ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ଅକ୍ଟୋବର, ୨୦୨୫ ସକାଳ ୧୦:୩୦ ସମୟରେ ନୂଆଦିଲ୍ଲୀର ଭାରତୀୟ କୃଷି ଗବେଷଣା ସଂସ୍ଥାନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ କୃଷକମାନଙ୍କ ସହିତ ମତବିନିମୟ କରି, ପରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ, ଯେଉଁଠାରେ ସେ ସମାବେଶକୁ ସମ୍ବୋଧିତ କରିବେ।
ଏହି କାର୍ଯ୍ୟକ୍ରମ କୃଷକ କଲ୍ୟାଣ, କୃଷି ସ୍ୱାବଲମ୍ବନ ଏବଂ ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ପ୍ରତି ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରତିବଦ୍ଧତାକୁ ଗୁରୁତ୍ୱ ଦିଏ। ଏହା ଆଧୁନିକ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା, ଚାଷୀମାନଙ୍କୁ ସମର୍ଥନ କରିବା ଏବଂ କୃଷକ-କୈନ୍ଦ୍ରିକ ପଦକ୍ଷେପରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିବାରେ ସହାୟକ ହେବ ।
ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରରେ ଦୁଇଟି ପ୍ରମୁଖ ଯୋଜନା ଆରମ୍ଭ କରିବେ, ଯାହାର ମୂଲ୍ୟ ୩୫,୪୪୦ କୋଟି ଟଙ୍କା। ସେ ୨୪,୦୦୦ କୋଟି ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ଧନ ଧନ୍ୟ କୃଷି ଯୋଜନା ଆରମ୍ଭ କରିବେ। ଏହାର ଲକ୍ଷ୍ୟ କୃଷି ଉତ୍ପାଦକତା ବୃଦ୍ଧି, ଫସଲ ବିବିଧତା ଏବଂ ସ୍ଥାୟୀ କୃଷି ପଦ୍ଧତି ଗ୍ରହଣ, ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ଅମଳ ପରବର୍ତ୍ତୀ ସଂରକ୍ଷଣକୁ ବୃଦ୍ଧି, ଜଳସେଚନ ସୁବିଧାରେ ଉନ୍ନତି ଏବଂ ୧୦୦ଟି ମନୋନୀତ ଜିଲ୍ଲାରେ ଦୀର୍ଘକାଳୀନ ଏବଂ ସ୍ୱଳ୍ପକାଳୀନ ଋଣ ଉପଲବ୍ଧତାକୁ ସହଜ କରିବା।
ପ୍ରଧାନମନ୍ତ୍ରୀ ଡାଲିରେ ଆତ୍ମନିର୍ଭରଶୀଳତା ମିଶନ ମଧ୍ୟ ଆରମ୍ଭ କରିବେ, ଯାହାର ମୂଲ୍ୟ ୧୧,୪୪୦ କୋଟି ଟଙ୍କା ହେବ। ଏହାର ଲକ୍ଷ୍ୟ ଡାଲିର ଉତ୍ପାଦକତା ସ୍ତରକୁ ଉନ୍ନତ, ଡାଲି ଚାଷ ଅଧୀନରେ ଥିବା କ୍ଷେତ୍ରକୁ ବୃଦ୍ଧି, ମୂଲ୍ୟ ଶୃଙ୍ଖଳ – କ୍ରୟ, ସଂରକ୍ଷଣ, ପ୍ରକ୍ରିୟାକରଣକୁ ସୁଦୃଢ଼ କରିବା ଏବଂ କ୍ଷତି ହ୍ରାସ କରିବା।