ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହେଲେ ଆଉ ୫ ଲକ୍ଷରୁ ଅଧିକ ହିତାଧିକାରୀ

ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହେଲେ ଆଉ ୫ ଲକ୍ଷରୁ ଅଧିକ ହିତାଧିକାରୀ

ଭତ୍ତା ପାଇଁ ଆଉ ବର୍ଷ ବର୍ଷ ଅପେକ୍ଷା ନାହିଁ, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା  । ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହେଲେ ଆଉ ୫ ଲକ୍ଷରୁ ଅଧିକ ହିତାଧିକାରୀ ।  ଆବେଦନ ମଞ୍ଜୁରିର ପରବର୍ତ୍ତୀ ମାସରୁ ମିଳିବ ଭତ୍ତା, upmp ପୋର୍ଟାଲ୍ ରେ ସରଳ ହେବ ସମ୍ପୂର୍ଣ୍ଣ ପ୍ରକ୍ରିୟା। ସାମାଜିକ ସୁରକ୍ଷା ଭତ୍ତାକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ।  ଏଣିକି ଭତ୍ତା ପାଇଁ ଆଉ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ ।

ଆବେଦନ ମଞ୍ଜୁର ହେବାର ପରବର୍ତ୍ତୀ ମାସରୁ ହିଁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପେନସନ୍। ଏଥିସହ ମଧୁବାବୁ ପେନସନ୍ ଯୋଜନାରେ ଆଉ ୫ ଲକ୍ଷ ୫ ହଜାର ୮୧୭ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ବାଲେଶ୍ୱର ରିଜର୍ଭ ପୋଲିସ ଲାଇନ୍ ପଡ଼ିଆରେ ଆୟୋଜିତ ସାମାଜିକ ସୁରକ୍ଷା ଭତ୍ତା ସମ୍ପୂର୍ଣ୍ଣତା କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ୍ ବା upmpର ଉନ୍ମୋଚନ କରିଛନ୍ତି। ଏହି ନୂଆ ଡିଜିଟାଲ୍ ବ୍ୟବସ୍ଥା ମାଧ୍ୟମରେ ସାମାଜିକ ସୁରକ୍ଷା ଭତ୍ତା ପାଇଁ ଆବେଦନଠାରୁ ଆରମ୍ଭ କରି ଯାଞ୍ଚ, ମଞ୍ଜୁରି ଓ ହିତାଧିକାରୀଙ୍କ ପେନସନ୍ ପରିଚାଳନା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ସରଳ ଓ ସୁବ୍ୟବସ୍ଥିତ କରାଯିବ ।  ଏଣିକି ଯୋଗ୍ୟ ବ୍ୟକ୍ତିମାନେ ଘରେ ବସି ଅନଲାଇନ୍ ରେ ଭତ୍ତା ପାଇଁ ଆବେଦନ କରିପାରିବେ।

ଏଥିସହ ବିଡିଓ କାର୍ଯ୍ୟାଳୟ ମାଧ୍ୟମରେ ମଧ୍ୟ ଆବେଦନ କରିବାର ସୁବିଧା ରହିବ। ଆବେଦନ ମଞ୍ଜୁର ହେବା ପରେ ଆଉ ଦୀର୍ଘଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ପରବର୍ତ୍ତୀ ମାସରୁ ହିଁ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯିବ ।  ନୂଆ ବ୍ୟବସ୍ଥାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ୮୦ ବର୍ଷ ବୟସ ପୂରଣ କରୁଥିବା ହିତାଧିକାରୀଙ୍କ ପାଇଁ ସ୍ୱୟଂଚାଳିତ ଭତ୍ତା ବୃଦ୍ଧି।

ଜଣେ ହିତାଧିକାରୀଙ୍କ ବୟସ ୮୦ ବର୍ଷ ହେଲେ ବର୍ଦ୍ଧିତ ଭତ୍ତା ପାଇବା ପାଇଁ ତାଙ୍କୁ ଆଉ ନୂଆ ଆବେଦନ କରିବାକୁ ପଡ଼ିବ ନାହିଁ। ନିର୍ଦ୍ଧାରିତ ନିୟମ ଅନୁସାରେ ପୋର୍ଟାଲ୍ ମାଧ୍ୟମରେ ସ୍ୱୟଂଚାଳିତ ଭାବେ ବର୍ଦ୍ଧିତ ଭତ୍ତା ଲାଗୁ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ନୂଆ ହିତାଧିକାରୀଙ୍କୁ ଅକ୍ଟୋବର ୨୦୨୬ରୁ ଭତ୍ତା ପ୍ରଦାନ କରାଯିବ। ନୂଆ ହିତାଧିକାରୀ ସାମିଲ ହେବା ପରେ ରାଜ୍ୟରେ ମୋଟ ପେନସନ୍ ହିତାଧିକାରୀଙ୍କ ସଂଖ୍ୟା ୫୦ ଲକ୍ଷ ୫ ହଜାର ୮୧୭ରେ ପହଞ୍ଚିଥିବା କୁହାଯାଇଛି।

ଚଳିତ ବଜେଟରେ ରାଜ୍ୟର ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କୁ ସାମାଜିକ ସୁରକ୍ଷା ଭତ୍ତା ଯୋଜନାରେ ସାମିଲ କରିବାକୁ ସରକାର ଘୋଷଣା କରିଥିଲେ। ସେହି ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବା ଦିଗରେ ଏହି ପଦକ୍ଷେପ ନିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଶେଷକରି ବୟସ୍କ ବ୍ୟକ୍ତି, ବିଧବା, ଦିବ୍ୟାଙ୍ଗ ଏବଂ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପାଇବା ପାଇଁ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ନପଡ଼ିବା ନୂଆ ପୋର୍ଟାଲ୍ ର ଅନ୍ୟତମ ଉଦ୍ଦେଶ୍ୟ। ପେନସନ୍ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା, ଆବେଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଠିକ୍ ସମୟରେ ଭତ୍ତା ପହଞ୍ଚାଇବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି  ।

Posted in ରାଜ୍ୟ.