୮୩ ବର୍ଷ ତଳେ ଆଜିଦିନର ଇତିହାସ-
ବିଗତ ୪୫ ବର୍ଷ ଧରି ଆମେ ହଜାରରୁ ଉର୍ଦ୍ଧ୍ବ ଥର ଲେଖି ଓ କହି ଆସିଛୁ ଯେ ଓଡ଼ିଶାର ବା ଓଡ଼ିଆଙ୍କର ସଠିକ୍ ଇତିହାସ ଏଯାବତ୍ ଲେଖା ଯାଇପାରିଲା ନାହିଁ । ଏହାର କାରଣ ମଧ୍ୟ ଉଲ୍ଲେଖକରି କହିଆସିଛୁଯେ ” ବିଜେତା ଯେବେ ପରାଜିତର ଇତିହାସ ଲେଖେ, ତେବେ ସେ ନିଜକୁ ମହାନ୍ ବା ମହିମା ମଣ୍ଡିତ କରିଥାଏ ଓ ପରାଜିତ କୁ ନଗଣ୍ୟ ଅର୍ଥାତ୍ ମସିଲିପ୍ତ କରିଥାଏ” , ଏହା ଏକ ସ୍ବାଭାବିକ ପ୍ରକ୍ରିୟା,ଯାହା ଓଡ଼ିଶା ଇତିହାସ ରଚନା କ୍ଷେତ୍ରରେ ପ୍ରତିଫଳିତ ହୋଇଛି ।
ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ, ଏପରିକି ସ୍ଵାଧୀନୋତ୍ତର ଓଡ଼ିଶାରେ ଏଥିପ୍ରତି ଧ୍ୟାନ ଦିଆଗଲା ନାହିଁ । ଆମର ଇତିହାସ ଛାତ୍ର, ଅଧ୍ୟାପକ, ପ୍ରାଧ୍ୟାପକ, ଆଚାର୍ଯ୍ୟ,ପ୍ରାଚାର୍ଯ୍ୟ ବର୍ଗ ଓଡ଼ିଆ ବିଦ୍ଵେଷୀ ଙ୍କ ଦ୍ଵାରା ଲିଖିତ ଇତିହାସ କୁ ପଢି, ତାକୁ ” ଖଡା ବଡ଼ି,ଯୋଡ଼ି,ଶାଗ,ମୁଗ,ବଡ଼ି,ଥୋଡି,ଖଡା” ଲେଖି ଗବେଷକ ହୋଇ , ତଥାକଥିତ ପିଏଚଡ଼ି,ଡିଲିଟ୍ ପାଇ, ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ ରେ ପ୍ରଫେସର ବିଶେଷଣ ରେ ବିଭୂଷିତ ହୋଇ ସମାଜର ସମ୍ମାନ,ଧନ,ଏନଜିଓ ଧର୍ମୀ ପ୍ରତିଷ୍ଠାନ,ନ୍ୟାସ, ଅନୁଷ୍ଠାନ, ଇନଷ୍ଟିଚୁ୍ୟୁଟ, ରିସର୍ଚ୍ଚ ସଂଜ୍ଞା ଦେଇ ପ୍ରଚୁର ଅର୍ଥ ରୋଜଗାର କରି ମଉଜ କରିଆସୁଛନ୍ତି ।
ଓଡ଼ିଶାର ସଠିକ୍ ଇତିହାସ ଉପରେ ଗବେଷଣା କରି ପ୍ରାମାଣିକ ତଥ୍ୟ ସନ୍ନିବେଶିତ କରି ଇତିହାସ ସୃଷ୍ଟି କରାଗଲା ନାହିଁ । ଏହି ମିଥ୍ୟା ଇତିହାସ ପଢି ଜଣେ ଆମର ସମ୍ମାନାଷ୍ପଦ ବରିଷ୍ଠ ସାମ୍ବାଦିକ ଜୟଦେବ ଭବନ ସମ୍ମୁଖରେ ଏକ ଆଲୋଚନା ରେ ଆମକୁ ଠିକ୍ ଶହେ ବର୍ଷ ତଳେ ଜଣେ ବଙ୍ଗୀୟ ଐତିହାସିକ କହୁଥିବା ଭାଷାରେ କହିଲେ ତମେ ଏତେ ଓଡ଼ିଆ, ଓଡ଼ିଆ ହେଉଛ, ଓଡ଼ିଆ ଙ୍କ ର ଭାରତ ସ୍ବାଧୀନତା ସଂଗ୍ରାମ ରେ ଅବଦାନ କ’ଣ ? ତାଙ୍କ ତାତ୍ସଲ୍ୟ କୁ ତାଙ୍କ ସହିତ ସର୍ବଦା ବସାଉଠା କରୁଥିବା ଅନ୍ୟ ଜଣେ ବରିଷ୍ଠ ସାମ୍ବାଦିକ ମଧ୍ୟ ପାଳି ଧରି ତାତ୍ସଲ୍ୟର ଭାଷା ବ୍ୟବହାର କରିବାରୁ ଆମେ ଅନେକ ପ୍ରାମାଣିକ ତଥ୍ୟ ଉଲ୍ଲେଖ କରିବାରୁ ସେ ଦୁହେଁ କହିଲେ ” ଦେଖାଓ,କୋଉ ଇତିହାସ ରେ ଲେଖା ଯାଇଛି ? ” ।
ଇତିହାସ କେବେ ରାଜା, ମହାରାଜା, ରାଷ୍ଟ୍ର ମୁଖ୍ୟ ର ଜୟ, ପରାଜୟ ର ବିବରଣୀ ନୁହେଁ, ସାଧାରଣ ମଣିଷ ର ଜୀବନଚର୍ଯ୍ୟାର କ୍ରମାନ୍ୱୟରେ ସୂଚିତ ତଥ୍ୟ । ଇତି ଅର୍ଥ ଶେଷ ବା ଅତୀତ, ହାସ ଅର୍ଥ କଥା । ୧୯୨୫ ମସିହାରେ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଐକାନ୍ତିକ ଅନୁଗାମୀ, ସାଥୀ, ସହଯୋଗୀ , ମହାନ୍ ଐତିହାସିକ, ଗବେଷକ, ଜନାଦୃତ ଅଧିବକ୍ତା, ବିହାର- ଓଡ଼ିଶା ବିଧାନ ସଭାର ସଦସ୍ୟ ପ୍ରାତଃ ସ୍ମରଣୀୟ ଜଗବନ୍ଧୁ ସିଂହ ତାଙ୍କର ” ପ୍ରାଚୀନ ଉତ୍କଳ” ପୁସ୍ତକ ରେ ଶହଶହ ଉଦାହରଣୀୟ ତଥ୍ୟାର୍ପଣ କରି ଯାଇଛନ୍ତି ।
୮୩ ବର୍ଷ ତଳର,ଆଜିର ଇତିହାସ କୁ ଭାରତ ଇତିହାସ ଯଥୋଚିତ ଗୁରୁତ୍ୱ ଦେଇଛିକି ? ୧୯୪୨ ମସିହା ଭାରତଛାଡ ଆନ୍ଦୋଳନ , ମହାତ୍ମାଗାନ୍ଧୀ ଙ୍କ ” କର ବା ମର ” ଆହ୍ବାନ ରେ ଓଡ଼ିଶା ରେ ପ୍ରତିଧ୍ବନିତ ହୋଇଥିବା ଆନ୍ଦୋଳନ ର ଇତିହାସ ସଠିକ୍ ତଥ୍ୟ ସନ୍ନିବେଶିତ ହୋଇ ଭାରତ ଇତିହାସରେ ସ୍ଥାନିତ ହୋଇନାହିଁ ।
୮୩ ବର୍ଷ ତଳେ ଆଜିର ତାରିଖରେ ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖ,୧୯୪୨ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଭଦ୍ରକ ଉପଖଣ୍ଡ ବା ସବ୍ ଡିଭିଜନ ର ଧାମନଗର ଥାନା ଅନ୍ତର୍ଗତ ଲୁଣିଆ ଗ୍ରାମ ର ଦୋଳପଡିଆ ର ଇତିହାସ ବା ଯୁବ ବିପ୍ଲବୀ ମୁରଲୀଧର ପଣ୍ଡା,ରାଜମୁକୁନ୍ଦପୁର ର ସଂଗ୍ରାମୀ ରାଧାଶ୍ୟାମ ରାୟମହାପାତ୍ରଙ୍କ ନେତୃତ୍ବରେ ହୋଇଥିବା ସଂଗ୍ରାମର ଇତିହାସ ଯଦି ପଢିଥାନ୍ତେ ତେବେ ବରିଷ୍ଠ ସାମ୍ବାଦିକ ଏଭଳି ତାତ୍ସଲ୍ୟ କରିନଥାନ୍ତେ ।
ଆଜିର ଦିନରେ ସେହି ଲୁଣିଆ ଗୁଳିକାଣ୍ଡ ରେ ୯ ଜଣ ସହୀଦ ସଂଗ୍ରାମୀ ଯଥା ନିଧି ମହାଳିକ, ଗୌରୀ ଜେନା,ନବ କିଶୋର ନାୟକ, ଶ୍ୟାମ ସୁନ୍ଦର ମହାଳିକ, କୃଷ୍ଣ ମହାଳିକ, ଗୋପୀନାଥ ଜେନା, ଚିନ୍ତାମଣି ଦାସ, ଶଙ୍କର ବେହେରା,ଅଗଣି ସାହୁ ଙ୍କ ଶହୀଦ ଦିବସ ରେ ସେମାନଙ୍କର ବଳିଦାନ କୁ ସ୍ମରଣ କରି, ସେମାନଙ୍କ ଲୋହିତ ଅମ୍ଲାନ ବୈପ୍ଳବିକ ସ୍ମୃତି ପ୍ରତି ଜଣାଉଛୁ କୋଟି କୋଟି ଲୋହିତ ପ୍ରଣାମ । କ୍ରମଶଃ