ବରିଷ୍ଠ ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗ ରେ ସିପିଆଇ ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ଦ୍ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଓଡ଼ିଶା ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ ମିଶ୍ର କହିଛନ୍ତିଯେ, ପ୍ରୟାତ ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଚାରିଥର ଓଡିଶାର ବିଧାୟକ ଭାବେ ନିର୍ବାଚିତ ହୋଇ ଆଦିବାସୀ ସମ୍ପ୍ରଦାୟର ଅଧିକାର ପାଇଁ ପ୍ରତିବଦ୍ଧତା ସହ ଲଢିଥିଲେ। ମାତ୍ର ୬୭ ବର୍ଷ ବୟସରେ ତାଙ୍କର ବିୟୋଗ ଫଳରେ ଓଡ଼ିଶା ଆଦିବାସୀ ମାନଙ୍କ ଜଣେ ଲତୁଆ ନେତାଙ୍କୁ ହରାଇଲା । ତାଙ୍କର ଶୋକସନ୍ତପ୍ତ ବନ୍ଧୁ ଓ ପରିବାରବର୍ଗଙ୍କ ପ୍ରତି ସିପିଆଇ ସମବେଦନା ଜଣାଉଛି`
ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ପୂର୍ବତନ ତଥା ୪ ଥରର ବିଧାୟକ, ବିଶିଷ୍ଟ ଶ୍ରମିକ ଓ ଆଦିବାସୀ ନେତା ଜର୍ଜ ତିର୍କୀ ଆଉନାହାନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି। ଶନିବାର ବିଧାନସଭା ପରିସରରେ ଜର୍ଜ ତିର୍କୀଙ୍କୁ ଦିଆଯାଇଛି ଗାର୍ଡ ଅଫ ଅନର୍। ଏହା ସହିତ ଜର୍ଜ ତିର୍କୀଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସମେତ ବିଧାନସଭାର ଉପସ୍ଥିତ ସମସ୍ତ ସଦସ୍ୟ ମଧ୍ୟ ଶେଷ ଦର୍ଶନ କରି ଗଭୀର ଶୋକ ପ୍ରକାଶ କରିଛନ୍ତି।
ଜର୍ଜ ତିର୍କୀ ସୁନ୍ଦରଗଡ ଜିଲା ବୀରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୯୯୫,୨୦୦୦,୨୦୦୯ଓ୨୦୧୪ରେ ଓଡ଼ିଶା ବିଧାନସଭାକୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସୁନ୍ଦରଗଡ ଜିଲାର ଆଦିବାସୀ ମାନଙ୍କ ଜଳ,ଜମି ,ଜଙ୍ଗଲ ଅଧିକାର ପାଇଁ ସେ ଲଢ଼େଇ କରି ଆସୁଥିଲେ। ସେ କିଛି ମାସ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିବାରୁ ତାଙ୍କୁ ପ୍ରଥମେ ରାଉରକେଲା ଓ ପରେ ସେଠାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ଶେଷକୃତ୍ୟ ବୀରମିତ୍ରପୁର ଝୁନୁମୁରସ୍ଥିତ ତାଙ୍କ ପୈତୃକ ଗ୍ରାମରେ ସମ୍ପନ୍ନ ହେବ। ତାଙ୍କ ପରଲୋକରେ ସୁନ୍ଦରଗଡ ଜିଲା ତଥା ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।