୍ବରୁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ସାଧାରଣ ପ୍ରସବ ମାଧ୍ୟମରେ ଶିଶୁଟି ଜନ୍ମ ହୋଇଥିଲା । ତାକୁ ଇନକ୍ୟୁବେଟରରେ ରଖାଯିବା ସମୟରେ ସୋନିଆ ତା’ର ପ୍ରଥମ କାନ୍ଦ ଶୁଣିଥିଲେ ।

ପରେ ରାଜୀବ ଗାନ୍ଧୀ ତାଙ୍କୁ ଶିଶୁଟିକୁ ଦେଖାଇବାକୁ ନେଇଥିଲେ । ଶିଶୁଟିର ଘନ କଳା କେଶ ଓ ଲମ୍ବା, ପତଳା ଆଙ୍ଗୁଠି ଥିଲା । ଉଭୟ ରାଜୀବ ଓ ସୋନିଆ ପ୍ରଥମ ଦେଖାରେ ହିଁ ଶିଶୁଟିକୁ ଭଲ ପାଇ ବସିଥିଲେ । କିନ୍ତୁ ଏହି ଖୁସି ବେଶୀ ସମୟ ରହିଲା ନାହିଁ । ଡାକ୍ତରମାନେ ଶିଶୁଟିର ବଞ୍ଚିବା ନେଇ ପୂର୍ବରୁ ଆଶଙ୍କା ପ୍ରକାଶ କରିଥିଲେ । ଶେଷରେ ସକାଳ ପ୍ରାୟ ୬ଟା ୩୦ ମିନିଟରେ ଶିଶୁଟିର ମୃତ୍ୟୁ ହୋଇଥିବା ଖବର ରାଜୀବ ଗାନ୍ଧୀ ସୋନିଆଙ୍କୁ ଜଣାଇଥିଲେ । ଉଭୟ ସ୍ୱାମୀ-ସ୍ତ୍ରୀ ଗଭୀର ମାନସିକ ଆଘାତ ପାଇଥିଲେ । ସୋନିଆ ଭାଙ୍ଗିପଡ଼ି ଥିଲେ, ରାଜୀବ ଗାନ୍ଧୀ ମଧ୍ୟ ନିଜ ଲୁହକୁ ରୋକିପାରି ନଥିଲେ । ସେହି ସମୟରେ ଇନ୍ଦିରା ଗାନ୍ଧୀ ସହର ବାହାରେ ଥିଲେ । ଶୁଶିର ମୃତ୍ୟୁ ଖବର ପାଇବା ମାତ୍ରେ ସେ ନିଜ ଗସ୍ତ ଅଧାରୁ ହସ୍ପିଟାଲରେ ପହଞ୍ଚିଥିଲେ । ସୋନିଆ ଓ ରାଜୀବଙ୍କୁ ଆଲିଙ୍ଗନ କରି ଦୀର୍ଘ ସମୟ ଧରି ସେମାନଙ୍କ ପାଖରେ ବସିଥିଲେ । ତାଙ୍କ ଆଖି ମଧ୍ୟ ଲାଲ୍ ହୋଇଯାଇଥିଲା ଏବଂ ଫୁଲିଯାଇଥିଲା ।

ସୋନିଆ ଲେଖିଛନ୍ତି, ଶିଶୁଟିର ମୃତ୍ୟୁ ପରେ ପରିବାର ସମ୍ମୁଖରେ ଆଉ ଏକ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଶିଶୁଟିର ଶେଷକୃତ୍ୟ କିପରି କରାଯିବ ? ସୋନିଆଙ୍କ ଲେଖା ଅନୁଯାୟୀ, ହିନ୍ଦୁ ପରମ୍ପରାରେ ନବଜାତ ଶିଶୁର ଦାହ ସଂସ୍କାର କରାଯାଏ ନାହିଁ, ତାକୁ ନଦୀରେ ପ୍ରଭାହିତ କରିବାର ପରମ୍ପରା ରହିଛି । ଅନ୍ୟପଟେ ଖ୍ରୀଷ୍ଟିଆନ୍ ଓ ପାର୍ସୀ ସମାଧିସ୍ଥଳରେ ମଧ୍ୟ ଶିଶୁଟିକୁ ସମାଧି ଦେବା ସହଜ ନଥିଲା । ନଦୀରେ ଶିଶୁକୁ ଭସାଇ ଦେବା କଥା ସୋନିଆଙ୍କୁ ଅସହ୍ୟ ଲାଗିଥିଲା । ଓଖଲା ବ୍ୟାରେଜ୍ ନିକଟରେ ଏକ ମୃତଦେହର ଦୃଶ୍ୟ ତାଙ୍କର ମନେ ପଡ଼ିଗଲା । ଏକ ଅଳିଆ ଗଦା ପାଖରେ ଅଟକି ଯାଇଥିଲା ମୃତଦେହଟିକୁ କିଛି ବୁଲା କୁକୁର ଟାଣିବାକୁ ଉଦ୍ୟମ କରୁଥିଲେ । ସେହି ଦୃଶ୍ୟ ତାଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା । ତେଣୁ ସେ ସ୍ପଷ୍ଟ ଭାବେ କହିଥିଲେ ଯେ, ଯାହା ହେଉନା କାହିଁକି, ସେ ନିଜ ଶିଶୁକୁ ନଦୀରେ ଭସାଇବାକୁ ଦେବେ ନାହିଁ।

ଶେଷରେ ରାଜୀବ ଗାନ୍ଧୀ ଓ ସଞ୍ଜୟ ଗାନ୍ଧୀ ମିଶି ଶିଶୁଟିକୁ ଦିଲ୍ଲୀର ମେହରୌଲିସ୍ଥିତ ଫିରୋଜ ଗାନ୍ଧୀଙ୍କ ଫାର୍ମହାଉସରେ ସମାଧି ଦେବାକୁ ନିଷ୍ପତ୍ତି ନେଇଥିଲେ । ସୋନିଆ ଲେଖିଛନ୍ତି, ସେମାନେ ଯେବେ ବି ଫାର୍ମହାଉସକୁ ଯାଉଥିଲେ, ସେହି ସ୍ଥାନରେ ଗୋଟିଏ ଫୁଲ ରଖି ଆସୁଥିଲେ । ଏହା ସେମାନଙ୍କ ଦୁଃଖକୁ କମ କରି ନଥିଲା, କିନ୍ତୁ ଧୀରେ ଧୀରେ ସେମାନଙ୍କୁ ଏହି ବାସ୍ତବତାକୁ ଗ୍ରହଣ କରିବାକୁ ପଡ଼ିଥିଲା । ପ୍ରଥମ ସନ୍ତାନକୁ ହରାଇବା ପରେ ସୋନିଆ ଗାନ୍ଧୀ ଦୀର୍ଘ ସମୟ ଧରି ମାନସିକ ଅବସାଦରେ ରହିଥିଲେ । ନିଜକୁ ଅଯୋଗ୍ୟ ମନେ କରିବା ଏବଂ ଅପରାଧବୋଧ ଭଳି ଅନୁଭୂତିରେ ରହିଥିଲେ ।

Posted in ଦେଶ ବିଦେଶ.