ଏସଆଇଆର ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ

ଏସଆଇଆର ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ

ବିହାରରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମାପ୍ତ ହେବା ପରେ ଚୂଡ଼ାନ୍ତ ଭୋଟର କାଲିକା ପ୍ରକାଶ ପାଇଛି । ତାଲିକାରେ ପ୍ରାୟ ୧୪ ଲକ୍ଷ ନୂଆ ଭୋଟର ଯୋଡ଼ାଯାଇଛନ୍ତି । ଭୋଟରମାନେ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଲିଙ୍କ୍ https://voters.eci.gov.in/ ମାଧ୍ୟମରେ ଭୋଟର ତାଲିକାରେ ସେମାନଙ୍କର ନାମ ଦେଖିପାରିବେ।”

 ନିର୍ବାଚନ କମିସନଙ୍କ ଅନୁଯାୟୀ, ଯେକୌଣସି ଭୋଟର ସେମାନଙ୍କର ଏପିକ୍ ନମ୍ବର (ଭୋଟର ପରିଚୟ ପତ୍ର ସଂଖ୍ୟା) ପ୍ରବେଶ କରି ଭୋଟର ତାଲିକାରେ ସେମାନଙ୍କର ନାମ ଯାଞ୍ଚ କରିପାରିବେ। ଫର୍ମ ୬ ପୂରଣ କରିଥିବା ଏବଂ ପରିଚୟ ପ୍ରମାଣ ପ୍ରଦାନ କରିଥିବା ଲୋକଙ୍କ ନାମ ମଧ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି।

ରାଜ୍ୟରେ ଏସଆଇଆର ଚାଲିଥିବା ସମୟରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ଏହାକୁ ବିରୋଧ କରିଥିଲେ । ଭୋଟର ତାଲିକାରୁ ବୈଧ ଭୋଟରମାନଙ୍କ ନାମ କଟାଯାଇଥିବା କଂଗ୍ରେସ ଅଭିଯୋଗ କରିଥିଲା ।  ଏହା ବିରୋଧରେ କଂଗ୍ରେସ ସୁପ୍ରିମକୋର୍ଟରେ ଅଭିଯୋଗ କରିଥିଲା । ତେବେ ସୁପ୍ରିମକୋର୍ଟ କେତେକ ସର୍ତ୍ତ ସହିତ ଏସଆଇଆରକୁ ଅନୁମତି ଦେଇଥିଲେ ।

ପୁଲିସ ଏସ୍ଆଇ ଲିଖିତ ପରୀକ୍ଷା ସ୍ଥଗିତ

ପୁଲିସ ଏସ୍ଆଇ ଲିଖିତ ପରୀକ୍ଷା ସ୍ଥଗିତ

ପୁଲିସ ଏସ୍ଆଇ ଲିଖିତ ପରୀକ୍ଷା ସ୍ଥଗିତ ରହିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଅନିବାର୍ଯ୍ୟ କାରଣ ପାଇଁ ଆଗାମୀ ୫ ଓ ୬ ତାରିଖରେ ହେବାବୁ ଥିବା ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କୁହାଯାଉଛି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା କିଛି ପିଲାଙ୍କୁ ଟ୍ରେନିଂ ଦେବାକୁ ନେଉଥିଲା । ଯାହାକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ପରୀକ୍ଷା ତାରିଖ ନେଇ ଓପିଆରବି ପକ୍ଷରୁ ସୂଚନା ଦିଆଯିବ ବୋଲି କୁହାଯାଇଛି। ପୁଲିସ୍ ଏସଆଇ ପରୀକ୍ଷାରେ ଜାଲିଆତି ହୋଇଥିବା ନେଇ ଖବର ସାମ୍ନାକୁ ଆସିବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ମିଳିଥିବା ସୂଚନା ମୁତାବକ, ୧୨୦ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରରୁ ଉଠାଇ ଆଣିଥିଲା ପୁଲିସ। ବ୍ରହ୍ମପୁରକୁ ଏହି ଛାତ୍ରମାନଙ୍କୁ ଆଣି ପୁଲିସ ପଚରାଉଚରା କରୁଛି। 

ଆଗାମୀ ଅକ୍ଟୋବର ୫ ଓ ୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୁଲିସ ଏଏସ୍‌ଆଇ ପରୀକ୍ଷା ସ୍ଥଗିତ ରହିବା ପରେ ରାଜ୍ୟ ସରକାରଙ୍କୁ ବିଜୁ ଜନତା ଦଳ (ବିଜେଡି) ଟାର୍ଗେଟ କରିଛି। କଟାକ୍ଷ କରି ବିଜେଡି କହିଛି, ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କୁ ଦଶହରା ଭେଟି ଦେଇଛନ୍ତି। ଏ ସରକାରରେ ଦେଢ଼ ବର୍ଷ ମଧ୍ୟରେ ୧୪/୧୫ ପେପର ଲିକ୍‌ ହୋଇସାରିଛି। ଓପିଆରବି ଏକ ଆଇଟିଆଇ ଟେକନୋଲୋଜିକୁ ପରୀକ୍ଷା କରିବାକୁ ଦାୟିତ୍ବ ଦେଇଛି। ଦଲାଲମାନେ ପ୍ରଶ୍ନପତ୍ର ଲିକ୍‌ କରି ଆନ୍ଧ୍ରପ୍ରଦେଶ ଶିକାକୁଲମ ଠାରେ ୧୨୦ଜଣ ଯେଉଁମାନେ ପରୀକ୍ଷା ଦେବାକୁ ଯାଉଛନ୍ତି ସେମାନଙ୍କ ଠାରୁ ପଇସା ନେଇ ପ୍ରସ୍ତୁତି କରାଯାଉଥିଲା ବୋଲି ଅଭିଯୋଗ ଆଣିଛି।

ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ମେଡିଏସନ ଭଳି ପଦକ୍ଷେପ ସମାଜ ଜୀବନକୁ ସହଜ କରୁଛି -ଧର୍ମେନ୍ଦ୍ର ପ୍ରଧାନ

ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ମେଡିଏସନ ଭଳି ପଦକ୍ଷେପ ସମାଜ ଜୀବନକୁ ସହଜ କରୁଛି -ଧର୍ମେନ୍ଦ୍ର ପ୍ରଧାନ

ମଧ୍ୟସ୍ଥତା ମାଧ୍ୟମରେ ବିଚାରାଧୀନ ମାମଲା ଶୂନକୁ ଆଣିବା ତଥା ପେଣ୍ଡିଂ କେସ୍ ହ୍ରାସ କରିବା ଭାରତୀୟ ନ୍ୟାୟ ବ୍ୟବସ୍ଥାର ମୂଳ ଲକ୍ଷ୍ୟ ହେବା ଦରକାର ବୋଲି ରବିବାର ଭୁବନେଶ୍ୱର ଠାରେ ଆୟୋଜିତ ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା(ମେଡିଏସନ) କର୍ମଶାଳାର ଉଦଯାପନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମଧ୍ୟସ୍ଥତାର ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଛନ୍ତି ଯେ ବିଭିନ୍ନ ସ୍ଥାନରେ ଭଦ୍ର ଓ ସଚେତନ ବ୍ୟକ୍ତିମାନେ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ କରିଥାନ୍ତି । ମେଡିଏସନ ଲ’ ବା ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ମଧ୍ୟସ୍ଥତା ଭଳି ପଦକ୍ଷେପଗୁଡ଼ିକ ସମାଜ ଜୀବନକୁ ଅଧିକ ସହଜ କରୁଛି । ଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତିର ଗୁରୁତ୍ୱ ବର୍ଣ୍ଣନା କରି ଶ୍ରୀ ପ୍ରଧାନ କହିଛନ୍ତି ଜାତୀୟ ଶିକ୍ଷା ନୀତି ବହୁଭାଷୀ ଶିକ୍ଷା ତଥା ମାତୃଭାଷାରେ ଶିକ୍ଷାଦାନକୁ ପ୍ରାଥମିକତା ଦେଉଛି । ଠିକ୍ ସେହିପରି, ଭାରତୀୟ ନ୍ୟାୟ ବ୍ୟବସ୍ଥା ବିଭିନ୍ନ ରାଜ୍ୟରେ ଭାରତୀୟ ଭାଷାକୁ ଅଧିକ ପ୍ରାଧାନ୍ୟ ଦେବା ଦିଗରେ କାର୍ଯ୍ୟ କରୁଛି, ଯାହା ପ୍ରଶଂସନୀୟ ।

ସେ କହିଥିଲେ ଯେ ମେଡିଏସନ କେବଳ ଏକ ଆଇନଗତ ପ୍ରକ୍ରିୟା ନୁହେଁ, ଏହା ହେଉଛି ଚିନ୍ତାଧାରା ପ୍ରକ୍ରିୟା ଏବଂ ଦୈନନ୍ଦିନ ଜୀବନର ଅଂଶ । କରୋନା ମହାମାରୀ ସମୟରେ ନୂଆ ଟେକ୍ନୋଲୋଜି ଏବଂ ଅନ୍‌ଲାଇନ୍ ମାଧ୍ୟମର ବ୍ୟବହାର ଆରମ୍ଭ ହେଲା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ‘ମନ କୀ ବାତ୍’ କାର୍ଯ୍ୟକ୍ରମରେ ଟେକ୍ନୋଲୋଜି ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମାଧ୍ୟମରେ ଆଞ୍ଚଳିକ ଭାଷାରେ କଥା ହେଉଛନ୍ତି । ଏହିଭଳି କିଛି ନୂଆ ସଂସ୍କାର ଭାରତୀୟ ନ୍ୟାୟ ବ୍ୟବସ୍ଥା ଏବଂ ସମାଜରେ ଅଣାଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ଜଜ୍ ଜଷ୍ଟିସ ଏମ.ଏମ ସୁନ୍ଦରେଶ, ଜଷ୍ଟିସ ସଞ୍ଜୟ କୋରଲ, କେନ୍ଦ୍ର ରାଷ୍ଟ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ୱାଲ, ଓଡ଼ିଶା ହାଇକୋର୍ଟର ଚିଫ୍ ଜଷ୍ଟିସ ହରିଶ ଟଣ୍ଡନ, ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଓଡ଼ିଶା ହାଇକୋର୍ଟର ଜଜ ଏସ.କେ ସାହୁ, କେ.ଆର୍ ମହାପାତ୍ର, ଏସ.କେ ପାଣିଗ୍ରାହୀ, ସଲିସିଟର ଜେନେରାଲ ଅଫ୍ ଇଣ୍ଡିଆ ତୁଷାର ମେହେଟ୍ଟା, ଓଡ଼ିଶାର ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ ।

‘ଶାନ୍ତିସ୍ତୂପ’ ଧଉଳିଗିରି ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

‘ଶାନ୍ତିସ୍ତୂପ’ ଧଉଳିଗିରି ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱର ସ୍ଥିତ ‘ଶାନ୍ତିସ୍ତୂପ’ ଧଉଳିଗିରି ପାଦଦେଶରେ ଭ୍ରମଣ କରିବା ସହ ଅଶୋକ ଶିଳାଲେଖର ଐତିହ୍ୟ ଓ ଇତିହାସ ପୃଷ୍ଠଭୂମି ଉପରେ ଏଏସଆଇ ଅଧିକାରୀଙ୍କ ଠାରୁ ଅବଗତ ହୋଇଛନ୍ତି ।

ଶ୍ରୀ ପ୍ରଧାନ ପ୍ରଥମେ ଧଉଳିଗିରି ପାଦଦେଶରେ ଥିବା ମନ୍ଦିର, ଐତିହାସିକ ସ୍ଥଳୀ ଓ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିଥିଲେ । ଧଉଳିଗିରି ବୁଲିବାକୁ ଆସିବାକୁ ଥିବା ପର୍ଯ୍ୟଟକ ଓ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ । ସେଠାରେ ଆଖୁ ରସ ପିଇବା ସହ ଦୋକାନୀଙ୍କ ସହ ମଧ୍ୟ କଥା ହୋଇଥିଲେ । ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ପରାକ୍ରମର ପ୍ରତୀକ ଧଉଳି । ଏଠାରେ କିଛି ସମୟ ବିତାଇ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବ ଅନୁଭବ କରୁଛି । ଏହି ପବିତ୍ର ପାଦଦେଶରେ ହିଁ ଖ୍ରୀଷ୍ଟପୂର୍ବ ୨୬୧ରେ ମହାନ କଳିଙ୍ଗ ଯୁଦ୍ଧ ସଂଘଠିତ ହୋଇଥିଲା । ଆମର ପୂର୍ବଜମାନେ ଏହି ଭୂମିରେ ଅଦମ୍ୟ ସାହସ ଦେଖାଇ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼ିଥିଲେ । ଏହି ଭୂମିର ମହତ୍ତ୍ୱ ଓ ଐତିହ୍ୟ ଅତୁଳନୀୟ ।

ସେହିପରି ଧଉଳିଗିରି ପାଦଦେଶରେ ଥିବା ଅଶୋକ ଶିଳାଲେଖରେ କଳିଙ୍ଗ ସାମ୍ରାଜ୍ୟର ବିସ୍ତାର, କଳିଙ୍ଗ ଯୁଦ୍ଧର ଘଟଣାବଳୀ, ସମ୍ରାଟ ଅଶୋକଙ୍କ ବୌଦ୍ଧ ଧର୍ମ ଗ୍ରହଣ, ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତ୍ତନ ହେବା ଉପରେ ଲିପିବଦ୍ଧ ହୋଇଛି ।ପ୍ରାଚୀନ କଳିଙ୍ଗର ରାଜନୀତି, ସଂସ୍କୃତି, ଧର୍ମ ଏବଂ ଲିପିର ଇତିହାସ ଜାଣିବା ପାଇଁ ଏହି ଶିଳାଲେଖ ଅମୂଲ୍ୟ ଭଣ୍ଡାର ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ପୂର୍ବୋଦୟ” ମିଶନରେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ମାର୍ଗ ଧଉଳି ଓ କଳିଙ୍ଗ ସାମ୍ରାଜ୍ୟର ଐତିହ୍ୟ ଭିତ୍ତିରେ ପ୍ରସ୍ତୁତ ପାଇଁ ଆମେ ସମସ୍ତେ ଚେଷ୍ଟା କରିବା । ଭାରତକୁ ସ୍ୱଦେଶୀ ଅର୍ଥନୀତି ସହ ଯୋଡିବା, ପରିବେଶକୁ ସ୍ୱଚ୍ଛ ରଖିବା ଏବଂ ଆର୍ଥିକ ଅଭିବୃଦ୍ଧିକୁ ଗତି ଦେବା ପାଇଁ ସାମୂହିକ ଉଦ୍ୟମ କଲେ ହିଁ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ଲକ୍ଷ୍ୟ ସାକାର ହେବ ।

ଭାରତ ରତ୍ନ ଲତା ମଙ୍ଗେସକର ଙ୍କ ୯୭ ତମ ଜୟନ୍ତୀ

ଭାରତ ରତ୍ନ ଲତା ମଙ୍ଗେସକର ଙ୍କ ୯୭ ତମ ଜୟନ୍ତୀ

ବିଶ୍ବ ସଙ୍ଗୀତାକାଶର ଉଜ୍ଜ୍ୱଳ ସ୍ବାକ୍ଷର ,କୋକିଳ କଣ୍ଠି, ଭାରତ ରତ୍ନ ଲତା ମଙ୍ଗେସକର ଙ୍କ ୯୭ ତମ ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ । ଚିର ବନ୍ଦନୀୟା ଲତା ମଙ୍ଗେସକର ମଧ୍ୟ ପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।

ତାଙ୍କର ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ମଞ୍ଚ କଳାକାର ଥିଲେ । ଲତା ୫ବର୍ଷ ବୟସରୁ ତାଙ୍କ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ତାଙ୍କ ସହ ତାଙ୍କ ସାନ ଭଉଣୀ ଆଶା, ଉଷା, ମୀନା ଓ ଭାଇ ହୃଦୟନାଥ ମଧ୍ୟ ସଙ୍ଗୀତ ଶିକ୍ଷା କରୁଥିଲେ । ଲତା ମାତ୍ର ୧୩ ବର୍ଷର ହୋଇଥିବା ବେଳେ ତାଙ୍କ ପିତାଙ୍କର ହୃଦ୍‌ରେଗରେ ଦେହାନ୍ତ ହୋଇଥିଲା । ପରେ ପରିବାର ଭରଣପୋଷଣ ନିମନ୍ତେ ସେ ୧୯୪୨ରୁ ସଙ୍ଗୀତ ଜୀବନ ଆରମ୍ଭ କଲେ ।

ଲତା ଆଜୀବନ ଅବିବାହିତ ରହିଥିଲେ । ପରିବାରର ଭରଣପୋଷଣ ନିମନ୍ତେ ଲତା ଗୀତ ଗାଇବା ଆରମ୍ଭ କରିଥିଲେ ଏବଂ ୧୯୪୨ରୁ ୧୯୪୮ ମଧ୍ୟରେ ପାଖାପାଖି ଆଠୋଟି ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର ‘କିଟ୍ଟି ହାସଲ’ରୁ ସେ ଗାୟିକା ଭାବେ ତାଙ୍କର କଣ୍ଠଶିଳ୍ପୀ ଜୀବନ ବା କ୍ୟାରିୟର ଆରମ୍ଭ କରିଥିଲେ ।

ମୁମ୍ବାଇରେ ଏକ ଲୋକାଲ ଟ୍ରେନ୍ରରେ ଯାତ୍ରା କରୁଥିବା ସମୟରେ ତାଙ୍କୁ ଆପ୍ କି ସେବା ମେଁରେ ପ୍ରଛଦପଟ ଗାୟିକା ହେବାର ସୁଯୋଗ ମିଳିଥିଲା । ପରେ ତାଙ୍କୁ ମଜବୁର୍ ଓ ବେଦର୍ଦ୍ ନାମକ ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ମିଳିଲା । ଏହି ଦୁଇଟି ଚଳଚ୍ଚିତ୍ରଦ୍ୱାରା ସେ ସଙ୍ଗୀତ ଜଗତରେ କିଛି ମାତ୍ରାରେ ପରିଚିତ ହେଲେ । କିନ୍ତୁ ପରେ ଅନ୍ଦାଜ୍, ବରସାତ୍ ଓ ମହଲ୍ ଚଳଚ୍ଚିତ୍ରଦ୍ୱାରା ସେ ସଙ୍ଗୀତ ମହଲରେ ପୁରାପୁରି ଚର୍ଚ୍ଚିତ ହୋଇଗଲେ ।

୧୯୬୩ରେ ଭାରତ – ଚୀନ ଯୁଦ୍ଧ ସମୟରେ ଲତାଙ୍କର ଦେଶାତ୍ମବୋଧକ ଗୀତ ‘ଏ ମେରେ ୱତନ୍ କେ ଲୋଗୋଁ’ ଶୁଣି ସେତେବେଳର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଭାବ ବିହ୍ୱଳ ହୋଇଯାଇଥିଲେ । ତାଙ୍କୁ ଏହି ଗୀତ ପାଇଁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

୧୯୭୦ରୁ ୧୯୮୦ ମଧ୍ୟରେ ଲତା ତିନି ଜଣ ପ୍ରମୁଖ ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍, କଲ୍ୟାଣଜୀ ଆନନ୍ଦଜୀ ଓ ରାହୁଲ ଦେବ ବର୍ମନଙ୍କ ସହ କାମ କରିଥିଲେ । ସେ ‘ହମ୍ ଆପକେ ହେ କୌନ୍’, ‘ବୀରଜାରା’ ପରି ରୋମାଣ୍ଟିକ୍ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ । ସେ ଏ ଆର ରେହମାନଙ୍କ ସହ ମଧ୍ୟ କାମ କରିଛନ୍ତି । ଲତା ତାଙ୍କର ସମଗ୍ର ଜୀବନକୁ ସଙ୍ଗୀତ ପାଇଁ ସମର୍ପିତ କରିଥିଲେ। ଯେବେବି ସେ ରେକର୍ଡିଂ ପାଇଁ ଯାଉଥିଲେ , ସେତେବେଳେ ଷ୍ଟୁଡିଓ ବାହାରେ ଯୋତା ରଖିଥାନ୍ତି ।

ଗୁଲଜାରଙ୍କ ରଚିତ ଓ ସେ ନିଜେ ଗାଇଥିବା ଏକ ଗୀତ ‘ନାମ୍ ଗୁମ୍ ଯାଏଗା , ଚେହେରା ୟେ ବଦଲ୍ ଯାଏଗା , ମେରି ଆୱାଜ୍ ହି ମେରି ପେହେଚାନ୍ ହୈ.. ‘ କେବଳ ଲତାଙ୍କ ପାଇଁ ଲେଖାଯାଇଛି ବୋଲି ତାଙ୍କର ଅଗଣିତ ପ୍ରଶଂସକ କୁହନ୍ତି ।୧୯୫୮ ରେ ପ୍ରଥମ ଫିଲ୍ମ ଫେୟାର୍ ଆୱାର୍ଡ ,୧୯୬୯ ରେ ପଦ୍ମ ଭୂଷଣ , ସେଇ ୧୯୬୯ ରେ ଶ୍ରେଷ୍ଠ ପ୍ରଛଦପଟ୍ଟ ଗାୟିକା ,୧୯୮୯ ରେ ଦାଦା ସାହେବ୍ ଫାଲକେ ପୁରସ୍କାର,୧୯୯୩ ରେ ଜୀବନ ବ୍ୟାପି ସାଧନା ପୁରସ୍କାର ,୧୯୯୭ ରେ ମହାରାଷ୍ଟ୍ର ଭୂଷଣ ପୁରସ୍କାର ,୧୯୯୯ ରେ ପଦ୍ମ ବିଭୂଷଣ ,୨୦୦୧ -ରେସଭାରତ ରତ୍ନ ସମ୍ମାନରେ ହୋଇଥିଲେ ସମ୍ମାନିତା । ସେହିପରି ୨୦୦୯ ମସିହାରେ ତିନୋଟି ଜାତୀୟ ଚଳଚ୍ଚିତ୍ର ସମ୍ମାନ ପାଇଥିଲେ ଏବଂ ୨୦୧୧ ରେ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ୍ ରେକର୍ଡରେ ସ୍ଥାନିତା ହୋଇଥିଲେ । ଭାରତ ମାତାଙ୍କ ରତ୍ନ ସନ୍ତାନ ଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।

ବରେଣ୍ୟ ବରଦା ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ

ବରେଣ୍ୟ ବରଦା ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ

ବରେଣ୍ୟ ବରଦା ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ ଘଟିଛି । ଏହି ମହାନ ଆତ୍ମାଙ୍କ ପରଲୋକରେ ବୁଦ୍ଧିଜୀବୀ ମହଲରେ ଗଭୀର ଶୋକ ପ୍ରକାଶ କରାଯାଇଛି । ଅତୁଳନୀୟ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରାଣ, ଅନେକ ସାମାଜିକ ସଂଗଠନର ପ୍ରତିଷ୍ଠାତା, ବିଶେଷ କରି ” ସ୍ୱାଗତିକା” ସାଂସ୍କୃତିକ ଅନୁଷ୍ଠାନ , ଯାହା ବିଗତ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ଅବଧି ଧରି ଅନେକ ସାରସ୍ବତ ସାଧକ ଙ୍କ ସାମାଜିକ ପରିଚିତିର ଉଦଘୋଷକ, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ, କଟକ ସିଟି ମାଜିଷ୍ଟ୍ରେଟରୁ ସେବା ନିବୃତ ପରେ ସମାଜସେବାରେ ଉତ୍ସର୍ଗୀକୃତ ସଜ୍ଜନ, ବ୍ୟକ୍ତିଗତ ଭାବେ ଆମର ପରମ ସମ୍ମାନନୀୟ ବରେଣ୍ୟ ବରଦା ପ୍ରସନ୍ନ ପଟ୍ଟନାୟକ ଆଜି ସକାଳେ ୯୨ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି ।

ତାଙ୍କର ସୁଯୋଗ୍ୟ ଜାମାତା,ଜନାଦୃତ ପ୍ରଶାସନିକ ଅଧିକାରୀ ତଥା ପ୍ରବୀଣ ସାରସ୍ବତ ସାଧକ , ଶ୍ରଦ୍ଧେୟ ସଂଗ୍ରାମ ମହାପାତ୍ର ଙ୍କ ଠାରୁ ଏହି ଦୁଃସମ୍ବାଦ ପାଇବା ପରେ ଆମେ ମର୍ମାହତ । ୧୬ ଅକ୍ଟୋବର,୧୯୩୪ ମସିହାରେ , ଠିକ୍ ଆଜିର ତିଥି ମହା ସପ୍ତମୀରେ ପବିତ୍ର ଭଦ୍ରକ ମାଟିରେ ଜନ୍ମିତ ବରେଣ୍ୟ ପଟ୍ଟନାୟକଙ୍କ ଭଳି ସକରାତ୍ମକ ମାନସିକତା ବିଜଡ଼ିତ ପ୍ରତିବଦ୍ଧତା ଧର୍ମୀ ବଦ୍ଧାନୁସୟୀ ବହୁମୁଖି ପ୍ରତିଭାସମ୍ପନ୍ନ ସଜ୍ଜନ ସାମ୍ପ୍ରତିକ ଉପଭୋକ୍ତାବାଦୀ ସ୍ବାର୍ଥ ସର୍ବସ୍ବ ସମାଜରେ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ କି ଏହି ଦିବ୍ୟାତ୍ମାଙ୍କୁ ନିଜ ଅନନ୍ତ ବକ୍ଷରେ ବ୍ରହ୍ମଲୀନ କରାନ୍ତୁ । ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।

ରକ୍ତତୀର୍ଥ ଇରମ- ସ୍ଵାଧୀନତା ସଂଗ୍ରାମର ଏକ ଅଭୂଲା ଅଧ୍ୟାୟ

ରକ୍ତତୀର୍ଥ ଇରମ- ସ୍ଵାଧୀନତା ସଂଗ୍ରାମର ଏକ ଅଭୂଲା ଅଧ୍ୟାୟ

ମହାତ୍ମା ଗାନ୍ଧୀଙ୍କର ଭାରତ ଛାଡ଼ ଆନ୍ଦୋଳନକୁ ସମର୍ଥନ ଜଣାଇ ସ୍ୱାଧୀନତା ସଂଗ୍ରାମୀମାନେ ୧୯୪୨ ମସିହାରେ ସେପ୍ଟେମ୍ବର ୨୮ ତାରିଖ ଦିନ ଇରମଠାରେ ଥିବା ‘ମେଳା ଆମ୍ବ ଗଛ’ ମୂଳେ ଏକାଠି ହୋଇଥିଲେ । ସମ୍ପୁର୍ଣ ଅହିଂସ ଭାବରେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଧାରଣ କରୁଥିଲେ । ଏହି ସମୟରେ ଅଚାନକ ଭାବରେ ବାସୁଦେବପୁର ଥାନାର ଇଂରେଜ ପୁଲିସ ଡି.ଏସ.ପି. କୁଞ୍ଜବିହାରୀ ମହାନ୍ତିଙ୍କ ନେତୃତ୍ୱରେ ସେଠାରେ ପହଞ୍ଚି ସେମାନଙ୍କ ଉପରେ ଅତର୍କିତ ଭାବରେ ଗୁଳିଚାଳନା କରିଥିଲା ।

ଏହି ଘଟଣାଟି ସନ୍ଧ୍ୟା ସାଢ଼େ ଛଅ ଘଟିକା ସମୟରେ ଘଟିଥିଲା । ଚାରିଦିଗରୁ ଘେରା ହୋଇଥିବାରୁ ଏକତ୍ର ହୋଇଥିବା ଲୋକେ କେଉଁ ଆଡେ ଯାଇପାରିଲେ ନାହିଁ । ଘଟଣାସ୍ଥଳରେ ୨୮ ଜଣ ସ୍ୱାଧୀନତା ସଂଗ୍ରାମୀ ପ୍ରାଣ ହରାଇଥିଲେ ଓ ୬୦ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ଆହତମାନଙ୍କ ମଧ୍ୟରୁ ଜଣେ ପରବର୍ତ୍ତୀ ସମୟରେ ପ୍ରାଣ ହରାଇଥିଲେ । ସମୁଦାୟ ମୃତ୍ୟୁ ସଂଖ୍ୟା ୨୯ ହୋଇଥିଲା ।

ଇଂରେଜ ପୁଲିସର କାର୍ଯ୍ୟାଳୟ ପାଢ଼ୀ ଆବାସର ଛାତ ଉପରୁ ବ୍ରିଟିଶ ପୁଲିସ ଗୁଳି ଚାଳନା କରିଥିଲା । ସେହି ପାଢ଼ୀ ଆବାସ ଏବେ ମଧ୍ୟ ସେଠାରେ ରହିଛି । ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପରି ବେୱା ଦେଶର ମୁକ୍ତି ଆନ୍ଦୋଳନର ପ୍ରଥମ ମହିଳା ଶହୀଦ , ଯାହାଙ୍କ ସଂଗ୍ରାମୀ ଇତିହାସ ସଠିକ୍ ଭାବେ ଆଲୋଚିତ ହୋଇନାହିଁ । ଛ ଦିନ ପୂର୍ବରୁ ୮୩ ବର୍ଷ ତଳେ ସେପ୍ଟେମ୍ବର ୨୨ ତାରିଖ, ୧୯୪୨ ରେ ସେହି ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଭଦ୍ରକ ଉପଖଣ୍ଡ ବା ସବ୍ ଡିଭିଜନ ର ଧାମନଗର ଥାନା ଅନ୍ତର୍ଗତ ଲୁଣିଆ ଗ୍ରାମ ର ଦୋଳପଡିଆ ର ଇତିହାସ ବା ଯୁବ ବିପ୍ଲବୀ ମୁରଲୀଧର ପଣ୍ଡା,ରାଜମୁକୁନ୍ଦପୁର ର ସଂଗ୍ରାମୀ ରାଧାଶ୍ୟାମ ରାୟମହାପାତ୍ରଙ୍କ ନେତୃତ୍ବରେ ହୋଇଥିବା ସଂଗ୍ରାମର ଇତିହାସ ଯଦି ପଢିଥାନ୍ତେ ତେବେ ବରିଷ୍ଠ ସାମ୍ବାଦିକ ଏଭଳି ତାତ୍ସଲ୍ୟ କରିନଥାନ୍ତେ ।

ଆଜିର ଦିନରେ ସେହି ଲୁଣିଆ ଗୁଳିକାଣ୍ଡ ରେ ୯ ଜଣ ସହୀଦ ସଂଗ୍ରାମୀ ଯଥା ନିଧି ମହାଳିକ, ଗୌରୀ ଜେନା,ନବ କିଶୋର ନାୟକ, ଶ୍ୟାମ ସୁନ୍ଦର ମହାଳିକ, କୃଷ୍ଣ ମହାଳିକ, ଗୋପୀନାଥ ଜେନା, ଚିନ୍ତାମଣି ଦାସ, ଶଙ୍କର ବେହେରା,ଅଗଣି ସାହୁ ଙ୍କ ଶହୀଦ ଦିବସ ରେ ସେମାନଙ୍କର ବଳିଦାନ କୁ ସ୍ମରଣ କରି, ସେମାନଙ୍କ ଲୋହିତ ଅମ୍ଲାନ ବୈପ୍ଳବିକ ସ୍ମୃତି ପ୍ରତି ଜଣାଉଛୁ କୋଟି କୋଟି ଲୋହିତ ପ୍ରଣାମ ।ପ୍ରାକୃତିକ ଗୋପନୀୟତା ଦୃଷ୍ଟିରୁ ଏହି ସ୍ଥାନଟିକୁ ପୁଲିସ ଓ ପ୍ରଶାସନର ପ୍ରବେଶ କଷ୍ଟ ଥିଲା ଏବଂ ଏହି ସ୍ଥାନଟି ସ୍ୱାଧୀନତା ସଂଗ୍ରାମୀମାନଙ୍କର ଚରାଭୂଇଁ ସାଜିଥିଲା ।

୧୯୨୦ ମସିହାରୁ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ ଆଦି ବହୁ ନେତାମାନେ ଏଠାକୁ ଆସି ଲୋକମାନଙ୍କୁ ମହାତ୍ମା ଗାନ୍ଧୀଙ୍କ ବାର୍ତା ଦେଉଥିଲେ ଓ ସ୍ୱାଧୀନତା ସଂଗ୍ରାମକୁ ତ୍ୱରାନ୍ୱୀତ କରାଉଥିଲେ । ଏଠାରେ ସ୍ୱାଧୀନତା-ଭିତ୍ତିକ କାବ୍ୟ ରଚନା କରିଥିବା କବି ବାଞ୍ଛାନିଧି ମହାନ୍ତି ଜନ୍ମଗ୍ରହଣ କରିଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ବ୍ରିଟିସ ଶାସନର ଅବସାନ କରିବା ଦିଗରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଅସହଯୋଗ ଆନ୍ଦୋଳନ ସମୟରେ ତାଙ୍କ ରଚିତ ସଙ୍ଗୀତ କଂଗ୍ରେସ ଭାବ ପ୍ରଚାର କରିବାରେ ବହୁତ ସାହାଯ୍ୟ କରିଥିଲା ।

୮୩ ବର୍ଷ ତଳେ ଯେଉଁ ବୀର ବିପ୍ଲବୀ ମାନେ ପ୍ରାଣବଳି ଦେଇଥିଲେ , ସେମାନେ ଯଥାକ୍ରମେ ବରେଣ୍ୟାପରି ବେୱା,ଇରମ, ବାସୁଦେବପୁର ,ଶହୀଦ ଗୋପାଳ ଚନ୍ଦ୍ର ଦାସ, ପଢୁଆଁ , ଶହୀଦ ବିଶ୍ୱନାଥ ଦାସ, ପଢୁଆଁ , ଶହୀଦ ବିଜୁଳି ଦାସ, ପଢୁଆଁ , ଶହୀଦ ହୃଷିକେଷ ବେହେରା, ପଢୁଆଁ , ଶହୀଦ ମଦନ ପଲାଇ, ପଢୁଆଁ , ଶହୀଦ ବଲ୍ଲଭ ବେହେରା, ପଢୁଆଁ , ଶହୀଦ ମାଘ ମାହାଳିକ, ପଢୁଆଁ , ଶହୀଦ ଭୁଆ ମାଝି, ପଢୁଆଁ , ଶହୀଦ କାଳୀ ମାଝି, ପଢୁଆଁ-କୁମାରପୁର , ଶହୀଦ ରାଧୁ ମାହାଳିକ, ପଢୁଆଁ- ମୂଳଡିହୀ , ଶହୀଦ ଧ୍ରୁବ ଚରଣ ଦେ, ପଢୁଆଁ , ଶହୀଦ ବାସୁଦେବ ସାହୁ, ପଢୁଆଁ , ଶହୀଦ ହରି ବେହେରା, ପଢୁଆଁ , ଶହୀଦ ଦିବାକର ପାଣିଗ୍ରାହୀ, ଗୁଡ, କେଶଗଡିଆ , ଶହୀଦ କୃଷ୍ଣଚନ୍ଦ୍ର ସ୍ୱାଇଁ, ପଢୁଆଁ-କୁମାରପୁର , ଶହୀଦ ଭବନ ରାଉତ, ପଢୁଆଁ- ନନ୍ଦପୁର , ଶହୀଦ ନିଧି ମାହାଳିକ, ପଢୁଆଁ , ଶହୀଦ ବୃନ୍ଦାବନ ପଣ୍ଡା, ପଢୁଆଁ , ଶହୀଦ

ଉପ ମଲ୍ଲିକ, ନୂଆ ଗାଁ , ଶହୀଦ କୃପାସିନ୍ଧୁ ବେହେରା, ଶଂଖାରୁ , ଶହୀଦ ରାମ ମାଝି, ପଢୁଆଁ-କୁମାରପୁର , ଶହୀଦ ମଣି ବେହେରା, ପଢୁଆଁ , ଶହୀଦ କତି ସାହୁ, ଈଶ୍ୱରପୁର , ଶହୀଦ

ରତ୍ନାକର ପାଣି, ସୁଦର୍ଶନପୁର , ଶହୀଦ ମଣି ପ୍ରଧାନ, ସୁଆଣ- ସୁଦର୍ଶନପୁର , ଶହୀଦ ପରି ଦାସ, ସୁଆଣ , ଶହୀଦ ଶଙ୍କର ମଲ୍ଲିକ, ଅଧୁଆଁ ଓ ଶହୀଦ ଗୋବିନ୍ଦ ରାଉତ, ଆର୍ତୁଗାଁ । ଶହୀଦ ଦିବସ ରେ ଉପରୋକ୍ତ ଶହୀଦ ବୀର ବଳିୟାର ମାନଙ୍କ ଲୋହିତ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।

ଶହୀଦ ଭଗତ ସିଂହଙ୍କର ୧୧୯ ତମ ଜୟନ୍ତୀ

ଶହୀଦ ଭଗତ ସିଂହଙ୍କର ୧୧୯ ତମ ଜୟନ୍ତୀ

ଆଜି ଶହୀଦ ଭଗତ ସିଂହଙ୍କର ୧୧୯ ତମ ଜୟନ୍ତୀ ଅବସରରେ ତାଙ୍କର ବୈପ୍ଳବିକ ସ୍ମୃତି ପ୍ରତି କୋଟି କୋଟି ଲୋହିତ ପ୍ରଣାମ । ୧୯୦୭ ମସିହା, ସେପ୍ଟେମ୍ବର ୨୮ ତାରିଖ ( କେତେକ କୁହନ୍ତି ଅକ୍ଟୋବର,୧୯,୧୯୦୭)ରେ ପିତା କିଷନ ସିଂହ ଏବଂ ମାତା ବିଦ୍ୟାବତୀଙ୍କର ଔରସରୁ ସେମାନଙ୍କ ଦ୍ୱିତୀୟ ସନ୍ତାନ ଭାବେ ଜନ୍ମଗ୍ରହଣ କରିଥିଲେ ଏହି ବିପ୍ଲବୀ ବୀର । ତାଙ୍କର ଜନ୍ମ ବେଳେ ତାଙ୍କର ବାପା ରାଜନୈତକ କାରଣରୁ କାରାଗାରରେ ଥିଲେ । ଯେବେ ଭଗତ ସିଂହଙ୍କୁ ୧୩ ବର୍ଷ ହେଲା ସେ ତାଙ୍କର ପରିବାରର ସ୍ୱାଧୀନତା ସଂଗ୍ରାମରେ ସମ୍ପୃକ୍ତି ସମ୍ପର୍କରେ ଭଲଭାବରେ ଜ୍ଞାତ ହୋଇସାରିଥିଲେ ।

୧୯୧୯ ମସିହାରେ ତାଙ୍କୁ ଯେବେ ୧୨ ବର୍ଷ ବୟସ ହୋଇଥିଲା , ସେତେବେଳେ ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡର କିଛି ଘଣ୍ଟା ପରେ ସେହି ଭୟଙ୍କର, ଲୋମହର୍ଷଣକାରୀ ଘଟଣା ସ୍ଥଳକୁ ଦେଖିବାକୁ ଯାଇଥିଲେ । ତାଙ୍କର ପିତା ସଂଗ୍ରାମୀ କିଷନଜୀ, ମହାତ୍ମା ଗାନ୍ଧୀଙ୍କର ସମର୍ଥକ ଥିଲେ । ଯେବେ ଗାନ୍ଧିଜୀ ସରକାରଙ୍କର ସଂସ୍ଥାଗୁଡ଼ିକୁ ଛାଡିବା ନିମିତ୍ତ ଡାକରା ଦେଇଥିଲେ ସେବେ ଭଗତ ସିଂହ ତାଙ୍କର ବିଦ୍ୟାଳୟ, ନ୍ୟାସନାଲ କଲେଜ ଅଫ ଲାହୋର (ଯେଉଁଠାରେ ସେ ଇଉରୋପରେ ହୋଇଥିବା ସଂଗ୍ରାମ ବିଷୟରେ ପଢୁଥିଲେ) ପରିତ୍ୟାଗ କରିଦେଇଥିଲେ ।

ସମୟାନୁକ୍ରମେ ସେ ଗାନ୍ଧୀଜୀଙ୍କର ଅହିଂସା ନୀତିରୁ ଓହରିଯାଇ ହିଂସା ଏବଂ ବନ୍ଧୁକ ମୁନରେ ହିଁ କେବଳ ରାଜନୈତିକ ସ୍ୱାଧୀନତା ମିଳିବ ବୋଲି ବିଶ୍ୱାସ ରଖିଥିଲେ , ସେତିକିବେଳେ , ଯେତେବେଳେ ଲାଲା ଲଜପତ ରାୟଙ୍କ ମୃତ୍ୟୁ ଏବଂ ସନ୍ଦର୍ଶଙ୍କୁ ହତ୍ୟା କରାଯାଇଥିଲା । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ୧୯୨୮ ମସିହାରେ ବ୍ରିଟିଶ ସରକାର ଭାରତରେ ହେଉଥିବା ରାଜନୈତିକ ବାତାବରଣର ଯାଞ୍ଚ ପରଖ କରିବା ନିମିତ୍ତ ସାଇମନ କମିଶନ ନାମକ ଏକ ଆୟୁକ୍ତ ଗଠନ କରି ଭାରତକୁ ପଠାଇଥିଲେ । କେତେକ ରାଜନୈତିକ ଦଳଗୁଡିକ ଏହି କମିଶନରେ କେହି ଭାରତୀୟ ନଥିବାରୁ ଏହାର ବହିଷ୍କାର କରିଥିଲେ । ଦେଶସାରା ଏହି କମିଶନର ପରିଭ୍ରମଣ ନିମିତ୍ତ ତୀବ୍ର ବିରୋଧ ଏବଂ ଆନ୍ଦୋଳନ କରାଯାଇଥିଲା ।

୩୦ ଅକ୍ଟୋବର ୧୯୨୮ରେ ଯେବେ ଏହି କମିଶନ ଲାହୋର ପରିଭ୍ରମଣରେ ଆସିଥିଲେ ଲାଲା ଲଜପତ ରାୟ ଏହା ବିରୁଦ୍ଧରେ ଏକ ଆନ୍ଦୋଳନ କରିଥିଲେ । ପୋଲିସ ଆନ୍ଦୋଳନକୁ ପ୍ରଶମିତ କରିବାକୁ ଚେଷ୍ଟା କରିଥିଲେ ଯାହାକି ପରେ ବଢିଯାଇ ହିଂସାର ରୂପ ଧାରଣ କରିଥିଲା । ଉପସ୍ଥିତ ବ୍ରିଟିଶ ଆରକ୍ଷୀ ଅଧିକ୍ଷକ (ପୋଲିସ ସୁପରିଟେଣ୍ଡେଣ୍ଟ )ଜେମ୍ସ ଏ. ସ୍କଟ ଲାଠି ଚାଳନାର ଆଦେଶ ଦେଇଥିଲେ, ଏବଂ ନିଜେ ଲାଲାଜୀଙ୍କୁ ଲାଠିରେ ମାରି ଗୁରୁତର ଆହତ କରିଦେଇଥିଲେ । ୧୭ ନଭେମ୍ବର ୧୯୨୮ରେ ଲାଲାଜୀ ଚିକିତ୍ସା ହେଉଥିବା ସମୟରେ କୁହାଗଲା ଯେ ସେ ହୃଦଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ ।

ମାତ୍ର ତାଙ୍କର ଚିକିତ୍ସା କରୁଥିବା ଡାକ୍ତରମାନେ କହିଲେକି ଆଘାତ ଯୋଗୁଁ ତାଙ୍କର ଶରୀରର ଅବସ୍ଥା ସଙ୍କଟାପର୍ଣ୍ଣ ହୋଇଥିଲା । ପରେ ଯେବେ ବ୍ରିଟିଶ ପାର୍ଲିଆମେଣ୍ଟରେ ଏହି ପ୍ରସଙ୍ଗଟିର ଆଲୋଚନା ପଡ଼ିଲା, ଏଥିରେ ବ୍ରିଟିଶ ସରକାରର କିଛି ହାତ ନାହିଁ କହି ଏହି ପ୍ରସଙ୍ଗଟି ଏଡ଼ାଇ ଦିଆଗଲା । ଭଗତ ସିଂହ ଲାଲାଜୀଙ୍କ ନେତୃତ୍ବ ରେ ଗଠିତ ସଙ୍ଗଠନ” ହିନ୍ଦୁସ୍ଥାନ ରିପବ୍ଲିକାନ ଆସୋସିଏସନ”ର ଜଣେ ପ୍ରମୁଖ ସଦସ୍ୟ ଥିଲେ ଏବଂ ବିଶ୍ୱାସ କରାଯାଏକି ଏହାର ନାମ ପରିବର୍ତ୍ତନରେ (ହିନ୍ଦୁସ୍ଥାନ ରିପବ୍ଲିକାନ ଆସୋସିଏସନର ନାମ ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ହୋଇଥିଲା) ।

ଏହି ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ଲାଲାଜୀଙ୍କର ବଳିଦାନର ପ୍ରତିଶୋଧ ନେବାକୁ ପ୍ରତିଜ୍ଞା ନେଲା । ଭଗତ ସିଂହ ଶିଭରାମ ରାଜଗୁରୁ, ଶୁଖଦେବ ଠାପର ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ସହ ମିଶି ଜେମ୍ସ ଏ. ସ୍କଟଙ୍କୁ ମାରିବାର ଯୋଜନା ପ୍ରସ୍ତୁତ କଲେ । କିନ୍ତୁ ଭୁଲବଶତଃ ସ୍କଟଙ୍କ ସ୍ଥାନରେ ଜନ ପି. ସନ୍ଦର୍ଶ ନାମକ ଏକ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଅଫ ପୋଲିସଙ୍କୁ ମାରିଦେଲେ । ଏହି ହତ୍ୟା ପରେ ସମାଜର ବିଭିନ୍ନ ବର୍ଗରୁ ନିନ୍ଦା ହେଲା । ମହାତ୍ମା ଗାନ୍ଧୀ ଏହାର ତୀବ୍ର ନିନ୍ଦା କରିଥିଲେ ।ସନ୍ଦର୍ଶଙ୍କୁ ହତ୍ୟା କରିବା ପରେ ଦଳଟି ଡି.ଏ.ଭି. କଲେଜର ଗେଟ ଦେଇ ବାହାରକୁ ଖସିଗଲେ ।

ଚରଣ ସିଂହ, ଯିଏ ସେମାନଙ୍କର ପିଛା କରୁଥିଲେ, ଚନ୍ଦ୍ରଶେଖର ଆଜାଦଙ୍କର ଗୁଳିରେ ଗୁରୁତର ଆହତ ହୋଇଥିଲେ । ପୋଲିସ ସେମାନଙ୍କୁ ଧରିବା ନିମିତ୍ତ ଏକ ସଶସ୍ତ୍ର ସୈନ୍ୟ ଦଳ ଗଠନ କରିଥିଲା । ଶୁଖଦେବ, ଭଗବତୀ ଚରଣ ଭୋରାଙ୍କର (ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ସଦସ୍ୟ ) ପତ୍ନୀ ଦୁର୍ଗାବତୀ ଦେବୀଙ୍କର ସାହାଯ୍ୟ ଲୋଡ଼ିଲେ । ସେମାନେ ପରଦିନ ଭୋରୁ ଭୋରୁ ଲାହୋରରୁ ବଥିଣ୍ଡା ଦେଇ ହାଓଡ଼ା ଯାଉଥିବା ଟ୍ରେନରେ ପଳେଇବାକୁ ନିଷ୍ପତି ନେଲେ ।ଭଗତ ସିଂହ ଏବଂ ରାଜଗୁରୁ ଉଭୟେ ଗୁଳିଭର୍ତ୍ତି ରିଭଲଭର ଧରି ପରଦିନ ସକାଳୁ ବାହାରିପଡିଲେ ।

ସିଂହ ତାଙ୍କର ଶିଖ ବାଳ ଏବଂ ଦାଢ଼ି କାଟି, ଏକ କଣୁଆ ହ୍ୟାଟ ସହ ପାଶ୍ଚାତ୍ୟ ବେଶଭୂଷାରେ ଥିଲେ, ସାଥିରେ ଦୁର୍ଗାବତୀ ଦେବୀ ତାଙ୍କର ଶୋଇଥିବା ଶିଶୁକୁ ଧରିଥିଲେ । ଉଭୟେ ନବ ବିବାହିତା ଦମ୍ପତି ଭଳି ଥିଲେ, ରାଜଗୁରୁ ତାଙ୍କର ଚାକର ଭଳି ବେଶରେ ସେମାନଙ୍କର ଜିନିଷପତ୍ର ବୋହିଥିଲେ । ସେମାନେ କାନପୁର ଯିବାକୁ ଥିବା ରେଳଗାଡ଼ିରେ ଚଢ଼ିଥିଲେ । କାନପୁରରେ ଓହ୍ଲାଇ ସେମାନେ ଲକ୍ଷ୍ନୋ ଯିବା ନିମିତ୍ତ ରେଳରେ ଯାଇଥିଲେ । କାରଣ ସି ଆଇ ଡି ହାଓଡ଼ାରେ ଲାହୋରରୁ ସିଧା ସେଠାକୁ ଯାଉଥିବା ରେଳଗାଡିରେ ଥିବା ଯାତ୍ରୀମାନଙ୍କର ଯାଞ୍ଚ ପରଖ କରୁଥାନ୍ତି ।

ଲକ୍ଷ୍ନୋରେ ରାଜଗୁରୁ ଅଲଗା ବାରଣାସୀ ଚାଲିଗଲେ, ଅନ୍ୟପକ୍ଷରେ ଏହି ନବ ଦମ୍ପତି ବେଶଭୁଷାଳି ଏବଂ ତାଙ୍କର ସନ୍ତାନ ହାଓଡ଼ା ଗଲେ । ସିଂହଙ୍କ ଛଡ଼ା ବାକି ସମସ୍ତେ କିଛି ଦିନପରେ ପୁଣି ଲାହୋର ଫେରିଗଲେ ।ଭଗତ ସିଂହଙ୍କର ଆଦର୍ଶ ଥିଲେ କର୍ତ୍ତାର ସିଂହ ସରାଭା, ଯିଏକି ଗର୍ଦାର ପାର୍ଟିର ପ୍ରତିଷ୍ଠାତା ଥିଲେ । ସେ ବିପ୍ଳବବାଦ ଏବଂ ସାମ୍ୟବାଦ ଆଡ଼କୁ ଆକୃଷ୍ଟ ଥିଲେ । ସେ ବହୁମାତ୍ରାରେ ପୁସ୍ତକ ପଢୁଥିଲେ । ସେ ହିନ୍ଦୁ-ମୁସଲମାନ ଭେଦଭାବ ଦେଖି ଧର୍ମ ଉପରେ ଆଙ୍ଗୁଠି ଉଠାଇଥିଲେ । ପରେ ସେ ନାସ୍ତିବାଦ ଉପରେ ବିଶ୍ୱାସ କରୁଥିଲେ । ସେ ବିଶ୍ୱାସ ରଖୁଥିଲେ କି ଗୋଟିଏ ମନୁଷ୍ୟ ବା ଲକ୍ଷ୍ୟ ଲକ୍ଷ୍ୟ ମନୁଷ୍ୟଙ୍କୁ ମାରିଦେବା ସହଜ କିନ୍ତୁ ଏକ ଚିନ୍ତାଧାରା ବା ବିଚାରକୁ ମାରିବା ଅସମ୍ଭବ ।

କବିବର ରାଧାନାଥ ରାୟଙ୍କ ପବିତ୍ର ୧୭୮ ତମ ଜୟନ୍ତୀ

କବିବର ରାଧାନାଥ ରାୟଙ୍କ ପବିତ୍ର ୧୭୮ ତମ ଜୟନ୍ତୀ

ଆଜି ଚିର ବନ୍ଦନୀୟ, ପ୍ରାତଃ ସ୍ମରଣୀୟ କବିବର ରାଧାନାଥ ରାୟଙ୍କ ପବିତ୍ର ୧୭୮ ତମ ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ୧୯୦୮ ମସିହା, ଅପ୍ରେଲ ୧୭ତାରିଖ ରାତିରେ କଟକ ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଓଡ଼ିଆ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ୧୮୬୯ ମସିହା ଠାରୁ ଏକ ନୂଆ ଅଧ୍ୟାୟ ର ସୂତ୍ରପାତ ହୋଇଥିଲା । କବିବର ରାଧାନାଥ ଏହି ସମୟରେ ସାରସ୍ଵତ ସାଧନା କରି ଓଡ଼ିଶା ର ନବ ଜାଗରଣ କୁ ଦୃଢିଭୂତ ଓ ତ୍ବରାନ୍ବିତ କରିଥିଲେ । ସେ ସେହି କାଳଖଣ୍ଡ ର କେବଳ ଧାରକ ଓ ବାହକ ନୁହନ୍ତି, ଅଧିକନ୍ତୁ ଅନ୍ୟତମ ନିର୍ମାତା ।

ଏହି ମହାନ ସାରସ୍ଵତ ସାଧକ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ସୋର ନିକଟବର୍ତ୍ତୀ କେଦାରପୁର ଗ୍ରାମରେ ୨୮ ସେପ୍ଟେମ୍ବର ୧୮୪୮ (ଆଶ୍ୱିନ ପନ୍ଦରଦିନ, ୧୭୭୧ ଶକାବ୍ଦ) ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ସୁନ୍ଦର ନାରାୟଣ ରାୟ ଓ ତାରିଣୀ ଦାସୀଙ୍କର ଜ୍ୟେଷ୍ଠ ସନ୍ତାନ ଥିଲେ । ସୁନ୍ଦର ନାରାୟଣ ଥିଲେ ଦକ୍ଷିଣ ଭାରତୀୟ କାୟସ୍ଥ ଓ ତାଙ୍କ ପୂର୍ବପୁରୁଷ ମେଦିନୀପୁର ଅନ୍ତର୍ଗତ ରାଧାନଗର ଗ୍ରାମରୁ ଆସିଥିଲେ । ତାଙ୍କର ବଂଶଗତ ଉପାଧି ଥିଲା ‘ଦେ’ ।

ସୁନ୍ଦର ନାରାୟଣ ବାଲେଶ୍ୱର କଲେକ୍ଟୋରେଟ୍‌ରେ ସଦର କାନୁନଗୋ ଥିଲେ । ଅତି ଶୈଶବରୁ ତାଙ୍କର ମାତୃ ବିୟୋଗ ଘଟିଥିଲା । ସେ ଶୈଶବରୁ ଅତ୍ୟନ୍ତ ରୋଗପ୍ରବଣ ଥିଲେ, ତେଣୁ ପାଠପଢ଼ା ତାଙ୍କର ବହୁ ସମୟ ରୋଗରେ ନଷ୍ଟ ହୋଇଥିଲା । ସେ ବାଲେଶ୍ୱର ଜିଲ୍ଲାସ୍କୁଲରୁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ, ସେ ସମୟରେ କଟକର ଉଚ୍ଚତର ଶିକ୍ଷା ନିମନ୍ତେ କଲେଜ୍ ନଥିବାରୁ, କଲିକତାକୁ ଏଫ୍. ଏ. ପଢ଼ିବାକୁ ଗଲେ । ସେଠାରେ ସ୍ୱାସ୍ଥ୍ୟହାନି ଘଟିବାରୁ ଉଚ୍ଚଶିକ୍ଷାକୁ ଜଳାଞ୍ଜଳି ଦେଇ ତାଙ୍କୁ ଶୀଘ୍ର ସେଠାରୁ ଫେରିଆସିବାକୁ ହେଲା ।

କିଛିଦିନ ପରେ ସେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ମାସିକ ୩ ଟଙ୍କା ବେତନରେ ତୃତୀୟ ଶିକ୍ଷକ ପଦରେ ନିୟୁକ୍ତ ହେଲେ । କଲେଜରେ ପଢ଼ିବା ସୁବିଧା ଆଉ ନଘଟିବାରୁ ସେ ନିଜ ଯତ୍ନରେ ଘରେ ପାଠ ପଢ଼ି ଏଫ୍.ଏ. ପାସ୍ କରିଥିଲେ ଓ ବି.ଏ. ପରୀକ୍ଷାରେ ସମସ୍ତ ପାଠ୍ୟ ନିଜ ଉଦ୍ୟମରେ ଘରେ ପଢ଼ିଥିଲେ । ତତ୍କାଳୀନ ବିଖ୍ୟାତ ପଣ୍ଡିତ ସଦାଶିବ ନନ୍ଦଙ୍କ ପାଖରେ ରାଧାନାଥ, ଫକୀରମୋହନଙ୍କ ସହିତ ସଂସ୍କୃତ କାବ୍ୟ ନାଟକାଦି ଅଧ୍ୟୟନ କରି ସେଥିରେ ପାଣ୍ଡିତ୍ୟ ଅର୍ଜ୍ଜନ କରିଥିଲେ । ବାଲେଶ୍ୱର ଜିଲ୍ଲା ସ୍କୁଲରେ ରାଧାନାଥ ୫ ବର୍ଷକାଳ ଚାକିରୀ କରିଥିଲେ ଓ ଏହି ସମୟରେ ରେମୁଣା ଗ୍ରାମର ଆଦିତ୍ୟ ବଂଶର ଚନ୍ଦ୍ରମୋହନ ଆଦିତ୍ୟଙ୍କ କନ୍ୟା ପରଶମଣିଙ୍କ ସହିତ ରାଧାନାଥଙ୍କ ବିବାହ ସମ୍ପନ୍ନ ହୋଇଥିଲା ।

ଏହା ପରେ ସେ ଦ୍ୱିତୀୟ ଶିକ୍ଷକ ପଦରେ ପୁରୀଜିଲ୍ଲା ସ୍କୁଲକୁ ବଦଳି ହେଲେ ଓ ସେଠାରେ ଭକ୍ତକବି ମଧୁସୂଦନ ରାଓ ତାଙ୍କର ଛାତ୍ର ଥିଲେ । ପୁରୀରୁ ସେବାଙ୍କୁଡ଼ାକୁ ବଦଳି ହେଲେ ଓ ସେଠାରୁ ୧୮୭୬ରେ ସ୍କୁଲ ବିଭାଗୀୟ ଡ଼େପୁଟି ଇନ୍ସପେକ୍ଟର୍ ପଦରେ ବାଲେଶ୍ୱର ଜିଲ୍ଲାକୁ ଫେରି ଆସିଲେ । ରାଧାନାଥ ତାଙ୍କ ସାହିତ୍ୟସେବାର ଓ ଉତ୍କଳର ଶିକ୍ଷା ବିସ୍ତାର ପ୍ରତି ସ୍ପୃହାର ପୁରସ୍କାରସ୍ୱରୂପ ଗଭର୍ଣ୍ଣମେଣ୍ଟ୍ ତାଙ୍କୁ ରାୟ ବାହାଦୁର ଉପାଧିରେ ଭୂଷିତ କରିଥିଲେ । ଗଡ଼ଜାତ ଭ୍ରମଣରୁ ଫେରି ଜ୍ୱର ରୋଗରେ ଆକ୍ରାନ୍ତ ହୋଇ ସେ ୧୯୦୮ ସାଲ ଅପ୍ରେଲ ମାସ ୧୭ ତାରିଖରେ ମୃତ୍ୟୁ ବରଣ କରିଥିଲେ ।
ରାଧାନାଥ ଓଡ଼ିଆ ଭାଷାରେ ଲେଖିବା ପୂର୍ବରୁ ବଙ୍ଗଳା ଭାଷାରେ କବିତା ଲେଖୁଥିଲେ । ବଙ୍ଗଳା ସାହିତ୍ୟିକ ଭୂଦେବ ମୁଖପାଧ୍ୟାୟ ଙ୍କ ପ୍ରରୋଚନାରେ ସେ ଓଡ଼ିଆ ଭାଷାରେ ଲେଖିବା ଆରମ୍ଭ କରିଥିଲେ । ସେ ସର୍ବଦା ମସିଣାରେ ବସି ଏକ ବାକ୍ସ ଉପରେ ଲେଖୁଥିଲେ । ଉତ୍କଳର ଦର୍ଶନୀୟ ହ୍ରଦ, ପୁଷ୍କରିଣୀ, ପର୍ବତ, ନିର୍ଝର, ନଦୀ, ବନ, ଗ୍ରାମ. ଉଦ୍ୟାନ, ବୃକ୍ଷ, ଲତା, ଆଦି ପ୍ରାକୃତିକ ଦୃଶ୍ୟ ଓ ଐତିହାସିକ ବିଷୟକୁ ସେ ଲିପିବଦ୍ଧ କରି ଯାଇଅଛନ୍ତି ।

ତାଙ୍କର ଖଣ୍ଡିଏ ଗଦ୍ୟ ଉପନ୍ୟାସ (ଇତାଲୀୟ ଯୁବା) ଓ ବିବେକୀ ନାମକ ପ୍ରବନ୍ଧ ଏବଂ କେତେଗୁଡ଼ିଏ ପାଠ୍ୟ ପୁସ୍ତକ ଛଡ଼ା ଆଉ ସବୁ ରଚନା ପଦ୍ୟ । ୧୮୭୩ରେ ପ୍ରକାଶିତ ବିବେକୀ ତାଙ୍କର ପ୍ରଥମ ଓଡ଼ିଆ ସୃଷ୍ଟି । ଅନେକ କାବ୍ୟ ସୃଷ୍ଟି ଯଥା କେଦାରଗୌରୀ (୧୮୮୫),ଚନ୍ଦ୍ରଭାଗା (୧୮୮୬), ନନ୍ଦିକେଶ୍ୱରୀ (୧୮୮୭),ଉଷା (୧୮୮୮),ପାର୍ବତୀ (୧୮୯୦)
ଚିଲିକା (୧୮୯୧),ମହାଯାତ୍ରା (୧୮୯୧-୯୨),ଦରବାର(୧୮୯୭) ଏବଂ କବିତା ସଙ୍କଳନ ମଧ୍ୟରେ ତୁଳସୀ ସ୍ତବକ (୧୮୯୪),
ଯଯାତିକେଶରୀ (୧୮୯୪),ଉର୍ବଶୀ (୧୮୯୫),ଦଶରଥ ବିୟୋଗ (୧୯୦୧),ଭାରତ ଗୀତିକା (୧୯୦୩),ଧବଳେଶ୍ୱର ସ୍ତୋତ୍ରମ(୧୯୦୩),ସାବିତ୍ରୀ ଚରିତ୍ର (୧୯୦୬)ତିନିବନ୍ଧୁ (୧୮୯୮)
ବନ୍ଦନା (୧୯୧୧),ନିବେଦନ (୧୯୧୧),ପ୍ରତାପରୁଦ୍ର (୧୯୧୧)


ଶ୍ମଶାନ ଦୃଶ୍ୟ (୧୯୦୪),ଏକାଗ୍ରତା। (୧୯୦୪)ଦୁର୍ଯ୍ୟେଧନ ର ରକ୍ତନଦୀ ସନ୍ତରଣ(୧୯୦୫) ଓଡ଼ିଆ ବାଣୀ ଭଣ୍ଡାରୀର ଅମୃତ ଅମ୍ଲାନ ପଣ୍ୟ । ରାଧାନାଥଙ୍କ ପ୍ରକୃଷ୍ଟ ଗଦ୍ୟ ରଚନାର ଶକ୍ତିଶାଳୀ ଉଦାହରଣ ହୋଉଛି “ବିବେକୀ”। କବିଙ୍କର ମୌଳିକ ଭାବ ଓ ଦାର୍ଶନିକ ଚିନ୍ତାଧାରା ଏହି ପ୍ରବନ୍ଧରେ ପ୍ରକାଶ ପାଇଛି।ଓଡ଼ିଆ ପ୍ରବନ୍ଧ ସାହିତ୍ୟଏହା ଏକ ଗୌରବମୟ ସୃଷ୍ଟି ଭାବରେ ପରିଚିତ । ରାଧାନାଥ ରାୟଙ୍କ ବ୍ୟକ୍ତିତ୍ୱର ସମ୍ପର୍କରେ ଏହା ଧାରଣା ପ୍ରଦାନ କରେ। ସେହିପରି କବିଵରଙ୍କର ‘ଇତାଲୀୟ ଯୁବା’ହେଉଛିଏକ ବିଦେଶୀ ଗଳ୍ପର ରୂପାନ୍ତର । ରାଧାନାଥ ରାୟଙ୍କ ଗଦ୍ୟ ରଚନା କ୍ଷେତ୍ରରେ ଏହା ଏକ ଅମଳିନ ସୃଷ୍ଟି ।

ଏହା ୧୮୭୩ମସିହାରେ ପ୍ରଥମେ ‘ଉତ୍କଳଦର୍ପଣ’ ପତ୍ରିକାରେ ପ୍ରକାଶ ପାଇଥିଲା ,ଓଡ଼ିଆ ଗଦ୍ୟ ସାହିତ୍ୟର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ସୃଷ୍ଟି ହୋଇଥିଲା। ଏହା ଏକ ପ୍ରେମ ମୂଳକ ଗଳ୍ପ , ଯେଉଁଥିରେ ଏକ ପାଶ୍ଚାତ୍ୟ ପ୍ରଣୟ କାହାଣୀ ରୂପ ପାଇଛି । ରାଧାନାଥ ରାୟଙ୍କ ପାଶ୍ଚାତ୍ୟ ସାହିତ୍ୟଦ୍ୱାରା ଅନୁପ୍ରାଣିତ ହୋଇ ଏହା ରଚନା କରିଥିଲେ ।ତାଙ୍କର ପାଶ୍ଚାତ୍ୟ ସାହିତ୍ୟ ପ୍ରୀତି ଏଥିରେ ସୁସ୍ପଷ୍ଟ । ସେହିପରି ରାଧାନାଥ ପ୍ରାଚ୍ୟ-ପାଶ୍ଚାତ୍ୟ ସମନ୍ୱୟମୂଳକ ଯେଉଁ ଛଅଗୋଟିକାବ୍ୟ ରଚନା କରିଥିଲେ, ତନ୍ମଧ୍ୟରୁ କେଦାରଗୌରୀ ହେଉଛି ଅନ୍ୟତମ ।ପ୍ରାଚ୍ୟ-ପାଶ୍ଚାତ୍ୟ ସାହିତ୍ୟର କଳାଗତ ସୁଷମାର ଏହା ମହିମାମଣ୍ଡିତ ହୋଇଅଛି ।

ରାଧାନାଥ ରାୟ ଗ୍ରୀକ କବି ଓଭିଡ଼ଙ୍କର ମେଟମରଫସିସ କାବ୍ୟର ଗୋଟିଏ ଗଳ୍ପ “The Legend Of Thisbe Of Babylon” ଅବଲମ୍ବନରେ ରଚିତ ସେକ୍ସପଅରଙ୍କ”Mid Summer Night’s Dream”ନାଟକ “Pvramus And Thisbe” ଅବଲମ୍ବନରେ ଏହା ରଚନା କରିଛନ୍ତି । ପାଶ୍ଚାତ୍ୟର କଥା ବସ୍ତୁକୁ ସେ ଓଡ଼ିଶାର କେଦାର ଗୌରୀଚରିତ୍ର ସହିତ ସାମିଲ କରି କାବ୍ୟିକ ସୌନ୍ଦର୍ଯ୍ୟ ପ୍ରତିପାଦନ କରିପାରିଛନ୍ତି । ଭୁବନେଶ୍ୱରର କେଦାରଗୌରୀ ଓ ଉପାଖ୍ୟାନ ଏଥିରେ ପ୍ରକାଶ ପାଇଛି । ଏହା ଏକ ଛୋଟକାବ୍ୟ ହେଲେ ମଧ୍ୟ ଏଥିରୁ ରାଧାନାଥ ରାୟଙ୍କ କବି ପ୍ରତିଭାର ଯଥାର୍ଥ ପରିଚୟ ମିଳିଥାଏ ।

ଭାରତ ବିକାଶ ପରିଷଦ ସେଣ୍ଟ୍ରାଲ ବ୍ରାଞ୍ଚ ଭୁବନେଶ୍ବର ପକ୍ଷରୁ  ଭବ୍ୟ କନ୍ୟା ପୂଜନ ଉତ୍ସବ

ଭାରତ ବିକାଶ ପରିଷଦ ସେଣ୍ଟ୍ରାଲ ବ୍ରାଞ୍ଚ ଭୁବନେଶ୍ବର ପକ୍ଷରୁ ଭବ୍ୟ କନ୍ୟା ପୂଜନ ଉତ୍ସବ

ଭାରତ ବିକାଶ ପରିଷଦ ଭୁବନେଶ୍ବର ସେଣ୍ଟ୍ରାଲ ବ୍ରାଞ୍ଚ ପକ୍ଷରୁ ଏକ ଭବ୍ୟ କନ୍ୟା ପୂଜନ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ୩୭ ଜଣ ଛୋଟ ଝିଅଙ୍କୁ ଦେବୀ ଦୁର୍ଗାଙ୍କ ରୂପେ ଝାରପଡ଼ାସ୍ଥିତ ଭାରତୀ ବିଦ୍ୟାମନ୍ଦିର ସ୍କୁଲରେ ପୂଜା କରାଯାଇଥିଲା। ଝିଅମାନଙ୍କୁ ସୁନ୍ଦର ଭାବେ ସଜାଇ ଫୁଲ, ଆଳତି ଓ ଭୋଗ ପ୍ରଦାନ କରାଯାଇଥିଲା। ସଦସ୍ୟମାନେ ଉତ୍ସାହର ସହ ଏହି ଧାର୍ମିକ ରୀତିନୀତିରେ ଅଂଶଗ୍ରହଣ କରିଥିଲେ। ଝିଅମାନେ କ୍ୟାସେଟର ସଙ୍ଗୀତରେ ମନୋଜ୍ଞ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ଜିଣିଥିଲେ। ପ୍ରତ୍ୟେକ ଝିଅଙ୍କୁ ଆକର୍ଷଣୀୟ ଉପହାର ଦିଆଯାଇ ସମ୍ମାନିତ କରାଯାଇଥିଲା।

ଉତ୍ସବରେ ଶାଖା ଅଧ୍ୟକ୍ଷ ଡକ୍ଟର ରାଉତ, ଏମବିଏସ ସଂଯୋଜକ ଗୀତା ରାଉତ, ବରିଷ୍ଠ ସଦସ୍ୟା ସଙ୍ଗୀତା ଦାଶ, ପୂର୍ବତନ ଜାତୀୟ କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ଏସ.ଏନ. ପଣ୍ଡା ଓ ଗୀତା ପଟ୍ଟନାୟକ ସମେତ ଅନେକ ମହିଳା ସଦସ୍ୟ ଉପସ୍ଥିତ ଥିଲେ। କନ୍ୟା ପୂଜନର ଗୁରୁତ୍ୱ ଓ ଝିଅମାନଙ୍କ ପ୍ରତି ସମ୍ମାନ ସମ୍ପର୍କରେ ସମସ୍ତଙ୍କୁ ବିସ୍ତୃତ ଭାବେ ବୁଝାଇ ଦିଆଯାଇଥିଲା। ଏହି ଉତ୍ସବ ଝିଅମାନଙ୍କୁ ଶକ୍ତି ଓ ପବିତ୍ରତାର ପ୍ରତୀକ ରୂପେ ଉପସ୍ଥାପନ କରି ସମାଜରେ ସ୍ତ୍ରୀ-ପୁରୁଷ ସମାନତାର ବାର୍ତ୍ତା ପ୍ରଚାର କରେ। ଏହା ଝିଅମାନଙ୍କୁ ସମ୍ମାନ, ସୁରକ୍ଷା ଓ ସମାନ ଅଧିକାର ପ୍ରଦାନର ଆହ୍ୱାନ ଦେଇଥାଏ।

ସ୍କୁଲର ଶିକ୍ଷକମାନଙ୍କ ସହଯୋଗ ଏହି କାର୍ଯ୍ୟକ୍ରମକୁ ଅତ୍ୟନ୍ତ ସଫଳ ଓ ଅର୍ଥପୂର୍ଣ୍ଣ କରିଥିଲା। ଏହି ଉତ୍ସବ ସମାଜରେ ଝିଅମାନଙ୍କ ପ୍ରତି ସଚେତନତା ଓ ସମ୍ମାନ ବୃଦ୍ଧି କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି। ଏହା ସମାଜକୁ ମହିଳା ଶକ୍ତିର ମହତ୍ତ୍ୱ ବୁଝାଇ ଏକ ସୁନ୍ଦର ଭବିଷ୍ୟତ ଗଠନରେ ସହାୟକ ହେବ।

ଅତିଥିମାନେ କହିଥିଲେ କନ୍ୟା ପୂଜନ ଏହା ଶିକ୍ଷା ଦିଏ ଯେ ଝିଅମାନେ ହେଉଛନ୍ତି ଶକ୍ତି ଓ ପବିତ୍ରତାର ପ୍ରତୀକ। ଏହା ସମାଜକୁ ଝିଅମାନଙ୍କୁ ସମ୍ମାନ, ସୁରକ୍ଷା ଓ ସମାନ ଅଧିକାର ଦେବାର ବାର୍ତ୍ତା ଦିଏ।

ହିନ୍ଦୁ ଧର୍ମରେ ଛୋଟ ଝିଅମାନଙ୍କୁ ଦେବୀ ଦୁର୍ଗାଙ୍କ ପବିତ୍ର ରୂପ ବୋଲି ମାନାଯାଏ। କନ୍ୟା ପୂଜନ ମାଧ୍ୟମରେ ସେମାନଙ୍କୁ ସମ୍ମାନ ଦିଆଯାଏ ଓ ଦେବୀଙ୍କ ଆଶୀର୍ବାଦ ପାଇଁ ପ୍ରାର୍ଥନା କରାଯାଏ। ଏହା ସମାଜରେ ଝିଅମାନଙ୍କ ଗୁରୁତ୍ୱ ଓ ସମ୍ମାନକୁ ମଧ୍ୟ ଦର୍ଶାଇଥାଏ।