ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ, ମୋଦୀଙ୍କ ସହ କରିବେ ଆଲୋଚନା

ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ, ମୋଦୀଙ୍କ ସହ କରିବେ ଆଲୋଚନା

ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକ୍ରମେ ସେ ନଭେମ୍ବର ୨୨ ଓ ୨୩ ତାରିଖରେ ଭାରତ ଆସିବେ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଆନୁଷ୍ଠାନିକ ସୂଚନା ଦିଆଯାଇଛି। ମାର୍ଚ୍ଚ ମାସରେ ନେପାଳର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବାଲେନ୍ଦ୍ର ଶାହଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ।

ଏହି ଗସ୍ତ ଅବସରରେ ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବାଲେନ୍ଦ୍ର ଶାହଙ୍କର ବ୍ୟାପକ ଆଲୋଚନା ହେବ। ଏଥିରେ ଭାରତ ଓ ନେପାଳ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରାଯିବା ସହ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ବିନିମୟ ହେବ।ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ, ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ଆଦାନପ୍ରଦାନର ପରମ୍ପରାକୁ ଆହୁରି ଆଗକୁ ବଢ଼ାଇବ। ଏହା ସହ ଭାରତର ‘ପଡ଼ୋଶୀ ପ୍ରଥମ’ ନୀତିରେ ନେପାଳକୁ ଦିଆଯାଉଥିବା ଗୁରୁତ୍ୱ ମଧ୍ୟ ପ୍ରତିଫଳିତ ହେବ। ଏହି ଗସ୍ତ ଦ୍ୱାରା ଦୁଇ ଦେଶର ସହଭାଗିତା ଆହୁରି ସୁଦୃଢ଼ ହେବା ସହ ପାରସ୍ପରିକ ଲାଭଦାୟକ ସହଯୋଗର ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।ଭାରତ ଓ ନେପାଳ ମଧ୍ୟରେ ଦୀର୍ଘଦିନର ଐତିହାସିକ, ସାଂସ୍କୃତିକ ଓ ସଭ୍ୟତାଗତ ସମ୍ପର୍କ ରହିଛି। ଦୁଇ ଦେଶର ଲୋକଙ୍କ ମଧ୍ୟରେ ମଧ୍ୟ ରହିଛି ଦୃଢ଼ ଆତ୍ମୀୟତା। ଏହି ସମ୍ପର୍କକୁ ‘ରୋଟି-ବେଟି’ ସମ୍ପର୍କ ଭାବେ ଅଭିହିତ କରାଯାଏ। ବାଣିଜ୍ୟ, ବିକାଶମୂଳକ ସହଯୋଗ, ଶକ୍ତି, ଜଳସମ୍ପଦ, ଭୌତିକ ଓ ଡିଜିଟାଲ୍ ଯୋଗାଯୋଗ ଭଳି ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶର ସହଯୋଗ କ୍ରମାଗତ ଭାବେ ବୃଦ୍ଧି ପାଉଛି। ବାଲେନ୍ଦ୍ର ଶାହଙ୍କ ଏହି ଗସ୍ତ ଦୁଇ ଦେଶର ସମ୍ପର୍କକୁ ନୂଆ ଦିଗ ଦେବା ସହ ଭବିଷ୍ୟତର ସହଯୋଗକୁ ଅଧିକ ମଜବୁତ କରିବାରେ ସହାୟକ ହୋଇପାରେ।

Posted in ଦେଶ ବିଦେଶ.