ବିଶ୍ବ ସଙ୍ଗୀତାକାଶର ଉଜ୍ଜ୍ୱଳ ସ୍ବାକ୍ଷର ,କୋକିଳ କଣ୍ଠି, ଭାରତ ରତ୍ନ ଲତା ମଙ୍ଗେସକର ଙ୍କ ୯୭ ତମ ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ । ଚିର ବନ୍ଦନୀୟା ଲତା ମଙ୍ଗେସକର ମଧ୍ୟ ପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।

ତାଙ୍କର ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ମଞ୍ଚ କଳାକାର ଥିଲେ । ଲତା ୫ବର୍ଷ ବୟସରୁ ତାଙ୍କ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ତାଙ୍କ ସହ ତାଙ୍କ ସାନ ଭଉଣୀ ଆଶା, ଉଷା, ମୀନା ଓ ଭାଇ ହୃଦୟନାଥ ମଧ୍ୟ ସଙ୍ଗୀତ ଶିକ୍ଷା କରୁଥିଲେ । ଲତା ମାତ୍ର ୧୩ ବର୍ଷର ହୋଇଥିବା ବେଳେ ତାଙ୍କ ପିତାଙ୍କର ହୃଦ୍ରେଗରେ ଦେହାନ୍ତ ହୋଇଥିଲା । ପରେ ପରିବାର ଭରଣପୋଷଣ ନିମନ୍ତେ ସେ ୧୯୪୨ରୁ ସଙ୍ଗୀତ ଜୀବନ ଆରମ୍ଭ କଲେ ।

ଲତା ଆଜୀବନ ଅବିବାହିତ ରହିଥିଲେ । ପରିବାରର ଭରଣପୋଷଣ ନିମନ୍ତେ ଲତା ଗୀତ ଗାଇବା ଆରମ୍ଭ କରିଥିଲେ ଏବଂ ୧୯୪୨ରୁ ୧୯୪୮ ମଧ୍ୟରେ ପାଖାପାଖି ଆଠୋଟି ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର ‘କିଟ୍ଟି ହାସଲ’ରୁ ସେ ଗାୟିକା ଭାବେ ତାଙ୍କର କଣ୍ଠଶିଳ୍ପୀ ଜୀବନ ବା କ୍ୟାରିୟର ଆରମ୍ଭ କରିଥିଲେ ।
ମୁମ୍ବାଇରେ ଏକ ଲୋକାଲ ଟ୍ରେନ୍ରରେ ଯାତ୍ରା କରୁଥିବା ସମୟରେ ତାଙ୍କୁ ଆପ୍ କି ସେବା ମେଁରେ ପ୍ରଛଦପଟ ଗାୟିକା ହେବାର ସୁଯୋଗ ମିଳିଥିଲା । ପରେ ତାଙ୍କୁ ମଜବୁର୍ ଓ ବେଦର୍ଦ୍ ନାମକ ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ମିଳିଲା । ଏହି ଦୁଇଟି ଚଳଚ୍ଚିତ୍ରଦ୍ୱାରା ସେ ସଙ୍ଗୀତ ଜଗତରେ କିଛି ମାତ୍ରାରେ ପରିଚିତ ହେଲେ । କିନ୍ତୁ ପରେ ଅନ୍ଦାଜ୍, ବରସାତ୍ ଓ ମହଲ୍ ଚଳଚ୍ଚିତ୍ରଦ୍ୱାରା ସେ ସଙ୍ଗୀତ ମହଲରେ ପୁରାପୁରି ଚର୍ଚ୍ଚିତ ହୋଇଗଲେ ।

୧୯୬୩ରେ ଭାରତ – ଚୀନ ଯୁଦ୍ଧ ସମୟରେ ଲତାଙ୍କର ଦେଶାତ୍ମବୋଧକ ଗୀତ ‘ଏ ମେରେ ୱତନ୍ କେ ଲୋଗୋଁ’ ଶୁଣି ସେତେବେଳର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଭାବ ବିହ୍ୱଳ ହୋଇଯାଇଥିଲେ । ତାଙ୍କୁ ଏହି ଗୀତ ପାଇଁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
୧୯୭୦ରୁ ୧୯୮୦ ମଧ୍ୟରେ ଲତା ତିନି ଜଣ ପ୍ରମୁଖ ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍, କଲ୍ୟାଣଜୀ ଆନନ୍ଦଜୀ ଓ ରାହୁଲ ଦେବ ବର୍ମନଙ୍କ ସହ କାମ କରିଥିଲେ । ସେ ‘ହମ୍ ଆପକେ ହେ କୌନ୍’, ‘ବୀରଜାରା’ ପରି ରୋମାଣ୍ଟିକ୍ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ । ସେ ଏ ଆର ରେହମାନଙ୍କ ସହ ମଧ୍ୟ କାମ କରିଛନ୍ତି । ଲତା ତାଙ୍କର ସମଗ୍ର ଜୀବନକୁ ସଙ୍ଗୀତ ପାଇଁ ସମର୍ପିତ କରିଥିଲେ। ଯେବେବି ସେ ରେକର୍ଡିଂ ପାଇଁ ଯାଉଥିଲେ , ସେତେବେଳେ ଷ୍ଟୁଡିଓ ବାହାରେ ଯୋତା ରଖିଥାନ୍ତି ।

ଗୁଲଜାରଙ୍କ ରଚିତ ଓ ସେ ନିଜେ ଗାଇଥିବା ଏକ ଗୀତ ‘ନାମ୍ ଗୁମ୍ ଯାଏଗା , ଚେହେରା ୟେ ବଦଲ୍ ଯାଏଗା , ମେରି ଆୱାଜ୍ ହି ମେରି ପେହେଚାନ୍ ହୈ.. ‘ କେବଳ ଲତାଙ୍କ ପାଇଁ ଲେଖାଯାଇଛି ବୋଲି ତାଙ୍କର ଅଗଣିତ ପ୍ରଶଂସକ କୁହନ୍ତି ।୧୯୫୮ ରେ ପ୍ରଥମ ଫିଲ୍ମ ଫେୟାର୍ ଆୱାର୍ଡ ,୧୯୬୯ ରେ ପଦ୍ମ ଭୂଷଣ , ସେଇ ୧୯୬୯ ରେ ଶ୍ରେଷ୍ଠ ପ୍ରଛଦପଟ୍ଟ ଗାୟିକା ,୧୯୮୯ ରେ ଦାଦା ସାହେବ୍ ଫାଲକେ ପୁରସ୍କାର,୧୯୯୩ ରେ ଜୀବନ ବ୍ୟାପି ସାଧନା ପୁରସ୍କାର ,୧୯୯୭ ରେ ମହାରାଷ୍ଟ୍ର ଭୂଷଣ ପୁରସ୍କାର ,୧୯୯୯ ରେ ପଦ୍ମ ବିଭୂଷଣ ,୨୦୦୧ -ରେସଭାରତ ରତ୍ନ ସମ୍ମାନରେ ହୋଇଥିଲେ ସମ୍ମାନିତା । ସେହିପରି ୨୦୦୯ ମସିହାରେ ତିନୋଟି ଜାତୀୟ ଚଳଚ୍ଚିତ୍ର ସମ୍ମାନ ପାଇଥିଲେ ଏବଂ ୨୦୧୧ ରେ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ୍ ରେକର୍ଡରେ ସ୍ଥାନିତା ହୋଇଥିଲେ । ଭାରତ ମାତାଙ୍କ ରତ୍ନ ସନ୍ତାନ ଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।