ଗଞ୍ଜାମ ବାତ୍ୟା ପୀଡ଼ିତଙ୍କୁ ସରକାରଙ୍କ ଆଶ୍ୱାସନ, ରାସନ କାର୍ଡ ନଥିଲେ ବି ମିଳିବ ସହାୟତା

ଗଞ୍ଜାମ ବାତ୍ୟା ପୀଡ଼ିତଙ୍କୁ ସରକାରଙ୍କ ଆଶ୍ୱାସନ, ରାସନ କାର୍ଡ ନଥିଲେ ବି ମିଳିବ ସହାୟତା

ଗଞ୍ଜାମରେ ବାତ୍ୟା ଏବଂ ବର୍ଷା ଜନିତ କ୍ଷୟକ୍ଷତିରେ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁରୁଷୋତ୍ତମପୁର ବ୍ଲକ ହାଣ୍ଡିଘର ଅଞ୍ଚଳରେ ପହଞ୍ଚି ବାତ୍ୟା ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଚାଷ ଜମିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ଛତ୍ରପୁର ବ୍ଲକ୍ର ବାଉଳଗାଁ ଗସ୍ତ କରିଥିଲେ । ସେଠାରେ ଫସଲର କ୍ଷୟକ୍ଷତି ଆକଳନ ଓ ସ୍ଥିତି ସମୀକ୍ଷା କରିଛନ୍ତି । ଏହାପରେ ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ । ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ।ସମୀକ୍ଷା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏରିଅଲ୍ ସର୍ଭେ କରିବା ସହ ଦୁଇଟି ସ୍ଥାନରେ ଅନୁଧ୍ୟାନ କରିଥିବା କହିଛନ୍ତି । ବାତ୍ୟା ‘ଅର୍ଣ୍ଣବ’ ଏବଂ ‘ଅକଭାନ୍’ ପ୍ରଭାବରେ ଚାଷ ଫସଲ ନଷ୍ଟ ହୋଇଛି l ଜିଲ୍ଲା ପ୍ରଶାସନ ସଫଳ ମୁକାବିଲା କରିଛି । ୪ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ଅର୍ଣ୍ଣବ ବାତ୍ୟା ସମୟରେ ୨ ଲକ୍ଷ ୧୧ ହଜାର ଲୋକ ଓ ‘ଅକଭାନ୍’ ସମୟରେ ଲକ୍ଷେ ୫୪ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ପାହାଡିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା l ମହାପ୍ରଭୁ ଜଗନ୍ନାଥଙ୍କ କୃପା ଯୋଗୁଁ ‘ଅକଭାନ୍’ରୁ ବର୍ତ୍ତି ଯାଇଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ବାତ୍ୟାର ପୂର୍ବ ଏବଂ ପରର ସ୍ଥିତିକୁ ଜିଲ୍ଲାର ଦୁଇ ମନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରିଥିଲେ ।l ଦୁଇ ସାଂସଦ, ବିଧାୟକ ମାନେ ମଧ୍ୟ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଧାନ ଫସଲ ଅଧିକ ନଷ୍ଟ ହୋଇଛି । କ୍ଷୟକ୍ଷତିକୁ ସରକାର ଗମ୍ଭୀର ଭାବେ ନେଇଛନ୍ତି । କ୍ଷୟକ୍ଷତି ଆକଳନ ପରେ କ୍ଷତିପୂରଣ ମିଳିବ l ଚାଉଳ ୮୦ ପ୍ରତିଶତ ଏବଂ ୬୦ ପ୍ରତିଶତ ଲୋକଙ୍କୁ ଟଙ୍କା ପ୍ରଦାନ କରାଯାଇଛି । ୨୫୦୯ ଲୋକଙ୍କୁ ଘରଭଙ୍ଗା ସହାୟତା ଟଙ୍କା ଦିଆଯାଇଛି । ଚଳିତ ମାସ ସୁଦ୍ଧା ସମସ୍ତ ପ୍ରଭାବିତ ଲୋକଙ୍କୁ ସହାୟତା ମିଳିବ l ରିଲିଫ୍ କୋଡ୍କୁ ପରିବର୍ତ୍ତନ କରି କ୍ଷତିପୂରଣ ବୃଦ୍ଧି କରାଯାଇଛି l ସରକାର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି l ବିନା ରାସନ କାର୍ଡ ହିତାଧିକାରୀଙ୍କୁ ବି ମିଳିବ ସାହାଯ୍ୟ ସହଯୋଗ । ପ୍ରଭାବିତ ଦୋକାନୀ, ବ୍ୟବସାୟୀଙ୍କୁ ବି ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ lସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଓ ଆସିକା ସାଂସଦ, ବିଧାୟକଗଣ, ଗଞ୍ଜାମ ଜିଲ୍ଲପାଳ ଭି. କୀର୍ତ୍ତି ଭାସନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ l

Posted in Uncategorized.