ଏ ଦାୟିତ୍ବ କାହାର

ଏ ଦାୟିତ୍ବ କାହାର

ଉତ୍କୃଷ୍ଟ କଳାର ରାଜ୍ୟ ଆମ ଉତ୍କଳର ହଜାର ହଜାର ବର୍ଷର ଗୈାରବମୟ ଇତିହାସ ସହ ଆଜିର ଏହି
କ୍ଷେତ୍ର ସମୂହର ସ୍ଥିତି ଦେଖି ଏକ ତୁଳନାତ୍ମକ ଚିତ୍ର ଦେଖିଲେ ଜଣେ ଖାଂଟି ଭାବପ୍ରବଣ ଓଡ଼ିଆର
ହୃଦାଘାତ ହେବା ସମ୍ଭାବନା ଅଧିକ ରହିଛି । ଓଡ଼ିଶାର ଲୋକନୃତ୍ୟ, ଓଡ଼ିଶାର କଳା ଓ ସଂସ୍କୃତିର
ପରିଚାୟକ କେବଳ ନୁହେଁ ଅଧିକନ୍ତୁ ଓଡ଼ିଆ ଜନଜୀବନର ଆତ୍ମା । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା
ସହିତ ଶହଶହ ପ୍ରକାରର ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ
ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ଉପଜିବ୍ୟ କରି ଏସବୁ ଲୋକନୃତ୍ୟର
ସୃଷ୍ଟି ହୋଇଥିଲା ।

ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ
ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣୀ ସହ ବିଭିନ୍ନ ଲୋକନୃତ୍ୟର
ପ୍ରଚଳନ ରହିଥିଲା । ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶ ତଳେ ପରିବେଷଣ କରାଯାଉଥିଲା ।
ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁ ଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର
ହେଉଥିଲା । ଏହା ସହିତ ପାରମ୍ପରିକ ବାଦ୍ୟର ବ୍ୟବହାର ମଧ୍ୟ କରାଯାଉଥିଲା । ବିଗତ ୫୦ ବର୍ଷ
ତଳେ ଆମେ ବହୁ ମେଳା, ମେଳଣରେ ଦେଖିବାକୁ ପାଇଥିବା ଓ ଉପଭୋଗ କରିଥିବା, ଶୁଣିଥିବା
ଲୋକନୃତ୍ୟ, ଲୋକ କଳା ପ୍ରଭୃତି ଏବେ ଆଉ ଦେଖିବାକୁ ମିଳୁନାହିଁ । ନାଗାନାଚ,ସଖି କଣ୍ଢେଇ
ନାଚ, ଛଉ ନୃତ୍ୟ ତାହା ପୁଣି ମୟୂରଭଞ୍ଜ ଛଉ ନୃତ୍ୟ, ଷଢ଼େଇକଳା ଓ ପୁରୁଲିଆ ଛଉ ନୃତ୍ୟ,କରମାନାଚ,
ଦଣ୍ଡ ନାଚ,ଚଇତି ଘୋଡ଼ା ନାଚ, ଘୁମୁରା ନାଚ, ଚଢ଼େଇ ନାଚ,ଶବର – ଶବରୁଣୀ ନାଚ,କେଳାକେଳୁଣି ନାଚ, ଡାଲଖାଇ ନାଚ , ଗୋଟି ପୁଅ ନାଚ, ଏପରିକି ଆଦିବାସୀ ଅଧ୍ୟୁଷିତ ଆମ ରାଜ୍ୟର
ଆଦିବାସୀ ନୃତ୍ୟ ଯଥା ଦେଶିଆ ନାଚ,ଗଦବା ନାଚ,କନ୍ଧ ନାଚ,କୋୟା ନାଚ,ଓଁରା ନାଚ,ସଉରା
ନାଚ,ପରଜା ନାଚ,କାଠି କଣ୍ଢେଇ ନାଚ ଠାରୁ କେନ୍ଦେରା ଗୀତ,ଖଞ୍ଜଣି ଭଜନ,ଚୁଟ୍କୁଚୁଟା,ପାଟୁଆ
ନାଚ ଠାରୁ ଅନେକ ଲୀଳା ଯଥା – ଭାରତ ଲୀଳା ବା ଦୁଆରୀ ଲୀଳା ବା ସୁଭଦ୍ରା ହରଣ ନାଟ
ରାମଲୀଳା,କୃଷ୍ଣଲୀଳା,ରାସଲୀଳା,ରାଧା ପ୍ରେମ ଲୀଳା, ରାଧା ମାନ ଲୀଳା ସମେତ ଅନେକ ଲୀଳା
ଯଥା ଭାରତ ଲୀଳା ବା ଦୁଆରୀ ଲୀଳା ବା ସୁଭଦ୍ରା ହରଣ ନାଟ ସ଼ହିତ ଅନେକ ସୁଆଙ୍ଗ ଯଥା ଲକ୍ଷ୍ମୀ
ପୁରାଣ ସୁଆଙ୍ଗ,ବିଲଙ୍କା ରାମାୟଣ ସୁଆଙ୍ଗ,ଗଣ୍ଡାବଧ ସୁଆଙ୍ଗ,ଚନ୍ଦ୍ରାବତୀ ସୁଆଙ୍ଗ ,ଉଷାବତୀ ହରଣ
ସୁଆଙ୍ଗ,ଦକ୍ଷ ଯଜ୍ଞ ସୁଆଙ୍ଗ ଭଳି ଅନେକ ସୁଆଙ୍ଗ,ଚକୁଳିଆ ପଣ୍ଡା, ଦାସକାଠିଆ, ରସରକେଲି, ପ୍ରହଲ୍ଲାଦ
ନାଟକ ଠାରୁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ
କରିଥିବା ପାଲାର ସ୍ଥିତି ବିପନ୍ନ । ନାଗାନାଚର କେବେ ଅୟମାରମ୍ଭ ହୋଇଥିଲା ଏଯାବତ୍ ଗବେଷଣା
ହୋଇନାହିଁ, ପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶର ବିଶେଷତ୍ୱ ଓ ଭିତ୍ତିଭୂମି ପ୍ରସଙ୍ଗ ମଧ୍ୟ ଗବେଷଣା
ସାପେକ୍ଷ ସତ୍ୟ ମାତ୍ର, ଏହା ହଜାର ହଜାର ବର୍ଷ ଧରି ଓଡ଼ିଆମାନଙ୍କ ସାମରିକ କଳା ପରମ୍ପରା ତଥା
ପାଇକ ପରମ୍ପରା ବିଜଡ଼ିତ । ନାଗା ନାଚରେ କେବଳ ବିଭିନ୍ନ ବାଦ୍ୟ ଓ ପ୍ରଚ୍ଛଦ ଯନ୍ତ୍ର ସଙ୍ଗୀତ ଥାଏ ।
ଏହାର ସଙ୍ଗୀତରେ ବ୍ୟବହୃତ ବାଦ୍ୟ ଯନ୍ତ୍ର ସବୁ ହେଲା ମାଦଳ, ଧୁମସା ଓ ପଖଉଜ । ଅଧୁନା କର୍ପୁର
ଉଠିଯାଇ କନା ପଡ଼ିବା ଭଳି ସାମୟିକ ବିଭିନ୍ନ ପର୍ବ ପାଳନ ବେଳେ ପୁରୀରେ ଦେଖିବାକୁ ମିଳିଥାଏ ।
ସାଧାରଣତଃ ଯୁବବର୍ଗର ନର୍ତ୍ତକମାନେ ଏଥିରେ ବିଭିନ୍ନ ଭାରୀ ଓ ଚିତ୍ରିତ ପୋଷାକ ପିନ୍ଧି ନାଚିଥାନ୍ତି ।
ନର୍ତ୍ତକମାନେ ମଥାରେ ବିଶାଳ ଅଳଙ୍କାର ଖଚିତ ମୁକୁଟ ପିନ୍ଧିଥାନ୍ତି । ସେମାନଙ୍କ ପୋଷାକରେ ବାଉଁଶତିଆରି ଡେଣା ଲାଗିଥାଏ । ସେମାନେ ନାଚିଲା ବେଳେ ଡେଣାଯୋଡ଼ିକ ଦୁଇପଟକୁ ଦୋହଲି ପଡ଼େ
ବାଜାବାଦକମାନଙ୍କ ବାଜା ତାଳରେ ତାଳଦେଇ ନର୍ତ୍ତକମାନେ ଆଗକୁ ବଢ଼ିଥାନ୍ତି । ରାଜ୍ୟ ଓ ରାଜ୍ୟ
ବାହାରେ ବିଭିନ୍ନ ସରକାରୀ ଓ ବେସରକାରୀ ଉତ୍ସବ ପାଳନ ବେଳେ ଓଡ଼ିଶାର ଅନ୍ୟାନ୍ୟ ନାଚ ସହିତ
ନାଗା ନାଚ ମଧ୍ୟ ଦେଖିବାକୁ ମିଳିଥାଏ । ନାଗା ନାଟରେ ବିଭିନ୍ନ ବୀର ବାଦ୍ୟ ବାଦନ ସହିତ ବୀର
ବେଶରେ ସଜ୍ଜିତ ନର୍ତ୍ତକଗଣ ନୃତ୍ୟରେ ବିଭିନ୍ନ ସମର-ସମ୍ବନ୍ଧିତ ବିଷୟବସ୍ତୁ ଦେଖାଇଥାନ୍ତି । ଚାରିରୁ
ଆଠ ଜଣ ଲୋକଙ୍କୁ ନେଇ ଗଠିତ ଏକ ଦଳ ଏହି ନାଚ ପରିବେଷଣ କରିଥାନ୍ତି । ନାଗା ନାଚର
ନାମକରଣ ଯାଯାବର ନାଗା ଜାତିରୁ ହୋଇଥିବା ଜଣାଯାଏ । କଳିଙ୍ଗ ଭୁଖଣ୍ଡ ଦକ୍ଷିଣ ପୂର୍ବ ଏସିଆ ଛଡ଼ା
ଆଧୁନିକ ଭାରତର ଉତ୍ତରରୁ ପୂର୍ବଦେଇ ଦକ୍ଷିଣ ଯାଏ ବ୍ୟାପିଥିବା ବେଳେ ଏଠାରେ ବାସ କରୁଥିବା
ନାଗା ଜନଜାତିଙ୍କ ଏହି ନାଚ ଓଡ଼ିଆ ସଂସ୍କୃତି ସହିତ ବିଜଡ଼ିତ ହୋଇ ବୀରତ୍ୱର ପରିଚୟ ହୋଇଥିଲା
ଏବଂ ପରବର୍ତ୍ତୀ ସମୟରେ ମାନବୀୟ ଲୀଳା କରିଆସୁଥିବା ଜଗନ୍ନାଥ ଶ୍ରୀମନ୍ଦିର ସଂସ୍କୃତିରେ ସଂଯୁକ୍ତ
ହୋଇରହିଛି । ଏବେ ନିକଟରେ \”ନାଗାର୍ଜୁନ ବେଶ’ ହୋଇଥିଲା । ନାଗାର୍ଜୁନ ବେଶ ବା ପର୍ଶୁରାମ
ବେଶ ଶ୍ରୀଜଗନ୍ନାଥ ସେବା ସଂସ୍କୃତିରେ ଅନେକ ଅନାଲୋଚିତ ଗୁରୁତ୍ୱପୂର୍ଣ୍ଣ ଦର୍ଶନ ଆଧାରିତ, ବିଶେଷ
କରି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର କରାଯାଇଆସୁଥିବା ଅନେକ ବେଶଗୁଡ଼ିକ ମଧ୍ୟରେ ଏକ ଅନନ୍ୟ
ଅତୁଳନୀୟ ବେଶ, ଯାହା ପୂର୍ବଜ ଓଡ଼ିଆମାନଙ୍କ ମହନୀୟ ସ୍ୱାଭିମାନୀ ଜୀବନଚର୍ଯ୍ୟାର ଏକ ପ୍ରତିଫଳିତ
ଦର୍ପିତ ବେଶ । ଯେଉଁ ବର୍ଷ କାର୍ତ୍ତିକ ମାସରେ ପଂଚକ ଛଅ ଦିନ ପଡ଼େ ସେହି ବର୍ଷ ମଳ ତିଥିରେ
ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ନାଗାର୍ଜୁନ ବେଶ ହୁଏ । ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ଯେ ଏହା
ଯେଉଁ ବର୍ଷ ପଡ଼ିଥାଏ, ତତ୍ ପରବର୍ତ୍ତୀ ବର୍ଷ ମଧ୍ୟ ପଡ଼ିଥାଏ । ବ୍ୟକ୍ତିଗତ ଭାବେ ଆମ ପାଇଁ ସାଂସାରିକ
ଦୃଷ୍ଟିକୋଣରୁ ଏହା ସର୍ବାଧିକ ସ୍ମରଣୀୟ ଯେ ୧୯୯୩, ନଭେମ୍ବର ୨୬ ତାରିଖରେ ଆମ ଜେଜେ ମା
୯୭ ବର୍ଷରେ ଇହଲୀଳା ସମ୍ବରଣ କରିଥିଲେ । ପୂର୍ବର ଇତିହାସ ଗର୍ଭାନୁଶୀଳ କଲେ ଜଣାଯାଏ ଯେ
ଅତୀତରେ ଏହି ବେଶ ୧୯୯୪ ମସିହା ନଭେମ୍ବର ୧୬ ତାରିଖରେ ଓ ତା ପୂର୍ବରୁ ୧୯୯୩ ନଭେମ୍ବର
୨୬, ୧୯୬୮ ନଭେମ୍ବର ୩, ୧୯୬୭ ନଭେମ୍ବର ୧୬ ଓ ୧୯୬୬ ନଭେମ୍ବର ୨୬ରେ ପାଳିତ
ହୋଇଥିଲା । ପରବର୍ତ୍ତୀ ନାଗାର୍ଜୁନ ବେଶ ୨୭ ନଭେମ୍ବର ୨୦୨୦, ଶୁକ୍ରବାର କାର୍ତ୍ତିକ ଶୁକ୍ଳ ମଳ
ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ବର୍ଷ ମଧ୍ୟ ନାଗାର୍ଜୁନ ବେଶ ହେବାକୁ ଯାଉଛି ।
ଅତଏବ ଆଲୋଚନା କରିବା ଏହି ବେଶର ବିଶେଷତ୍ୱ କ\’ଣ ? ଯେହେତୁ ବିଗତ ଦେଢ ମାସ ମଧ୍ୟରେ
ଏ ସମ୍ପର୍କରେ କୈାଣସି ଗଣମାଧ୍ୟମରେ ସବିଶେଷ ଭାବରେ ଆଲୋଚନା ହୋଇନାହିଁ, ତେଣୁ ଏହାର
ଗର୍ଭାନୁଶୀଳନ କରିବାକୁ ଚେଷ୍ଟା କରି ଯେଉଁ ସବୁ ତଥ୍ୟାଧାରରେ ଏହା ଉପସ୍ଥାପନ କରିବାକୁ ଯାଉଛୁ,
ତା\’ର ସମୀକ୍ଷା ଓ ମତାମତ ମଧ୍ୟ ଆହ୍ୱାନ କରୁଛୁ । ପୁରାଣ ମତେ ପର୍ଶୁରାମଙ୍କ ସହସ୍ରାର୍ଜ୍ଜୁନ ବଧ କିମ୍ବା
ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍‌ଯରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ୱରୂପ ଏହି ବେଶ ଅନୁଷ୍ଠିତ ହୁଏ ।
ଏହି ବେଶ ଯୋଦ୍ଧା ଓ ସନ୍‌ଯାସୀର ସମ୍ମିଶ୍ରଣ ବେଶ ଥିଲା । ଅର୍ଜୁନ ନିଜ ପୁତ୍ର ସହସ୍ରାର୍ଜୁନ ଦ୍ୱାରା ପରାସ୍ତ
ହେଇଥିଲେ । ସହସ୍ରାର୍ଜ୍ଜୁନ ଶ୍ରୀକୃଷ୍ଣଙ୍କ ଅନ୍ୟ ଏକ ରୂପେ । ମହାଭାରତ ଅନୁସାରେ ବନବାସ ସମୟରେ
କିରାତ ବେଶଧାରୀ ଶିବ ସହ ଅର୍ଜୁନଙ୍କ ମଧ୍ୟରେ ଯୁଦ୍ଧ ହେଲା । ଅର୍ଜୁନ ପରାସ୍ତ ହେଲେ ମଧ୍ୟ ଶିବ ଅନେକ ଦିବ୍ୟ ଅସ୍ତ୍ର ପ୍ରଦାନ କଲେ । କିରାତାର୍ଜୁନ କହିଲେ ଯେପରି ଶିବଙ୍କୁ ବୁଝାଏ ସେପରି ନାଗାର୍ଜୁନ
ବିଷ୍ଣୁଙ୍କର ଏକ ରୂପ । ଶିବ ଓ ବିଷ୍ଣୁଙ୍କର ସମନ୍ୱୟ ସାଧିତର ପ୍ରତୀକ ହେଲା ନାଗାର୍ଜୁନ ବେଶ । ନାଗା
ସନ୍‌ଯାସୀମାନେ ଉଲଙ୍ଗତା, ଉଦଣ୍ଡତା ତଥା ବୀରତା ପାଇଁ ପ୍ରସିଦ୍ଧ । ଅତୀତରେ ଏମାନେ ମନ୍ଦିରର
ସୁରକ୍ଷା ଦାୟିତ୍ୱରେ ଥିଲେ । ଅତୀତରେ ନାଗା ସନ୍ୟାସୀ ଜଗନ୍ନାଥଙ୍କୁ ନାଗା ବେଶରେ ଦେଖିବା ପାଇଁ
ଇଚ୍ଛା କରିଥିବାରୁ ଶ୍ରୀଜଗନ୍ନାଥ ଇଛା ପୂରଣ କରି ନାଗାର୍ଜୁନ ବେଶରେ ଉଭା ହୋଇଥିବାର କିମ୍ବଦନ୍ତୀ
ରହିଛି । ପଦ୍ମ ପୁରାଣର ଉତ୍ତରଖଣ୍ଡ ବର୍ଣ୍ଣନା ଅନୁସାରେ କାର୍ତ୍ତିକ ମାସ ଭଗବତ ଆରାଧନା, ଉପାସନା
ଆଦି ଦୃଷ୍ଟିରୁ ଶ୍ରେଷ୍ଠ ହୋଇଥିବାରୁ ଏହି ମାସରେ ନାଗାର୍ଜୁନ ବେଶ ହୋଇଥାଏ । ଆମେ ଛୋଟ ପିଲା
ଥିବା ସମୟରେ ଯେଉଁ ହିନ୍ଦୀ+ ଓଡ଼ିଆ+ ଓଡ଼ିଆ ର କଥିତ ଭାଷା ମିଶା ଗୀତର ଅବଧି ବୋଧେ ଆଠ
ଶହ ବର୍ଷ ତଳର ଏବଂ ଏହାକୁ ପଢ଼ିବା ପରେ ସନ୍ଥ ତୁଳସୀ ଦାସ ଏହି ଭାଷାରେ ତାଙ୍କର ଗୁରୁ ଶିଶୁ ଅନନ୍ତ
ଦାସ ଓ ଯାଜପୁର ନରହରି ଦାସଙ୍କ ଠାରୁ ଶିକ୍ଷା ଲାଭ କରି \”ରାମ ଚରିତ ମାନସ’ ଲେଖିଥିଲେ । ସେହି
ନାଗା ନାଚ ଗୀତ ଏଠାରେ ଉପସ୍ଥାପନ କଲେ ପାଠକେ ଏହାର ସତ୍ୟତା ଅନୁଭବ କରିପାରିବେ ।


“ଜାଗୋ ମାଈ କାରିକା ଜଗାଓ ମାୟୀ କାରିକା
ହସ୍ତେ ଶୋହେ ଖଣ୍ଡା ଖପର ଗଳା ମୁଣ୍ଡ ମାଳିକା
କଲିକତା ରେ ଗଙ୍ଗାତୀରେ ନାମ ବୋଲାଓ କାଲୀ
ବଳିଭୋଜା ସବ୍ ରୋଜ୍ ପାଓ ପୂଜା କରେ ବଙ୍ଗାଲୀ
ବାଣପୁରେ ଭଗବତୀ ବିରାଜେ ବାଙ୍କିରେ ଚର୍ଚ୍ଚିକା
ସମ୍ବଳପୁରେ ସମଳାଇ ଆଦିମ ପୁରେ ଭୋକା
ଝଙ୍କଡେ ସାରଳା ନାମ ଯଜ୍ଞପୁରେ ବିରଜାଇ
ପ୍ରାଚୀକିନାରେ କାକଟପୁରରେ ମଙ୍ଗଳା ମହାମାୟୀ
ଜଗନ୍ନାଥଜୀ କୋ ଧାମ ପରେ ବିଖ୍ୟାତ ବିମଲା
ନାମ ଭଜୋ ଜନକ ପୂଜୋ କବ ନାହିଁ କର ହେଲା ।’


ମେଳଣରେ ନାଗା ନାଚ ଆଗରୁ ପାଲା ବାଲା, କେଳାକେଳୁଣୀ, ଶବର ଶବରୁଣୀ, ବାରିକବାରିକିଆଣୀ,
ବିଭାଘରିଆ, ଚକୁଳିଆ ପଣ୍ଡା, ବୁଢ଼ାବୁଢ଼ୀ, ଗଣେଶ, ବୃଷଭ, କଳାଘୋଡା, ସୁଆଙ୍ଗ ନାଚ ଓ ଅନ୍ୟାନ୍ୟ
ନୃତ୍ୟର ଏକ ବାତାବରଣ ସୃଷ୍ଟି ହେଉଥିଲା । ସେହିପରି ଏବେ ଦଣ୍ଡ ନାଚର ସ୍ଥିତି କିପରି ଭାବରେ
ହଜିଯାଇଛି, ତାହା ଆମେ ଦେଖୁଛେ । ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା
ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ । ଗ୍ରାମାଂଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ । ଏହି ନୃତ୍ୟ
ଧର୍ମିୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା
ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକଗୁଡିକ ସୃଷ୍ଟି ହୋଇଥିବା
ବିଷୟକୁ ଅସ୍ୱୀକାର କରାଯାଇ ନପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର,ବୌଦ୍ଧ ନିକାୟ,
ପାଣିନି, କୃଶାଶ୍ୱ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଟକ ସମ୍ପର୍କରେ ସଂକେତ ମିଳିଥାଏ ।
ଲୋକନାଟକ ଗୁଡିକର ବର୍ହିଲକ୍ଷ ଓ ଅନ୍ତର୍ଲକ୍ଷ ହେଉଛି ଶିକ୍ଷା ପ୍ରଦାନ । ଜନଜୀବନର କାହାଣୀକୁ ବା
ଲୋକବୃତ୍ତକୁ ବିଶ୍ୱସ୍ତ ଭାବେ ଉପସ୍ଥାପନ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ । ନାଟକ ହେଉଛି
ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପିର ମାୟାଜାଲ ବିସ୍ତାର କରି
ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ, ଶିବ ଓ ମଙ୍ଗଳର ଜୟଗାନପାଇଁ ଆହ୍ୱାନ ଦେଇଥାନ୍ତି । ଲୋକ
ନାଟକର ସୃଷ୍ଟି ଉତ୍ସ ସମ୍ପର୍କରେ କେତେଗୁଡିଏ ତଥ୍ୟ ଅଛି । ସେଗୁଡିକ ହେଲା :୧-ପ୍ରକୃତି ପ୍ରଭାବ, ୨-
ଧର୍ମ ଟିନ୍ତନ, ୩-କୃଷି ସଭ୍ୟତା, ୪-ସାମରିକ ପରମ୍ପରା, ୫- କାରୁକଳା, ୬-ଆଦିବାସୀ ଓ ଓଡ଼ିଶୀ
ନୃତ୍ୟ । ବୈଦିକ ଯୁଗରେ ଲୋକ ନାଟକର ଉବ୍ଦଭ ହୋଇଥିଲେ ମଧ୍ୟ ଏବେ ଏଗୁଡିକ ଲୋକ ସମାଜରେ
ମୂମୁର୍ଷ ଅବସ୍ଥାରେ କେବଳ ବଂଚିରହିଛନ୍ତି । ଏଗୁଡିକର ପୁନରୁଦ୍ଧାର ପାଇଁ ଏବେ ଅବଶ୍ୟ ସମଗ୍ର ବିଶ୍ୱ
ଚଳଚଂଚଳ ହୋଇପଡ଼ିଛି । ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାର ଲୋକନାଟକ ପ୍ରଚଳିତ । ଚୀନ୍‌, ଆମେରିକା,
ଲୋହିତ ଭାରତୀୟ,ଆଫ୍ରିକାର ଆଦିବାସୀ, ୟୁରୋପର ଅନୁନ୍ନତ ଅଂଚଳ ତଥା ଭାରତର ବିଭିନ୍ନ
ପ୍ରଦେଶରେ ଭଳି ଭଳି ଲୋକନାଟ୍ୟର ପ୍ରଚଳନ ଦେଖିବାକୁ ମିଳେ । ସେହିଭଳି ଓଡ଼ିଶାରେ ମଧ୍ୟ
ବିଭିନ୍ନ ଲୋକନାଟକ ମଧ୍ୟରୁ ଦଣ୍ଡନାଟ ଏକ ପ୍ରଭାବଶାଳୀ ଶାଖା । ସେହିପରି ଆମ ଲୋକକଳା ବା
ଲୋକନୃତ୍ୟ ସଂସ୍କୃତିରେ ସଖୀ କଣ୍ଢେଇ ନାଚ ଓଡ଼ିଶାର ଏକ ପାରମ୍ପରିକ ନାଚ ଥିଲା । ଏହା କେନ୍ଦ୍ରାପଡ଼ା
ଜିଲ୍ଲାରୁ ଆରମ୍ଭ ହୋଇଥିଲା । କ୍ରମଶଃ ଏହି ନାଚ ଆଗ ଭଳି ଗ୍ରାମାଂଚଳ କିମ୍ବା ସହରରେ ଆଉ
ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ ମନ୍ତ୍ରୀପଡ଼ା ସଖୀ କଣ୍ଢେଇ ନାଚ ଦଳ
ଦେଖିବାକୁ ମିଳନ୍ତି । ଏକ ସୁସଜ୍ଜିତ ମଂଚ ଉପରେ କଣ୍ଢେଇ ନାଚ ପ୍ରଦର୍ଶିତ କରାଯାଏ । ସାଧାରଣ
ମଣିଷଙ୍କ ଭଳି କଣ୍ଢେଇମାନଙ୍କୁ ନାନାଦି ବେଶଭୂଷା କରି ତାର ଦ୍ୱାରା ସଂଯୋଗ କରାଯାଇଥାଏ ।
ଗୀତର ତାଳେ ତାଳେ କଣ୍ଢେଇମାନଙ୍କର ନୃତ୍ୟ ଓ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶିତ କରିବା ପାଇଁ, ନାଚ
ଦଳର ଜଣେ ସଦସ୍ୟଦ୍ୱାରା କଣ୍ଢେଇଗୁଡ଼ିକୁ ସଂଯୋଗ କରାଯାଇଥିବା ତାରକୁ ଧରି ପରଦାର ନେପଥ୍ୟରେ
ନିୟନ୍ତ୍ରିତ କରିଥାନ୍ତି । ସଖୀ କଣ୍ଢେଇ ନାଚ ଦଳରେ ଅତି କମ୍‌ରେ ସାତ ଜଣ କଳାକାର ଆବଶ୍ୟକ ।
ତିନି ଜଣ କଣ୍ଢେଇ ନଚାଉଥିବା ବେଳେ ଜଣେ ହାରମୋନିୟମ ବଜାନ୍ତି । ଏହା ଛଡ଼ା ଜଣେ ଢୋଲକି
ଓ ଜଣେ ଗିନି ବଜାନ୍ତି । ବିଭିନ୍ନ ପ୍ରସଙ୍ଗ ଉପରେ ବାଦ୍ୟଯନ୍ତ୍ର ଓ ସଂଗୀତ ସହ ତାଳ ଦେଇ ସଖୀକଣ୍ଢେଇ
ନାଚ ହୁଏ । ନାଚ ମଧ୍ୟରୁ ବଂଶୀଚୋରି, ବାଟଛାଡ଼ ନାଗର, ଦ୍ରୌପଦୀ ବସ୍ତ୍ରହରଣ, ନାବକେଳି,
ରାଧିକା ଓ ଦୂତୀ, ଲଳିତା ଓ ଦୂତୀ, ଶବର ଶବରୁଣୀ ନାଚ ଅଧିକ ହୁଏ । ନାଚର ପ୍ରସଙ୍ଗ ଉପରେ
ଜଣେ ମଧୁର କଣ୍ଠରେ ଗୀତ ବୋଲି ଦର୍ଶକଙ୍କୁ ଆମୋଦିତ କରନ୍ତି । ଏକ ଘଂଟା ମଧ୍ୟରେ ୮ରୁ ୧୦
ପ୍ରକାରର ନାଚ ପ୍ରଦର୍ଶିତ କରାଯାଏ । ପ୍ରଚାର ଓ ପ୍ରସାର ଅଭାବରୁ ତାର ଦ୍ୱାରା ସଖୀ କଣ୍ଢେଇ ନାଚ
ସମ୍ପୂର୍ଣ୍ଣ ଲୋପ ପାଇ ଯାଇଛି । କିନ୍ତୁ ଜିଲ୍ଲାର ସଦର ମହକୁମାଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ
ଥିବା ଡେରାବିଶି ବ୍ଳକ ଅନ୍ତର୍ଗତ କୁରୁଜଙ୍ଗା ପଂଚାୟତର ମନ୍ତ୍ରୀପଡ଼ା ଗ୍ରାମର କେଳା ବସ୍ତିରେ ଏହି ନାଚର
ଅସ୍ତିତ୍ୱ ରହିଛି । ପୂର୍ବରୁ ତାର ସାହାଯ୍ୟରେ ସଖୀ କଣ୍ଢେଇ ନଚା ଯାଉଥିଲା । ସେ ପ୍ରଥା ବନ୍ଦ ହୋଇଯିବାରୁ
ଏବେ କାଠ କଣ୍ଢେଇକୁ ବେଶ ପୋଷାକରେ ସଜାଇ ହାତରେ ନଚାଉଛନ୍ତି । ବିଭିନ୍ନ ସମୟରେ ଘରୋଇ
ସାଂସ୍କୃତିକ ସଙ୍ଗଠନ ଉଦ୍ୟମରେ ଏମାନେ ଭୁବନେଶ୍ୱର, ଦିଲ୍ଲୀ, ମୁମ୍ବାଇ, କଲିକତା ଯାଇଆନ୍ତି ।
ସେହିପରି ଚଇତି ଘୋଡା ନାଚ ଆମ ଓଡ଼ିଶାର ଏକ ପାରମ୍ପରିକ ଲୋକନୃତ୍ୟ ଥିଲା । ଏହା ମୁଖ୍ୟତଃ ଓଡ଼ିଶାର ଉପକୂଳ ଅଂଚଳରେ କେଉଟମାନଙ୍କଦ୍ୱାରା ଆରମ୍ଭ ହୋଇ ସେହି ଅଂଚଳମାନଙ୍କରେ ଚୈତ୍ର ମାସ ପୂର୍ଣ୍ଣିମା ତିଥିରେ
ପରିବେଷିତ ହୋଇଥାଏ । କେଉଟମାନେ ବାଉଁଶ ବତାରେ ଘୋଡ଼ାର ପାଦହୀନ ଦେହ ଓ ବେକ
ଆକାରର ଗୋଟିଏ ଥାଟ ତିଆରି କରି ତା ଉପରେ ଲୁଗା ଆଦି ଘୋଡ଼ାନ୍ତି ଓ ବେକ ଉପରେ
ଘୋଡ଼ାମୁହଁ ପରି ଚିତ୍ରିତ ମୁଖାଟିଏ ଲଗାନ୍ତି ଉକ୍ତ ଚଇତିଘୋଡ଼ାର ପିଠିରେ ଗୋଟିଏ କଣା ଥାଏ
ସେହି କଣାବାଟେ ମନୁଷ୍ୟ ଅଂଟା ପର୍ଯ୍ୟନ୍ତ ପଶି କରି ଭୂମିରେ ଠିଆହୁଏ ଓ ଘୋଡ଼ାରୂପର ଆଗରୁ ଓ
ପଛରୁ ଡ଼ୋରି ଲଟକା ଯାଏ ମନୁଷ୍ୟର ଅଂଟାଠାରୁ ନିମ୍ନ ଅଂଶ ଘୋଡ଼ା ଭିତରେ ଲୁଚି ଥାଏ ଓ ଅଂଟା
ଠାରୁ ଉପର ଅଂଶ ଘୋଡ଼ା ଭିତରେ ବସିବା ପରି ଅନୁମିତ ହୁଏ । ଏ ବ୍ୟକ୍ତି ନାଚିବା ସଙ୍ଗେ ସଙ୍ଗେ
ଘୋଡ଼ା ମଧ୍ୟ ନାଚେ ଘୋଡ଼ାର ମୁହଁଆଡ଼େ ଲଗାମ ପରି କନା ଡ଼ୋରି ବନ୍ଧା ହୋଇଥାଏ ଉକ୍ତ
ଡ଼ୋରିକୁ ନାଚିବାବାଲା ଧରି ଘୋଡ଼ାର ଲଗାମ ଧରିବାର ଅଭିନୟ କରେ କେଉଟମାନେ ଏହି ପର୍ବ
ଉପଲକ୍ଷରେ ଚଢ଼େଇବା ଓ ଚଢ଼ଉଣୀ ବେଶ ହୋଇ ନାଚନ୍ତି ଓ ଗୀତ ବୋଲନ୍ତି । ଘୋଡ଼ାନାଚରେ
ଜଣେ ଲେଖାଏଁ ଗାୟକ, ପାଳିଆ, ଢୋଲକିଆ, ମହୁରିଆ, ରାଉତ, ରାଉତାଣୀ ଥାଆନ୍ତି ।
ଗାୟକ ବିଷୟବସ୍ତୁ ଗାଉଥିବା ବେଳେ ପାଳିଆ ପାଳିଧରେ, ଢୋଲକିଆ ବାଜା ବଜାଏ ଓ ରାଉତ
ସଜ୍ଜିତ କାଠଘୋଡ଼ା ଚଢ଼ି ରାଉତାଣୀ ସହ ନୃତ୍ୟ କରୁଥାଏ । ମା’ ବାସେଳୀଙ୍କ ବନ୍ଦନାରୁ ଆରମ୍ଭ
ହୁଏ ଘୋଡ଼ାନାଚ, ପରେ ରାଧାକୃଷ୍ଣଙ୍କ ଲୀଳା, ଶିବପାର୍ବତୀଙ୍କ କାହାଣୀକୁ ଗୀତ ଓ ନୃତ୍ୟ ମାଧ୍ୟମରେ
ପରିବେଷଣ କରାଯାଏ । ଏଥିପାଇଁ କୌଣସି ନିର୍ଦ୍ଧିଷ୍ଟ ବହି ନଥାଏ । କୈବର୍ତ୍ତ ଗୀତା, କୈବର୍ତ୍ତ
ପୁରାଣ ଓ କୈବର୍ତ୍ତ ସଂହିତାରୁ ବିଷୟବସ୍ତୁ ଉଦ୍ଧାର କରି ଗାୟକ ସେଗୁଡ଼ିକୁ ପାରମ୍ପରିକ ସ୍ୱରରେ
ପଡ଼ିବା ଭଳି ଶବ୍ଦ ସଂଯୋଜନା କରି ସ୍ୱର ଦେଇଥାନ୍ତି ।

ସେହିପରି ଆମର ମୟୂରଭଞ୍ଜ ଛଉ ନୃତ୍ୟ, ଷଢ଼େଇକଳା ଛଉ ନୃତ୍ୟର ଭିତ୍ତି ସମ୍ପର୍କିତ ଗବେଷଣା ତଥ୍ୟାନୁସାରୃ ଛଉ” ଶବ୍ଦ ଓଡ଼ିଆ ଶବ୍ଦ
“ଛାଉଣି”ରୁ ଆସିଅଛି ଯାହାର ଅର୍ଥ ସେନାଛାଉଣି ଓ ଏହା ରାଜାରାଜୁଡ଼ା ସମୟର ସେନାମାନଙ୍କ
ଯୁଦ୍ଧ କଳାରୁ ଜନ୍ମ ନେଇଛି । ଛଉନାଚ ଚୈତ୍ର ମାସର ଶେଷ ଭାଗରେ ଅନୁଷ୍ଠିତ ହୁଏ । କୃଷିଭିତ୍ତିକ
ସଭ୍ୟତାର ଏହା ପ୍ରଥମ ପର୍ବ । ପ୍ରାୟ ସବୁ ଲୋକନୃତ୍ୟ ପରି ଛଉରେ ମଧ୍ୟ ପ୍ରଥମେ ଆରାଧ୍ୟ
ଦେବାଦେବୀଙ୍କୁ ପୂଜା କରାଯାଏ । ପରେ ରଙ୍ଗ ବାଜା ବାଜେ । ମଂଚ ଉପରକୁ ଆସନ୍ତି ନଟ-
ନଟୀ, ନାଟକ ବିଷୟରେ ସୂଚନା ଦିଅନ୍ତି । ହସ୍ତ ପଦ ଚାଳନାର ବିଭିନ୍ନ କୌଶଳ ହିଁ ଏହା ଦ୍ୱାରା
ଶିକ୍ଷା କରାଯାଏ । ଛଉନାଚ ମୁଖ୍ୟତଃ ମୂକାଭିନୟ । ବଚିକ ଅଭିନୟ ନାହିଁ କହିଲେ ଚଳେ ।
କଳାକାର ମାନେ ଗୀତ ଗାଇବା ପରିବର୍ତ୍ତେ ନେପଥ୍ୟରୁ ଅନ୍ୟ କଳାକାର ଗୀତ ଗାଇଥାନ୍ତି ଓ
ତାହାକୁ ଅନୁସରଣ କରି ଅଭିନେତା ଅଭିନୟ କଳା ଚାଲୁରଖିଥାଏ । ବର୍ତମାନ \’ଛଉନାଚ\’ ଶାସ୍ତ୍ରୀୟ
ନୃତ୍ୟର ମର୍ଯ୍ୟାଦା ଲାଭ କରିଛି । ସେହିପରି କରମା ନାଚ ର ସ୍ଥିତି ଅନୁଧ୍ୟାନ କରିବାକୁ ଗଲେ ଆମେ ନିରାଶା ହେବା । ଏହା କରମ ଦେବତୀ (କରମଶୁଣି)ଙ୍କ ପୂଜା ପାଇଁ କରା ଯାଇ ଥାଏ ।
ଭାଦ୍ରବ ଶୁକ୍ଲ ଏକାଦଶୀରେ ଏହା ଆରମ୍ଭ ହୋଇ କିଛି ଦିନ ପର୍ଯ୍ୟନ୍ତ ଚାଲି ଥାଏ । ଏହି ନୃତ୍ୟ
ଓଡ଼ିଶାର ସମ୍ବଲପୁର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦେଖା ଯାଏ । ପୂଜା
ଦିନ ଦୁଇ ଜଣ ଯୁବତୀ କନ୍ୟା “କରମା” ଗଛର ଡାଳକୁ ଆଣି ଦେବତାଙ୍କ ଆସ୍ଥାନରେ ରଖି ଥାନ୍ତି
। ଏହି କରମା ଡାଳକୁ “କରମଶୁଣି “ ଦେବୀ ହିସାବରେ ପୂଜା କରା ଯାଏ । ଏହା ସହିତ
ଅଙ୍କୁରିତ ଗଜା, ଘାସ ଫୁଲ ଏବଂ ଦେଶୀ ମଦ୍ୟ ମଧ୍ୟ ଦେବତୀଙ୍କୁ ଅର୍ପଣ କରାଯାଏ । ପୂଜା ପରେ
ଯୁବକ ଯୁବତୀମାନେ ମାଦଳର ତାଳେ ତାଳେ ନୃତ୍ୟ କରି ଥାନ୍ତି । ପ୍ରାୟତଃ ଏହି ନାଚରେ ଗୋଡ଼
ଏବଂ ପାଦର ବ୍ୟବହାର ଅଧିକ ହୁଏ । ଅଂଟାରେ ହାତ ଛନ୍ଦା ଛନ୍ଦି ହୋଇ ଆଦିବାସୀ ଯୁବକ
ଯୁବତୀମାନେ ନାଚ ଆରମ୍ଭ କରି ଥାନ୍ତି । ନୃତ୍ୟ ଆରମ୍ଭ ଯଦିଓ ମନ୍ଥର ଗତିରେ ଆରମ୍ଭ ହୁଏ,
ଧୀରେ ଧୀରେ ନାଚର ଗତି ମାଦଳର ଶବ୍ଦ ଠାରୁ ମଧ୍ୟ ଦ୍ରୁତତର ହୁଏ । ଏହି ନୃତ୍ୟ ଗ୍ରାମ ଦେବତୀଙ୍କ
ଆସ୍ଥାନ ନିକଟରେ ହୋଇ ଥାଏ ଏବଂ ସାରା ରାତି ଏହି ନାଚ ଚାଲି ଥାଏ । ଅନ୍ୟ ଏକ ଜନପ୍ରିୟ
ନୃତ୍ୟ ଘୁମୁରା ନାଚ ପ୍ରାୟତଃ ଆଉ ଦେଖିବାକୁ ମିଳୁନାହିଁ । ଘୁମୁରା ନାଚ, ଓଡ଼ିଶାର କଳାହାଣ୍ଡି ଓ
ସୁନ୍ଦରଗଡ଼ ଜିଲ୍ଲାର ଏକ ଲୋକପ୍ରିୟ ନାଟ । ଘୁମୁରା ହେଉଛି ମତିନିର୍ମିତ ହାଣ୍ଡି ଆକୃତି ପଦାର୍ଥ
ଉପରେ ଗୋଧିଚର୍ମଦ୍ୱାରା ଆବୃତ କରାଯାଇଥିବା ବାଦ୍ୟଯନ୍ତ୍ର ବିଶେଷ । ଏହାକୁ ବ୍ୟବହାର କରାଯାଇ
ଯେଉଁ ନୃତ୍ୟ କରାଯାଏ ତାହାକୁ \”ଘୁମୁରା ନାଚ\” କୁହାଯାଏ । ପୁରୁଷ ମାନେ ମୁଖ୍ୟତଃ ଏହାର
ନୃତ୍ୟ କରି କରମା ଗୋଟିଏ ଗୋଟିଏ ଦଳରେ ସାତ ଆଠ ଜଣ କଳାକାର ରହିଥାନ୍ତି । ପାଇକଚ୍ଚା
ଉପରେ ପାଟଲୁଗା ପିନ୍ଧି ତା ଉପରେ ଚିତ୍ରବିଚିତ୍ର ଛିଟର ଏକ କପଡ଼ା ଗୁଡ଼ାଇ ଦିଆଯାଏ । ମୟୁର
ପୁଛର ମୁକୁଟ ପିନ୍ଧି ନୃତ୍ୟକାରୀ ନୃତ୍ୟ କରିଥାନ୍ତି । ପ୍ରଥମେ ବାଦ୍ୟ ବଜାଇ ନୃତ୍ୟ କରି ବୃତ୍ତାକାରରେ
ବୁଲନ୍ତି । ଦେବଦେବୀଙ୍କ ବନ୍ଦନା ପରେ ବାଦ୍ୟର ତାଳରେ ବେଳ ଅନୁସାରେ ପାଦପକାଇ ନୃତ୍ୟ
କରନ୍ତି । ଅପରପକ୍ଷରେ ଅନ୍ୟ ଏକ ଜନପ୍ରିୟ ନୃତ୍ୟ \”ଡାଲଖାଇ’ । ଡାଲଖାଇ ଓଡ଼ିଶାର
ପଶ୍ଚିମାଂଚଳରେ ଥିଲା ଏକ ଲୋକ ପ୍ରିୟ ନୃତ୍ୟ । ଡାଲଖାଇ ବ୍ରତ ଧାରିଣୀ ମାନେ ବଣ ଭିତରେ
ଗଛର ଡାଳରେ ରହୁଥିବା ମଙ୍ଗଳା ବା ଦୁର୍ଗାଙ୍କୁ ସନ୍ତୁଷ୍ଟ କରିବା ପାଇଁ \’ଡାଲଖାଇ\’ ନୃତ୍ୟ କରିଥାନ୍ତି ।
ଆଶ୍ୱିନ ମାସର ମହାଷ୍ଟମୀଠାରୁ ଆରମ୍ଭ ହୋଇ ଦଶହରା ଦିନ ପର୍ଯ୍ୟନ୍ତ ତିନିଦିନ ଧରି ଏହାର
ଆୟୋଜନ ହୋଇଥାଏ । ଅଷ୍ଟମୀ ଦିନ ସନ୍ଧ୍ୟାରେ ଦୁର୍ଗାଙ୍କର ପୂଜାର୍ଚ୍ଚନା କରାଯାଏ । ଅଷ୍ଟମୀ,
ନବମୀ ଓ ଦଶମୀ ତିନିଦିନ ଧରି ଆଦିବାସୀ ତରୁଣୀ ଦଳବଦ୍ଧ ଭାବେ ନୃତ୍ୟ ପରିବେଷଣ କରନ୍ତି ।
ଯୁବକମାନେ ମାଦଳ, ଢୋଲ, ମହୁରୀ, ତମକି ଆଦି ବଜାନ୍ତି । ହାତ ଛନ୍ଦାଛନ୍ଦି ହୋଇ ଆଗକୁ ଓ
ପଛକୁ ଢଳି ତରୁଣୀମାନେ ନିଜର କଳା କୁଶଳତା ପ୍ରଦର୍ଶନ କରନ୍ତି । ପୋଷାକ ମଧ୍ୟ ନୃତ୍ୟ
ଅନୁକୂଳ ମନେହୁଏ । ସମ୍ବଲପୁରୀ ଶାଢ଼ୀ ଉପରେ ଏକ ରଙ୍ଗୀନ ଫୁଲପକା ଗାମୁଛା ପଡିଥାଏ । ମୁଣ୍ଡରେ ଖୋଷା ଓ ସେଥିରେ ବିଭିନ୍ନ ପ୍ରକାର ଫୁଲ ଓ ପତ୍ର ଖଞ୍ଜା ହୋଇଥାଏ । ବର୍ତ୍ତମାନ ଏହି ଡାଲଖାଇ ନାଚ ଅରଣ୍ୟର ଦେହଳୀ ଅତିକ୍ରମ କରି ନଗର ସଭ୍ୟତାକୁ ଧୀରେ ଧୀରେ ପ୍ରଭାବିତ କରିବାକୁ ଆରମ୍ଭ କରିବା ମଧ୍ୟ ଏକ ସାମାଜିକ ସୁବାର୍ତ୍ତା ।

ସେହିପରି ଚଢ଼େଇଆ ନାଟ ବା ଚଢ଼େଇଆ ନାଚ ଏକ ପାରମ୍ପାରିକ ଓଡ଼ିଆ ଗୀତ-ନାଟ/ନୃତ୍ୟ କଳା । ଏହି
ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ ଛଉ ନାଚ ସହିତ ଏହାର ବହୁ
ସମାନତା ପରିଲେକ୍ଷିତ କରାଯାଏ । ଏହା ବିଶେଷକରି ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର
ଗ୍ରାମାଂଚଳରେ ପରିବେଷଣ କରାଯାଏ । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ
ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ
ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି ।
ନାଚ ମାଧ୍ୟମରେ ମଉସା ଓ ଚୌକିଆ ହାସ୍ୟ ଅଭିନୟକରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି ।
ନାଚରେ ହାରମୋନିୟମ, ଢୋ଼ଲ ଓ କୁବୁଜି ଆଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇଥାଏ ।
ପ୍ରୋତ୍ସାହନର ଅଭାବ ତଥା ନୂତନ ପିଢ଼ିଙ୍କର ଅନାଗ୍ରହ ଏହି ଲୋକନୃତ୍ୟକୁ ବିଲୁପ୍ତପ୍ରାୟ ଅବସ୍ଥାକୁ
ଆଣିସାରିଲାଣି । ସେହିପରି ପାଲା ଓଡ଼ିଶାର ଏକ ପାରମ୍ପାରିକ, ପୁରାତନ ଓ ବିଦଗ୍ଧ ଓଡ଼ିଆ ଗୀତିଲୋକନାଟ୍ୟ । ପାଲା ସାଧାରଣତଃ ଛଅ ଜଣ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ । ଜଣେ
ଗାୟକ, ଜଣେ ବାୟକ/ବାଦକ, ଜଣେ ଶ୍ରୀପାଳିଆ ଓ ୩ ଜଣ ପାଳିଆଙ୍କୁ ନେଇ ପାଲା ଅନୁଷ୍ଠିତ
ହୋଇଥାଏ । ଏହା ନିର୍ବିବାଦୀୟ ସତ୍ୟ ଯେ ଏହି ସ୍ୱତନ୍ତ୍ର କଳା ଦିନେ ଘରେ ଘରେ ପରିଚିତ ଥିଲା
। ବିଶେଷ କରି ବାଦୀପାଲା ଦେଖିବାକୁ ଲୋକେ ବହୁତ ପସନ୍ଦ କରୁଥିଲେ । ଯେଉଁ ସମୟରେ
ମନୋରଞ୍ଜନ କରିବା ପାଇଁ ବିଶେଷ ସୁବିଧା ନଥିଲା ସେହି ସମୟରେ ପାଲା ଲୋକଙ୍କୁ ମନୋରଞ୍ଜନ
କରିବା ସହ ସାହିତ୍ୟ, ସଂସ୍କୃତି ଓ କଳା ପ୍ରତି ପରିଚିତ କରାଉଥିଲା । ଏହି ପାଲା ମାଧ୍ୟମରେ
ଓଡ଼ିଶାରେ ଭାଷା ଆନ୍ଦୋଳନ ଘରେ ଘରେ ପହଁଚି ପାରିଥିଲା । ସେହିପରି ସ୍ୱାଧୀନତା ଆନ୍ଦୋଳନ
ସମୟରେ ମଧ୍ୟ ପାଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ପାଲା ସଂସ୍କୃତି ସହିତ ଆମର ରକ୍ତଗତ
ସମ୍ପର୍କ । ଆମର ଜେଜେ ବାପା ସ୍ୱର୍ଗତ ଦିବ୍ୟସିଂହ ଶତପଥୀ ଥିଲେ ପାଲା ସାହିତ୍ୟ ସ୍ରଷ୍ଟା । ଆମର
ବଡ଼ ନନା ବା ଆମର ପୋଷ୍ୟପିତା ପଣ୍ଡିତ ଜଗନ୍ନାଥ ଶତପଥୀ ମଧ୍ୟ ଥିଲେ ପାଲା ସାହିତ୍ୟ ସ୍ରଷ୍ଟା
ଏବଂ ଆମ ଗ୍ରାମର ପଡୋଶୀ ଗ୍ରାମ ଜାଗୁଳାଇ ପଥର ରେ ହୋଇଆସୁଥିବା ବାଦୀ ପାଲା ର ଜଣେ
ପୃଷ୍ଠପୋଷକ ଏବଂ ଏବେ ଆମର ସାନଭାଇ ଜଣେ ଶିକ୍ଷକ ଥିବା ସହିତ ଜଣେ ପାଲା ଗାୟକ ।
ଆମ ପିଲାଦିନେ ଗାୟକ ସୁଧାକର ପରମାନନ୍ଦ ଶରଣ, ଗାୟକ ବିନୋଦ ଜନାର୍ଦ୍ଦନ ତ୍ରିପାଠୀ,
ମାର୍କଣ୍ଡେୟ ବାହିନୀପତି, ହରି ନାଥ, ବିଶ୍ୱନାଥ ପାଟ୍ଟଯୋଶୀ, ନିରଞ୍ଜନ କର, ଧ୍ରୁବ ଚରଣ ଷଡ଼ଙ୍ଗୀ
ପ୍ରଭୃତି ଅନେକ ପ୍ରସିଦ୍ଧ ଜନାଦୃତ ଗାୟକ ମାନଙ୍କ ପାଲା ପରିବେଷଣ ଦେଖିବାର ସୌଭାଗ୍ୟ
ପାଇଛୁ । ସେତେବେଳେ ଆମେ କହିଥିଲୁ, ଯାହା ଏବେବି ମନେଅଛି \”ହରି ନାଥ ବଦନ, ଅଧରେ
ନିରଞ୍ଜନ, ଭୂଷଣ ଧ୍ରୁବ ମନ ମୋହିଲା ରେ…\” । ପାଲା ହିନ୍ଦୁ ଓ ମୁସଲମାନ ଧର୍ମ ମଧ୍ୟରେ
ସମନ୍ୱୟ ରଖିଥାଏ । ଏଥିରେ ଉଭୟ ସତ୍ୟ ନାରାୟଣ ଏବଂ ପୀର ବାବାଙ୍କୁ ପୂଜା କରାଯାଇଥାଏ,
ତେଣୁ ପାଲାକୁ ସତ୍ୟପୀର ପୂଜା ବୋଲି ମଧ୍ୟ କୁହାଯାଏ । ସେହିପରି ଆମର ଷୋଳ ପାଲା
ପରମ୍ପରା ଥିଲା । ଆମେ ଜନ୍ମ ପୂର୍ବରୁ ଭଉଣୀ ମରିଥିବାରୁ ଆମକୁ ଆମ ଜେଜେ ମା ରେବତୀ
ଦେବୀ ଆମକୁ ଅପର୍ତ୍ତିଆ ବୋଲି ବେକରେ ଶଙ୍ଖ ମାଳି ପକେଇ ଷୋଳପାଲା ପୂଜା ଯାଚଙ୍ଗା
କରିଥିଲେ । ଏହି ଷୋଳ ପାଲାଗୁଡିକ ମଧ୍ୟରୁ ଜନ୍ମ ପାଲା, ପଦ୍ମଲୋଚନ ପାଲା,ମର୍ଦ୍ଦଗାଜୀ ଜନ୍ମ
ପାଲା,ମର୍ଦ୍ଦଗାଜୀ ବିଭା ପାଲା, ବିଦ୍ୟାଧର ପାଲା,ମଦନସୁନ୍ଦର ପାଲା,ସଦାନନ୍ଦ ସୈ ।ଦାଗର
ପାଲା ,ଶ୍ୱେତ ବସନ୍ତ ପାଲା ଏହି ପରି ଷୋଳ ପାଲା ।ସତ୍ୟନାରାୟଣଙ୍କ ମାହାତ୍ମ୍ୟ ବର୍ଣ୍ଣନାପୂର୍ବକ
୧୬ ଗୋଟି ପାଲା ବା ଗଳ୍ପକୁ ଗୀତଦ୍ୱାରା ବର୍ଣ୍ଣିତ । ଓଡ଼ିଶାରେ ବୋଲାଯାଉଥିବା \’ପାଲା\’ ମାନ
\’କବିକର୍ଣ୍ଣ\’ ବିରଚିତ ବଙ୍ଗଳା ପାଞ୍ଚାଳ ଛନ୍ଦରେ ରଚିତ । ବଙ୍ଗଳା ଗୀତର ବିକୃତି ମାତ୍ର ସଂ. ପାଳି,
ଓ ପାଳି ବଂ. ପାଲା ଶବ୍ଦର ଅର୍ଥ ପର୍ଯ୍ୟାୟ ବା କ୍ରମ ପାଲା ଶବ୍ଦ ବଙ୍ଗଳା ଭାଷାରୁ ଆନୀତ ଜଣେ
\’ଗାୟକ\’ ଗୀତ ବୋଲନ୍ତି ଓ ତାଙ୍କ ସଙ୍ଗେ ଆଉ ଜଣେ ବାଜା ବଜାନ୍ତି ଓ କେତେ ଗୁଡ଼ିଏ ଲୋକ
ପାଳି ଧରନ୍ତି ବୋଲି, ଏହାର ନାମ ପାଲା ହୋଇଅଛି । \’ଗାୟକ\’ ଗୀତ ବୋଲନ୍ତି, \’ବାୟକ\’
ମୃଦଙ୍ଗ ବଜାନ୍ତି । ଗାୟକ ଏକୁଟିଆ ଗୀତର ପ୍ରସଙ୍ଗରେ ଗଲେ ତାଙ୍କୁ ସାହାଯ୍ୟ କରିବାକୁ କିମ୍ବା
ଗୀତର ପ୍ରସଙ୍ଗରେ କଥୋପକଥନ ଛଳରେ ଗାୟକଙ୍କୁ ଉତ୍ତର ଦେବାକୁ ଗାୟକଙ୍କ ସଙ୍ଗେ \’ଶିରୀ
ପାଳିଆ\’ ବା \’ଡାହାଣ ପାଳିଆ\’ ବା \’ଶ୍ରୀ ପାଳିଆ\’ ଥାଆନ୍ତି ଗାୟକଙ୍କ ଡାହାଣ ହାତରେ \’ମନ୍ଦିରା\’
ବା ଗିନି ବନ୍ଧା ହୋଇଥାଏ ଓ କାଖରେ ଚଅଁର ମୁଠାଥାଏ । ଅନ୍ୟ ଶ୍ରୀପାଳିଆ ଝାଞ୍ଜ ଧରିଥାଆନ୍ତି
କିନ୍ତୁ ଗାୟକ ଗୀତ ବୋଲିବା ବେଳେ ଶ୍ରୀପାଳିଆ ଝାଞ୍ଜ ବଜାନ୍ତି ନାହିଁ । ପାଳିଆମାନେ ପାଳି
ଧରିବା ବେଳେ ଶ୍ରୀପାଳିଆ ଅନ୍ୟ ପାଳିଆମାନଙ୍କ ସହିତ ଝାଞ୍ଜ ବଜାନ୍ତି ଓ ବାୟକ ଗାୟକଙ୍କ ସଙ୍ଗେ
ଓ ପାଳିଆଙ୍କ ସଙ୍ଗେ ମୃଦଙ୍ଗ ବଜାନ୍ତି । ଗୋଟିଏ ପାଲା ଦଳ ଦୁଇଟି ପଞ୍ଝାରେ ବିଭକ୍ତ ଗାୟକଙ୍କ ବୋଲିବା ଗୀତର ପାଳି ଧରିବାକୁ ୨ ଜଣ \’ପାଳିଆ\’ ଆଥାନ୍ତି । ଗାୟକଙ୍କ ଗୀତର ଶେଷାଂଶ ବା
ଢୁଆ ବା ଘୋଷାକୁ ଏମାନେ ବୋଲନ୍ତି ଓ ଝାଞ୍ଜ ବଜାଇଥାନ୍ତି । ପାଲାବାଲାମାନେ ନାନାପ୍ରକାର
ବେଶରେ (ଅର୍ଥାତ୍ ମୁଣ୍ଡରେ ପଗଡ଼ି, ଦେହରେ ଚପ୍କନ୍ ପରି ବଡ଼ କୁର୍ତ୍ତା ଅଂଟାରେ ଘାଗରା ଓ
ଗୋଡ଼ରେ ବଳା ବା ଘାଙ୍ଗୁର ପିନ୍ଧି ନାଚିଥାନ୍ତି । ପୁସ୍ତକ ସାହାର୍ଯ୍ୟରେ ଯେଉଁ ପାଲା ବୋଲାଯାଏ ଓ
ପୂଜା କରାଯାଏ, ତାକୁ ପୋଥିପାଲା ବା ପୋଥିପୂଜା ବୋଲାଯାଏ । ପୁସ୍ତକର ବିନା ସାହାଯ୍ୟରେ
ଗାୟକ ଓ ନର୍ତ୍ତକମାନେ ବାଜା ବଜାଇ ଯାହାକୁ ବୋଲି ଅଭିନୟ କରନ୍ତି, ତାକୁ ଠିଆପୂଜା ବା
ଠିଆପାଲା ବୋଲାଯାଏ । ଏକ ଦଳ ପାଲାବାଲା ପାଲା ଅଭିନୟ କଲେ ତାକୁ \’ଗୋଟିକିଆ
ପାଲା\’ କହନ୍ତି । ଦୁଇଦଳ ପ୍ରତିଦ୍ୱନ୍ଦୀ ହୋଇ ପାଲା ଅଭିନୟ କଲେ ତାକୁ \’ଜାଉଁଳି ପାଲା\’ ବା \’
ଜାଉଳି ପୂଜା\’ କହନ୍ତି । ଏକାଧିକ ଦଳ ପ୍ରତିଦ୍ୱନ୍ଦୀ ହୋଇ ପାଲା କଲେ ତାକୁ \’ବାଦୀ ପାଲା\’ ବା
\’ଲଢ଼େଇ ପାଲା\’ ବୋଲାଯାଏ । ପାଲା ଅଭିନୟକାରୀମାନଙ୍କ ମଧ୍ୟରେ ଜଣେ \’ଗାୟକ\’, ଜଣେ
\’ଗାୟକ\’, ଜଣେ \’ଶିରପାଳିଆ\’ ଓ ଦୁଇ ବା ୩ ଜଣ \’ପାଳିଆ\’ ଥାଆନ୍ତି । କବିକର୍ଣ୍ଣଙ୍କ ରଚିତ
\’ପାଲା\’ମାନଙ୍କ ଭାଷା ବଙ୍ଗଳା ଓ ଉକ୍ତ ଭାଷାରେ ଫାରସୀ ଶବ୍ଦର ବହୁଳତା (ୟଥା: ବାଦସା,
ଉବୀର, କାଲାମ, ମୋଲାକାତ, ସଲାମ, ହକିକତ, ଦିଲଖୋସ ଓ ହାସିଲ ଇତ୍ୟାଦି ଶବ୍ଦ)
ଦେଖାଯାଏ ଓ ବେଳେ ବେଳେ ଫାରସୀ ଭାଷାରେ ବାକ୍ୟ ମଧ୍ୟ ଦେଖାଯାଏ । କବିକର୍ଣ୍ଣଙ୍କ ବିରଚିତ
ପାଲା ବଙ୍ଗାଳା ଓ ଉର୍ଦ୍ଦୁ ଭାଷାର \’ଖେଚାଡ଼ି\’; ତାହା ପୁଣି ବଙ୍ଗଳା ଅନଭିଜ୍ଞ ଓଡ଼ିଆଙ୍କ ମୁହଁରେ
ବଙ୍ଗଳା, ଉର୍ଦ୍ଦୁ ଓ ଓଡ଼ିଆ ମିଶା \’ପଲାଉ\’ ହୁଏ ତହିଁରୁ କେତେକଗୁଡ଼ିଏ ଧାଡ଼ିର ଉଦାହରଣ ନିମ୍ନରେ
ଲିଖିତ: ଶୁନ ସର୍ବେ ବିରାଦରେ ପୀରେର କାଲାମ୍ ନିଯତ ହାସଲ୍ ହୁଏ,ଫତେ ହୁଏ କାମ୍ ଇଯାର୍‌
ପିଯାର୍ ଭାଇ ସକଲେ ଶୁନତ ୟେଉଁ ରୂପେ ଶ୍ୱେତ ବସନ୍ତ ପାଲା ହକିକତ ହରି ହରି ବୋଲ ଦିଅ
ସବୁ ସଭଜନ ବିପତ୍ତି ପଡ଼ିଲେ ରଖେ ସତ୍ୟ ନାରାୟନଯାର ଘରେ ହୁଏ ପୂଜା ସାହେବେର ନାମ୍‌
ବଢ଼ାଏ ଦୌଲତ ତାର ଫତେ କରେ କାମ ଶ୍ରୀ କବି ବର୍ଣ୍ଣେତେ ଗାଏ ନାରାୟଣରେ ପାୟ ହରି ହରି
ବୋଲ ସର୍ବେ ପାଲା ହଇଲ ସାୟ । ସାଧାରଣତଃ \’ପାଲା ଗୀତ\’ ପ୍ରତ୍ୟେକ ୧୪ ଅକ୍ଷର ଯୁକ୍ତ ଦୁଇଟି
ଧାଡ଼ିରେ ରଚିତ, କିନ୍ତୁ ମଝିରେ ମଝିରେ ଏକାଦାଣ୍ଡିଆ (ଜ୍ଞକ୍ଟଦ୍ଭକ୍ଟଗ୍ଧକ୍ଟଦ୍ଭଚ୍ଚ) ଭାଙ୍ଗିବା ପାଇଁ:
\”ରଜନୀର ଅବଶେଷେ ଗ୍ରାମର ..ଭିତରେ ପଶେ ଚନ୍ଦ୍ର ହାସ ରାଜାର କୁମାର\” । ୮ ଅକ୍ଷରିଆ ୨
ପାଦ ଓ ୧ ଅକ୍ଷରିଆ ଏକ ପାଦ ଯୁକ୍ତ \’ତ୍ରିପଦୀ\’ ଦ୍ୱୟ ସମ୍ବଳିତ ଗୀତ ମଧ୍ୟ ବୋଲାଯାଏ । ଗଳ୍ପର
ପ୍ରସଙ୍ଗ ଓ ଅବସର କ୍ରମେ ପାଇଲାମାନେ ଏଥିରେ ଯମକ, ଅନୁପ୍ରାସ, ବ୍ୟାଘ୍ରଗତି, ମେଷ ଯୁଦ୍ଧ
ଅବନା ଆଦି ଶବ୍ଦ ଅବରସ୍ ପୂର୍ଣ୍ଣ ପ୍ରାଚୀନ ସଙ୍ଗୀତ, ଚଉପଦୀ, ଡାହିକା, ଭଜନ, ବନ୍ଦନା ଆଦି
ଲଗାଇ \’ପାଲାକୁ\’ ଜମକ୍ କରନ୍ତି ଓ କେତେକ ଗାୟକଙ୍କର ଅଭିଧାନ, ଅଳଙ୍କାର କାବ୍ୟନାଟକ,
ଚମ୍ପୁ ଆଦିରେ ଅସାଧାରଣ ପାଣ୍ଡିତ୍ୟ ଦେଖାଯାଏ ଓ କେତେକଙ୍କଠାରେ ଆଶୁ କବିତ୍ୱ ମଧ୍ୟ ଲକ୍ଷିତ
ହୁଏ । ଓଡ଼ିଶାରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇମାନଙ୍କଦ୍ୱାରା ମଧ୍ୟ ପାଲା ପରିବେଷଣ କରାଯାଉଅଛି,
ଏହା ମଧ୍ୟ ଓଡ଼ିଶାର ପୁରପଲ୍ଲୀରେ ଆଦ୍ରୁତ, ଓଡ଼ିଶାର କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା ଆଦି
ଜିଲ୍ଲାରେ ବହୁ ନାମକାରୀ ଗାୟକମାନେ ଲୋକ ଅନାଗ୍ରହ କାରଣ ରୁ ଏବେ କେବଳ ରେଡିଓ ଓ
ଦୁରଦର୍ଶନରେ ପାଲା ପରିବେଷଣ କରି ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ କଳାକୁ ଘରେ ଘରେ
ପରିଚିତ କରାଇବାକୁ ଚେଷ୍ଟାକରୁଛନ୍ତି ସତ, ମାତ୍ର ଏବେ ଦୂରଦର୍ଶନର ଉପଭୋକ୍ତାଙ୍କ ସଂଖ୍ୟା ଖୁବ୍‌
ନଗଣ୍ୟ । ସେହିପରି ଏକଦା ଜନାଦୃତ ଥିବା ଚଢ଼େଇଆ ନାଟ ବା ଚଢ଼େଇଆ ନାଚ ଏକ ପାରମ୍ପାରିକ
ଓଡ଼ିଆ ଗୀତ-ନାଟ/ନୃତ୍ୟ କଳା । ଏହି ନୃତ୍ୟକଳାଟି ଦଣ୍ଡ ନାଚର ଏକ ପ୍ରକାରଭେଦ ଓ ମୟୂରଭଞ୍ଜ
ଛଉ ନାଚ ସହିତ ଏହାର ବହୁ ସମାନତା ପରିଲେକ୍ଷିତ କରାଯାଏ ।ଏହା ବିଶେଷକରି ଭଦ୍ରକ,
ବାଲେଶ୍ୱର ଓ ମୟୂରଭଞ୍ଜର ଗ୍ରାମାଂଚଳରେ ପରିବେଷଣ କରାଯାଏ । ଏଥିରେ ଜଣେ ପୁରୁଷ ଓ
ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ
କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ
ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି । ନାଚ ମାଧ୍ୟମରେ ମଉସା ଓ ଚୌକିଆ ହାସ୍ୟ ଅଭିନୟକରି
ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ନାଚରେ ହାରମୋନିୟମ, ଢୋ଼ଲ ଓ କୁବୁଜି ଆଦି ବାଦ୍ୟଯନ୍ତ୍ରର
ବ୍ୟବହାର କରାଯାଇଥାଏ । ପ୍ରୋତ୍ସାହନର ଅଭାବ ତଥା ନୂତନ ପିଢ଼ିଙ୍କର ଅନାଗ୍ରହ ଏହି
ଲୋକନୃତ୍ୟକୁ ବିଲୁପ୍ତପ୍ରାୟ ଅବସ୍ଥାକୁ ଆଣିସାରିଲାଣି । ଅପର ପକ୍ଷରେ ଗୋଟିପୁଅ ଭାରତର
ଓଡ଼ିଶାର ଶାସ୍ତ୍ରୀୟ ନାଟ ଭିତରୁ ଗୋଟିଏ । ଏହା ଓଡ଼ିଶାର ପୁରୀ ଜିଲ୍ଲାରୁ ଜନ୍ମ ଲାଭ କରିଥିଲା ।
ଆମେ ଯେତେବେଳେ ପିଲା ଥିଲୁ , ସେତେବେଳେ ପରବର୍ତ୍ତୀ ସମୟରେ ବିଶ୍ୱ ପ୍ରସିଦ୍ଧ ହୋଇଥିବା
ଆମ ଗାଁ ପାଖର ଗୁରୁ ଗଙ୍ଗାଧର ପ୍ରଧାନ ଗୋଟି ପୁଅ ନୃତ୍ୟ କରୁଥିଲେ । ଓଡ଼ିଆରେ \”ଗୋଟି\”ର
ଅର୍ଥ ଜଣେ ଓ ଏହି ନାଟ ଜଣେ ପୁଅ ଦେଇ କରାଯାଉଥିବାରୁ ଏହାର ଏପରି ନାମକରଣ ହୋଇଥିବାର
ବିଶ୍ୱାସ କରାଯାଇଥାଏ । ଯେତେବେଳେ ଧିରେ ଧିରେ ମାହାରୀ ନାଟର ପ୍ରଭାବ ଧୀରେ ଧୀରେ
କମି କମି ଆସିଲା ସେତେବେଳେ ପୁଅମାନେ ଝିଅମାନଙ୍କ ଲୁଗାରେ ସଜ୍ଜିତ ହୋଇ ଅଳଙ୍କାର ଆଦି
ପିନ୍ଧି ନାଚିବାର ଏହି ଚଳଣି ଜନ୍ମ ନେଲା । ଆଧୁନିକ ଓଡ଼ିଶୀ ନାଟର ଏହା ମୂଳରୂପ । ଅନେକ
ମହାନ ଓଡ଼ିଶୀ ନାଟଗୁରୁମାନେ ଆରମ୍ଭରେ ଏହି ନାଟକଳାରେ ଶିକ୍ଷାଲାଭ କରିଥିଲେ । (କ୍ରମଶଃ)

Posted in ସମ୍ପାଦକୀୟ.

Leave a Reply

Your email address will not be published. Required fields are marked *