ଜର୍ଜ ତିର୍କୀଙ୍କ ବିୟୋଗରେ ସିପିଆଇର ଶୋକ

ଜର୍ଜ ତିର୍କୀଙ୍କ ବିୟୋଗରେ ସିପିଆଇର ଶୋକ


ବରିଷ୍ଠ ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗ ରେ ସିପିଆଇ ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ଦ୍ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଓଡ଼ିଶା ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ ମିଶ୍ର କହିଛନ୍ତିଯେ, ପ୍ରୟାତ ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଚାରିଥର ଓଡିଶାର ବିଧାୟକ ଭାବେ ନିର୍ବାଚିତ ହୋଇ ଆଦିବାସୀ ସମ୍ପ୍ରଦାୟର ଅଧିକାର ପାଇଁ ପ୍ରତିବଦ୍ଧତା ସହ ଲଢିଥିଲେ। ମାତ୍ର ୬୭ ବର୍ଷ ବୟସରେ ତାଙ୍କର ବିୟୋଗ ଫଳରେ ଓଡ଼ିଶା ଆଦିବାସୀ ମାନଙ୍କ ଜଣେ ଲତୁଆ ନେତାଙ୍କୁ ହରାଇଲା । ତାଙ୍କର ଶୋକସନ୍ତପ୍ତ ବନ୍ଧୁ ଓ ପରିବାରବର୍ଗଙ୍କ ପ୍ରତି ସିପିଆଇ ସମବେଦନା ଜଣାଉଛି`

ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ପୂର୍ବତନ ତଥା ୪ ଥରର ବିଧାୟକ, ବିଶିଷ୍ଟ ଶ୍ରମିକ ଓ ଆଦିବାସୀ ନେତା ଜର୍ଜ ତିର୍କୀ ଆଉନାହାନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି। ଶନିବାର ବିଧାନସଭା ପରିସରରେ ଜର୍ଜ ତିର୍କୀଙ୍କୁ ଦିଆଯାଇଛି ଗାର୍ଡ ଅଫ ଅନର୍‌। ଏହା ସହିତ ଜର୍ଜ ତିର୍କୀଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସମେତ ବିଧାନସଭାର ଉପସ୍ଥିତ ସମସ୍ତ ସଦସ୍ୟ ମଧ୍ୟ ଶେଷ ଦର୍ଶନ କରି ଗଭୀର ଶୋକ ପ୍ରକାଶ କରିଛନ୍ତି।

ଜର୍ଜ ତିର୍କୀ ସୁନ୍ଦରଗଡ ଜିଲା ବୀରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୯୯୫,୨୦୦୦,୨୦୦୯ଓ୨୦୧୪ରେ ଓଡ଼ିଶା ବିଧାନସଭାକୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସୁନ୍ଦରଗଡ ଜିଲାର ଆଦିବାସୀ ମାନଙ୍କ ଜଳ,ଜମି ,ଜଙ୍ଗଲ ଅଧିକାର ପାଇଁ ସେ ଲଢ଼େଇ କରି ଆସୁଥିଲେ। ସେ କିଛି ମାସ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିବାରୁ ତାଙ୍କୁ ପ୍ରଥମେ ରାଉରକେଲା ଓ ପରେ ସେଠାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ଶେଷକୃତ୍ୟ ବୀରମିତ୍ରପୁର ଝୁନୁମୁରସ୍ଥିତ ତାଙ୍କ ପୈତୃକ ଗ୍ରାମରେ ସମ୍ପନ୍ନ ହେବ। ତାଙ୍କ ପରଲୋକରେ ସୁନ୍ଦରଗଡ ଜିଲା ତଥା ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ମହାସଂଘ ତରଫରୁ ୮ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ବିକ୍ଷୋଭ

ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ମହାସଂଘ ତରଫରୁ ୮ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ବିକ୍ଷୋଭ


ଭୁବନେଶ୍ୱର : ଓଡ଼ିଶା ପାଚକ ପାଚିକା ମହାସଂଘ ପକ୍ଷରୁ ୮ ଦଫା ଦାବି ନେଇ ସଂଘର ରାଜ୍ୟ ସଭାନେତ୍ରୀ ଜନକ ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ୩୦ଗୋଟି ଜିଲ୍ଲାର ପାଚକ ପାଚିକାମାନେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଭାବେ ମହାସଂଘର ରାଜ୍ୟ ଆବାହକ ଦିଗମ୍ବର ଜେନା ଯୋଗଦେଇ ୮ଦଫା ସମ୍ବଳିତ ଦାବି ଖୁବ୍‌ଶୀଘ୍ର ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟ ସାଧାରଣ ସମ୍ପାଦିକା ଜାନକୀ ମାଝୀ, ସମ୍ପାଦିକା ନିରୁପମା ମହାନ୍ତ, କୋକିଳ ମହାନ୍ତ, ଶକୁନ୍ତଳା ରଣା, ବୈଦେହୀ ମହାନ୍ତ, ଗୀତା ନାୟକ, ମୀନାରାଣୀ ନାୟକ, ମଲ୍ଳୀ ନାୟକ, ଶାନ୍ତିଲତା ମହାନ୍ତ, ବୁଦ୍ଧଗିରି, ତିଳ ନାୟକ, ସୁଶାନ୍ତି ମହାପାତ୍ର, ବାସନ୍ତୀ ମହାନ୍ତ, ପ୍ରମିଳା ପାତ୍ର, ଜାନକୀ ସାନ୍ତା, ରଶ୍ମିତା ସାହୁ, କୋଷାଧ୍ୟକ୍ଷା ରଜନୀ କିଷାନ, ଗାୟତ୍ରୀ ନାଗ, ବିଜୟ ପୃସେଟ୍‌, ଈଶ୍ୱର ନାୟକ, ତପନ ପ୍ରସାଦ ସାହୁ, ରାଧାଶ୍ୟାମ ମହାରଣା, ସୁଜାତା ସ୍ୱାଇଁ, ରିତୁ ପାତ୍ର, ବିନ୍ଦୁ ଦାସ, ସରୋଜିନୀ ମଗର, ରାଜେଶ୍ୱରୀ ମାଝି, ସୀତା ଭୋଇ, ପଙ୍କଜିନୀ ମିର୍ଦ୍ଧା, ସରୋଜିନୀ ଜେନା, ଦମୟନ୍ତୀ ଦେହୁରୀ, ପ୍ରେମଶିଳା ନଇ, ସ୍ୱର୍ଣ୍ଣପ୍ରିୟା ମେହେର ଏବଂ ପ୍ରତ୍ୟେକ ଜିଲ୍ଲାର କର୍ମକର୍ତ୍ତାମାନେ ନିଜ ନିଜ ବକ୍ତବ୍ୟମାନ ରଖିଥିଲେ । ସଂଘର ତିନି ଜଣ ପ୍ରତିନିଧି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମାନବ୍ୟର ମନ୍ତ୍ରୀ ଭେଟି ୮ ଦଫା ଦାବି ସମ୍ବଳିତ ସ୍ମାରକ ପ୍ରଦାନ କରିଥିଲେ ।
ଆମ୍ଭେ “ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ମହାସଂଘ”, ସବିନୟ ଦାବି ଜଣାଉଛି ଏହିକିଯେ, ଆଜକୁ ୨୦ ବର୍ଷ ଧରି ଆମ୍ଭେ ଉକ୍ତ କ୍ଷେତ୍ରରେ କାର୍ଯ୍ୟକରି ଆସୁଥିଲେ ମଧ୍ୟ ଆପଣଙ୍କ ଦ୍ୱାରା ଦିଆଯାଇଥିବା ପ୍ରାପ୍ୟ ଆମ୍ଭମାନଙ୍କୁ ସମୁଦ୍ରକୁ ଶଙ୍ଖେ ସଦୃଶ । ଆପଣଙ୍କ ଦ୍ୱାରା ନିର୍ଦ୍ଧାରିତ ପାରିଶ୍ରମିକ ଆମ୍ଭମାନଙ୍କର ଦିନସାରା ପରିଶ୍ରମ ପାଇଁ ଟ.୧୦୦ଙ୍କା ପଡୁଅଛି । ମାତ୍ର ତାହାକୁ ଆମ୍ଭେ ଠିକ୍ ଭାବେ ପାଉନାହୁଁ । କାରଣ ସରକାର ମାସିକ ଟ.୩୦୦୦/- ଦେଉଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ
ଆମ୍ଭେ ସରକାରଙ୍କ ଘୋଷିତ ସର୍ବନିମ୍ନ ମଜୁରୀ ଟ.୨୭୫/- ଆମ୍ଭ ପାଇଁ ଲାଗୁ କରାଯାଉ । ଉକ୍ତ ପ୍ରକାରେ ମାସିକ ଟ.୮,୨୫୦/- ଦରମା ଲାଗୁ କରାଯାଉ । ଆମ୍ଭ ସମସ୍ତଙ୍କ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ମାନ୍ୟତା ଦିଆଯିବା ସହିତ ଡ୍ରେସ୍ କୋର୍ଡ ଲାଗୁ କରାଯାଉ । ଚିକିତ୍ସା ଭତ୍ତା ସହିତ ଜୀବନ ବୀମାର ସୁବିଧା କରାଯାଉ । ୨୦୧୮ ମସିହା ଜାନୁଆରୀ ମାସଠାରୁ ବର୍ତ୍ତମାନ ପ୍ରଚଳିତ ବର୍ଦ୍ଧିତ ଦରମାର ବକେୟା ପାଉଣା ଦିଆଯିବା ସହିତ ମଇ, ଜୁନ୍ ଦୁଇମାସ ଛୁଟିର ଦରମା ପ୍ରଦାନ କରାଯାଉ । ଆମ୍ଭମାନଙ୍କୁ ବାହାର କରିବାର ଏବଂ ନିଯୁକ୍ତି କରିବା ବ୍ୟବସ୍ଥାକୁ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସିଧାସଳଖ ନିୟନ୍ତ୍ରଣରେ ରଖାଯାଉ । ଆମ୍ଭମାନଙ୍କୁ ଦୈନିକ ମଜୁରୀଆର ସ୍ୱୀକୃତି ଦେଇ, ଭବିଷ୍ୟନିଧି ଯୋଜନାରେ ସାମିଲ୍ କରାଯାଉ । ଅବସର ସୀମା ୬୦ ବର୍ଷରୁ ୬୨ ବର୍ଷ କରାଯାଉ । କାର୍ଯ୍ୟରତ ସମୟରେ ଆକସ୍ମିକ ବିୟୋଗରେ କ୍ଷତିପୂରଣ ରାଶି ପ୍ରଦାନ କରାଯାଉ ।

ବିଭିନ୍ନ ଦାବି ନେଇ ଗୋଷ୍ଠୀ ସହାୟିକା ସଂଘ ପକ୍ଷରୁ ବିଧାନସଭା ଆଗରେ ଧାରଣା

ବିଭିନ୍ନ ଦାବି ନେଇ ଗୋଷ୍ଠୀ ସହାୟିକା ସଂଘ ପକ୍ଷରୁ ବିଧାନସଭା ଆଗରେ ଧାରଣା

ବିଧାନସଭା ଆଗରେ ଆନ୍ଦୋଳନ ପାଇଁ ଏକାଠି ହୋଇଛନ୍ତି ବିଭିନ୍ନ ଜିଲ୍ଲାର ହଜାର ହଜାର ଓଡ଼ିଶା ଗୋଷ୍ଠୀ ସହାୟିକା ସଂଘର ସଦସ୍ୟ । ବକେୟା ଦରମା ସହ ଗୋଷ୍ଠୀ ସହାୟିକା ସଂଘ ଟିଏ ଡିଏ ଦାବି କରିଛି । ପ୍ରତି ଗ୍ରାମରେ ସିଏଲଏଫ ଗଠନ, ସ୍ଥାୟୀ ନିଯୁକ୍ତି, ଅନଲାଇନ କାମ ପାଇଁ ଲାପଟପ୍, ବୈଠକ ଗୃହ ନିର୍ମାଣ, ପରିଚୟପତ୍ର ପ୍ରଦାନ, ସାମାଜିକ ସୁରକ୍ଷା, ଭିଆରଏଫ ଫଣ୍ଡକୁ 10 ଲକ୍ଷ ପ୍ରଦାନ, ସର୍ବନିମ୍ନ ମଜୁରୀ 26 ହଜାର ଟଙ୍କା ଦାବି କରି ଏହି ଆନ୍ଦୋଳନ କରାଯାଇଛି ।

ଏହି ଆନ୍ଦୋଳନରେ ଭାରତୀୟ ଶ୍ରମ ସମ୍ମିଳନୀର ୪୫ ଓ ୪୬ ତମ ସୁପାରିଶ ଭିତିରେ ୱାର୍କର ମାନ୍ୟତା ଦାବି କରିବା ସହ ଦରମା ବୃଦ୍ଧି, ବ୍ୟାଙ୍କ ଖାତାକୁ ଦରମା ପ୍ରଦାନ କରିବା ସହିତ ସ୍ଥାୟୀ ନିଯୁକ୍ତି ଓ ଆଇଡେଣ୍ଟି କାର୍ଡ ଦେବାକୁ ଓଡ଼ିଶା ଗୋଷ୍ଠୀ ସହାୟିକା ସଂଘ ଦାବି କରିଥିବା ସୂଚନା ମିଳିଛି ।

ବିସ୍ମୃତ ବିସ୍ମୟ ପ୍ରତିଭା

ବିସ୍ମୃତ ବିସ୍ମୟ ପ୍ରତିଭା

ଉତ୍କଳ ରତ୍ନ ବାରିଷ୍ଟର ବିଶ୍ବନାଥ ମିଶ୍ର

ଆସନ୍ତା କାଲି ପ୍ରଥମ ଓଡ଼ିଆ ବାରିଷ୍ଟର, ପ୍ରଥମ କେନ୍ଦ୍ରୀୟ ସଂସଦୀୟ ବ୍ୟବସ୍ଥାର ସଦସ୍ୟ, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କାଣ୍ଡାରୀ, ଅତୁଳନୀୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ ତଥା ଉତ୍କଳ ରତ୍ନ ବାରିଷ୍ଟର ବିଶ୍ବନାଥ ମିଶ୍ର ଙ୍କ ୯୨ ତମ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥଳରେ ( ରାଜଭବନ ସମ୍ମୁଖରେ) ସକାଳ ୯ ଘଣ୍ଟା ସମୟରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୁଲ୍ୟରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପୂଜ୍ୟ ପୂଜା ସଂସ୍କୃତି ପ୍ରାଣ ଙ୍କ ସମେତ ସମସ୍ତ ସମର୍ପିତ ସଦସ୍ୟ ମାନେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଉଛି । ସକଳଙ୍କ ସକଳ ସୁମନାସ କାମନାନ୍ତେ ବନ୍ଦେ ଉତ୍କଳ ଜନନୀ ।ଉତ୍କଳରତ୍ନ ବାରିଷ୍ଟର ବିଶ୍ୱନାଥ ମିଶ୍ର ଥିଲେ ଏକ କିମ୍ବଦନ୍ତୀ। ତେଣୁ ତାଙ୍କୁ ଯଥାର୍ଥରେ କୁହାଯାଉଛି ଓଡ଼ିଶା ଇତିହାସର ବହ୍ନିପୁରୁଷ। ତାଙ୍କ ଜୀବନର କିଛି ବିରଳ ଘଟଣାବଳୀକୁ ନେଇ ପ୍ରଫେସର ସୂର୍ଯ୍ୟ କୁମାର ମିଶ୍ରଙ୍କ ଦ୍ଵାରା ଲିଖିତ ଜୀବନୀ ପୁସ୍ତକ “ଓଡ଼ିଶା ଇତିହାସର ବହ୍ନିପୁରୁଷ ଉତ୍କଳରତ୍ନ ବାରିଷ୍ଟର ବିଶ୍ୱନାଥ ମିଶ୍ର”।ସାକ୍ଷୀଗୋପାଳ ନିକଟ ସୋମେଶ୍ୱରପୁରରେ ଜନ୍ମିତ ବିଶ୍ୱନାଥ ୧୯୦୪ରେ ଏଫଏ ପାସ କରି ସେହି ବର୍ଷ କୂଳବୃଦ୍ଧ ମଧୁସୂଦନ ଙ୍କ ଉପଦେଶରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଭାଷା ଶିକ୍ଷକ ଭାବରେ ରସୁଲକୋଣ୍ଡା (ଆଧୁନିକ ଭଞ୍ଜନଗର)ଯାଇଥିଲେ। ଏଥିରେ କିନ୍ତୁ ତାଙ୍କର ଅନିସନ୍ଧିତ୍ସୁ ମନ ସନ୍ତୁଷ୍ଟ ହୋଇ ରହି ପାରିନଥିଲା। ଏଣୁ ସେ ଓକିଲାତି ପଢ଼ିବା ପାଇଁ ମାଡ୍ରାସ ଗଲେ। ୧୯୦୬ରେ ଓକିଲାତି ସାରି ସେ ଆସ୍କାରେ ଜଣେ ଉଚ୍ଚକୋଟୀର ଆଇନଜୀବୀ ଭାବେ ନିଜ ଜୀବନ ଆରମ୍ଭ କରିଥିଲେ ଏବଂ ଓଡିଆ ଭାଷାରେ ଆଇନ୍ ଅଦାଲତି କାର୍ଯ୍ୟ କରିବା, ଜବାବ୍ ସୁଆଲ କରିଥିଲେ। ସେ ଚାହିଁଥିଲେ କଟକରେ ମଧ୍ୟ ଓକିଲାତି କରି ପରିଥାନ୍ତେ, କିନ୍ତୁ ଗଞ୍ଜାମ ଛାଡ଼ି ସେ ଅନ୍ୟତ୍ର ଯାଇନଥିଲେ କାରଣ ତାଙ୍କୁ ଏଠି ବହୁତ କିଛି କରିବା ପାଇଁ ଥିଲା। ବିଶ୍ୱନାଥ ମିଶ୍ରଙ୍କ ସମୟରେ ଓଡ଼ିଆ ବାରିଷ୍ଟର କେହି ନଥିଲେ। ଏଣୁ ୧୯୦୮ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରେ ପବ୍ଲିକ ପରୀକ୍ଷା ଦେଇ ସଫଳ ହୋଇଥିଲେ। ଅଦମ୍ୟ ଚେଷ୍ଟା ଫଳରେ ସେ ଲଣ୍ଡନ ‘ଗ୍ରେଜ ଇନ’ରେ ବାରିଷ୍ଟରୀ ପଢିବା ପାଇଁ ବିବେଚିତ ହୋଇଥିଲେ। ତେବେ ବାପାଙ୍କ ଆକଟ ଯୋଗୁଁ ବିଶ୍ୱନାଥ ପ୍ରଥମ ଉଦ୍ୟମରେ ବିଲାତ ଯାଇପାରିନଥିଲେ। କିନ୍ତୁ ପରେ ସେ ‘ମିଡଲଟେମ୍ପଲ’ ରେ ନାମ ଲେଖାଇଲେ। ସବୁଠାରୁ ବଡ଼ କଥା ହେଲା ସେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସହପାଠୀ ଥିଲେ। ଏହା ୧୯୧୦-୧୨ର ଘଟଣା। ତା’ ପରବର୍ତ୍ତୀ ବର୍ଷ ପଟେଲଙ୍କ ସହ ବିଶ୍ୱନାଥ ମିଶ୍ର ବି ‘କଲ ଟୁ ଦି ବାର’ ପାଇଥିଲେ ଓ ‘ବାର-ଆଟ-ଲ’ ହୋଇଥିଲେ। ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର। ୧୯୩୩ ମସିହା ସେପ୍ଟେମ୍ବର ୧୯ ତାରିଖରେ ତାଙ୍କର ଦେହତ୍ୟାଗ ହୋଇଥିଲା। ଏଭଳି ଜଣେ ମହାନ ବ୍ୟକ୍ତିଙ୍କ ବିଧିବଦ୍ଧ ଜୀବନୀ ଲିଖନର ଆବଶ୍ୟକତା ଥିବା ବେଳେ ପ୍ରଫେସର ସୂର୍ଯ୍ୟ କୁମାର ମିଶ୍ର ତାହାକୁ ପୂରଣ କରିପାରିଛନ୍ତି। ବିଶ୍ୱନାଥ ମିଶ୍ରଙ୍କ ଜୀବନର ଅସଂଖ୍ୟ ଘଟଣାବଳୀକୁ ନେଇ ଲିଖିତ ଏହି ପୁସ୍ତକରେ କେବଳ ବିଶ୍ୱନାଥ ମିଶ୍ରଙ୍କ ଜୀବନର ବିରଳ ଘଟଣାବଳୀର ଅବତାରଣା ହୋଇଛି ତାହା ନୁହେଁ ସେ ସମୟର ଅନେକ ଦସ୍ତାବିଜ୍ ମଧ୍ୟ ସ୍ଥାନିତ ହୋଇଛି।ସମ୍ପ୍ରତି କାନାଡାରେ ରହୁଥିବା ଲେଖକ ପ୍ରଫେସର ସୂର୍ଯ୍ୟ ମିଶ୍ର ନିଜେ ଜଣେ ସୁନାମଧନ୍ୟ ବିଜନେସ ମ୍ୟାନେଜେମେଣ୍ଟ ପ୍ରଫେସର। ଆମେରିକାର ଫ୍ରାଙ୍କ ବର୍ଟନ ସ୍କୁଲରୁ ଉଚ୍ଚ ଶିକ୍ଷା ଲାଭ କରିଥିବା ଏବଂ ୧୯୮୩ ମସିହାରୁ ଅଧ୍ୟାପନା ଆରମ୍ଭ କରିଥିବା ସୂର୍ଯ୍ୟ ମିଶ୍ର ଓଡ଼ିଶାରେ ବିଭିନ୍ନ ମ୍ୟାନେଜମେଣ୍ଟ କଲେଜ ପ୍ରତିଷ୍ଠାରେ ମଧ୍ୟ ଅବଦାନ ରଖିଛନ୍ତି। ଆଲୋଚ୍ୟ ପୁସ୍ତକରେ ବିଶ୍ୱନାଥ ମିଶ୍ରଙ୍କ ସମଗ୍ର ଜୀବନର ଝଲକ ରହିଛି। ବିଶେଷ କରି ବିଛିନ୍ନାଞ୍ଚଳ ମିଶ୍ରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ବାରିଷ୍ଟର ମିଶ୍ରଙ୍କ କଣ ଭୂମିକା ରହିଥିଲା ତାହାର ଏକ ପ୍ରାଞ୍ଜଳ ବର୍ଣ୍ଣନା ପୁସ୍ତକରେ ପଢ଼ିବାକୁ ମିଳେ।ମୋଟ ୨୫ଟି ଅଧ୍ୟାୟ ବିଶିଷ୍ଟ ଏହି ଜୀବନୀରେ ବିଶ୍ଵନାଥଙ୍କ ପିଲାଦିନ, ତାଙ୍କର ବିଦେଶ ଗସ୍ତ ଓ ଅଧ୍ୟୟନ, ଉତ୍କଳ ସମ୍ମିଳନୀରେ ତାଙ୍କ ଯୋଗଦାନ, ମହାତ୍ମା ଗାନ୍ଧୀଙ୍କ ସହ ଭେଟ, ସାଇମନ କମିସନରେ ତାଙ୍କର ଯୁକ୍ତି, ଫିଲିପ ଡଫ କମିଟି, ଓଡନେଲ କମିଟିରେ ତାଙ୍କର ପ୍ରସ୍ତାବନା, ‘ଆଶା’ ଖବରକାଗଜ ସହ ତାଙ୍କ ସମ୍ପର୍କ, କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାରେ ଯୋଗଦାନ, ଭଗତ ସିଂହଙ୍କ ଫାଶୀ ବିରୁଦ୍ଧରେ ତାଙ୍କ ଯୁକ୍ତି ଉପସ୍ଥାପନ, ଶେଷ ସମୟ – ଏସବୁର ସମାହାର ଏହି ଜୀବନୀ। ବିଶ୍ୱନାଥ ମିଶ୍ର ବାରିଷ୍ଟର ହୋଇ ଫେରିବା ପରେ କଲିକତା ହାଇକୋର୍ଟରେ ଯୋଗଦାନ ଅବସରରେ ବ୍ୟାସକବି ଫକୀରମୋହନ ତାଙ୍କ ‘ଉତ୍କଳ ଭ୍ରମଣ’ ପୁସ୍ତକରେ ଲେଖିଥିଲେ:
“ୱେଲ ମିଷ୍ଟର ବିଏନ ମିଶ୍ର ଗୁଡବାଇ ଗୁଡବାଇ
ଭଲ ଆଦର୍ଶଟା ଏକା ଗଲ ତ ଦେଖାଇ
ଯାତ୍ରୀ-ତଣ୍ଟିଚିପା ପଣ୍ଡା ଯିବ ବିଲାତକୁ
ସ୍ୱପ୍ନରେ କେ ଆଣିଥିଲା ଏକଥା ମନକୁ।”
ଲେଖକ ପ୍ରଫେସର ମିଶ୍ରଙ୍କ ମତରେ ସ୍ୱାଭିମାନର ପ୍ରତୀକ ଥିଲେ ବିଶ୍ଵନାଥ। ଓଡ଼ିଆ ଅସ୍ମିତାର ଉଦାହରଣ ଥିଲେ ବିଶ୍ଵନାଥ। ଓଡ଼ିଶାର ଗୌରବ ଗାଥାର ପ୍ରଚାରକ ଥିଲେ ବିଶ୍ୱନାଥ। ଏକାଧାରରରେ ସେଥିଲେ ସଂସ୍କାରକ, ବିଚକ୍ଷଣ ଆଇନଜ୍ଞ, ମହାନ ବିଦ୍ୱାନ ଓ ଦୃଢ଼ ଏବଂ କର୍ମଠ ବ୍ୟବସ୍ଥାପକ। ଶୟନେ, ସପନେ, ଜାଗରଣେ ‘ଓଡ଼ିଶା ଓ ଓଡ଼ିଆ’ ହିଁ ଥିଲା ତାଙ୍କ ଜୀବନର ମୂଳ ଓ ଶେଷ ମନ୍ତ୍ର। ଉତ୍କଳ ରତ୍ନ ବିଶ୍ବନାଥ ମିଶ୍ର ଯେ ପ୍ରଥମ ଓଡ଼ିଆ ବାରିଷ୍ଟର ତାହା କେବଳ ଆମେ ଓଡ଼ିଆ ମାନେ କେବଳ ଏହି ତଥ୍ୟ କୁ ଭୁଲି ନଥିଲେ, ତାଙ୍କୁ ମଧ୍ୟ ଭୁଲି ଯାଇଥିଲେ । ଏକଦା ସ୍ବାଧୀନତା ସଂଗ୍ରାମୀ ତଥା ବିପ୍ଲବୀ କବି ମନମୋହନ ମିଶ୍ର ଓ ଆଜୀବନ ସଂଗ୍ରାମୀ , ଗରିବ ମେହନତୀ ମଣିଷର ନେତା ସ୍ବର୍ଗତ ରବି ଦାସଙ୍କ ସହିତ ଗୋଟିଏ ଚତୁର୍ପାଦୀଯାନ ରେ ନୟାଗଡ଼ ଯାଉଥିବା ସମୟରେ କଥାବାର୍ତ୍ତା ସମୟରେ ଚିରବନ୍ଦ୍ୟ ମନମୋହନ ମିଶ୍ର ଆମକୁ ପଚାରିଲେ ” ନେହେରୁ କୁହ, ପ୍ରଥମ ଓଡ଼ିଆ ବାରିଷ୍ଟର କିଏ ?” । ସ୍ବାଭାବିକ ଭାବେ ଆମେ କହିଥିଲୁ ମଧୁସୂଦନ ଦାସ । ରବି ଭାଇ ଖୋର୍ଦ୍ଧା ଖୋର୍ଦ୍ଧା ହସିଲେ, ଯାହା ଆମକୁ ଲାଗିଲା ଯେ ସେ ଆମକୁ ଥଟ୍ଟା କରୁଛନ୍ତି ଓ ଆମର ଅଜ୍ଞତା କୁ କଟାକ୍ଷ କରୁଛନ୍ତି । ଆମେ ଗମ୍ଭୀର ସ୍ୱର ରେ କରିଥିଲୁ ଯେ ପିଲାଦିନରୁ ପଢି ଆସୁଛି ” ଭଲ ପାଠ ପଢିବି,କାଳିଆ ଘୋଡା 🐎 ରେ ପଢିବି, ମଧୁ ବାରିଷ୍ଟର ସଙ୍ଗେ ପଢିବି ” । ତା ପରେ ବାରିଷ୍ଟର ଉତ୍କଳ ରତ୍ନ ବିଶ୍ବନାଥ ମିଶ୍ର ଙ୍କ ସମ୍ପର୍କରେ ସେ ବେଗୁନିଆ ଠାରୁ ନୟାଗଡ଼ ପର୍ଯ୍ୟନ୍ତ ଅନେକ କଥା କହିଥିଲେ । ଆମେ ତାଙ୍କୁ ଅନୁରୋଧ କରିଥିଲୁ ଏହି ତଥ୍ୟ ସମୂହ କୁ ପୁସ୍ତକ ଆକାରରେ ପ୍ରକାଶ କରିବାକୁ । ରବି ଭାଇ ଓ ସେ ସମ୍ମତି ସୂଚକ ମୁଦ୍ରାରେ ଆମକୁ ଆଶ୍ଵାସନା ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ” ଜାତି ପ୍ରାଣ ସିନ୍ଧୁ ର ଆଦ୍ୟ ତରଙ୍ଗ” ଶୀର୍ଷକରେ ପୁସ୍ତକ ଲେଖିଥିଲେ ଏବଂ ରବି ଭାଇ ଏହାର ପ୍ରକାଶନ ଓ ବଣ୍ଟନ, ବିକ୍ରି କାର୍ଯ୍ୟ କରିଥିଲେ । ୨୦୦୫ ମସିହା, ସେପ୍ଟେମ୍ବର ୧୯ ତାରିଖରେ ରେଡକ୍ରସ ଭବନ ପ୍ରେକ୍ଷାଳୟରେ ତାଙ୍କର ସ୍ମୃତି ଚାରଣ ସଭା କରାଇବା ସହିତ ପ୍ରଥମ ଉତ୍କଳ ରତ୍ନ ବିଶ୍ବନାଥ ମିଶ୍ର ସମ୍ମାନ ରେ ଚିର ବନ୍ଦନୀୟ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଓଡ଼ିଆ ଭାଷା କୋଣାର୍କ “ପୂର୍ଣ୍ଣଚନ୍ଦ୍ର ଭାଷାକୋଷ” ର ପୁନଃ ପ୍ରକାଶନ ପାଇଁ ଅଦାଲତି ସଂଘର୍ଷରେ ବିଜୟୀ ବରେଣ୍ୟ ମହେନ୍ଦ୍ର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତାପରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଯେଉଁ ସଂଘର୍ଷ କରିବାକୁ ପଡ଼ିଥିଲା, ତା’ର ଇତିହାସ ବ୍ୟାପକ । ଶେଷରେ ରାଜଭବନ ସମ୍ମୁଖରେ ପ୍ରତିମୂର୍ତ୍ତି ସ୍ଥାପନ ହେଲା ।
କ୍ରମଶଃ

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସମ୍ବଲପୁରରେ ‘ସେବା ପକ୍ଷ’ ପାଳିଲେ କେନ୍ଦ୍ରମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସମ୍ବଲପୁରରେ ‘ସେବା ପକ୍ଷ’ ପାଳିଲେ କେନ୍ଦ୍ରମନ୍ତ୍ରୀ

ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଜନନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନିଜ ସଂସଦୀୟ କ୍ଷେତ୍ର ସମ୍ବଲପୁରରେ ‘ସେବା ପକ୍ଷ’ ପାଳନ କରିବା ସହ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ।

ଶ୍ରୀ ପ୍ରଧାନ ଆଜି ପ୍ରଥମେ ସମ୍ବଲପୁର ସୈନିକ ସ୍କୁଲ ପରିସରରେ ‘ସେବା ପକ୍ଷ’ କାର୍ଯ୍ୟକ୍ରମ ଅଧୀନରେ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ନାଗରିକ ଓ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନଙ୍କ ସହ ବୃକ୍ଷରୋପଣ କରିଥିଲେ । ପରେ ବିଜେପି ଯୁବ ମୋର୍ଚ୍ଚା ଦ୍ୱାରା ଆୟୋଜିତ ଏକ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ସମ୍ବଲପୁର ଦେବେଇପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନରେ ଯୋଗଦେଇ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା କାର୍ଡ ଓ ଟିବି ରୋଗୀଙ୍କୁ ପୁଷ୍ଟି କିଟ୍ ବିତରଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ସେଠାରେ ଆୟୋଜିତ ସ୍ୱାସ୍ଥ୍ୟସେବା ଶିବିର ଓ ରକ୍ତଦାନ ଶିବିରରେ ସାମିଲ ହୋଇଥିଲେ । ଏହିପରି କାର୍ଯ୍ୟକ୍ରମ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହିତ ଲୋକଙ୍କୁ ସେବା କରିବା ପାଇଁ ପ୍ରେରିତ କରିବ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି, “ଏକ୍ ପେଡ୍ ମା’ କେ ନାମ୍” ପ୍ରଧାନମନ୍ତ୍ରୀଙ୍କ ଏକ ଭାବନାତ୍ମକ ବିଚାର । ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା କରିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଗଛ ଲଗାଇବା ପାଇଁ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । ଏହା କେବଳ ଏକ ଗଛ ନୁହେଁ, ବରଂ ମାଆଙ୍କ ପ୍ରତି ଥିବା ଆମର ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାର ପ୍ରମାଣ । ଏହା ଧରିତ୍ରୀ ମା’ ପ୍ରତି ଆମର ସମ୍ମାନ ଏବଂ ନିବିଡ଼ତାର ପ୍ରତୀକ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଓଡ଼ିଶାରେ ଏକ୍ ପେଡ୍ ମା’ କେ ନାମ ୨.୦ ଅଭିଯାନରେ ୭୫ ଲକ୍ଷ ଚାରାରୋପଣ କରାଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ସମ୍ବଲପୁର ଜିଲ୍ଲାରେ କେବଳ ସାଢେ ୪ ଲକ୍ଷ ଗଛ ଲଗାଯିବ । ସମ୍ବଲପୁରର ସୈନିକ ସ୍କୁଲରେ ମଧ୍ୟ ବନୀକରଣ କରିବା ପାଇଁ ସମସ୍ତେ ଆଜି ଗଛ ଲଗାଇଛନ୍ତି । ଏହି କାମରେ ସହଯୋଗୀ ହୋଇଥିବା ସ୍ୱେଚ୍ଛାସେବୀ, ଜଙ୍ଗଲ ବିଭାଗ, ଶିକ୍ଷାନୁଷ୍ଠାନ ବିଭାଗ ଓ ପ୍ରଶାସନିକ ବିଭାଗକୁ ସେ ଧନ୍ୟବାଦ ଜଣାଇଛନ୍ତି ।
ସେ ଆହୁରି କହିଛନ୍ତି, ସେବା ହିଁ ସର୍ବୋପରି । ସମାଜର ପ୍ରତ୍ୟେକ ବର୍ଗଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେହିପରି ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ କରୁଥିବା ସମସ୍ତ ଯୁବ ସ୍ୱେଚ୍ଛାସେବୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହଛନ୍ତି, ରକ୍ତଦାନ ମହାପୁଣ୍ୟ । ଏହି ମହାନ କାର୍ଯ୍ୟରେ ଯୋଗଦେଇଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଧନ୍ୟବାଦ ।

ପ୍ରକାଶ ଥାଉକି, ସମ୍ବଲପୁର ସୈନିକ ସ୍କୁଲ ପରିସରରେ ଶ୍ରୀ ପ୍ରଧାନ ବୀର ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଜଗନ୍ନାଥ ସେବା ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ

ଜଗନ୍ନାଥ ସେବା ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ

ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ମୋଦିଙ୍କ ୭୫ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଶ୍ରୀ ଜଗନ୍ନାଥ ସେବା ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ,ବୃକ୍ଷ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଇନଡା ପ୍ରାଥମିକ ବିଦ୍ୟାଳୟ ପରିସରରେ, ପ୍ରତିଷ୍ଠାତା ବଳରାମ ତରାଇ,ଶ୍ରୀ ହେମନ୍ତ କୁମାର ବେହେରାଙ୍କ ସଭାପତିତ୍ବରେ , ସ୍କୁଲ ର ପ୍ରଧାନ ଶିକ୍ଷକ ରେଣୁବାଳ ବଳିୟାର ସିଂହ, ଶରତ ନାୟକ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଛାତ୍ର ଛାତ୍ରୀ ମାନେ ମା ପାଇଁ ଗଛ ଟିଏ ଏକ ପେଡ୍ ମାକେ ନାମ ୨.୦ ଅଭିଜାନ ଆରମ୍ଭ କରିଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ – ଏହି ଅଭିଯାନରେ ବୃକ୍ଷ ରୋପଣ,ବୃକ୍ଷ ପୂଜନ ଓ ବୃକ୍ଷ ବଣ୍ଟନ ମଧ୍ୟ କରାଯାଇଛି। ପ୍ରତି ବର୍ଷ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆଧାରିତ ପୁସ୍ତକ ବଣ୍ଟନ କରାଯାଉଛି ,ଏ ବର୍ଷ ମଧ୍ୟ ୫୦୦ ଟି ପୁସ୍ତକ ବଣ୍ଟନ କରାଯାଇଛି ।

ବିଶ୍ବାତ୍ମା ବିଶ୍ଵକର୍ମା

ବିଶ୍ବାତ୍ମା ବିଶ୍ଵକର୍ମା

“ନ ଭୂମିର୍ଣ୍ଣ ଜଳଶ୍ଚୈବ ନ ତେଜୋମୟ ନ ଚ ବାୟବଃ , ନ ଚ ବ୍ରହ୍ମା ନ ବିଷ୍ଣୁଶ୍ଚ ନ ରୁଦ୍ରଶ୍ଚ ତାରକାଃ
ସର୍ବଶୂନ୍ୟା ନିରାଲମ୍ବା ସ୍ବୟମ୍ଭୂତା ବିରାଟସତ୍ ,
ସଦା ପରାତ୍ମା ବିଶ୍ବାତ୍ମା ବିଶ୍ଵକର୍ମା ସଦାଶିବଃ ।।”
ଭକ୍ତାଧୀନ ଭଗବାନ ସ୍ୱୟଂ ବଢ଼େଇ ରୂପରେ ଭକ୍ତର ମନୋବାଞ୍ଛା ପୂରଣ କରିବା ପାଇଁ ଆସି ନିଜର ମୂର୍ତ୍ତିକୁ ନିଜେ ଗଢ଼ିଥିଲେ ବୋଲି ଆମେ ଓଡ଼ିଆ ମାନେ ହଜାର ହଜାର ବର୍ଷ ଧରି ଏହି ତତ୍ତ୍ଵକୁ ଗ୍ର‌ହଣ କରି ଉପସ୍ଥାପିତ ବୁଢ଼ା ବଢ଼େଇ ରୂପକୁ ହିଁ ବିଶ୍ୱକର୍ମାଙ୍କ ରୂପ ବୋଲି କଳ୍ପନା କରି ପୂଜା କରିଆସୁଅଛେ । ବିଶେଷ କରି ଗଣେଷ ପୂଜାର ଅବ୍ୟବହିତ ପରେ/ ପୂର୍ବରୁ, ଭାଦ୍ରବ ମାସ, କନ୍ୟା ସଂକ୍ରାନ୍ତି ( ଆଜି ଭଳି, ୧୭,ସେପ୍ଟେମ୍ବର) ଦିନ ବିଶ୍ୱକର୍ମାଙ୍କ ଚତୁର୍ଭୁଜ ମୂର୍ତ୍ତି ପୂଜା ପାଳନ କରାଯାଇଆସୁଅଛି । ପୁରାଣର ପ୍ରସିଦ୍ଧ ଯନ୍ତ୍ରୀ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପ୍ରତି କୃତଜ୍ଞତା ଓ ଶ୍ରଦ୍ଧାଞ୍ଜଳିର ନିଦର୍ଶନ ସ୍ୱରୂପ ଏଇ ଉତ୍ସବ ହୁଏ ପାଳିତ । ଆମେ ଓଡ଼ିଆ ମାନେ ହଜାର ହଜାର ବର୍ଷ ଧରି ଯେଉଁ କିମ୍ବଦନ୍ତୀ କୁ ବିଶ୍ବାସ କରିଆସିଛୁ , ତାହା ହେଉଛି ପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ଙ୍କ ଦାରୁ ମୂର୍ତ୍ତି ବିଶ୍ୱକର୍ମା ନିର୍ମାଣ କରିଥିଲେ । ଇନ୍ଦ୍ରଦ୍ୟୁମ୍ନ ରାଜା ବାଙ୍କି ମୁହାଣରୁ ସଂଗ୍ରହ କରିଥିବା ଦାରୁରେ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ନାନା ଦେଶରୁ ଦକ୍ଷ ଶିଳ୍ପୀମାନଙ୍କୁ ଅଣାଇ କାମରେ ଲଗାଇଥିଲେ କିନ୍ତୁ ସେମାନଙ୍କ ନିହାଣ ମୁନରେ ସେ ଦାରୁ ଖୋଳାଯାଇ ପାରିଲା ନାହିଁ, ବରଂ ସେଗୁଡ଼ିକର ଧାର ଓଲଟି ଗଲା । ମୂର୍ତ୍ତି ଗଢ଼ିବାରେ ବିଫଳ ହୋଇ ସମସ୍ତେ ଫେରିବାରେ ଲାଗିଲେ ଓ ଦିନକୁ ଦିନ ରାଜା ରାଣୀଙ୍କ ମନରେ ଭାଳେଣି ପଡ଼ିଲା । କିଛିଦିନ ଗତ ହେବା ପରେ ଦିନେ ଜଣେ ବୁଢ଼ା ବଢ଼େଇ ଆସି ମୂର୍ତ୍ତି ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କଲା । ପରିଶେଷରେ ବୁଢ଼ା ବଢ଼େଇକୁ ନିର୍ମାଣ ଦାୟିତ୍ୱ ଦିଆଗଲା । ବୁଢ଼ା ବଢ଼େଇର ସର୍ତ୍ତ ରଖିଲା ୨୧ଦିନ ପର୍ଯ୍ୟନ୍ତ ମନ୍ଦିର ଦ୍ୱାର ଫିଟିବ ନାହିଁ, ସେ ଉପବାସ ରହି ମୂର୍ତ୍ତି ନିର୍ମାଣ କରିବ । ଏଥିରେ ରାଜା ରାଜି ହୋଇ ମନ୍ଦିର ଦ୍ୱାର ବନ୍ଦ କଲେ । ପ୍ରତ୍ୟେକ ଦିନ ରାଜା ଭିତରର ଠକ୍‌ ଠକ୍‌ ଶବ୍ଦ ଶୁଣିବାର ବ୍ୟବସ୍ଥା କରିଥାନ୍ତି । କିଛିଦିନପରେ ଭିତରୁ ଶବ୍ଦ ଆସିବା ବନ୍ଦ ହୋଇଯିବା ପରେ ଗୁଣ୍ଡିଚା ରାଣୀ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ । ବୁଢ଼ା ବଢ଼େଇ ଉପବାସରେ ମୃତ୍ୟୁବରଣ କରିଛି ବୋଲି ସେ ଭାବିଲେ ଓ ରାଜାଙ୍କୁ ଦ୍ୱାର ଖୋଲିବାକୁ ଅନୁରୋଧ କଲେ । ଦ୍ୱାର ଉନ୍ମୁକ୍ତ କଲାପରେ ଦେଖାଗଲା ଯେ ବୁଢ଼ା ବଢ଼େଇ ଅନ୍ତର୍ଦ୍ଧ୍ୟାନ ହୋଇଯାଇଛି, ଅଛି କେବଳ ଦରଗଢ଼ା ମୂର୍ତ୍ତି । ଏଥିରେ ରାଜା ରାଣୀ ଘୋର ଚିନ୍ତାରେ ପଡ଼ିବାରୁ ଶୂନ୍ୟବାଣୀ ହେଲାଯେ- “ମୋର ଯେଉଁ ରୂପରେ ଆବିର୍ଭାବ ହେବାର ଇଚ୍ଛା ମୁଁ ସେହି ରୂପରେ ହିଁ ଆବିର୍ଭାବ ହୋଇଛି, ତେଣୁ ଏଥିରେ ଶୋଚନା କରିବାର କିଛି ନାହିଁ । ଏହି ବୁଢ଼ା ବଢ଼େଇ ଥିଲେ ସ୍ୱୟଂ ଦେବଶିଳ୍ପୀ ବିଶ୍ୱକର୍ମା” । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ଆମେମାନେ ପୁରାଣ ଶାସ୍ତ୍ରରେ ବିଶ୍ୱକର୍ମାଙ୍କ ପାଞ୍ଚ ଅବତାର ସମ୍ପର୍କରେ ଅବଗତ ହୋଇଛେ । ସେହି ପାଞ୍ଚ ଅବତାର ହେଲେ ବିରାଟ ବିଶ୍ୱକର୍ମା , ଧର୍ମବଂଶୀ ବିଶ୍ୱକର୍ମା , ଅଗ୍ନିବଂଶୀ ବିଶ୍ୱକର୍ମା , ସୁଧନ୍ୱା ବିଶ୍ୱକର୍ମା ଓ ଭୃଗୁବଂଶୀ ବିଶ୍ୱକର୍ମା । ବିଶେଷ କରି ସ୍କନ୍ଦ ପୁରାଣ ଅନୁସାରେ ବ୍ରହ୍ମା ସ୍ୱରୂପ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ମୁଖ । ବିଶ୍ୱକର୍ମାଙ୍କର ପଞ୍ଚମୁଖ ତଥା ତାଙ୍କର ପଞ୍ଚପୁତ୍ରଙ୍କ ନାମ ହେଲା – ମନୁ, ମୟ, ତ୍ୱଷ୍ଟା, ଶିଳ୍ପୀ ଓ ଦେବଜ୍ଞ ଏମାନେ ଜଣେ ଜଣେ ସମାଜ ହିତୈଷୀ, ପ୍ରଚଣ୍ଡ ତେଜୋମୟ ଦିବ୍ୟ ମହର୍ଷି । ଏହି ପଞ୍ଚମୁଖର ନାମକରଣ ଅନୁସାରେ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ପୁତ୍ର ସଂସାରର ହିତ ପାଇଁ ତଥା ଯାନ୍ତ୍ରିକ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିଥିଲେ । ମନୁ ଋଷି ବିଶ୍ୱକର୍ମାଙ୍କ ଜ୍ୟଷ୍ଠ ପୁତ୍ର, ତାଙ୍କର ବିବାହ ଅଙ୍ଗିରା ଋଷିଙ୍କ କନ୍ୟା ସମ୍ପାଙ୍କ ସହିତ ହୋଇଥିଲା । ଦ୍ୱିତୀୟ ପୁତ୍ର ମୟ ଋଷି, ତାଙ୍କର ବିବାହ ପରାଶର ଋଷିଙ୍କ କନ୍ୟା ସୌମ୍ୟା ସହିତ ହୋଇଥିଲା । ତୃତୀୟ ପୁତ୍ର ତ୍ୱଷ୍ଟା ଋଷି, ତାଙ୍କର ବିବାହ କୌଷିକ ଋଷିଙ୍କ କନ୍ୟା ଜୟନ୍ତୀଙ୍କ ସହ ହୋଇଥିଲା । ଚତୁର୍ଥ ପୁତ୍ର ଶିଳ୍ପୀ ଋଷି , ତାଙ୍କର ବିବାହ ଭୃଗୁ ଋଷିଙ୍କ କନ୍ୟା କରୁଣାଙ୍କ ସହିତ ହୋଇଥିଲା । ପଞ୍ଚମ ପୁତ୍ର ଦେବଜ୍ଞ ଋଷି , ତାଙ୍କର ବିବାହ ଜୈମିନୀ ଋଷିଙ୍କ କନ୍ୟା ଚନ୍ଦ୍ରିକାଙ୍କ ସହିତ ହୋଇଥିଲା । ତାଙ୍କ କୃପା ବଳରେ ବିଭିନ୍ନ ଜ୍ଞାନ କୌଶଳରେ ନୂଆ ନୂଆ ଜିନିଷ ଉଦ୍ଭାବନ ହୁଏ ବୋଲି ଆମେ ଓଡ଼ିଆ ମାନେ କେବଳ ନୁହେଁ, ସମଗ୍ର ସନାତନ ଧର୍ମଦର୍ଶନାନୁରକ୍ତ ମାନେ ବିଶ୍ୱାସ କରିଆସୁଛନ୍ତି ।ଦେବଶିଳ୍ପୀ ବିଶ୍ୱକର୍ମା କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୂତ ହୋଇଥିଲେ । ‘ବିଶ୍ୱ ସ୍ୱସ୍ୟ କର୍ମନ୍’ ଇତି ବିଶ୍ୱକର୍ମା । ବିଶ୍ୱକର୍ମା ମଧ୍ୟ ତ୍ୱଷ୍ଟା ନାମରେ ବିଦିତ । ସେ ଚିତ୍ରଙ୍ଗଦାଙ୍କ ପିତା ଥିଲେ । ‘ଚିତ୍ରଙ୍ଗଦାୟଃ ପିତରଂ ମାଂ ତ୍ୱଷ୍ଟାରଂ ତପୋଧନେ’ (ବାମନ ପୁରାଣ – ୬୫ /୧୦୨) । ତ୍ୱଷ୍ଟା – ତ୍ୱକ୍ଷତଚ୍ ଅର୍ଥାତ୍ ତ୍ୱଷ୍ଟା ବଢ଼ାଇ, ନିର୍ମାତା, କାରିଗର ଆଦି ଅର୍ଥରେ ବ୍ୟବହୃତ ହେବା ସହିତ ବିଶେଷକରି ବିଶ୍ୱକର୍ମା ଅର୍ଥରେ ପ୍ରଜୁଯ୍ୟ । ବ୍ରହ୍ମ ବୈବର୍ତ୍ତ ପୁରାଣରେ ବିଶ୍ୱକର୍ମାଙ୍କ ବଂଶାନୁଚରିତ ବିବର୍ଣ୍ଣିତ । ପୁନଶ୍ଚ ଉକ୍ତ ପୁରାଣରୁ ଜଣାଯାଏ ଯେ, ଘୃତାଚୀ ସ୍ୱର୍ଗବେଶ୍ୟା ହିଁ ବିଶ୍ୱକର୍ମାଙ୍କ ପତ୍ନୀ ଥିଲେ । ‘ଅମର କୋଷ’ ବର୍ଣ୍ଣନା ଅନୁସାରେ ସ୍ୱର୍ଗ ବେଶ୍ୟାମାନଙ୍କ ମଧ୍ୟରେ ଘୃତାଚୀ ଅନ୍ୟତମ ଥିଲେ ।ଘୃତାଚୀ ମେନକା ରମ୍ଭା ଉର୍ବଶୀ ଚ ତିଳୋତମା
ସୁକେଶୀ ମଞ୍ଜୁଘୋଷାଦ୍ୟା କଥ୍ୟନ୍ତେଦ୍ଧସ୍ପରସୋ ବୁଧୈଃ ।
ବ୍ରହ୍ମବୈବର୍ତ୍ତ ପୁରାଣମତେ ଏକଦା ଘୃତାଚୀ ବେଶଭୂଷା ହୋଇ କାମଦେବଙ୍କ ନିକଟକୁ ରମଣାର୍ଥେ ପୁଷ୍କର ତୀର୍ଥକୁ ଗମନ କରୁଥିଲେ । ସେହି ସମୟରେ ଦେବଶିଳ୍ପୀ ବିଶ୍ୱକର୍ମା ସ୍ୱର୍ଗଲୋକରୁ ପ୍ରତ୍ୟାବର୍ତ୍ତନ କରୁଥିବା ଅବସ୍ଥାରେ ଘୃତାଚୀଙ୍କୁ ଭେଟିଥିଲେ । ଘୃତାଚୀ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ ବିଶ୍ୱକର୍ମା ଆସକ୍ତ ମାନସିକତାରେ ଉପନୀତ ହୋଇଥିଲେ । ଘୃତାଚୀ କିନ୍ତୁ କାମଦେବଙ୍କ ସହ ରମଣ ଉଦ୍ଦେଶ୍ୟରେ ଗମନ କରୁଥିଲେ । ଏଣୁ ସେ ବିଶ୍ୱକର୍ମାଙ୍କୁ ପ୍ରବୃତ୍ତିରୁ ନିବୃତ୍ତି ହେବାକୁ ପରାମର୍ଶ ଦେଲେ । କହିଲେ “ହେ ଦେବଶିଳ୍ପୀ, ସ୍ୱର୍ଗର ନିୟମ ଅନୁସାରେ ଯେଉଁ ଦିନ ଦେବତାଙ୍କ ପ୍ରତି ସ୍ୱର୍ଗବେଶ୍ୟାମାନଙ୍କ ଅଭିଳାଷ ଥାଏ ସେଦିନ ସେହି ନିର୍ଦ୍ଦିଷ୍ଟ ଦେବତା ହିଁ ପତି ସ୍ୱରୂପ । ଏଣୁ କାମଦେବ ମୋ ପକ୍ଷେ ଆଜି ଦିନର ପତି ସ୍ୱରୂପ । ତୁମେ ବିଶ୍ୱକର୍ମା ମଧ୍ୟ କାମଦେବଙ୍କ ଶିଷ୍ୟ ଅଟ । ଏଣୁ ଗୁରୁପତ୍ନୀ ହରଣ କରିବା ଅବିଧେୟ । ଆସନ୍ତାକାଲି ତୁମେ ମୋର ପତି ହେବ ନିଶ୍ଚୟ ।” ଘୃତାଚୀଙ୍କ ଘୋର ବାରଣ ହେତୁ ବିଶ୍ୱକର୍ମା ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଘୃତାଚୀଙ୍କୁ ମର୍ତ୍ତ୍ୟରେ ଶୂଦ୍ରନାରୀ ଭାବେ ଜନ୍ମହେବାକୁ ଅଭିଶାପ ଦେଲେ । ଘୃତାଚୀ ମଧ୍ୟ ବିଶ୍ୱକର୍ମାଙ୍କୁ ମର୍ତ୍ତ୍ୟରେ ମାନବ ହୋଇ ଜନ୍ମହେବାକୁ ପ୍ରତି ଅଭିଶାପ ଦେଲେ । ବିଶ୍ୱକର୍ମା ଘୃତାଚୀର ଅଭିଶାପ ପ୍ରସଙ୍ଗ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ଜଣାଇଲେ ଓ ତାହାର ନିରାକରଣ ବିଷୟରେ ପ୍ରଶ୍ନକଲେ । କିନ୍ତୁ ବ୍ରହ୍ମା ଘୃତାଚୀର ଭିନ୍ନ ବୃତ୍ତି ସତ୍ତ୍ୱେ ସ୍ୱର୍ଗରେ ପତିବ୍ରତା ସତୀର ମାନ୍ୟତା ଦେବାରୁ ତାହାର ଅଭିଶାପ ନିଷ୍ଫଳ ନୁହେଁ ବୋଲି ବିଶ୍ୱକର୍ମାଙ୍କୁ ଅବଗତ କରିଥିଲେ । ପରବର୍ତ୍ତୀ କାଳରେ ବିଶ୍ୱକର୍ମା ବ୍ରାହ୍ମଣ କୂଳରେ ଜନ୍ମ ନେଇଥିଲେ ଓ ତାଙ୍କର ଜାତିସ୍ମର ଥିବାରୁ ସେ ସବୁକଥା ଜାଣିପାରୁଥିଲେ । ରାଜାଙ୍କ ଆଦେଶରେ ସେ ପ୍ରୟାଗ ତୀର୍ଥରେ ଅନେକ ଦେବାଦେବୀଙ୍କ ମନ୍ଦିର ନିର୍ମାଣ କରୁଥିବା ବେଳେ ଏକଦା ସେହି ସମୟରେ ଗଙ୍ଗାରେ ସ୍ନାନ କରୁକରୁ ଏକ ଅନିନ୍ଦ୍ୟ ରୂପବତୀ କନ୍ୟାକୁ ଦେଖିଲେ ଓ ଅନୁଭବ କରି ଜାଣିପାରିଲେ ଯେ, ସେ ଘୃତାଚୀ ବୋଲି । ଘୃତାଚୀ ମଧ୍ୟ ବିଶ୍ୱକର୍ମାଙ୍କୁ ଜାଣିପାରିଲେ । ବ୍ରହ୍ମାଙ୍କ କଥା ଅନୁସାରେ ଉଭୟ ଗଙ୍ଗାତୀରସ୍ଥ ମଳୟ ବନରେ ବିବାହ କରି ଏକାଠି ବାରବର୍ଷ ବିତାଇଲେ । ତାଙ୍କଠାରୁ ନଅଟି ସନ୍ତାନ ଉତ୍ପତ୍ତି ହୋଇଥିଲେ । ପୁତ୍ରମାନଙ୍କ ମଧ୍ୟରେ ମାଳାକାର, କର୍ମକାର, କଂସାରି, ଶଙ୍ଖାରି, କୁମ୍ଭକାର, କୁନ୍ଦବିକ, ସୂତ୍ରଧର, ସ୍ୱର୍ଣ୍ଣକାର ଓ ଚିତ୍ରକର । ସେହି ପୁତ୍ରଙ୍କ ମଧ୍ୟରୁ ମାଳାକାରଙ୍କୁ ପୁଷ୍ପଶିଳ୍ପ, କର୍ମକାରଙ୍କୁ ଲୌହ ଶିଳ୍ପ, କାଂସ୍ୟକାରଙ୍କୁ କଂସା ଶିଳ୍ପ, ସୂତ୍ରଧରଙ୍କୁ କାଠ ଶିଳ୍ପ, ତନ୍ତୀଙ୍କୁ ବୟନଶିଳ୍ପ, କୁମ୍ଭକାରଙ୍କୁ ମୃତ୍ତିକା ଶିଳ୍ପ, ସ୍ୱର୍ଣ୍ଣକାରଙ୍କୁ ଅଳଙ୍କାର ଓ ଚିତ୍ରକାରଙ୍କୁ ଅଙ୍କନ ଶିଳ୍ପ ବିଦ୍ୟା ଶିକ୍ଷା ଦେଇ ବିଶ୍ୱକର୍ମା ସେମାନଙ୍କୁ ସୁଶିକ୍ଷିତ କରାଇଥିଲେ । କନ୍ୟା ଚିତ୍ରାଙ୍ଗଦା ମଧ୍ୟ ପିତାଙ୍କଠାରୁ ଶିଲେଇ ଶିଳ୍ପ ଶିକ୍ଷାଦାନ ପାଇଥିଲେ । ପୁନଶ୍ଚ ଉକ୍ତ ପୁରାଣରେ ଉଲ୍ଲେଖ ଅନୁସାରେ ପୁତ୍ରମାନଙ୍କ ମଧ୍ୟରୁ ଜଣେ ବ୍ରାହ୍ମଣର ସୁନା ଚୋରୀ କରିବାରୁ ସ୍ୱର୍ଣ୍ଣକାର ପତିତ ରୂପେ ବିବେଚିତ ହେଲେ । ସେହିପରି ଯଜ୍ଞ ସମୟରେ ସୂତ୍ରଧର କାଠ ଯୋଗାଣରେ ବିଳମ୍ବ କରି ମଧ୍ୟ ପତିତ ହୋଇଥିଲେ । (ବୈଦିକ ଜାଗଯଜ୍ଞରେ ବଢ଼େଇଙ୍କ ବାରିସୀ ହଣା କାଠର ବ୍ୟବହାର ଏବେବି ପ୍ରଚଳନ ରହିଛି ) । ଚିତ୍ରକାର ଏକ ଶୂଦ୍ର ବେଶ୍ୟା ସହ ଆଶକ୍ତ ହୋଇ ଅଟ୍ଟାଳିକାର (ରାଜମିସ୍ତ୍ରୀ) ରୂପେ ଆର୍ବିଭୂତ ହୋଇଥିଲେ । ଏଣୁ ସମସ୍ତ ଶ୍ରେଣୀର ଶିଳ୍ପୀ ଓ କାରିଗର ଜାତି ବିଶ୍ୱକର୍ମାଙ୍କ ବଂଶଧର ଅଟନ୍ତି । ‘ବାମନ ପୁରାଣ’ ଉଲ୍ଲେଖ ଅନୁସାରେ ଦେବଶିଳ୍ପୀ ବିଶ୍ୱକର୍ମା ଅଭିଶପ୍ତ ହୋଇ ଦାନବ ରୂପ ଧାରଣ କରିଥିଲେ । ଋଷି ଋତୁଧ୍ୱଜଙ୍କ ଠାରୁ ବର ଲାଭକରି ଘୃତାଚୀଙ୍କ ସହ ସଂପର୍କ ରଖି ‘ନଳ’ଙ୍କୁ ଜନ୍ମକରି ଶାପମୁକ୍ତ ହୋଇଥିଲେ-
“ତସ୍ମିନ୍ ଗୋଦାବରୀ ତୀର୍ଥେ ପ୍ରସୂତା ତନୟଂ ନଳମ୍
ଜାତୋଦ୍ଧପତ୍ୟ କପିତ୍ୱାତ୍ ଚ ବିଶ୍ୱକର୍ମଣ୍ୟପ୍ୟପ୍ୟୁତ୍ୱାତ୍ ।” (ବାମନ ପୁରାଣ – ୬୫ / ୧୫୪)
ବାନର ସେନାପତି ନଳ, ଯେଉଁ ପଥର ଖଣ୍ଡକୁ ସ୍ପର୍ଶ କରୁଥିଲେ, ତାହା ହାଲୁକା ହୋଇ ପାଣିରେ ଭାସୁଥିଲା । ନଳ ପଥରମାନଙ୍କୁ ସ୍ପର୍ଶ କରିବାପରେ ସେହି ଭାସମାନ ପଥରଦ୍ୱାରା ରାମଚନ୍ଦ୍ର ସମୁଦ୍ରରେ ସେତୁବନ୍ଧ ବନ୍ଧାଇ ସମୁଦ୍ରକୁ ପାର ହୋଇ ଲଙ୍କା ଗଡ଼ରେ ପହଞ୍ଚିଥିଲେ । ବିଶ୍ୱକର୍ମାଙ୍କର ଏକପୁତ୍ରୀ ଚିତ୍ରଙ୍ଗଦା ରାଜା ସୁରଥଙ୍କୁ ବିବାହ କରିଥିଲେ । ପୌରାଣିକ କଥା ଅନୁସାରେ ଦେବଶିଳ୍ପୀ ବିଶ୍ୱକର୍ମା ବା ତ୍ୱଷ୍ଟାଙ୍କୁ ଅଗ୍ନିଦେବତା ଭାବେ ସ୍ୱୀକାର କରାଯାଇଥାଏ । ଯାହାଙ୍କର ତ୍ରିଶିରା ନାମକ ପୁତ୍ର ତଥା ସଂଜ୍ଞା ନାମକ କନ୍ୟା ଥିଲେ । ସଂଜ୍ଞାଙ୍କୁ ସୂର୍ଯ୍ୟଙ୍କ ସହ ସେ ବିବାହ ସଂପନ୍ନ କରାଇଥିଲେ । ସୂର୍ଯ୍ୟଙ୍କ ପ୍ରଚଣ୍ଡ ତେଜରାଶିକୁ ସଂଜ୍ଞା ସହି ନପାରିବାରୁ ତ୍ୱଷ୍ଟା ବିଶ୍ୱକର୍ମା ୧୦୮ ସୂର୍ଯ୍ୟସ୍ତୋତ୍ର ପାଠକରି ସୂର୍ଯ୍ୟଙ୍କୁ ପ୍ରସନ୍ନ କରିଥିବା କଥା ନରସିଂହ ପୁରାଣରେ ବର୍ଣ୍ଣିତ ହୋଇଛି ।
ତେନୈବମୁକ୍ତୋ ଦିନ କୃତ୍ ତଥେତି
ତ୍ୱଷ୍ଟାରମୁକ୍ତା ବିବରାମ ଭାସ୍କରଃ
ସଂଜ୍ଞାଂ ବିଶଙ୍କାଂ ରବିମଣ୍ଡଳ ସ୍ଥିତାଂ
କୃତ୍ୱା ଜଗମଥ ରବିଂ ପ୍ରସାଦ୍ୟ । (ନରସିଂହ ପୁରାଣ -୧୯ / ୨୨)
ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରାଇବା ଫଳରେ ତାଙ୍କ ଉଗ୍ର ତେଜରାଶିକୁ ବିଶ୍ୱକର୍ମା ତାଞ୍ଛି ପକାଇଥିଲେ । ଫଳରେ ସେହି ତେଜ ପୁଞ୍ଜରୁ କ୍ରମେ ବିଷ୍ଣୁଙ୍କ ଚକ୍ର ଓ ଶିବଙ୍କ ତ୍ରିଶୂଳ ତଥା ଅନ୍ୟ ଦେବତାମାନଙ୍କ ଅସ୍ତ୍ରଶସ୍ତ୍ର ପ୍ରଭୃତି ନିର୍ମିତ ହୋଇଥିଲା । ଏହା ମହାକବି କାଳିଦାସଙ୍କ ‘ରଘୁବଂଶମ୍’ ମହାକାବ୍ୟରେ ମଧ୍ୟ ପ୍ରତିଫଳିତ “ଆରୋପ୍ୟ ଚକ୍ର ଭ୍ରମିମୁଷ୍ଟ ତେଜୋସ୍ତଷ୍ଟେବ
ଯତ୍ନୋଲିଖିତୋ ବିଭାତି ।” (ରଘୁ – ୬ / ୩୨) । ରାମାୟଣ ବର୍ଣ୍ଣନା ଅନୁସାରେ ରାବଣର ସ୍ୱର୍ଣ୍ଣ ଲଙ୍କାପୁର, ହରିବଂଶ ବର୍ଣ୍ଣନା ଅନୁସାରେ ଦ୍ୱାରିକାଧାମ, ସ୍କନ୍ଦପୁରାଣ ବର୍ଣ୍ଣନା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀ ବିଗ୍ରହ ଆଦି ବିଶ୍ୱକର୍ମାଙ୍କ ଦ୍ୱାରା ବି ନିର୍ମିତ । ନଳ ବିଶ୍ବକର୍ମାଙ୍କ ପୁତ୍ର,ସଂଜ୍ଞା ବିଶ୍ୱକର୍ମାଙ୍କ କନ୍ୟା । ସୂର୍ଯ୍ୟଦେବ ଏହାଙ୍କ ପାଣି ଗ୍ରହଣ କରିଥିଲେ । ସଂଜ୍ଞାଙ୍କ ଗର୍ଭରେ ସୂର୍ଯ୍ୟଙ୍କ ଔରସରେ ବୈବସ୍ୱତ ମନୁ, ଯମ, ଯମୁନା ଓ ଅଶ୍ୱିନୀ-କୁମାର ଦ୍ୱୟ ଜନ୍ମ ଗ୍ରହଣ କରିଥିଲେ ।
ବାନର ସେନାପତି ନଳ, ଘୃତାଚୀ ଅପ୍ସରୀର ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ଏ ଯେଉଁ ପଥର ଖଣ୍ଡକୁ ସ୍ପର୍ଶ କରୁଥିଲେ, ତାହା ହାଲୁକା ହୋଇ ପାଣିରେ ଭାସୁଥିଲା । ଏ ପଥରମାନଙ୍କୁ ସ୍ପର୍ଶ କରିବାରୁ ସେହି ଭାସମାନ ପଥରଦ୍ୱାରା ରାମଚନ୍ଦ୍ର ସମୁଦ୍ରରେ ସେତୁବନ୍ଧ ବନ୍ଧାଇ ସମୁଦ୍ରକୁ ପାର ହୋଇ ଲଙ୍କା ଗଡ଼ରେ ପହଞ୍ଚିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୭୫ତମ ‘ଜନ୍ମଦିନ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୭୫ତମ ‘ଜନ୍ମଦିନ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ।

ଶ୍ରୀ ପ୍ରଧାନ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଯେ, ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମୋଦୀଜୀ ଯେଉଁ ପୃଷ୍ଠଭୂମିରୁ ଆସି ଦେଶର ନେତୃତ୍ୱ ନେଇଛନ୍ତି ଏବଂ ରାଷ୍ଟ୍ରର ମର୍ଯ୍ୟାଦା ବଢାଇଛନ୍ତି, ତାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ । ମୋଦିଜୀଙ୍କ ନେତୃତ୍ୱ ସମସ୍ତଙ୍କ ଆତ୍ମବିଶ୍ୱାସ ବଢାଇଛି । ତାଙ୍କର ପୃଷ୍ଠପୋଷକତାରେ ବିଗତ ୧୧ ବର୍ଷ ଧରି ସର୍ବଭାରତୀୟ ସ୍ତରରେ ଏକ କଲ୍ୟାଣକାରୀ ଓ ସେବା ପ୍ରଣାଳିର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି, ଯାହାର କେନ୍ଦ୍ର ବିନ୍ଦୁରେ ଗରିବ, ସାଧାରଣ, ଚାଷୀ, ମହିଳା, ଯୁବବର୍ଗ ଓ ଜନଜାତି ସମୁଦାୟ ଅଛନ୍ତି । ଗରିବ ଓ ସାଧାରଣ ଲୋକମାନେ ସମ୍ପନ୍ନ ହେବା ସହ ମହିଳାମାନଙ୍କ ସ୍ୱାଭିମାନ ବଢୁ, ଯୁବକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଆସିବା ପାଇଁ ସେ ନିରନ୍ତର ପ୍ରୟାସ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୭୫ତମ ଜନ୍ମଦିନ ଅବସରରେ ଆମ ଦଳ ପକ୍ଷରୁ ଦେଶବ୍ୟାପୀ ‘ସେବା ପକ୍ଷ’ ପାଳନ ହେଉଛି । ଏହି ‘ସେବା ପକ୍ଷ’ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ତାରିଖ ‘ଗାନ୍ଧୀ ଜୟନ୍ତୀ’ ପର୍ଯ୍ୟନ୍ତ ୧୫ ଦିନ ଧରି ପାଳନ କରାଯିବ । ପ୍ରଧାନମନ୍ତ୍ରୀଙ୍କ ପ୍ରତିଟି କ୍ଷଣ ଦେଶ ସେବାରେ ସମର୍ପିତ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶକୁ ପାଥେୟ କରି ଏହି ‘ସେବା ପକ୍ଷ’ ଅଧୀନରେ ହେଉଥିବା କାର୍ଯ୍ୟକ୍ରମରେ ଭାଗ ନେବା ସହ ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ସ୍ୱଚ୍ଛତା, ସ୍ୱଦେଶୀ ସହ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ ଉପରେ ଗୁରୁତ୍ୱ ଦେବାକୁ ସେ ଓଡ଼ିଶାର ସାଢେ ୪ କୋଟି ଭାଇ ଭଉଣୀମାନଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ସ୍ୱଚ୍ଛତା ସହ ଏକ୍ ପେଡ୍ ମାଆ କେ ନାମ ଅଭିଯାନ ୨.୦ ଅଭିଯାନରେ ୭୫ ଲକ୍ଷ ବୃକ୍ଷରୋପଣ କରିବା । ସ୍ୱାସ୍ଥ୍ୟସେବା, ଶିକ୍ଷା, ପୋଷଣ କ୍ଷେତ୍ରରେ ନିଜର ଯୋଗଦାନ ଦେବା ସହ ‘ଭୋକାଲ୍ ଫର୍ ଲୋକାଲ’କୁ ପ୍ରୋତ୍ସାହନ ଦେଇ ଗ୍ରାମୀଣ ଅର୍ଥନୀତିକୁ ମଜଭୂତ୍ କରିବା, ଏହା ହିଁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ସଠିକ୍ ଉପହାର ହେବ ବୋଲି ସେ କହିଛନ୍ତି ।

ରାତି ପାହିଲେ ଦେବଶୀଳ୍ପୀ ବିଶ୍ବକର୍ମା ପୂଜା

ରାତି ପାହିଲେ ଦେବଶୀଳ୍ପୀ ବିଶ୍ବକର୍ମା ପୂଜା

ରାତି ପାହିଲେ ଦେବଶୀଳ୍ପୀ ବିଶ୍ବକର୍ମା ପୂଜା। ରାଜ୍ୟ ରାଜଧାନୀ ଭୁବନେଶ୍ବରଠୁ ଆରମ୍ଭ କରି ପାରାଦୀପ ସବୁଠି ଧରାତରଣ କରିଛନ୍ତି ନିର୍ମାଣ ଦେବତା ଦେବଶିଳ୍ପୀ ବିଶ୍ୱକର୍ମା। ରଙ୍ଗ ବେରଙ୍ଗର ଆଲୋକ ମାଳା ସାଂଗକୁ ଭଳିକି ଭଳି ସୁସଜ୍ଜିତ ସୁଉଚ୍ଚ ତୋରଣ ଓ ତୋରଣ ମଧ୍ୟରେ ବିରାଜମାନ କରିଛନ୍ତି ଦେବଶିଳ୍ପୀ। ବିଭିନ୍ନ ପୂଜାକମିଟି ତରଫରୁ ପୂଜାକୁ ଆକର୍ଷଣୀୟ କରିବା ପାଇଁ ଶେଷ ସ୍ପର୍ଶ ଦେଉଛନ୍ତି ମୂର୍ତ୍ତି କାରୀଗର। କେଉଁଠି ବିଭିନ୍ନ ରାଜ୍ୟର ମନ୍ଦିରର ଭ୍ରମ ସୃଷ୍ଟି କରୁଛି ତ କେଉଁଠି କାଚ ଓ ଚୁମୁକି ଓ ସୋଲ ସହିତ ସଢେଇରେ କାରିଗରମାନେ ମେଢ଼କୁ ଆକର୍ଷଣୀୟ କରିଥିବା ଦେଖିବାକୁ ମିଳିଛି। 

କେଉଁଠି ରାଜସ୍ଥାନର ପ୍ୟାଲେସ୍ ତ ନାଳିଆ ଓ ଦଉଡି ସାହାଯ୍ୟ ରେ ଆକର୍ଷଣୀୟ ତୋରଣ ନିର୍ମାଣ କରାଯାଉଥିବା ବେଳେ କେଉଁଠି ଇଂରେଜ ଅମଳର ରାଜ ପ୍ରସାଦ ଆକର୍ଷଣୀୟ ତୋରଣ ସହିତ ବିଭିନ୍ନ ପ୍ରକାରର ସୁସଜ୍ଜିତ ତୋରଣ ବିଶ୍ୱକର୍ମାଙ୍କୁ ରୁଦ୍ଧିମନ୍ତ କରିଛି। ବିଭିନ୍ନ ପୂଜାମଣ୍ଡପ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ପହଞ୍ଚିଥିବା ବେଳେ ଦେବଶିଳ୍ପୀଙ୍କ ମୃଣ୍ମୟ ମୂର୍ତ୍ତିକୁ ଆକର୍ଷଣୀୟ କରିବା ପାଇଁ ଅନେକ ପୂଜା ମଣ୍ଡପରେ ନିର୍ମାଣ ଦେବତା ବିଶ୍ୱକର୍ମାଙ୍କ ସହିତ ବିଭିନ୍ନ ଦେବାଦେବୀର ଚିତ୍ରକୁ ଅତି ସୁନ୍ଦର ଭାବରେ ନିର୍ମାଣ କରିଛନ୍ତି ଶିଳ୍ପୀ। ଅନେକ ସ୍ଥାନରେ ବିଶ୍ୱକର୍ମା ପୂଜାରେ ଦର୍ଶକଙ୍କୁ ଆକର୍ଷିତ କରିବା ସହିତ ସାତଦିନ ଧରି ବିଭିନ୍ନ ପୂଜାମଣ୍ଡପରେ ଓଡିଶା ତଥା ଓଡିଶା ବାହାରର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି ।  

ବାଲିହରଚଣ୍ଡିରେ ଯୁବତୀଙ୍କୁ ଗଣଦୁଷ୍କର୍ମ : ବିଜେଡିର ନିନ୍ଦା

ବାଲିହରଚଣ୍ଡିରେ ଯୁବତୀଙ୍କୁ ଗଣଦୁଷ୍କର୍ମ : ବିଜେଡିର ନିନ୍ଦା

ଓଡ଼ିଶାର ଗର୍ବ ଓ ଗୌରବକୁ ମାଟିରେ ମିଶାଇ ଦେଲାଣି ବିଜେପି ସରକାର । ତେଣୁ ମହିଳାଙ୍କୁ ସୁରକ୍ଷା ପ୍ରଦାନ ଦାବିରେ ଆସନ୍ତାକାଲି ସବୁ ଏସପି ଅଫିସରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯିବ । ଯଦି ସରକାର ନ ଚେତିବେ, ତେବେ ଆନ୍ଦୋଳନକୁ ଗାଁ ଗାଁରେ ଜୋରଦାର କରିବାକୁ ଚେତାବନୀ ଦେଇଛି ବିଜେଡି ।

ପୁରୀ ଜିଲ୍ଲା ବ୍ରହ୍ମଗିରି ବାଲିହରଚଣ୍ଡୀରେ ଘଟିଥିବା ଗଣଦୁଷ୍କର୍ମ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ସରକାର ଓ ପୋଲିସ ପ୍ରଶାସନର ସ୍ଥାଣୁତା ନେଇ ବର୍ଷିଛନ୍ତି ନବୀନ ।

ନବୀନ କହିଛନ୍ତି, ରାଜ୍ୟରେ ଝିଅ, ବୋହୁ ଓ ମହିଳା ଯେପରି ଭାବେ ଦୁଷ୍କର୍ମର ଶିକାର ହେଉଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ । ରାଜଧାନୀରୁ ମାତ୍ର ୫୦ କିଲୋମିଟର ଦୂରରେ ଜଣେ ଝିଅକୁ ଯେଭଳି ଭାବରେ ଗଣଦୁଷ୍କର୍ମ କରାଯାଇଛି, ତାହା ହୃଦୟ ବିଦାରକ । ରାଜ୍ୟରେ ମହିଳାଙ୍କ ଉପରେ ଏଭଳି ଜଘନ୍ୟ କାଣ୍ଡ ଘଟୁଥିବା ବେଳେ ବିଜେପି ନେତାମାନେ ଉଦବେଗ ନାଁରେ କେବଳ ଡ୍ରାମାବାଜି କରି ଚାଲିଛନ୍ତି । ଗୋପାଳପୁର, ବାଲେଶ୍ବର, ବଳଙ୍ଗା ପୀଡ଼ିତା ଏବେ ବି ନ୍ୟାୟ ଅପେକ୍ଷାରେ । ରାଜ୍ୟ ସରକାର ବାରମ୍ବାର ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଥିବା ଓ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଉଥିବା ଦାବି କରୁଛନ୍ତି । କିନ୍ତୁ ବାସ୍ତବରେ ତାହା ପ୍ରତିଫଳିତ ହେଉନାହିଁ । ପର୍ଯ୍ୟଟନ ସ୍ଥଳୀରେ ଯଦି ପର୍ଯ୍ୟଟକମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି, ତେବେ ବିଶ୍ବ ଦରବାରରେ ଏହା ଓଡ଼ିଶାର ପ୍ରତିଛବିକୁ ମଳିନ କରୁଛି ବୋଲି ନବୀନ କହିଛନ୍ତି ।

ସେପଟେ ଗଣଦୁଷ୍କର୍ମ ମାମଲାରେ ମୋଟ ୪ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଆଜି ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରାକୁ ଗିରଫ କରିଛି ବ୍ରହ୍ମଗିରି ପୋଲିସ । ସମସ୍ତ ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛି । ପୁରୀ ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଥିଲା । ପୀଡିତାଙ୍କୁ ଘଟଣା ସ୍ଥଳକୁ ନେଇ ସମସ୍ତ ଦିଗକୁ ନେଇ ତଦନ୍ତ କରିଛି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍। ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରାକୁ ଆନ୍ଧ୍ରପ୍ରଦେଶରୁ ଗିରଫ କରିଛି ପୁରୀ ପୋଲିସ । ଗତକାଲି ଯୁବତୀଙ୍କ ଡାକ୍ତରୀ ମାଇନା କରାଯାଇଥିଲା ।