ବରେଣ୍ୟ ବରଦା ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ

ବରେଣ୍ୟ ବରଦା ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ ଘଟିଛି । ଏହି ମହାନ ଆତ୍ମାଙ୍କ ପରଲୋକରେ ବୁଦ୍ଧିଜୀବୀ ମହଲରେ ଗଭୀର ଶୋକ ପ୍ରକାଶ କରାଯାଇଛି । ଅତୁଳନୀୟ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରାଣ, ଅନେକ ସାମାଜିକ ସଂଗଠନର ପ୍ରତିଷ୍ଠାତା, ବିଶେଷ କରି ” ସ୍ୱାଗତିକା” ସାଂସ୍କୃତିକ ଅନୁଷ୍ଠାନ , ଯାହା ବିଗତ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ଅବଧି ଧରି ଅନେକ ସାରସ୍ବତ ସାଧକ ଙ୍କ ସାମାଜିକ ପରିଚିତିର ଉଦଘୋଷକ, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ, କଟକ ସିଟି ମାଜିଷ୍ଟ୍ରେଟରୁ ସେବା ନିବୃତ ପରେ ସମାଜସେବାରେ ଉତ୍ସର୍ଗୀକୃତ ସଜ୍ଜନ, ବ୍ୟକ୍ତିଗତ ଭାବେ ଆମର ପରମ ସମ୍ମାନନୀୟ ବରେଣ୍ୟ ବରଦା ପ୍ରସନ୍ନ ପଟ୍ଟନାୟକ ଆଜି ସକାଳେ ୯୨ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି ।

ତାଙ୍କର ସୁଯୋଗ୍ୟ ଜାମାତା,ଜନାଦୃତ ପ୍ରଶାସନିକ ଅଧିକାରୀ ତଥା ପ୍ରବୀଣ ସାରସ୍ବତ ସାଧକ , ଶ୍ରଦ୍ଧେୟ ସଂଗ୍ରାମ ମହାପାତ୍ର ଙ୍କ ଠାରୁ ଏହି ଦୁଃସମ୍ବାଦ ପାଇବା ପରେ ଆମେ ମର୍ମାହତ । ୧୬ ଅକ୍ଟୋବର,୧୯୩୪ ମସିହାରେ , ଠିକ୍ ଆଜିର ତିଥି ମହା ସପ୍ତମୀରେ ପବିତ୍ର ଭଦ୍ରକ ମାଟିରେ ଜନ୍ମିତ ବରେଣ୍ୟ ପଟ୍ଟନାୟକଙ୍କ ଭଳି ସକରାତ୍ମକ ମାନସିକତା ବିଜଡ଼ିତ ପ୍ରତିବଦ୍ଧତା ଧର୍ମୀ ବଦ୍ଧାନୁସୟୀ ବହୁମୁଖି ପ୍ରତିଭାସମ୍ପନ୍ନ ସଜ୍ଜନ ସାମ୍ପ୍ରତିକ ଉପଭୋକ୍ତାବାଦୀ ସ୍ବାର୍ଥ ସର୍ବସ୍ବ ସମାଜରେ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ କି ଏହି ଦିବ୍ୟାତ୍ମାଙ୍କୁ ନିଜ ଅନନ୍ତ ବକ୍ଷରେ ବ୍ରହ୍ମଲୀନ କରାନ୍ତୁ । ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।

Posted in ରାଜ୍ୟ.