ନିଜେ ଭୋଗ ନାମରେ ଭଲ ଭଲ ଖାଦ୍ୟ ଖାଇବା ପାଇଁ ନିର୍ଜୀବ ଦେବାଦେବୀଙ୍କୁ ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ପରିବେଷଣ କରୁଥିବାବେଳେ ସଜୀବ ଦେବାଦେବୀ ପିତା ମାତାଙ୍କୁ ଅବହେଳା, ଅଣଦେଖା କରିବା ଅବା ଜରା ନିବାସୀ କରାଇଦେବା ଅବା ଜରା ନିବାସକୁ ଠେଲି ଦେବା , ଏପରିକି ଦେବା ଦେବୀଙ୍କ ନିର୍ଜୀବ ବାହନ ଯଥା ମୂଷାକୁ ଲଡୁ , ସାପକୁ ଖିର, ଷଣ୍ଢ ,ବଳଦ,ଗାଈ ଆଦି ଙ୍କୁ ପୂଜା କରି ସଜୀବ ଗାଇ ଗୋରୁ ପ୍ରଭୃତି ପଶୁ ମାନଙ୍କ ଉପରେ ଅତ୍ୟାଚାର, ଏପରିକି ବିଷ ଦେଇ ହତ୍ୟା, ଵାଡିଆବାଡି କରାଯାଇ ଆସୁଥିବା ସମୟରେ ବିଗତ ଦୁଇ ଦଶନ୍ଧି ତଳେ କହିଥିଲୁ ” ପ୍ରତିମାରେ ନୁହେଁ ପ୍ରତି ମାଆରେ ଦୁର୍ଗତିନାଶିନୀଙ୍କୁ ଦେଖି ପୂଜା କରାଯିବା ଉଚିତ ।
। ଠିକ୍ ସେହିଭଳି ଜୀବନ୍ତ ପ୍ରତିଭା ମାନଙ୍କୁ ସକଳ ପ୍ରକାର ନିନ୍ଦା, ଅପମାନ ଲାଞ୍ଛନା,କୁତ୍ସା, ମିଥ୍ୟା ଅଭିଯୋଗ, ଭିତ୍ତିହୀନ ସମାଲୋଚନା, ଏପରିକି ଚକ୍ରାନ୍ତ ଆଧାରିତ ମସୀଲିପ୍ତ କରି ସେମାନଙ୍କୁ ପ୍ରତି ନିୟତ ମାନସିକ ନିର୍ଯ୍ୟାତନା ଦିଆ ଯାଉଥିବା ବେଳେ ସେମାନଙ୍କ ମୃତ୍ୟୁ ପରେ ଗତାନୁଗତିକ ଶ୍ରଦ୍ଧାବିବର୍ଜିତ ଶ୍ରାଦ୍ଧ ଅବା ସ୍ଵକୀୟ ପତିଆରା ସୃଷ୍ଟି ନିମନ୍ତେ ଜୟନ୍ତୀ ପାଳନ କରାଯାଏ । ଗୈାତମ ବୁଦ୍ଧ,ଯିଶୁ ଖ୍ରୀଷ୍ଟଙ୍କ ଠାରୁ ମହାତ୍ମା ଗାନ୍ଧୀ, ଭାରତ ଗୌରବଙ୍କ ଠାରୁ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁଙ୍କ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଉଦାହରଣ ସମୂହର ଜ୍ୱଳନ୍ତ ଦୃଷ୍ଟାନ୍ତ ଅଛି ।
ଏବେ ତ ଜଣେ ଅପରାଧୀର ଅଧିବକ୍ତା ତଥାକଥିତ ଜନ ପ୍ରତିନିଧି ସର୍ବୋଚ୍ଚ ପଞ୍ଚାୟତ କକ୍ଷରେ ଏହାକୁ ଜାତୀୟ କରଣ କରାଇ କହିଥିଲେ ଯେ ଓଡ଼ିଶା ରେ କଙ୍କଡା ଚରିତ୍ରର ପ୍ରାବଲ୍ୟ ସର୍ବତ୍ର ପ୍ରତିଫଳିତ । ବାସ୍ତବ କଥା ହେଉଛି , କରୋନା ଭଳି ଅନ୍ୟ ଏକ ଅଦୃଶ୍ୟ ରୋଗରେ ରୋଗାକ୍ରାନ୍ତ ଅନେକ ଲୋକ । ଅନ୍ୟର ଭଲ କାମର ପ୍ରଶଂସା କଲାବେଳେ କୈାଣସି ଅଦୃଶ୍ୟ ଶକ୍ତି ସେମାନଙ୍କ ଗଳାକୁ ଚିପିଦିଏ, ଅଥଚ କାହାର ନିନ୍ଦା କରିବା ସମୟରେ ସେହି ଅଦୃଶ୍ୟ ଶକ୍ତି କୁଆଡେ଼ ଗଳାକୁ ମେଲେଇ ଦିଏ । “ପ୍ରଶଂସା କାତର, ନିନ୍ଦା ପ୍ରବର” ରୋଗ ପାରାନୋଇଆ ରୋଗ ଠାରୁ ଭୟଙ୍କର ।
ଆମ ସମୟର ଜଣେ ପ୍ରାଜ୍ଞ ପ୍ରାଧ୍ୟାପକ, ପ୍ରବଚକ, ଆଲେଖ୍ୟ ସ୍ରଷ୍ଟା ଏକଦା ଜଣେ ବନ୍ଧୁଙ୍କ ପରିଚୟ ଦେବାକୁ ଯାଇ ଏକ ବାକ୍ୟ ବ୍ୟବହାର କରିଥିଲେ ” ନିଃସଙ୍କୋଚ ପ୍ରଶଂସା ଓ ଯଥୋଚିତ ନିନ୍ଦା” ହିଁ ସମାଜର ଗ୍ରହଣୀୟ ଆଚାର ପଣ୍ୟ ହେବାକଥା, ମାତ୍ର ହୁଏନା କାହିଁକି ? ରୋଗୀକୁ ନୁହେଁ ରୋଗ କୁ ଘୃଣା କର ବୋଲି ପ୍ରବଚନ ଦେଉଥିବା, ଗବେଷଣା ଧର୍ମୀ ପ୍ରବନ୍ଧ, ଆଲେଖ୍ୟ ସ୍ରଷ୍ଟା ପରମୁହୂର୍ତ୍ତରେ ସେହି ରୋଗାକ୍ରାନ୍ତର ପ୍ରଳାପକୁ ,ଅପର ପ୍ରତି ମିଥ୍ୟାରୋପକୁ ପରୀକ୍ଷା ନ କରି ଅନ୍ୟର ସାମାଜିକ ସମ୍ମାନକୁ କ୍ଷୁର୍ଣ୍ଣ କରିବାରେ ଅଯଥା ସମୟ ଅପଚୟ କରି ଆତ୍ମସନ୍ତୋଷ ପାଇବା ଏକ ସାମାଜିକ ବିଡ଼ମ୍ବନା ନୁହେଁ କି ? ଆଚରଣ ଓ ଉଚ୍ଚାରଣ ମଧ୍ୟରେ ସମନ୍ବୟ ରକ୍ଷାକରି ଯେଉଁ କାର୍ଯ୍ୟ କରାଯାଏ ବା ଯେଉଁ କଥା କୁହାଯାଏ , ତାହା ଜନ ବିଶ୍ୱସନୀୟତା ଆହରଣ କରିଥାଏ । କଥା ରେ ଅଛି କହି ଦେଉଥାଏ ଅନ୍ୟକୁ, ବୁଦ୍ଧି ନ ଦିଶଇ ନିଜକୁ” ନ୍ୟାୟରେ କେତେକ ଆଜି ଅଭିଯୁକ୍ତ । ଏପରିକି ” ଡହରା ଡାକୁ ଡାକ ଛାଡୁଛି ,ଦେଖ ଦେଖ ଅଗ୍ରତେ ଧାଏଁ ଡକାୟତ ।
ବିପ୍ଲବୀ କବି ରବି ସିଂହ ଙ୍କ ଭାଷାରେ ” ଯାଦୁଆ ବିକୁଛି ଯାଦୁର ମଲମ,ମଦୁଆ ଧରିଛି ନିଶା ନିବାରଣ ବାନା ” । ଏଭଳି ରୋଗର ସଂକ୍ରମଣ କେବଳ ସମ୍ଭବପର ହେଉଛି ଅନ୍ୟ ମାନଙ୍କର ପ୍ରତିବାଦ ବିହୀନ ତଥା ପର ନିନ୍ଦା ଶ୍ରବଣ ବ୍ୟାକୁଳତା , ସ୍ବାର୍ଥ ସର୍ବସ୍ବ ମାନସିକତା କାରଣ ରୁ । ଯିଏ ଅନ୍ୟ ର ଅନୁପସ୍ଥିତିରେ , କୌଣସି ପ୍ରାମାଣିକ ତଥ୍ୟ ବା ଭିତ୍ତି ନଥାଇ ତା ବିରୋଧ ରେ ନିନ୍ଦା, ଚୁଗୁଲୀ କରୁଛି , ସେହି ଲୋକ ପରବର୍ତ୍ତୀ ସମୟରେ ଅନ୍ୟ ନିକଟରେ ଯେ ପୂର୍ବୋକ୍ତ ବ୍ୟକ୍ତି ବିରୋଧରେ କହୁନଥିବ ବୋଲି ଭାବନାଟି ଯଦି ଆସୁଥାନ୍ତା ତେବେ ସମ୍ପୃକ୍ତଟି ଚୁଗୁଲୀ ପ୍ରବଣତାକୁ ବିରୋଧ କଲେ ଚୁଗୁଲୀ ଚରିତ୍ରଧାରୀ ଟି ନିରୁତ୍ସାହିତ ହୁଅନ୍ତା ।
ସ୍ବାଧୀନତା ସଂଗ୍ରାମୀ,ପ୍ରାତଃ ସ୍ମରଣୀୟ ସାରସ୍ଵତ ସାଧକ ତଥା ଜନନେତା ସୁରେନ୍ଦ୍ର ମହାନ୍ତି ଏହି ଚରିତ୍ରର ବ୍ୟକ୍ତି ମାନଙ୍କ ପାଇଁ ସଂଜ୍ଞା ଦେଇ ଯାଇଛନ୍ତି – “ପତଳା କାନିଆ” । ସମ୍ପ୍ରତି ଅବକ୍ଷୟୀ ଲୋକ ଚରିତ୍ର ପ୍ରଭାବରେ ପ୍ରଭାବିତ ସମାଜ ଏବେ ମାନବୀୟ ଅବୟବ ତ୍ୟାଗ କରି ଜାନ୍ତବ୍ୟ ଖୁଆଡମୟ ଅବୟବକୁ ଆପଣାଇ ଚାଲିଛି । ଯେପରି ଚିଡ଼ିଆଖାନାରେ ରହିଥାନ୍ତି ଭିନ୍ନ ଭିନ୍ନ ପ୍ରଜାତିର ଅସଂଖ୍ୟ ବଣୁଆ ଜୀବଜନ୍ତୁ ଆଉ ଏଇ ସମାଜରେ ଅଧୁନା ପରିଦୃଶ୍ୟ ହେଉଛନ୍ତି ଭିନ୍ନ ଭିନ୍ନ ଜାତି ଜାତିକା ମଣିଷ। ବାଘ ,ଭାଲୁ, ସିଂହ ଚିତା ପରି ଅତ୍ୟନ୍ତ ହିଂସ୍ର ମଣିଷ, ବିଲୁଆ ଶିଆଳ ପରି ଆବଶ୍ୟକତାଠୁ ଅଧିକ ଚତୁର ମଣିଷ ତ ଦେଖା ଯାଉଛନ୍ତି ହରିଣ ଠେକୁଆ ଭଳି ଅତ୍ୟନ୍ତ ନିରୀହ ମଣିଷ , ଅର୍ଥାତ୍ ଜାତି ଜାତିକା ମଣିଷ। କେତେ ରଙ୍ଗ, କେତେ ରୂପର ମଣିଷ , କେତେ ଚିତ୍ର, କେତେ ଚରିତ୍ରର ମଣିଷ, ସେଥିରେ ପୁଣି ପ୍ରତିଟି ମଣିଷର ଶକ୍ତି ସାମର୍ଥ୍ୟ, ଆଚାର ବ୍ୟବହାର ସଦାବେଳେ ରହିଥାଏ ଭିନ୍ନ ଭିନ୍ନ।
ସେମାନଙ୍କ ଜୀବନ ଯାପନର କଳା କୌଶଳ ମଧ୍ୟ ଭିନ୍ନ ଏବଂ ଭିନ୍ନ ପୁଣି ସେମାନଙ୍କ ଭାଷା ଆଉ ଭାବ , ଆଚରଣ ଓ ଉଚ୍ଚାରଣ। ଆଠ ଶହ କୋଟିର ମଣିଷ ସଂଜ୍ଞାଧାରୀ ଦୁନିଆରେ ଏତେ ଲୋକ ରହୁଛନ୍ତି ଯେତେବେଳେ, ସେମାନଙ୍କ ଖାଦ୍ୟ ପାନୀୟରେ ଭିନ୍ନତା ପରିଲକ୍ଷିତ ହେବା ଏକ ସ୍ୱାଭାବିକ ଓ ସାଧାରଣ କଥା। ସବୁଠୁ ବଡ଼ କଥା ହେଉଛି, ଅସୁମାରି ମଣିଷଙ୍କୁ ନେଇ ଗଢ଼ା ଏଇ ସମାଜର ଜନଜୀବନର ଚିତ୍ର, ଲୋକ ଚରିତ୍ର, ଲୋକମାନଙ୍କ ଚରିତ୍ର।
ଆମେ ଜାଣୁ ଯେ ପ୍ରତିଟି ମଣିଷର ଚରିତ୍ର ଭିନ୍ନ ଭିନ୍ନ। ଜଣକ ଚରିତ୍ର ଆଉ ଜଣକ ସହ କେବେହେଲେ ସଂପୂର୍ଣ୍ଣ ରୂପେ ସମାନ ହୋଇ ନଥାଏ। ହୁଏତ ଏହା କେବେ କେବେ କାହା କାହା ସହିତ କିଛି ମାତ୍ରାରେ ମେଳ ଖାଉଥିଲେ ହେଁ ଭିନ୍ନତା ଥାଏ କିନ୍ତୁ ସର୍ବାଧିକ। କାରଣ ଏଇ ଲୋକ ଚରିତ୍ର ହିଁ ଏମିତି, ଯାହା ସଦାବେଳେ ରହିଥାଏ ଅବୋଧ୍ୟ, ଅଗମ୍ୟ ତଥା ରହସ୍ୟାବୃତ। ତେଣୁ ଲୋକ ଚରିତ୍ରକୁ ଅନୁଧ୍ୟାନ ଏବଂ ଅନୁଶୀଳନ କରିବାର ସର୍ବାଧିକ ଆବଶ୍ୟକତା ରହିଥାଏ ସଦାବେଳେ, ସବୁଠାରେ।
ଏପରିକି ଲୋକ ଚରିତ୍ରକୁ ଗୁରୁତ୍ୱ ନଦେଇ କୌଣସି ବି କାର୍ଯ୍ୟ କରାଯିବା ଅର୍ଥ ହେଉଛି ସାମାଜିକ ବିଭ୍ରାଟକୁ ଦୁବ,ଅରୁଆ ଚାଉଳ, ଗୋଟି ଗୁଆ ଦେଇ ଆମନ୍ତ୍ରଣ କରିବା। ମାନବ ସମାଜରେ ତଥା ସାମାଜିକ ଜୀବନରେ ଏଇ ଲୋକ ଚରିତ୍ର କେତେ ଗୁରୁତ୍ୱପୂର୍ଣ୍ଣ, ତାହା ଏଇଠୁ ଅନୁମେୟ। ଲୋକ ଚରିତ୍ରର ଆକ୍ଷରିକ ଅର୍ଥ ହେଉଛି ମାନବୀୟ ପ୍ରକୃତି ବା ସାଧାରଣ ଚରିତ୍ର। ଏଇ ଲୋକ ଚରିତ୍ର ହୁଏତ ହୋଇପାରେ ଭଲ ଅଥବା ମନ୍ଦ, ସର୍ଜନାତ୍ମକ ଅଥବା ବିଧ୍ୱଂସକାରୀ, କିନ୍ତୁ ତାହା ମଣିଷର ମୂଲ୍ୟାଙ୍କନ କରିବାରେ ଖୁବ୍ ସହାୟକ ହୋଇଥାଏ। ମଣିଷ ଚିହ୍ନିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ।
ଆମେ ଜାଣୁ ଯେ ଲୋକ ଚରିତ୍ରକୁ ସଦାସର୍ବଦା ନିୟନ୍ତ୍ରିତ କରିଥାଏ ତା’ର ମାନବୀୟ ପ୍ରକୃତି ଆଉ ପ୍ରବୃତ୍ତି, ବୁଦ୍ଧି ବୃତ୍ତି, ମନ ଆଉ ମନୀଷା। ତେଣୁ ଏହାକୁ ଉପଯୁକ୍ତ ମାର୍ଗରେ ସୁପରିଚାଳିତ କରି ପାରିଲେ, ମାନବ ସମାଜର ଅଶେଷ କଲ୍ୟାଣ ହେବା ନିଶ୍ଚିତ। ମାନବ ଜୀବନ ମଧ୍ୟ ହୋଇପାରିବ ସୁବ୍ୟବସ୍ଥିତ ତଥା ସମୁନ୍ନତ। ଜୈବିକ ଦୃଷ୍ଟିକୋଣରୁ ପ୍ରତିଟି ମଣିଷ ସମାନ ଦେଖା ଯାଉଥିଲେ ହେଁ, ତାଙ୍କ ଭିତରେ ରହିଥାଏ ଖୁବ୍ ପ୍ରଭେଦ। ସେମାନଙ୍କ ଭିତରେ ରହିଥାଏ ମଧ୍ୟ ଜଣା ଅଜଣା ଅସଂଖ୍ୟ ଜାତି ପ୍ରକୃତି ବା ଜେନେଟିକ୍ କରେକ୍ଟର୍, ଯାହା ଯୁଗ ଯୁଗ ଧରି ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ପରିବାହିତ ହୋଇ ଆସୁଛି ଗୁଣସୂତ୍ର ମାଧ୍ୟମରେ। ତା ସହିତ ମଣିଷ ଭିତରେ ରହିଥାଏ ଅଜସ୍ର ଧାର୍ମିକ ଆସ୍ଥା ଆଉ ବିଶ୍ୱାସ। ସେସବୁ ବହୁ ପରିମାଣରେ ଲୋକ ଚରିତ୍ରକୁ ପ୍ରଭାବିତ କରିଥାଏ ଅନେକ ସମୟରେ।
ଧନୀ ଗରିବ, ମୂର୍ଖ ପଣ୍ଡିତ, ଧାର୍ମିକ ଅଧାର୍ମିକ, ଗୃହସ୍ଥ ସନ୍ନ୍ୟାସୀ, ଏହିଭଳି ଅଗଣିତ ଲୋକଙ୍କ ସମାହାର ହେଉଛି ଏଇ ଦୁନିଅା। ସ୍ଥଳ ବିଶେଷରେ ଏହିସବୁ ପରିବେଶ ଏବଂ ପରିସ୍ଥିତି ଲୋକ ଚରିତ୍ରକୁ ନିୟନ୍ତ୍ରିତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ନିୟନ୍ତ୍ରିତ କରିଥାଏ ମଧ୍ୟ ତାର ଭାବ ଏବଂ ମନୋଭାବକୁ। ସ୍ୱଭାବତଃ ଧନୀ ମଣିଷଟିଏ ଅଧିକ ମାତ୍ରାରେ ସ୍ୱେଚ୍ଛାଚାରୀ ତଥା ଅହଂକାରୀ ହୋଇଥିବା ସ୍ଥଳେ ଗରିବ ଲୋକଟିଏ ହୋଇଥାଏ ଆବଶ୍ୟକତା ଠାରୁ ଅତ୍ୟନ୍ତ ସହିଷ୍ଣୁ।
ଇଚ୍ଛା ଥିଲେ ବି ଦରିଦ୍ର ମଣିଷଟିଏ କୌଣସି ପ୍ରକାରେ ବାଦ କି ପ୍ରତିବାଦ କରି ପାରେନାହିଁ। କାହିଁକି ନା ସବୁରି ମୂଳରେ ରହିଥାଏ ‘ଅନ୍ନ ଚିନ୍ତା ଚମତ୍କାର’। ଆପଣାର ନିୟତି ମନେକରି ସବୁତକ ଅନ୍ୟାୟ ଅତ୍ୟାଚାରକୁ ମଥାପାତି ସହିଯାଆନ୍ତି ଏମାନେ। ହେଲେ ବାରୁଦ ତଳର ନିଆଁ ପରି କୁହୁଳୁଥାଏ ସେଇ ଅସନ୍ତୋଷ। ଆଉ ଯେତେବେଳେ ସେଥିରେ ବିସ୍ଫୋରଣ ଘଟେ, ସେତେବେଳେ ତଥାକଥିତ ସଭ୍ୟ ସମାଜରେ ଧ୍ୱଂସ ଅନିବାର୍ଯ୍ୟ। ପଣ୍ଡିତ କି ଶିକ୍ଷିତ ମଣିଷଟିଏ ନିଜସ୍ୱ ବୁଦ୍ଧି ବିଚାରରେ କୌଣସି ବିଷୟକୁ ଅଧିକରୁ ଅଧିକ ପରିମାଣରେ ତର୍ଜମା କରି ପାରୁଥିବା ଅଥବା ତଉଲି ଦେଖୁଥିବା ବେଳେ ମୂର୍ଖ ଲୋକଟିଏ ହୁଣ୍ଡା ପରି ଆଖିବୁଜି ସବୁକଥାକୁ ଗ୍ରହଣ କରି ନେଇଥାଏ। ଆଗପଛ କିଛି ବି ବିଚାର ନକରି ପରକଥାରେ ପଡ଼ି ଆଗକୁ ଆଗକୁ ମାଡ଼ି ଚାଲିଥାଏ ମଧ୍ୟ।
ଏହା ଅବଶ୍ୟ ସତ ଯେ ଆମ ସମାଜରେ କିଛି ଓଲା ମଣିଷ ରହିଥିବା ବେଳେ ସଂଖ୍ୟାଧିକ ମଣିଷ ରହିଥାନ୍ତି ଅତିଶୟ ଶିକ୍ଷିତ ମୂର୍ଖ। ଏଇ ଓଲା କି ମୂର୍ଖ ଲୋକଟିଏକୁ ହୁଏତ ବୁଝେଇ ଦେଇହୁଏ କୌଣସି ନା କୌଣସି ପ୍ରକାରେ। ହେଲେ ଶିକ୍ଷିତ ମୂର୍ଖଙ୍କୁ?? ସେମାନଙ୍କୁ ବୁଝେଇବା ବାସ୍ତବରେ ଖୁବ୍ କଷ୍ଟକର।
ଏଇଠି ଆପଣମାନେ ହୁଏତ ମୋତେ ପ୍ରଶ୍ନ କରିପାରନ୍ତି “ଶିକ୍ଷିତ ତ ଶିକ୍ଷିତ, ମୂର୍ଖ ତ ମୂର୍ଖ, ଏଇ ଶିକ୍ଷିତ ମୂର୍ଖ ପୁଣି କ’ଣ ? କାହିଁକି ଏମିତି ବିଶେଷଣଟିଏ ଲଗେଇଲେ ଆପଣ ?” ଗତ ୨୦୦୫ ମସିହାରେ ” ସୁବାର୍ତ୍ତା” ର ଜୁନ ୧୪ ସଂଖ୍ୟାରେ ” ଶିକ୍ଷିତ ମୂର୍ଖ ଓ ମୂର୍ଖ ପଣ୍ଡିତ” ଶୀର୍ଷକରେ ପ୍ରକାଶ ପାଇବା ପରେ ଅନେକ ପାଠକ ଆମକୁ ଏଭଳି ପ୍ରଶ୍ନ କରିଥିଲେ ।
ଆଜ୍ଞା ଆପଣ ପ୍ରଜ୍ଞାଦୀପ୍ତ ପାଠକ ବର୍ଗ ! ମହାବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟରୁ ଯେନତେନ ପ୍ରକାରେଣ ଖଣ୍ଡେ ଉଚ୍ଚତର ଶିକ୍ଷା ପ୍ରମାଣପତ୍ର ଯୋଗାଡ଼ କରିଦେଲେ କେହି ଜଣେ କ’ଣ ଶିକ୍ଷିତ ହୋଇଯାଏ? ଆଉ ବିଦ୍ୟାଳୟ ଦ୍ୱାର ମାଡ଼ି ନଥିବା ଲୋକଟିକୁ ଆମେମାନେ ଆଖି ବୁଜି ମୂର୍ଖ ଅପଗଣ୍ଡ କହିପାରିବା କି? ଏଇ ଉଚ୍ଚତର ଶିକ୍ଷା ପ୍ରମାଣପତ୍ର ଖଣ୍ଡକ କେବେହେଲେ କାହାର ଜ୍ଞାନର ପରିମାପକ ହୋଇନପାରେ। ଯୋଉ ବିଦ୍ୟା ମଣିଷକୁ ସୁଚାରୁ ରୂପେ ଗଢ଼ି ପାରେ ନାହିଁ, ଜୀବନକୁ କରି ପାରେନାହିଁ ସୁସଂଗଠିତ, ଆଚାର ବ୍ୟବହାରକୁ କରି ପାରେନାହିଁ ପରିମାର୍ଜିତ, ସେଇଟା କି ଶିକ୍ଷା ? ଏଇ ତଥାକଥିତ ଶିକ୍ଷିତ ମୂର୍ଖମାନେ ଆମ ସମାଜରେ ସର୍ବତ୍ର ବିଚରଣ କରୁଛନ୍ତି ମାଳମାଳ ହୋଇ। ଏଇମାନେ ହିଁ ସାମାଜିକ ବିଭ୍ରାଟର ମୂଳ କାରଣ ଭାବେ ଉଭା ହେଉଛନ୍ତି ଆଜିକାଲି।
ସେଇଥି ପାଇଁ ତ କୁହା ଯାଇଛି “ଯସ୍ୟ ନାସ୍ତି ସ୍ୱୟଂ ପ୍ରଜ୍ଞା ପୁରାଣଃ କିଂ କରିଷ୍ୟତି? ଲୋଚନାଭ୍ୟାଂ ବିହୀନେନ ଦର୍ପଣଃ କିଂ କରିଷ୍ୟତି ?” । କେଉଁ ବିଶ୍ବବିଦ୍ୟାଳୟରୁ ସାମନ୍ତ ଚନ୍ଦ୍ରଶେଖର ବୈଜ୍ଞାନିକ ପ୍ରମାଣ ପତ୍ର ବା ଗବେଷକ ପ୍ରମାଣ ପତ୍ର ପାଇଥିଲେ ? ଜୀବନରେ ଚାଟଶାଳୀ ମାଟି ମାଡି ନଥିବା ସନ୍ଥକବି ଭୀମଭୋଇ ଙ୍କ ଠାରୁ ବିପ୍ଲବୀ କବି ରବି ସିଂହ , ସ୍ବାଧୀନତା ସଂଗ୍ରାମୀ ମନମୋହନ ଚୌଧୁରୀ ଙ୍କ ଠାରୁ ଆରମ୍ଭ କରି ମୁରାରୀ ମିଶ୍ର ମାନଙ୍କ ଉଦାହରଣୀୟ ତାଲିକା ଖୁବ ପ୍ରଲମ୍ବିତ ।
ମଣିଷଟିଏକୁ ଜ୍ଞାନୀ କି ଅଭିଜ୍ଞ କରାଏ ତା’ର ସ୍ୱାଧ୍ୟାୟ, ସାମାଜିକ ଜୀବନରେ ତା’ର ଅଭିଜ୍ଞତା, ଜ୍ଞାନ ଅର୍ଜନ ପାଇଁ ତା’ର ନିରନ୍ତର ପ୍ରୟାସ। ଜ୍ଞାନୀ ହେବା ପାଇଁ କେବଳ ପୁସ୍ତକଗତ ବିଦ୍ୟା ଯଥେଷ୍ଟ ନୁହେଁ। ଏଥିପାଇଁ ଲୋଡ଼ା ଆପଣାର ଅନ୍ତର୍ଦୃଷ୍ଟି, ଆତ୍ମଜ୍ଞାନ, ତା’ ସହିତ ଜାଗ୍ରତ କରିବାକୁ ହେବ ଆପଣାର ପ୍ରଜ୍ଞା, ତାକୁ ଆମେ ତୃତୀୟ ନୟନ ବି କହିପାରୁ। ସେସବୁ ପ୍ରତି ଦୃଷ୍ଟି ନଦେଇ ଏବେ ଆମେ ସମସ୍ତେ ଖାଲି ବଡ଼ବଡ଼ କଥା ହାଙ୍କିବାରେ ବ୍ୟସ୍ତ। “କୁହନ୍ତି ଯେଡ଼େ ନୁହନ୍ତି ତେଡ଼େ’’।
ପାଞ୍ଚ କରିଥିବେ କି ନାହିଁ ସନ୍ଦେହ, ହେଲେ ପଚାଶ କରିଛି ବୋଲି ଭାଷଣ ଝାଡ଼ୁଥିବେ ଅନର୍ଗଳ। ଏହା ହିଁ ଆଜିକାଲି ଆମ ଲୋକ ଚରିତ୍ରର ସବୁଠାରୁ ଗୋଟେ ବଡ଼ ଦୁର୍ବଳ ଦିଗ, ଯାହାକୁ ପାଥେୟ କରି ଲୋକଙ୍କୁ ଭଣ୍ଡିବା ପାଇଁ ନେତାଠୁ କର୍ମୀ ପର୍ଯ୍ୟନ୍ତ ସମସ୍ତେ ଭାଷଣ ଦେବାରେ ହୋଇ ପାରିଛନ୍ତି ଖୁବ୍ ଓସ୍ତାଦ୍। ସାମାଜିକ ଉନ୍ନତି ପ୍ରସଙ୍ଗରେ ଅନ୍ୟ କିଛି ଜାଣନ୍ତୁ କି ନଜାଣନ୍ତୁ କିଛି ଚିନ୍ତା ନାହିଁ, ଏଇ କାମଟି କିନ୍ତୁ ସେମାନଙ୍କୁ ବେଶ୍ ଭଲଭାବେ ଜଣା। ଏଇ ବିଦ୍ୟା ପ୍ରୟୋଗ କରି ସାଧାରଣ ଜନତାଙ୍କୁ ଭକୁଆ ବନେଇବାରେ ସେମାନେ ସର୍ବୋଚ୍ଚ ଡିଗ୍ରୀ ହାସଲ କରିଛନ୍ତି କହିଲେ ବି ଅତ୍ୟୁକ୍ତି ହେବନାହିଁ।
ଆମ ସମାଜରେ ଏବେ ପ୍ରତ୍ୟେକ କ୍ଷେତ୍ରରେ ସର୍ବଜ୍ଞ ପୁରୁଷମାନଙ୍କର ପ୍ରବଳ ଭିଡ଼। ପ୍ରତିଟି କଥାରେ, ଏପରିକି ପ୍ରତିଟି ଘଟଣାରେ ନାକ ଗଳେଇବା ହେଉଛି ଏମାନଙ୍କର ସବୁଠାରୁ ବଡ଼ ସଉକ୍। ଼ଏପରିକି ଯେଉଁ ବିଷୟବସ୍ତୁ ଉପରେ ତାଙ୍କର ଜ୍ଞାନଘର ଶୂନ, ସେଇ କ୍ଷେତ୍ରରେ ବି ସେମାନେ ଅଗ୍ରଣୀ ଭୂମିକା ନିର୍ବାହ କରିବାକୁ ଆଗେଇ ଆସନ୍ତି ନିଃଶଙ୍କୋଚରେ। ସେମାନଙ୍କୁ ଯେମିତିକି ଜୋତା ସିଲେଇଠୁ ଆରମ୍ଭ କରି ଚଣ୍ଡୀପାଠ ପର୍ଯ୍ୟନ୍ତ ସବୁ ଜ୍ଞାନ ଜଣା। ଏଇ ଯେମିତି, ନିଜେ କୋଉଠି କେବେ ଦିନେ ଡିସିମିଲେ ଜମିରେ ଚାଷବାସ କରିନଥିବେ ଅଥଚ ଆଗେଇ ଆସିବେ ଚାଷୀମାନଙ୍କ ନେତୃତ୍ୱ ନେବା ପାଇଁ।
ତାଙ୍କୁ ସାହିତ୍ୟର ‘ସ’ ଅକ୍ଷର ଜଣା ନଥିବ, ହେଲେ ଶୋଭା ବର୍ଦ୍ଧନ କରୁଥିବେ ସାହିତ୍ୟ ଅନୁଷ୍ଠାନର ସଭାପତି ପଦବୀରେ।ଅତି ସନ୍ତର୍ପଣରେ ସାଧାରଣ ମଣିଷମାନଙ୍କୁ ଆଖିବୁଜା ଲୁଟୁଥିବେ ଅଥଚ ନିଜକୁ ଜଣେ ସର୍ବଶ୍ରେଷ୍ଠ ସମାଜସେବୀ ଭାବେ ଉପସ୍ଥାପିତ କରୁଥିବେ ସର୍ବସାଧାରଣରେ। ଆଜିକାଲି ଶିକ୍ଷାଦୀକ୍ଷା, ଯୋଗ ପ୍ରାଣାୟାମ, ପ୍ରତିଟି କ୍ଷେତ୍ରରେ ନେତୃତ୍ୱ ନେବାକୁ ଆଗେଇ ଆସୁଛନ୍ତି ଏଇ ସବ୍ଜାନ୍ତା ଲୋକମାନେ। ଏଥିରେ ବ୍ୟକ୍ତି ବିଶେଷର କି ସମାଜର, କାହାର କି ଲାଭ ହେଉଛି, ତାହା ଅବଶ୍ୟ ବିଚାର୍ଯ୍ୟ। ମାଛିକୁ ଭଲଲାଗେ ପଚାଘା। ଘୁଷୁରିକୁ ଭଲଲାଗେ ପଙ୍କ କାଦୁଅ, ଅଳିଆ ଆବର୍ଜନା।
ଲାଙ୍ଗୁଡ଼ିଆ ପୋକମାନଙ୍କ ପାଇଁ ତ ଏକମାତ୍ର ସ୍ୱର୍ଗ ହେଉଛି ମଳମୂତ୍ର ପରିପୂର୍ଣ୍ଣ ନର୍ଦମା। ଯୁଗେଯୁଗେ ଦୁନିଅାରେ ଏମିତି କିଛିଲୋକ ରହି ଆସିଛନ୍ତି ଯେଉଁମାନେ ବାଟ ଚାଲୁଚାଲୁ କଣ୍ଟାବାଡ଼ରେ ଲୁଗା ଲଗାଇ କାହାରି ନା କାହାରି ସାଙ୍ଗରେ କଳି କରିବାକୁ ଖୁବ୍ ଭଲ ପାଆନ୍ତି। ଭଲ ପାଆନ୍ତି ମଧ୍ୟ ଅନ୍ୟର ସର୍ବନାଶ କରିବାକୁ। କାହିଁକି କେମିତି ଯେ ଗାଳିମନ୍ଦ କଳିଗୋଳରୁ ସେମାନଙ୍କୁ ମିଳିଥାଏ ସ୍ୱର୍ଗୀୟ ସୁଖ, ପରମ ଆନନ୍ଦ। ଯନ୍ତ୍ରଣାରେ ଛଟପଟ ହେଉଥିବା ମଣିଷଟିଏ ଦେଖିଲେ ସେମାନଙ୍କ ହୃଦୟକୁ ମିଳିଥାଏ ଅପୂର୍ବ ଶାନ୍ତି। ଅନ୍ୟାୟ ଅନୀତି, ହତ୍ୟା ବ୍ୟଭିଚାର ହେଉଛି ଏଇ ଶ୍ରେଣୀର ମଣିଷମାନଙ୍କର ପହିଲି ପସନ୍ଦ।
ନ୍ୟାୟ ଅନ୍ୟାୟ ଯେକୌଣସି ପନ୍ଥା ହେଉ, ସେଥିରେ ତାଙ୍କର କିଛି ଯାଏଆସେ ନାହିଁ, ତାଙ୍କୁ ଦରକାର ଧନ ସଂପଦ, କ୍ଷମତା, ପ୍ରତିପତ୍ତି ଆଉ ପଦମର୍ଯ୍ୟାଦା। ଭଲମନ୍ଦର ପାର୍ଥକ୍ୟ ଯେ ସେମାନେ ଜାଣି ପାରନ୍ତି ନାହିଁ ତାହା ନୁହେଁ, ସେମାନଙ୍କୁ ଗ୍ରାସିଥାଏ ଗୋଟେ ଅହେତୁକ ବଡ଼ଲୋକୀର ନିଶା। ଏଥି ଯୋଗୁଁ ତାଙ୍କ ଆଖିରେ ପଡ଼ିଥାଏ ସ୍ୱାର୍ଥର ପରଳ। ଯେଉଁଥି ପାଇଁ ଅନ୍ୟାୟ ମାର୍ଗରୁ ଓହରି ଆସିବାକୁ ସେମାନେ ଚାହାନ୍ତି ନାହିଁ କେବେହେଲେ। କେବଳ ସେତିକି ନୁହେଁ, ସେମାନେ ତାଙ୍କ ଜୀବନରେ କେବେହେଁ ହଜମ କରି ପାରନ୍ତି ନାହିଁ କାହାରି ସୁଖଶିରୀ। ଭଲଲୋକ କି ଭଲକାମ କିଛିହେଲେ ଦେଖାଯାଏ ନାହିଁ ସେମାନଙ୍କ ଆଖିକୁ।
ସତ କହିବାର କି ସତକୁ ସ୍ୱୀକାର କରିବାର ଦମ୍ଭ ମଧ୍ୟ ନଥାଏ ଏଇ ଲୋକମାନଙ୍କର। ତେଣୁ ମିଛକୁ ପ୍ରତିଷ୍ଠିତ କରିବା ପାଇଁ ବିତଣ୍ଡା ଯୁକ୍ତିର ସାହାଯ୍ୟ ନେଉଥାନ୍ତି ପ୍ରତିଟି କ୍ଷେତ୍ରରେ। ଆହୁରି ମଧ୍ୟ ସମସ୍ତେ କେବଳ ତାଙ୍କୁ ହିଁ ଗୁରୁତ୍ୱ ଦିଅନ୍ତୁ, ଦେଇ ଚାଲିଥାନ୍ତୁ ଏହା ହେଉଛି ସେମାନଙ୍କ ଏକମାତ୍ର ଅଭୀପ୍ସା। ସେମାନଙ୍କ ଦୃଷ୍ଟିରେ ତାଙ୍କ ମୁଖ ନିଃସ୍ରୁତ ବଚନ ହେଉଛି ପ୍ରଣବ ମନ୍ତ୍ର, ଭାଷା ହେଉଛି ବେଦବାକ୍ୟ, ଇଚ୍ଛା ହେଉଛି ଈଶ୍ୱରଙ୍କ ବାଣୀ। ଏଥିରେ ସାମାନ୍ୟତମ ବ୍ୟତିକ୍ରମକୁ ବି ସହ୍ୟ କରି ପାରନ୍ତି ନାହିଁ ସେମାନେ।
ଏପରିକି ନିଜର ପଦ ପ୍ରତିଷ୍ଠା ପାଇଁ ଯେକୌଣସି ନିମ୍ନ ସ୍ତରକୁ ଯିବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ ଏଇ ଅମଣିଷମାନେ।ଆମ ସମାଜରେ ଏମିତି କିଛିଲୋକ ରହିଥାନ୍ତି, ଯେଉଁମାନେ ନିଜକୁ ନିଜେ ମନେ କରନ୍ତି ଅତ୍ୟନ୍ତ ବିଜ୍ଞ। ତାଙ୍କ ଦୃଷ୍ଟିରେ କେବଳ ସେଇମାନେ ହିଁ ପଣ୍ଡିତ, ଆଉ ଦୁନିଆର ଅନ୍ୟ ସମସ୍ତେ ଅଜ୍ଞାନ, ମୂର୍ଖ ପାମର। ଏଇଠି ଆମକୁ ମନେରଖିବାକୁ ହେବ ଯେ ଯିଏ ନିଜକୁ ସର୍ବଶ୍ରେଷ୍ଠ ଜ୍ଞାନୀ ମନେକରେ, ସଂସାରରେ ତା’ଠୁ ବଡ଼ ମୂର୍ଖ ଆଉ କେହିନାହିଁ।
ଆଲୋଚ୍ୟ ପ୍ରସଙ୍ଗରେ ପୂର୍ବରୁ ମୁଁ କହିଛି ଏଇ ଦୁନିଆ ହେଉଛି ଏକ ଚିଡ଼ିଆଖାନା ଆଉ ପ୍ରତିଟି ମଣିଷ ହେଉଛନ୍ତି ଗୋଟିଏ ଗୋଟିଏ ମନୋରଞ୍ଜନକାରୀ ଜୀବ ମାତ୍ର। ସେମାନଙ୍କ ଚରିତ୍ର ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉପଯୁକ୍ତ ଭାବେ, ଯଥୋଚିତ ମାର୍ଗରେ ପରିଚାଳିତ କରିପାରିଲେ ଅବଶ୍ୟ ସୁରକ୍ଷିତ ରହିବ ଏଇ ସଂସାର ରୂପକ ଚିଡ଼ିଆଖାନା। ଦର୍ଶକମାନଙ୍କ ପାଇଁ ହୋଇପାରିବ ମଧ୍ୟ ଉପଭୋଗ୍ୟ ।