ମୁକ୍ତି ଆନ୍ଦୋଳନର ସର୍ବ କନିଷ୍ଠ ସହିଦ୍ ସଂଗ୍ରାମୀ ‘ବାଜି ରାଉତ’

ମୁକ୍ତି ଆନ୍ଦୋଳନର ସର୍ବ କନିଷ୍ଠ ସହିଦ୍ ସଂଗ୍ରାମୀ ‘ବାଜି ରାଉତ’

ମୁକ୍ତି ଆନ୍ଦୋଳନର ସର୍ବ କନିଷ୍ଠ ସହିଦ୍ ସଂଗ୍ରାମୀ ‘ବାଜି ରାଉତ’ଙ୍କ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ,ଅମ୍ଲାନ , ଲୋହିତ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ଆମେ ଓଡ଼ିଆ ମାନେ ଗର୍ବିତ ଯେ ମୁକ୍ତି ଆନ୍ଦୋଳନର ପ୍ରଥମ ଶହୀଦ ଜୟୀ ରାଜଗୁରୁ, ପ୍ରଥମ ମହିଳା ସହୀଦ୍ ପରି ବେଓ୍ବା, ସର୍ବ କନିଷ୍ଠ ସହିଦ୍ ବାଜି ରାଉତ ଏବଂ ୧୮୧୭ର ପାଇକ ସଂଗ୍ରାମ ହିଁ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ ।

ଅଛପା ସତ୍ୟ ଇତିହାସର ଗର୍ଭାନୁଶୀଳନ କଲେ ଜଣାଯାଏ ଯେ ପୂର୍ବଜ ଓଡ଼ିଆ ମାନେ ୪୧ ଟି କ୍ଷେତ୍ରରେ ବିଶ୍ବଗୁରୁ , ଅନେକ କ୍ଷେତ୍ରରେ ଜାତୀୟ ଗୁରୁ । ହଁ , ଏହା ସତ୍ୟ ଯେ ଆଜିର ଓଡ଼ିଶା ଓ ସାମ୍ପ୍ରତିକ ଓଡ଼ିଆ ଲୋକ ଚରିତ୍ର ସହିତ ସାମାଜିକ ଚିତ୍ର ଦେଖି,ପରଖି ମତାମତ ଦେବାକୁ ଚାହୁଁଥିବା ଅଣ ଓଡ଼ିଆ କ’ଣ , ମାଟି ମନସ୍କ , ଭାଷା ପ୍ରାଣ ଓଡ଼ିଆ ମଧ୍ୟ ଆମକୁ ମିଥ୍ୟାବାଦୀ, ଭାବପ୍ରବଣ, ମତଲବୀ ମଣିଷ ବିଶେଷଣରେ ସ୍ବତଃ ବିଭୂଷିତ କରିବାକୁ କୁଣ୍ଠିତ ହେବେନାହିଁ । କିଏ କାହିଁକି ବିଶ୍ବାସ କରିବ ଯେ ଏ ଜାତି ଦିନେ ବୀରଜାତି ଥିଲା ।

ଏ ଜାତିର ପଦନିକ୍ଷେପ ଦ୍ବାରା ବସୁନ୍ଧରା ଦିନେ କମ୍ପିତ ହେଉଥିଲା । ଏ ଜାତି ସମର ପ୍ରାଙ୍ଗଣରେ ଦିନେ ଅବଲୀଳାକ୍ରମେ ଅସ୍ତ୍ର ଚାଳନାରେ ନିପୁଣ ଥିଲେ । ଏ ଜାତି ଆପଣାର ମାଟିର ସାର୍ବଭୌମ ପାଇଁ ବା ସ୍ବାଧୀନତା ରକ୍ଷା ପାଇଁ ମସ୍ତକୋତ୍ତଳନ କରୁଥିଲା ।ଏ ଜାତିର ବିଜୟ ପତାକା ଦିନେ ଆକାଶମାର୍ଗରେ ଉଡ୍ଡୀୟାନ ହେଉଥିଲା ? ଆଜି ଦୀନ, ହୀନ,ନିର୍ବୀର୍ଯ୍ୟ,ଭୀରୁ ଓ ଦମ୍ଭ ସାହାସ୍ ବିଵର୍ଜିତ । ଆଜି ଓଡ଼ିଆ ଜାତି ବିଜାତି ଦ୍ବାରା ଅପମାନିତ, ଲଜ୍ଜିତ,ଲୁଣ୍ଠିତ, ପ୍ରପୀଡ଼ିତ, ଶୋଷିତ,ପଦଦଳିତ, ତା’ର ସୀମା ଭଗାରି ମାନଙ୍କ ଦ୍ବାରା ଅପହୃତ ।

ଦିନ ଥିଲା ଓଡ଼ିଆ ଜାତି ଅନ୍ୟ ଦ୍ବାରା ପ୍ରପୀଡ଼ିତ ଜାତିକୁ ଆପଣା କ୍ରୋଡରେ ନିଃଶଙ୍କ ଚିତ୍ତରେ ଆଶ୍ରୟ ପ୍ରଦାନ କରିଥିଲା । ବିଜେତା ମାନେ ଲେଖିଲେ ପରାଜିତର ଇତିହାସ । ଯାହା ଫଳରେ ଜୟୀ ରାଜଗୁରୁ, ବକ୍ସି, କୃତିବାସ ପାଟ୍ଟଶାଣୀ,ବୀର ସୁରେନ୍ଦ୍ର ସାଏ ଙ୍କ ଠାରୁ ମାଧବ ରାଉତରାୟ,ପିଣ୍ଡିକି ବାହୁବଳେନ୍ଦ୍ର ,ମାଧୋ ସିଂ,ଦିନା,ଲୋଚନ କନ୍ଧମାନେ ଭାରତ ଇତିହାସରେ ଯଥୋଚିତ ସ୍ଥାନ ପାଇଲେ ନାହିଁ । ଦେଶ ମୁକ୍ତି ଆନ୍ଦୋଳନର ସର୍ବକନିଷ୍ଠ ଶହୀଦ ଅକ୍ଟୋବର ୫ ତାରିଖ, ୧୯୨୬ ମସିହାରେ ଢେଙ୍କାନାଳ ଜିଲା ନୀଳକଣ୍ଠପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

ଇଂରେଜ ସରକାରଙ୍କ ରାଜତ୍ୱ କାଳରେ ଭାରତବର୍ଷରେ ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାଧାରଣ ପ୍ରଜାମାନେ ବିଭିନ୍ନ ଭାବରେ ଶୋଷଣ ଓ ଅତ୍ୟାଚାରିତରେ ଜର୍ଜରିତ ହେଉଥିଲେ । ସେତେବେଳେ ଇଂରେଜ ସରକାର ତାଙ୍କର ଶାସନ ପ୍ରଣାଳୀକୁ ସରଳ କରିବା ଉଦ୍ଦେଶ୍ୟରେ ସମଗ୍ର ଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରି ମୋଗଲବନ୍ଦୀ ଏବଂ ଗଡ଼ଜାତ ଅଞ୍ଚଳ ଭାବରେ ନାମିତ କରିଥିଲେ । ମୋଗଲବନ୍ଦୀ ଅଞ୍ଚଳଗୁଡ଼ିକରେ ଜମିଦାରମାନେ ଏବଂ ଗଡଜାତ ଅଞ୍ଚଳମାନଙ୍କରେ ରାଜାମାନେ ଶାସନ ନାମରେ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ ।

ଏହି ଦୁଇ ଭାଗ ମଧ୍ୟରୁ ଗଡଜାତ ଅଞ୍ଚଳର ପ୍ରଜାମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡୁଥିଲା । ଗଡଜାତ ରାଜ୍ୟର ରାଜା ତଥା ପାରିଷଦବର୍ଗଙ୍କ ଯାବତୀୟ ଅନ୍ୟାୟ, ଅତ୍ୟାଚାର, ଶୋଷଣ, ବେଠି, ବେଗାରି, ଯୋରଜବରଦସ୍ତ ଟିକସ ଅସୁଲ, ମନମୁଖିଶାସନ, ମିଥ୍ୟା ମୋକଦ୍ଦମା ପ୍ରଭୁତିରେ ଜର୍ଜରିତ ହେଉଥିଲେ ଗଡଜାତବାସୀ । ସମୟେ ସମୟେ ଗଡଜାତ ଅଞ୍ଚଳରେ ଏହି ଶୋଷଣ କଷଣରେ ଫଳସ୍ୱରୁପ ପୁଞ୍ଜୀଭୁତ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇ ବିସ୍ପୋରଣରରୁପ ଧାରଣ କରୁଥିଲା, କିନ୍ତୁ ଇଂରେଜ ସରକାର ତାହାକୁ କଳେବଳେ କୌଶଳେ ଦମନ କରୁଥିଲେ ।

ଏହିସବୁ ଗଡଜାତ ଆନ୍ଦୋଳନ ସେତେବେଳେ ସମଗ୍ର ଭାରତବର୍ଷରେ ଆଲୋଡନ ସୃଷ୍ଟି କରିଥିଲା । ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ୱେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ । ସେ ପ୍ରଜାମଣ୍ଡଳର ସିପାହୀ ସାଜିଛନ୍ତି । ଘାଟ ଡଙ୍ଗା ଜଗିବା ସେଦିନ ତାଙ୍କର ପାଳିଥିଲା । କାରଣ ପ୍ରଜାମଣ୍ଡଳର ହୁକୁମ ଥିଲା, ନଦୀଘାଟରୁ ଦୁରରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜ ମାନେ ଯେପରି ନଦୀ ପାର ନହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖି କ୍ୟାମ୍ପକୁ ଖବର ଦେବ, ଆଉ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାରି କରାଇବ । ଆଶଙ୍କାକୁ ସତ କରି ପୋଲିସ ମାନେ ପ୍ରଜା ମଣ୍ଡଳ ଆନ୍ଦୋଳନ ଦମନ କରିବାକୁ ଆସିଲେ । ମାତ୍ର ସେମାନଙ୍କ ଆଦେଶ ସତ୍ତ୍ୱେ ବାଜି ରାଉତ ଘାଟରୁ ଡ଼ଙ୍ଗା ଫିଟାଇଲେ ନାହିଁ ।

ପୋଲିସର ଧମକ ଚମକ ସତ୍ତ୍ୱେ କିଛି ଲାଭ ନହେବାରୁ, ସେମାନେ ତାଙ୍କୁ ସେଇଠି ଗୁଳି କରି ହତ୍ୟା କଲେ । ବାଜି ରାଉତଙ୍କ ଚିତ୍କାରରେ ସେତେବେଳକୁ ଅନେକ ଲୋକ ଆସିଯାଇଥିଲେ । ସେମାନେ ଡଙ୍ଗା ବାନ୍ଧି ପକାଇ ରଖିଲେ । ପୋଲିସ ମାନେ ଆଉ କିଛି ନକରି ଛୁରୀରେ ଡଙ୍ଗା ଦଉଡି କାଟି ମଝି ନଈକୁ ଡଙ୍ଗା ବୋହିନେଲେ । ଡଙ୍ଗା ମଝି ନଈରେ ଥିବା ବେଳେ ସେମାନେ କୂଳରେ ଥିବା ଲୋକଙ୍କୁ ଗୁଳି ଚାଳନା କଲେ ।

ସେଇଠି ଟଳି ପଡିଲେ ନିଳକଣ୍ଠପୁର ଗାଁର ଆଉ କେତେ ଜଣ – ହୁରୁଷି, ରଘୁ, ଗୁର, ନଟ, ଲକ୍ଷ୍ମଣ ଓ ଫଗୁ । ଦେଶ ପାଇଁ ଛୁଆ ବଡ଼ ମିଶି ସାତ ଜଣ ସହୀଦ ହୋଇଗଲେ । ନିଳକଣ୍ଠପୁର ଗୁଳିକାଣ୍ଡର ପରଦିନ ଅର୍ଥାତ୍ ୧୯୩୮ ମସିହା ଅକ୍ଟୋବର ମାସ ୧୨ ତାରିଖ ଦିନ ଦେଶ ପାଇଁ ପ୍ରାଣବଳି ଦେଇଥିବା ସାତଜଣ ବୀରଙ୍କର ପାର୍ଥିବ ଶରୀରକୁ କଟକ ଆଣି ବିରାଟ ପଟୁଆରରେ ଖାନନଗର ମଶାଣିରେ ଗୋଟିଏ ଚିତାରେ ସେମାନଙ୍କୁ ଦାହ କରା ଯାଇଥିଲା । ଶହୀଦ ଙ୍କ ଲୋହିତ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।

ପ୍ରାଣନାଥ ପଟ୍ଟନାୟକ ଙ୍କ ୫୫ତମ ଶ୍ରାଦ୍ଧ ଦିବସ

ପ୍ରାଣନାଥ ପଟ୍ଟନାୟକ ଙ୍କ ୫୫ତମ ଶ୍ରାଦ୍ଧ ଦିବସ

ଆଜି ମହାନ୍ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଶାରେ ସାମ୍ୟବାଦୀ ଆନ୍ଦୋଳନର ପ୍ରତିଷ୍ଠାତା , ଚାଷୀ ମୂଲିଆ ,ଗରିବ ଖଟିଖିଆ ସର୍ବହରା ମେହନତୀ ମଣିଷର ଚିର ସାଥୀ, ଵେସାଲିସ ବିଦ୍ରୋହୀ ଜନନେତା ସାହିତ୍ୟିକ, ସାମ୍ବାଦିକ,କୃଷକ ଆନ୍ଦୋଳନର ସମର୍ପିତ କାଣ୍ଡାରୀ, ପ୍ରାକ୍ତନ ବିଧାୟକ, ଖୋର୍ଦ୍ଧା ମହାବିଦ୍ୟାଳୟ, ଜଟଣୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା , ନିଜର ସମସ୍ତ ସୁଖ ସ୍ଵାଛନ୍ଦକୁ ଜଳାଞ୍ଜଳି ଦେଇ ଅପରର ଦୁଃଖରେ ଵିଗଳିତ ହୃଦୟର ଅକୁତ୍ରୁମ କରୁଣା ପ୍ରଦର୍ଶକ ପ୍ରାଣନାଥ ପଟ୍ଟନାୟକ ଙ୍କ ୫୫ତମ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କର ଲୋହିତ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।

୧୯୦୫ ମସିହା, ନଭେମ୍ବର ୧୬ ତାରିଖରେ ପ୍ରତିଭା ପ୍ରସଵିନୀ କଣାସର ଡିମିରି ଗ୍ରାମରେ, ପିତା ମଦନ ମୋହନ ଓ ମାତା ଚିତ୍ରାଙ୍ଗଦାଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ବିପ୍ଲବୀ ପ୍ରାଣନାଥ । କଣାସ ପ୍ରାଥମିକ ବିଦ୍ୟାଳୟରୁ ବୃତ୍ତି ପାଇ ପୁରୀରେ ଅଧ୍ୟୟନ କରିବା ସମୟରେ ବିଶ୍ବମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମ୍ପର୍କରେ ଆସିଥିଲେ । ରେଭେନ୍ସା ମହାବିଦ୍ୟାଳୟର ଛାତ୍ର ଥିବା ସମୟରେ ଏହି ଉଦ୍ଦାମ ଯୁବକ ଜାତୀୟତାବାଦ ଭାବନାରେ ଉଦବୁଦ୍ଧ ହୋଇଥିଲେ ।

୧୯୩୦ ମସିହାରେ ଠିକ୍ ଆଜିର ଦିନରେ ( ଦଶହରା) ବାଲେଶ୍ଵର ସହରର ଅଫିମ ଓ ମଦ ଦୋକାନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୧୯୩୨ ମସିହାରେ ପୁରୀ ମେହେନ୍ତର ସଂଘର ସଭାପତି ଭାବରେ ଆନ୍ଦୋଳନ ଓ ବିପ୍ଲବୀ ଗୁରୁଚରଣ ପଟ୍ଟନାୟକଙ୍କ ସହ ବିଦେଶୀ ବସ୍ତ୍ର ବର୍ଜନ ଆନ୍ଦୋଳନର ନେତୃତ୍ଵ ନେଇ ଗିରଫ ହୋଇଥିଲେ ଓ ଛ ମାସ କାରାବରଣ କରିଥିଲେ । ଜେଲରୁ ମୁକ୍ତ ହୋଇ ପାଠ ପଢିବା ପାଇଁ ଗଲେ କାଶୀ ବିଦ୍ୟାପୀଠ, ତାହାର ପ୍ରତିଷ୍ଠାତା ଥିଲେ ଆଚାର୍ଯ୍ୟ ନରେନ୍ଦ୍ର ଦେବ । ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ ସହ ଘନିଷ୍ଠତା, ସହପାଠୀ ଲାଲ୍ ବାହାଦୁର ଶ୍ରୀବାସ୍ତବ( ଆଦର୍ଶ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ)ଙ୍କ ସହ ଶାସ୍ତ୍ରୀ ଉପାଧି ଲାଭ କରି ଓଡ଼ିଶା ଫେରି ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ୧୯୩୩ରେ “ଓଡ଼ିଶା କଙ୍ଗ୍ରେସ ସାମ୍ୟବାଦୀ ସଂଘ ଗଠନ କଲେ , ନବକୃଷ୍ଣ ଚୌଧୁରୀ ହେଲେ ସମ୍ପାଦକ ।

୧୯୩୫ ରେ ସାଥୀ ଗୁରୁଚରଣ ପଟ୍ଟନାୟକ ଓ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସହ ମିଶି ଓଡ଼ିଶାରେ ସାମ୍ୟବାଦୀ ଓ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା କରିଥିଲେ । ସେ ପର୍ଯ୍ୟନ୍ତ ଅବିବାହିତ ଥିବା ପ୍ରାଣନାଥ ଙ୍କୁ ସେତେବେଳେର ବିପ୍ଲବୀ ଜାତୀୟ କବି କୃଷ୍ଣ ମୋହନ ପଟ୍ଟନାୟକ ନିଜର ଅଲିଅଳି କନ୍ୟା ମଞ୍ଜରୀ ଦେବୀଙ୍କ ସହିତ ବିବାହ କରାଇଥିଲେ । ସେତେବେଳେ ସେ ବିବାହର ଘଟଣା ଦୃଶ୍ୟ ଥିଲା ଅତି ଆଶ୍ଚର୍ଯ୍ୟଜନକ । ୧୯୩୫ ମସିହା, ଜୁନ ୨୮ ତାରିଖରେ ଜମିଦାର କୃଷ୍ଣ ମୋହନଙ୍କ ପ୍ରେରିତ ପାଲିଙ୍କି ସବାରି ଫେରାଇ ଦେଇ ନିଜେ ଲଣ୍ଠନ ଧରି ସମସ୍ତଙ୍କ ଅଗୋଚରରେ ଯାଇ ବେଦି ପାଖରେ ପହଞ୍ଚିଥିଲେ ।

୧୯୩୬ ରେ ଖୋର୍ଦ୍ଧା ଠାରେ ଏକ ବିଶାଳ କୃଷକ ସମାବେଶ ଆୟୋଜନ କରିଥିଲେ, ସମାଜ ଖବରକାଗଜ ତଥ୍ୟ କୁହେ ଯେ ତାଙ୍କ ଡାକରାରେ ୧୦ ହଜାର କୃଷକ ଯୋଗ ଦେଇଥିଲେ, ଯେଉଁ ଥିରେ ବିପ୍ଲବୀ ମୋହନ ଦାଶ, ନବକୃଷ୍ଣ ଚୌଧୁରୀ, ଯଦୁମଣି ମଙ୍ଗରାଜ, ରାଜକୃଷ୍ଣ ବୋଷ ପ୍ରଭୃତି ଭାଷଣ ଦେଇଥିଲେ । ୧୯୩୭ ମସିହାରେ ପ୍ରଥମ ବିଧାନ ସଭା ନିର୍ବାଚନରେ ମାତ୍ର ଆଠ ଟଙ୍କା ( ଲୋକଙ୍କ ଦାନ) ରେ ସେ ଜଣେ ପୁଞ୍ଜି ଐରାବତଙ୍କୁ ପରାସ୍ତ କରି ଆଜିର ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ, ବୋଲଗଡ଼, ବେଗୁନିଆ ଅଞ୍ଚଳକୁ ନେଇ ଗଠିତ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ବିଧାନ ସଭାରେ ପ୍ରତିନିଧିତ୍ଵ କରିଥିଲେ, ଯେତେବେଳେ କି ଟିକସ ଦେଉଥିବା ଲୋକମାନେ ହିଁ କେବଳ ଭୋଟର ଥିଲେ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ପଣ୍ଡିତ ନେହେରୁଙ୍କ ପ୍ରଥମ ଓଡ଼ିଶା ଗସ୍ତ ଥିଲା ବିପ୍ଲବୀ ପ୍ରାଣନାଥଙ୍କ ପ୍ରାର୍ଥୀତ୍ବ ସପକ୍ଷରେ ନିର୍ବାଚନୀ ସଭା ।

୧୯୩୮ରେ ପ୍ରଜା ଆନ୍ଦୋଳନର ନେତୃତ୍ବ ନେଇଥିଲେ । ୧୯୩୯ ମସିହାରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଗିରଫ ହୋଇ ,୬ ବର୍ଷ କାରାଦଣ୍ଡ ବରଣ କରି, ୧୯୪୫ରେ ମୁକ୍ତିଲାଭ କରିଥିଲେ । ସମଗ୍ର ଜୀବନରେ ସେ ଦଶଥର କାରାବରଣ କରିଥିଲେ ଏବଂ ଜେଲ୍ ରେ ୪୫ ଦିନ ଆମରଣ ଅନଶନ କରିଥିଲେ ,ଯାହା ସମଗ୍ର ଭାରତର ମୁକ୍ତି ଆନ୍ଦୋଳନରେ ଏକ ଅଭୂଲା ଅଧ୍ୟାୟ ।୧୯୪୭ ମସିହାରେ କୃଷକ ଆନ୍ଦୋଳନର ନେତୃତ୍ବ ନେଉଥିବା ସମୟରେ ମଳିପଡା ମଠ ମହନ୍ତ ତାଙ୍କ ବିରୋଧରେ ଏକ ଲଙ୍ଗଳ ଚୋରି ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଐତିହାସିକ ସୀମା ଆନ୍ଦୋଳନରେ ସେ ନେତୃତ୍ବ ନେଇଥିଲେ । ଆଜି ସୀମା ଅଭିଯାନ ସମୟରେ ତାଙ୍କର ସ୍ମୃତି ଆମର ମାର୍ଗଦର୍ଶନ ର ଅମୂଲ୍ୟ ପଣ୍ୟ । ୧୯୫୭ ନିର୍ବାଚନରେ ପୁନଃ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାନସଭାରେ କମ୍ୟୁନିଷ୍ଟ ବିଧାୟକ ଦଳର ନେତା ହୋଇଥିଲେ ।

୧୯୫୯ ମସିହାରେ କଣାସ ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ଖୋର୍ଦ୍ଧା ଓ ନିରାକାରପୁରରେ ଦୁଇଟି ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ନିରାକାରପୁରରେ ଦେଶର କେବଳ ନୁହେଁ, ଏସିଆ ମହାଦେଶର ପ୍ରଥମ ଗ୍ରାମାଞ୍ଚଳ ବିଜ୍ଞାନ ମହାବିଦ୍ୟାଳୟ କ୍ଷେତ୍ରବାସୀ ରାଉତରାୟ ଓ ପ୍ରାଣନାଥ ପଟ୍ଟନାୟକ ଖୋର୍ଦ୍ଧାରେ ଖୋର୍ଦ୍ଧା କଳା ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ମୋତି ଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ କରିବା ପାଇଁ ସେ ସ୍ବପ୍ନ ଦେଖିଥିଲେ ଓ ମୋତିଲାଲ୍ ଙ୍କ ପୁତ୍ର ପ୍ରଧାନମନ୍ତ୍ରୀ ନେହେରୁଙ୍କ ସହ ଆଲୋଚନା କରି ସିଦ୍ଧାନ୍ତ ହୋଇଥିଲା । ମହତାଵୀ ଚକ୍ରାନ୍ତ ହୋଇଥିଲା ପ୍ରତିବନ୍ଧକ ।

ଐତିହାସିକ ପଟିଆ ବନ୍ଧ ଓ କାକୁଡିଆ ବନ୍ଧ ନିର୍ମାଣରେ ତାଙ୍କର ନେତୃତ୍ବର ଇତିହାସ ରୋମାଞ୍ଚିତ । ସାରସ୍ବତ ସାଧନାରେ ତାଙ୍କର ଅମ୍ଲାନ ଅବଦାନ “ଆସନ୍ତାକାଲିର ସାହିତ୍ୟ” ଠାରୁ କମ୍ୟୁନିଷ୍ଟ ଦଳର ମୁଖପତ୍ର “ନୂଆ ଦୁନିଆ”ର ସମ୍ପାଦନା, ସୋଭିଏତ ସଂଘ ଯାତ୍ରା ର ଇତିହାସ ମଧ୍ୟ ରୋମାଞ୍ଚକର ।୧୯୭୦ ମସିହା,ଆଜିର ଦିନରେ କଲିକତା ରେ ଚିକିତ୍ସା କରାଯାଉଥିବା ସମୟରେ ମୃତ୍ୟୁ ବରଣ କରିଥିଲେ । ସେହି ମହାନ୍ ସ୍ଵାଧୀନତା ସଂଗ୍ରାମୀ, ବିପ୍ଲବୀ ଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ଆଜି ସକାଳ ନଅ ଘଣ୍ଟା ସମୟରେ ବିପ୍ଲବୀ ପ୍ରାଣନାଥଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଶ୍ରଦ୍ଧାଵଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପୂଜ୍ୟପୂଜା ସଂସ୍କୃତି ପ୍ରାଣ ସଜ୍ଜନବର୍ଗ ଯୋଗ ଦେବାପାଇଁ ନମ୍ର ନିବେଦନ କରୁ । ସନ୍ଧ୍ୟା ୬ ଟା ସମୟରେ ଜୟଦେବ ଭବନ ପ୍ରେକ୍ଷାଳୟରେ ସ୍ମୃତି ଚାରଣ ସଭା ରେ ଯୋଗଦେବା ପାଇଁ ପୂଜ୍ୟ ପୂଜା ସଂସ୍କୃତି ପ୍ରାଣ ମାନଙ୍କୁ ନମ୍ର ନିବେଦନ କରୁ ।