ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ ତମ ଜୟନ୍ତୀ

ଆଜି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ ତମ ଜୟନ୍ତୀ । ବହୁମୁଖି ପ୍ରତିଭାଧର ଦୀନଦୟାଲ ଉପାଧ୍ୟାୟ ୧୯୧୬ ମସିହା, ସେପ୍ଟେମ୍ବର ୨୫ ତାରିଖ ଦିନ ମଥୁରା ଅନ୍ତର୍ଗତ ନଗଳା ଚନ୍ଦ୍ରଭାନ ଗ୍ରାମରେ ଭଗବତୀ ପ୍ରସାଦ ଉପାଧ୍ୟାୟ ଙ୍କ ପୁତ୍ର ଭାବରେ ଜନ୍ମ ଗ୍ରହଣ କରିଥିଲେ ଏହି ଇତିହାସ ସିଦ୍ଧ ଦାର୍ଶନିକ, ଐତିହାସିକ, ଅର୍ଥଶାସ୍ତ୍ର ବିଶାରଦ, ସାମ୍ବାଦିକ, ରାଜନୀତିଜ୍ଞ ତଥା ଜନସଂଘର ଅନ୍ୟତମ ପ୍ରତିଷ୍ଠାତା , ମାର୍ଗଦର୍ଶକ । ଶୈଶବ ରେ ନିଜ ପିତା- ମାତା ଙ୍କୁ ହରାଇଥିବା ଦୀନଦୟାଲ ମାମୁଁ ମାଇଁ ଙ୍କ ଆଶୀର୍ବାଦ ଓ ପ୍ରୋତ୍ସାହନରେ ଶିକ୍ଷାଲାଭ କରିଥିଲେ । ୧୯୩୭ ମସିହାରେ କାନପୁରରେ ସ୍ନାତକ ଅଧ୍ୟୟନ କରୁଥିବା ସମୟରେ ନିଜର ସହପାଠୀ ବାବୁଜୀ ମହାଶବ୍ଦେଙ୍କ ସହିତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରତିଷ୍ଠାତା କେଶବ ରାଓ ବଳିରାମ ହେଡଗେଓ୍ବାରଙ୍କ ସଂସ୍ପର୍ଶରେ ଆସି ତାଙ୍କ ଦ୍ବାରା ପ୍ରଭାବିତ ଓ ଅନୁପ୍ରାଣିତ ହୋଇଥିଲେ ଏବଂ ସଙ୍ଗଠନରେ ସାମିଲ ହୋଇ ତାଲିମ୍ ନେଇଥିଲେ । ୧୯୫୧ରେ ଶ୍ୟାମାପ୍ରସାଦ ମୁଖାର୍ଜୀ

” ଜନସଂଘ” ପ୍ରତିଷ୍ଠା କରିଥିବା ସମୟରେ ସେ ସେଥିରେ ଯୋଗଦେଇଥିଲେ ଏବଂ ଶ୍ୟାମାପ୍ରସାଦ ଙ୍କ ସନ୍ଦେହାତ୍ମକ ମୃତ୍ୟୁ ପରେ ଜନସଂଘର କାନପୁର ଅଧିବେଶନରେ ମହାସଚିବ ଭାବେ ମୃତ୍ୟୁ ପର୍ଯ୍ୟନ୍ତ ଦାୟିତ୍ଵରେ ରହିଥିଲେ ।୧୯୫୧ ରୁ ୧୯୬୮, ଫେବୃଆରୀ ୧୧ ଭିତରେ ତାଙ୍କର ଦୃଢ ନେତୃତ୍ବ, ପ୍ରଜ୍ଞା, ଦୂରଦୃଷ୍ଟି , ଅର୍ଥନୈତିକ ପ୍ରସ୍ତାବ ପ୍ରଭୃତିର ଇତିହାସ ବ୍ୟାପକ । ମାସିକ ପତ୍ରିକା ” ରାଷ୍ଟ୍ରଧର୍ମ” ର ସମ୍ପାଦନା କରିବା ଭିତରେ ତାଙ୍କର ଅଗ୍ରଲେଖ ଓ ଆଲେଖ୍ୟ ସମୂହ ଗୋଟିଏ ଗୋଟିଏ ଅମୂଲ୍ୟ ଦସ୍ତାବିଜ । ୨୦୧୪ ମସିହାରେ ନରେନ୍ଦ୍ର ଦାମୋଦର ଦାସ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଦିବସ କୁ ” ଜାତୀୟ ଅନ୍ତ୍ୟୋଦୟ ଦିବସ” ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ଅନ୍ତ୍ୟୋଦୟର ଅର୍ଥ ହେଉଛି , ଗରିବ ମାନଙ୍କ ଭିତରେ ଥିବା ସବୁଠୁ ଦୁର୍ବଳ , ନିର୍ଯ୍ୟାତିତ, ଅବହେଳିତ , ଦଳିତ ମାନଙ୍କ ଉତ୍ଥାନ , ସାମାଜିକ ନ୍ୟାୟ ପ୍ରଦାନ, ସେହି ମାନଙ୍କ କୌଶଳଭିତ୍ତିକ ବିକାଶ ସାଧନ ହିଁ ଏହି ଦିବସ ପାଳନ ର ଉଦ୍ଦେଶ୍ୟ ବୋଲି ଉଲ୍ଲେଖ ରହିଛି ।

Posted in ସମ୍ପାଦକୀୟ.