ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସମ୍ବଲପୁରରେ ‘ସେବା ପକ୍ଷ’ ପାଳିଲେ କେନ୍ଦ୍ରମନ୍ତ୍ରୀ

September 17, 2025 · By R P 1 min read
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସମ୍ବଲପୁରରେ ‘ସେବା ପକ୍ଷ’ ପାଳିଲେ କେନ୍ଦ୍ରମନ୍ତ୍ରୀ

ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଜନନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନିଜ ସଂସଦୀୟ କ୍ଷେତ୍ର ସମ୍ବଲପୁରରେ ‘ସେବା ପକ୍ଷ’ ପାଳନ କରିବା ସହ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ।

ଶ୍ରୀ ପ୍ରଧାନ ଆଜି ପ୍ରଥମେ ସମ୍ବଲପୁର ସୈନିକ ସ୍କୁଲ ପରିସରରେ ‘ସେବା ପକ୍ଷ’ କାର୍ଯ୍ୟକ୍ରମ ଅଧୀନରେ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ନାଗରିକ ଓ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନଙ୍କ ସହ ବୃକ୍ଷରୋପଣ କରିଥିଲେ । ପରେ ବିଜେପି ଯୁବ ମୋର୍ଚ୍ଚା ଦ୍ୱାରା ଆୟୋଜିତ ଏକ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ସମ୍ବଲପୁର ଦେବେଇପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନରେ ଯୋଗଦେଇ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା କାର୍ଡ ଓ ଟିବି ରୋଗୀଙ୍କୁ ପୁଷ୍ଟି କିଟ୍ ବିତରଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ସେଠାରେ ଆୟୋଜିତ ସ୍ୱାସ୍ଥ୍ୟସେବା ଶିବିର ଓ ରକ୍ତଦାନ ଶିବିରରେ ସାମିଲ ହୋଇଥିଲେ । ଏହିପରି କାର୍ଯ୍ୟକ୍ରମ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହିତ ଲୋକଙ୍କୁ ସେବା କରିବା ପାଇଁ ପ୍ରେରିତ କରିବ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି, “ଏକ୍ ପେଡ୍ ମା’ କେ ନାମ୍” ପ୍ରଧାନମନ୍ତ୍ରୀଙ୍କ ଏକ ଭାବନାତ୍ମକ ବିଚାର । ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା କରିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଗଛ ଲଗାଇବା ପାଇଁ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । ଏହା କେବଳ ଏକ ଗଛ ନୁହେଁ, ବରଂ ମାଆଙ୍କ ପ୍ରତି ଥିବା ଆମର ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାର ପ୍ରମାଣ । ଏହା ଧରିତ୍ରୀ ମା’ ପ୍ରତି ଆମର ସମ୍ମାନ ଏବଂ ନିବିଡ଼ତାର ପ୍ରତୀକ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଓଡ଼ିଶାରେ ଏକ୍ ପେଡ୍ ମା’ କେ ନାମ ୨.୦ ଅଭିଯାନରେ ୭୫ ଲକ୍ଷ ଚାରାରୋପଣ କରାଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ସମ୍ବଲପୁର ଜିଲ୍ଲାରେ କେବଳ ସାଢେ ୪ ଲକ୍ଷ ଗଛ ଲଗାଯିବ । ସମ୍ବଲପୁରର ସୈନିକ ସ୍କୁଲରେ ମଧ୍ୟ ବନୀକରଣ କରିବା ପାଇଁ ସମସ୍ତେ ଆଜି ଗଛ ଲଗାଇଛନ୍ତି । ଏହି କାମରେ ସହଯୋଗୀ ହୋଇଥିବା ସ୍ୱେଚ୍ଛାସେବୀ, ଜଙ୍ଗଲ ବିଭାଗ, ଶିକ୍ଷାନୁଷ୍ଠାନ ବିଭାଗ ଓ ପ୍ରଶାସନିକ ବିଭାଗକୁ ସେ ଧନ୍ୟବାଦ ଜଣାଇଛନ୍ତି ।
ସେ ଆହୁରି କହିଛନ୍ତି, ସେବା ହିଁ ସର୍ବୋପରି । ସମାଜର ପ୍ରତ୍ୟେକ ବର୍ଗଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେହିପରି ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ କରୁଥିବା ସମସ୍ତ ଯୁବ ସ୍ୱେଚ୍ଛାସେବୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହଛନ୍ତି, ରକ୍ତଦାନ ମହାପୁଣ୍ୟ । ଏହି ମହାନ କାର୍ଯ୍ୟରେ ଯୋଗଦେଇଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଧନ୍ୟବାଦ ।

ପ୍ରକାଶ ଥାଉକି, ସମ୍ବଲପୁର ସୈନିକ ସ୍କୁଲ ପରିସରରେ ଶ୍ରୀ ପ୍ରଧାନ ବୀର ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Read Next