ଜିଏସଟି ସଂସ୍କାର ୨.୦  ଅର୍ଥନୈତିକ ସଂସ୍କାରର ନୂଆ ଯୁଗ ଆରମ୍ଭ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ

ଜିଏସଟି ସଂସ୍କାର ୨.୦  ଅର୍ଥନୈତିକ ସଂସ୍କାରର ନୂଆ ଯୁଗ ଆରମ୍ଭ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ

ଭାରତ ୪.୨ ଟ୍ରିଲିୟନ ଆମେରିକୀୟ ଡଲାର ସହ ବିଶ୍ୱର ଚତୁର୍ଥ ବୃହତମ ଅର୍ଥନୀତିର ଦେଶ ହୋଇଛି । ୨୦୧୩-୧୪ରେ ଦେଶର ରପ୍ତାନୀ ପରିମାଣ ୪୬୬.୨୨ ବିଲିୟନ ଆମେରିକୀୟ ଡଲାର ଥିବା ବେଳେ ଆଜି ତାହା ୭୭ ପ୍ରତିଶତ ବଢି ୮୨୪.୯ ବିଲିୟନ ଆମେରିକୀୟ ଡଲାର ହୋଇଛି । ଭାରତର ଆର୍ଥିକ ଅଭିବୃଦ୍ଧି ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ହୋଇଛି । ଜିଏସଟି ସଂସ୍କାର ୨.୦ ଦ୍ୱାରା ‘ସହଜ ଜୀବନଯାପନ’ ଓ ଅର୍ଥନୈତିକ ସଂସ୍କାରର ନୂଆ ଯୁଗ ଆରମ୍ଭ ହୋଇଛି । ଇଜ୍ ଅଫ୍ ଲିଭିଂ ଏବଂ ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସକୁ ପ୍ରୋତ୍ସାହିତ କରି ଏହି ଜିଏସଟି ସଂସ୍କାର ଭାରତକୁ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ମାର୍ଗ ପ୍ରଶସ୍ତ କରିବ ବୋଲି ଶୁକ୍ରବାର ‘ଝାରସୁଗୁଡ଼ା ଚାମ୍ବର୍ସ ଅଫ୍ କମର୍ସ’ ପକ୍ଷରୁ ଆୟୋଜିତ ଜିଏସଟି ସଂସ୍କାର ସମ୍ପର୍କିତ “କନଭେସନ ଅନ୍ ଜିଏସଟି ରିଫର୍ମ – ୨୦୨୫” କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ଯେ ୨୦୧୯ରେ ଦେଶରେ ପ୍ରାୟ ୪.୯ କୋଟି ନିବେଶକ ଥିଲେ । ଏହି ସଂଖ୍ୟା ୧୩.୨ କୋଟି ହୋଇଛି । ଦେଶରେ ବିଦେଶ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ବା ଏଫଡିଆଇ ୨୦୧୩-୧୪ ବର୍ଷରେ ୩୬.୦୫ ବିଲିୟନ ଆମେରିକୀୟ ଡଲାର ଥିଲା । ଏହି ସଂଖ୍ୟା ଦୁଇ ଗୁଣା ହୋଇ ୮୧.୦୪ ବିଲିୟନ ଆମେରିକୀୟ ଡଲାର ହୋଇଛି । ଦେଶର ଜିଡିପି ହାର ୨୦୧୪-୧୫ରେ ୧୦୬.୫୭ କୋଟିରୁ ତିନିଗୁଣା ବଢି ୩୩୧.୦୩ କୋଟି ହୋଇଛି । ଆମ ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାର (ଫରେକ୍ସ ରିଜର୍ଭ) ୬୯୭.୯ ବିଲିୟନ ଆମେରିକୀୟ ଡଲାର ବଢିଛି । ୨୦୨୦ରେ ଜିଏସଟି କଲେକ୍ସନ ୧୧ ଲକ୍ଷ କୋଟି ହୋଇଥିବା ବେଳେ ଏବେ ତାହା ବଢି ୨୨ ଲକ୍ଷ କୋଟି ହୋଇଛି ।

କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଜିଏସଟି ସଂସ୍କାର ୨.୦ ଦ୍ୱାରା ଲୋକଙ୍କର ଖର୍ଚ୍ଚ କମୁଛି ଓ ସଞ୍ଚୟ ବଢୁଛି । ବିକଶିତ ଅର୍ଥନୀତି ପାଇଁ ଯେଉଁ ସର୍ତ୍ତର ପ୍ରସ୍ତୁତି ଦରକାର, ଏହି ଜିଏସଟି ସଂସ୍କାର ସେ ଦିଗରେ ବଡ଼ ପଦକ୍ଷେପ । ଏହାକୁ ନେଇ ଲୋକମାନେ ଉତ୍ସାହିତ ଅଛନ୍ତି । ମୋଦୀ ସରକାରରେ ଜିଏସଟି ପ୍ରକ୍ରିୟାରେ ସଂସ୍କାର ଓ ଜିଏସଟି ହାରରେ ସରଳୀକରଣ ପ୍ରମୁଖ ଅର୍ଥନୈତିକ କ୍ଷେତ୍ରକୁ ତ୍ୱରାନ୍ୱିତ କରିବ । ବିଶେଷ ଭାବରେ ଦୈନନ୍ଦିନ ବ୍ୟବହୃତ ଜିନିଷରେ ଜିଏସଟି କମିବା ଦ୍ୱାରା ସାଧାରଣ ଲୋକମାନେ ଲାଭବାନ ହେବେ । ଏହି ସଂସ୍କାର ଦ୍ୱାରା କୃଷି, ଶିକ୍ଷା, ଷ୍ଟାର୍ଟଅପ୍, ବ୍ୟାବସାୟ ଏବଂ ସ୍ୱାସ୍ଥ୍ୟ ସମେତ ବିଭିନ୍ନ କ୍ଷେତ୍ରରେ ଲୋକମାନେ ବିଶେଷ ଭାବରେ ଲାଭ ପାଇବେ।

ଏହାବ୍ୟତୀତ ଝାରସୁଗୁଡ଼ାରେ ବ୍ୟବସାୟ କ୍ଷେତ୍ରରେ ଥିବା ସମ୍ଭାବନା ଉପରେ ଚର୍ଚ୍ଚା କରିବା ସହ ଶିଶୁମାନଙ୍ୁ୍ ପୋଷଣକୁ ଠିକ୍ କରିବା ପାଇଁ ଆଗେଇ ଆସିବା ପାଇଁ ଝାରସୁଗୁଡ଼ା ଚାମ୍ପର୍ସ ଅଫ କମର୍ସର ସଦସ୍ୟମାନଙ୍କୁ  ସେ ଆହ୍ୱାନ କରିଛନ୍ତି ।

ସମ୍ବଲପୁର ଦେବେଇପାଲିରେ ‘ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ କେନ୍ଦ୍ର’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର ଦେବେଇପାଲିରେ ‘ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ କେନ୍ଦ୍ର’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସମ୍ବଲପୁର ଦେବେଇପାଲି ଠାରେ ‘ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର’ର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ‘ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ କେନ୍ଦ୍ର’ର ଉଦଘାଟନ କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ସ୍ୱାସ୍ଥ୍ୟ ହେଉଛି ମାନବ ଜୀବନର ସମ୍ପଦ ତଥା ପ୍ରତ୍ୟେକ ବ୍ୟକ୍ତିର ଅଧିକାର । ଲୋକାର୍ପିତ ‘ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦନ୍ତ ଚିକିତ୍ସା ସହ ଅନ୍ୟାନ୍ୟ ଚିକିତ୍ସାସେବା ସୁବିଧା ରହିଛି । ଏହି କେନ୍ଦ୍ରଗୁଡ଼ିକ ଲୋକଙ୍କୁ ଉନ୍ନତ ଏବଂ ବିଶେଷଜ୍ଞ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଉଦ୍ଦିଷ୍ଟ । ଲୋକାର୍ପିତ ଓ ଶିଳାନ୍ୟାସ ହୋଇଥିବା ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାନୀୟ ଅଞ୍ଚଳର ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ପୂରଣ କରିବ ।

ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ‘ସେବା ପର୍ବ -୨୦୨୫’ ଅବସରରେ ଯୋଗଦେଇ ଝାରସୁଗୁଡ଼ାରେ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ, ବୁର୍ଲାକୁ ବିଶ୍ୱସ୍ତରୀୟ ସୁପର ସ୍ପେଶାଲିଟି ଚିକିତ୍ସାଳୟରେ ରୂପାନ୍ତରଣ କରିବା ପାଇଁ ଘୋଷଣା କରିଛନ୍ତି । ଭିମସାର ମେଡିକାଲରେ ବେଡ୍ ସଂଖ୍ୟା ୧୪୮୫ ଥିବାବେଳେ ଏହାକୁ ୨୬୫୦ ସିଟକୁ ହଢାଯିବ ଏବଂ ଏଥିପାଇଁ ୧୬୧୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପଦକ୍ଷେପ ହସ୍ପିଟାଲକୁ ଅତ୍ୟାଧୁନିକ ଚିକିତ୍ସା କେନ୍ଦ୍ରରେ ପରିଣତ କରିବା ସହ ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିବ । ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମ୍ବଲପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଏବଂ ମତ୍ସ୍ୟ ଓ ପଶୁ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ ।

ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ

ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ

ଆଜି ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ (୩ ଅକ୍ଟୋବର ୧୮୯୦ – ୮ ଜାନୁଆରୀ ୧୯୬୩) ମହାନ୍ ସ୍ଵାଧୀନତା ସଂଗ୍ରାମୀ, ପ୍ରବୀଣ ସାରସ୍ବତ ସାଧକ, କବି, ସାମ୍ବାଦିକ, ସମାଜସେବୀ, ସଂସ୍କାରକ, ଐତିହାସିକ ଓ ରାଜନୀତିଜ୍ଞ ଙ୍କ ୧୩୬ ତମ ପବିତ୍ର ଜୟନ୍ତୀ ଦିବସ । ବାଲେଶ୍ୱର ନିକଟସ୍ଥ ମଣିଖମ୍ବ ଗ୍ରାମର କ୍ଷେତ୍ରମୋହନ ସାହୁଙ୍କର ସେ ଏକମାତ୍ର ସନ୍ତାନ ଥିଲେ । ସ୍କୁଲ ଶିକ୍ଷା ପରେ ସେ ଏକାଧିକ ବିଷୟରେ ଏମ୍.ଏ. ଓ ଏଲ୍.ଏଲ୍.ବି. ପାସ କରିଥିଲେ ।

ପୁରୀର ଭିକ୍ଟୋରିଆ କ୍ଳବ ହୋଟେଲରେ ଜଣେ ପରିଚାଳକ ଭାବେ ସେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଅଳ୍ପ କିଛି ଦିନ ପରେ ସେ ଚାକିରି ଛାଡି, ଶିକ୍ଷକତା କରିଥିଲେ । ସେ ତାଙ୍କର ଜନଜାତି ସମ୍ପର୍କୀୟ ଲେଖା ଯୋଗୁ ଖ୍ୟାତିପ୍ରାପ୍ତ ହୋଇଥିଲେ । ଜନଜାତିଙ୍କର ପୁରୁଷ ପୁରୁଷ ଧରି ଚଳିଆସୁଥିବା ମୂଖନିସୃତ କାହାଣୀରେ ସ୍ୱର୍ଗ, ନର୍କ, ସୃଷ୍ଟି ଓ ମୃତ୍ୟୁ ବିଷୟରେ ସେ ଲେଖିଚାଲିଥିଲେ ।

ଓଡ଼ିଶାର ଗ୍ରାମ୍ୟ ନାଚ ତଥା ସଙ୍ଗୀତ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ ଓ ତାହାର ଉନ୍ନତି ଓ ସ୍ଥାୟୀତ୍ୱ ନିମନ୍ତେ କାମ କରିଥିଲେ । ଓଡ଼ିଆ ଛଡା ହିନ୍ଦୀ, ବଙ୍ଗଳା ଓ ସଂସ୍କୃତରେ ମଧ୍ୟ ଲେଖା ଲେଖି କରୁଥିଲେ । ଗଳ୍ପ ମଧ୍ୟରେ ବୀଣା, ସୁଲତା, କଣ୍ଟ୍ରୋଲ ରୁମ୍, କବିତା ମଧ୍ୟରେ ପଶର ଓ ସାମାଜିକ ଗଳ୍ପ “ସ୍ପ୍ରିଙ୍ଗ ଅଫ୍ ଦି ସୋଲ୍ “ତାଙ୍କୁ ପ୍ରସିଦ୍ଧି ଆଣିଥିଲା ।

ଓଡ଼ିଆ ଖବରକାଗଜ ସହକାର ଓ ଇଂରାଜୀ ଖବରକାଗଜ ଷ୍ଟାର ଅଫ୍ ଉତ୍କଳରେ ଧାରାବାହିକ ଭାବେ ଆଲେଖ୍ୟ ପ୍ରକାଶ କରି ଜନସଚେତନତା ସୃଷ୍ଟି କରୁଥିଲେ । ଅସ୍ପୃଶ୍ୟପ୍ରଥା ଓ ମହିଳାମାନଙ୍କ ଦୁର୍ଗତି ବିରୁଦ୍ଧରେ ସେ ସମାଜ ସଂସ୍କାରକ ଭାବେ କାମ କରୁଥିଲେ ।ସେ ଓଡ଼ିଶା ବିଧାନ ସଭାକୁ ୧୯୪୭ ମସିହାରେ ନିର୍ବାଚିତ ହୋଇଥିଲେ ଓ ଭାରତର ସମ୍ବିଧାନ ପ୍ରଣୟନ ସଭା ( କନ୍‌ସ୍ଟିଚୁଏଣ୍ଟ ଆସେମ୍ଲି)ର ସେ ସଭ୍ୟ ଥିଲେ ।

ସେ ତାଙ୍କର ଅଗ୍ନିବର୍ଷୀ ସାରଗର୍ଭକ ଭାଷଣଦ୍ୱାରା ଭାରତର ସମ୍ବିଧାନର ଚିଠା ପ୍ରସ୍ତୁତ ବେଳେ ଯୁକ୍ତି କରି କହିଥିଲେ ଯେ ତାହା ବିପଦଜନକ ଓ ବିପରୀତଧର୍ମୀ ଥିଲା ଯାହାକୁ ବାହାର ନ କଲେ ଭାରତକୁ ଭବିଷ୍ୟତରେ ଖଣ୍ଡ ବିଖଣ୍ଡ କରିଦେବ ଓ ଏହି ଯୁକ୍ତିକୁ ବି. ଆର୍. ଆମ୍ବେଦକର ମଧ୍ୟ ମାନିଥିଲେ ସତ୍ୟ ମାତ୍ର ପରିବର୍ତ୍ତନ କରିନଥିଲେ ।

ମାନବ ସେବାକୁ ମାଧବ ସେବା ଭାବେ ବ୍ରତ ଗ୍ରହଣ କରି ସମଗ୍ର ଜୀବନ ଦୁଃଖ, ନିର୍ଯ୍ୟାତନା ରେ ବିତାଇ ଥିଲେ । ଛାତ୍ରାବସ୍ଥାରୁ ଜାତିପ୍ରଥା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ସମାଜ ସଂସ୍କାର କ୍ଷେତ୍ରରେ ବହୁ କାର୍ଯ୍ୟ କରିଥିଲେ । ପଇତାକୁ ଏପରି ବାଖ୍ୟା କରିଥିଲେ ଯେ : “ପଇତାର ଛଅ ଖିଅ, ଛଅଟି ଗୁଣର ପ୍ରତୀକ , ତାହା ହେଲା ଯଜନ, ଯାଜନ, ଅଧ୍ୟୟନ, ଅଧ୍ୟାପନା, ଦାନ ଓ ପ୍ରତିଗ୍ରାହ । ଯାହାର ଏହି ଗୁଣ ଥିବ, ସେ ପଇତା ପକେଇ ପାରିବ ।”

ସନ ୧୯୫୫ ମସିହାରେ ସାହିତ୍ୟ ଓ ଶିକ୍ଷା ବିଷୟରେ ତାଙ୍କର ଦାନ ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା । ଓଡ଼ିଶା ଇତିହାସ ଉପରେ ତାଙ୍କର କାମ ନିମନ୍ତେ ତାଙ୍କୁ ଇତିହାସ ରଥ କୁହାଯାଉଥିଲା । ସେ ଏସିଆଟିକ୍ ସୋସାଇଟିର ସଭ୍ୟ, ଓଡ଼ିଆ ସାହିତ୍ୟ ଏକାଡେମିର ସଭାପତି ଓ ସର୍ଭାଣ୍ଟ ଅଫ ଇଣ୍ଡିଆ ସୋସାଇଟିର ସଭ୍ୟ ଥିଲେ ।

କଟକରେ ତାଙ୍କ ନାମରେ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟ ସ୍ଥାପିତ ହୋଇଛି । ଏହି ମହାତ୍ମାଙ୍କ ଆଜି ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମ୍ଲାନ ଅମୃତ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି , ବନ୍ଦେ ଉତ୍କଳଜନନୀ।

ଏହା କେଉଁ ଗଣିତ ପାଠ ? ଅଙ୍କ ଗଣନାରେ ତ୍ରୁଟି

ଏହା କେଉଁ ଗଣିତ ପାଠ ? ଅଙ୍କ ଗଣନାରେ ତ୍ରୁଟି

ଭାରତର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଭିନ୍ନ ଗଣମାଧ୍ୟମ ଗତକାଲି ଲେଖିଲେ ଶାସ୍ତ୍ରୀଙ୍କ ୧୨୧ ତମ ଓ ମହାତ୍ମାଗାନ୍ଧୀଙ୍କ ୧୫୬ ତମ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି । ଏହା କେଉଁ ଗଣିତ ପାଠ ?

ଲାଲ ବାହାଦୂର ଶ୍ରୀବାସ୍ତବ (ଶାସ୍ତ୍ରୀ) ଙ୍କ ଜନ୍ମ ଅକ୍ଟୋବର ୨, ୧୯୦୪ । ସେହିପରି ମହାତ୍ମାଗାନ୍ଧୀଙ୍କ ଜନ୍ମ ମଧ୍ୟ ଅକ୍ଟୋବର ୨ ତାରିଖରେ ଏବଂ ମସିହା ହେଉଛି ୧୮୬୯ ।

୧୯୦୪ ମସିହାରେ ଜନ୍ମଲାଭ କରିଥିବା ଶାସ୍ତ୍ରୀ ବଞ୍ଚିଥିଲେ ତାଙ୍କୁ ୨୦୨୫, ଅକ୍ଟୋବର ୧ ତାରିଖ , ରାତି ୧୨ ଟା ପରେ ହୋଇଥାନ୍ତା କି ନାହିଁ ୧୨୬ ? ଅତଏବ ୧୨୬ ତମ ଜୟନ୍ତୀ । ହଁ, ହୋଇପାରିବ ୧୨୫ ତମ ପୂର୍ତ୍ତି ଜନ୍ମ ବାର୍ଷିକୀ । ଜନ୍ମ ରେ ଗୋଟିଏ ସଂଖ୍ୟା ମିଶାଣ, ମୃତ୍ୟୁରେ ଫେଡାଣ, ଏହାହିଁ ଗଣିତ । ଏହି ଆଧାରରେ ମହାତ୍ମାଗାନ୍ଧୀଙ୍କ ୧୫୭ ତମ ଜନ୍ମତିଥି ହେବା କଥା ।

ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ୨୦୧୭ ରେ ପାଳନ ସମୟରେ ଆମେ ପ୍ରଶ୍ନ କରିଥିଲୁ ଯେ ମାର୍ଚ୍ଚ ୫, ୧୯୧୬ ରେ ଜନ୍ମ ଗ୍ରହଣ କରିଥିବା ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଶତବାର୍ଷିକୀ ମାର୍ଚ୍ଚ ୫ ,୨୦୧୫ ରୁ ୨୦୧୬, ମାର୍ଚ୍ଚ ୪ ତାରିଖ ମଧ୍ୟରେ ପାଳନ କରାଯିବା କଥା । ସେତେବେଳେ କୁହାଗଲା , ଘୋଷଣା ତ ହୋଇସାରିଛି, ମଲା ଘୋଡ଼ା ର ଟାଙ୍କ ଗଣା କାହିଁକି ? ତର୍ଜମା ନ କରି ସିଧା ଫେଡି ଦେଇ ତଳିଆ କର୍ମଚାରୀ ଯାହା ନଥି ଦାଖଲ କରନ୍ତି, ତାହାକୁ ଗ୍ରହଣ କରି ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେବା ଅର୍ଥ ,ଭୁଲ ଉପରେ ଠିକ୍ ର ମୋହର ମାରିବା । ଶାସ୍ତ୍ର କୁହେ ସମାଜର ବଡ଼ବଡ଼ିଆ ମାନେ ଯାହା କରନ୍ତି, ତାହା ଲୋକେ କରିଥାନ୍ତି । ଠିକ୍ ଭାବେ ଶ୍ଲୋକ ଟି ମନେ ପଡୁନି , ବୋଧେ ଏୟା ଯେ ” ଯଦା ଯଦାଚରତି ଶ୍ରେଷ୍ଠଃ , ତଦାନୁଲୋକାନୁବର୍ତ୍ତତେ ” ।

ଏହି ନ୍ୟାୟ ରେ ଅନେକ ଜୟନ୍ତୀ ସଭାରେ ପ୍ରଦର୍ଶିତ ସୂଚନା ଲେଖନ ବା ବ୍ୟାନର ରେ ଭୁଲ୍ ଲେଖା ପ୍ରକାଶ ପାଇ ଆସୁଛି । ଅଧୁନା ସାମାଜିକ ବ୍ୟବସ୍ଥାରେ ଚଟପଟିଆ ସଂସ୍କୃତି ଗଭୀର ଭାବେ ପ୍ରଭାବ ବିସ୍ତାର କରି ଚାଲିଛି, ଯାହା କୁ ଇଂରାଜୀରେ କୁହାଯାଏ ଫାଷ୍ଟ ଫୁଡ୍ କଲଚର । ଗାଇ ପାଳ,ଘାସ,କୁଣ୍ଡା କୋଳଥ ଦିଅ, ଗୁହାଳ ସଫା କର, ଖିର ଦୁଅଁ , ଏତେ କଷ୍ଟ କାହିଁକି, ଓମଫେଡ ଅଛି । ସେହିପରି ସଂସ୍କୃତି ର ଇଂରାଜୀ ଅର୍ଥ କଲଚର ନୁହେଁ କି ବାର୍ଷିକ ଆୟ ବ୍ୟୟ ସାମ୍ଭାବ୍ୟ ଅଟକଳ ଅର୍ଥ ବଜେଟ ନୁହେଁ , ଏହିପରି ଅନେକ କୁନ୍ଥାଣ ଅନୁବାଦ ସମ୍ପର୍କରେ ଅନେକ ଆଲେଖ୍ୟ ଆଲୋଚନା କରି ଆସୁଥିଲେ ମଧ୍ୟ ତାହାର ସାମାନ୍ୟତମ ପ୍ରଭାବ ପଡିନାହିଁ , ଏହା ସତ୍ୟ ମାତ୍ର, ଆଗାମୀ ଦିନରେ ନିଶ୍ଚିତ ପଡିବ ।

୧୯୮୦ ମସିହାରେ ଆମେ ” ବନ୍ଦେ ଉତ୍କଳ ଜନନୀ” ସମ୍ବୋଧନ କରିଆସୁଥିବା ସମୟରେ ବହୁ ଥଟ୍ଟା ମଜା ର ସମ୍ମୁଖିନ ହୋଇଚୁ,ହୋଇଛୁ ମଧ୍ୟ ଲଜ୍ଜିତ । ୩୮ ବର୍ଷ ପରେ ତାହା ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି । ସତ୍ୟ କୁ ଦିନେ ନା ଦିନେ ସମସ୍ତେ ଗ୍ରହଣ କରିବେ । ଭାରତ ଗୌରବ ମଧୁସୂଦନ ସ୍ବତନ୍ତ୍ର ଓଡିଶା ଦେଖି ନ ପାରିବା ଭଳି , ହୁଏତ ଆମ ଜୀବଦ୍ଦଶାରେ ହୋଇ ନପାରେ । ଶୁଭ ସକାଳରେ ମାର୍ମିକ ବେଦନା ବନ୍ଧୁ ମାନଙ୍କ ମଧ୍ୟରେ ବଣ୍ଟନ କରି ଆମେ ଟିକିଏ ହାଲୁକା ଅନୁଭବ କରୁଥିବା ବେଳେ ସକଳ ବନ୍ଧବର୍ଗଙ୍କ ସପରିବାର ବର୍ଗଙ୍କ ସକଳ ସୁମନାସ ପ୍ରାର୍ଥନାନ୍ତେ ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।