-++
ବାକ୍ ସଂଯମତା, ବିଶେଷ କରି ଶାସନ, ପ୍ରଶାସନ ତଥା ସମାଜର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଦାୟିତ୍ଵ ନିର୍ବାହ କରୁଥିବା ବ୍ୟକ୍ତିମାନଙ୍କ ବ୍ୟବହାରରେ ରହିଵା ଏକାନ୍ତ ଆବଶ୍ୟକ । ସେଥିପାଇଁ କୁଳବୃଦ୍ଧ ଭାରତ ଗୌରବ ମଧୁସୂଦନ କହିଯାଇଛନ୍ତି ” ଆଲୋ ସଖି ! ଆପଣା ମହତ ଆପେ ରଖି ” । ବିଶେଷ କରି କ୍ଷମତା ରାଜନୀତିରେ ଦଳୀୟ ସ୍ବାର୍ଥ ଏବଂ ସ୍ଵକୀୟ ସ୍ବାର୍ଥ ପାଇଁ ତଥାକଥିତ ନେତାମାନଙ୍କ ଅନିୟନ୍ତ୍ରିତ ଜିଭରୁ ନିର୍ଗତ ଭୟଙ୍କର ବିଷ ର ପ୍ରଭାବରେ ସ୍ଵାଧୀନୋତ୍ତର ଭାରତର ଆଦ୍ୟ ଅବଧିର ସମ୍ପ୍ରଦାୟିକ ଦଙ୍ଗାର ଲୋମହର୍ଷଣକାରୀ ରକ୍ତାକ୍ତ ଇତିହାସ ଠାରୁ ବିଗତ ୭୮ ବର୍ଷଧରି ଭାରତ ଜନନୀ ଯେଭଳି ଜିଭ ପ୍ରତିଫଳିତ ବିଷଜ୍ୱାଳାରେ ଜର୍ଜରିତା, ତାହାର ଇତିହାସ ଏତେ ବ୍ୟାପକ, ଏତେ ଘୃଣିତ ଯେ ତାହା ପ୍ରକାଶ କରିବା ପାଇଁ ଭାଷା ଅକୁଳାଣ ।

ସର୍ବୋଚ୍ଚ ନ୍ୟାୟାଳୟ ବିଭିନ୍ନ ପ୍ରସଙ୍ଗ କୁ ନେଇ ଭ୍ରଷ୍ଟ ନେତା ଓ ଦଳୀୟ କର୍ମୀଙ୍କ ଜିଭ ନିଷ୍କୃତ ବିଷ ଜ୍ଜ୍ବାଳାରେ ଦେଶର ବାତାବରଣ କିଭଳି ଭୟଙ୍କର ଭାବରେ ପ୍ରଦୂଷିତ, ଶାସନ କଳର ଉଦାସୀନତା ସମ୍ପର୍କରେ କ୍ଷୋଭ ପ୍ରକାଶ କରି ତତ୍ କାଳୀନ ମୁଖ୍ୟ ବିଚାରପତି ନ୍ୟାୟ ମୂର୍ତ୍ତି ୟୁୟୁ ଲଳିତ ଯେଉଁ ଭାଷାରେ ନିନ୍ଦା କରିଥିଲେ , ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗତ ତିନି ବର୍ଷ ତଳେ , ଆଜିର ତାରିଖରେ ସାମାଜିକ ଗଣମାଧ୍ୟମ ମୁଖ ପୁସ୍ତକରେ ଆମେ ଉଲ୍ଲେଖ କରିଥିଲୁ ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଟୁଡୁଙ୍କ ବ୍ୟବହାର ନିଶ୍ଚିତ ଭାବରେ ନିନ୍ଦନୀୟ । ଓଡ଼ିଶା ପ୍ରଶାସନିକ ସେବା ସଂଘ ( ଓ ଏ ଏସ୍)ର ପ୍ରତିବାଦ ମଧ୍ୟ ଯଥାର୍ଥ ।
ବ୍ୟକ୍ତିଗତ ଭାବେ ଆମେ ଏହି ପ୍ରତିବାଦକୁ ସମର୍ଥନ କରିଥିଲୁ । ଅପରପକ୍ଷରେ ଓଡିଶା ପ୍ରଶାସନିକ ସେବା ସଂଘର ସଭାପତି ଙ୍କୁ ମଧ୍ୟ ପ୍ରଶ୍ନ କରିଥିଲୁ । ଯେତେବେଳେ ଓଡ଼ିଶାର ସୀମା ଦଖଲ କରି ଚାଲିଥିବା ପଡୋଶୀ ଆନ୍ଧ୍ର ପ୍ରଦେଶର ଜଣେ ମନ୍ତ୍ରୀ , ଅନଧିକାର ଭାବେ ଓଡ଼ିଶା ମାଟିରେ ଅନୁପ୍ରବେଶ କରି ଓଡ଼ିଶାର ମାଟି ଉପରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଅସଭ୍ୟ ଭାଷାରେ କେବଳ ଗାଳିଗୁଲଜ ନୁହେଁ, ବନ୍ଧୁକରେ ଉଡେଇ ଦେବାକୁ ଧମକ ଦେଲେ, ସେତେବେଳ ଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶା ପ୍ରଶାସନିକ ସେବା ସଂଘ କ’ଣ ପଦକ୍ଷେପ ଗ୍ରହଣ କରିଛି ? ଆନ୍ଧ୍ର ମନ୍ତ୍ରୀ ଓଡ଼ିଶାର ପ୍ରଶାସନିକ ଅଧିକାରୀ, ଆରକ୍ଷୀ ବାହିନୀଙ୍କ ଉପସ୍ଥିତିରେ, ସେମାନଙ୍କୁ ମାଧ୍ୟମ କରି ସମଗ୍ର ଓଡ଼ିଶାବାସୀଙ୍କୁ ତାତ୍ସଲ୍ୟ କରିବା ସହିତ ଆହ୍ବାନ ଦେବାର ଦୁଃସାହାସିକ ଆଚରଣ ପ୍ରଦର୍ଶନ କରୁଥିଲେ , ସେତେବେଳେ ଏମାନେ ମଥାପାତି ସହ୍ୟ କରିଥିଲେ ।
ଏଭଳି ଭୟଙ୍କର ଅପମାନ ସତ୍ତ୍ୱେ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀ କିମ୍ବା ଓଡ଼ିଶା ସରକାର ଅବା ଓଡ଼ିଶା ପ୍ରଶାସନିକ ସେବା ସଂଘ ତରଫରୁ ଆନ୍ଧ୍ର ମନ୍ତ୍ରୀ ବିରୋଧରେ ପ୍ରଥମ ଅଭିଯୋଗ ଫର୍ଦ୍ଦ ଦାଖଲ କରାନଯିବାରୁ ଓଡ଼ିଶା ନାଗରିକ ମହାମଞ୍ଚ ତରଫରୁ ଗଜପତି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ ଫର୍ଦ୍ଦ ଦାଖଲ ହେବା ସତ୍ତ୍ୱେ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାର କାରଣ କ’ଣ ? ଓଡ଼ିଶାର କୌଣସି ମନ୍ତ୍ରୀ ଯଦି ପଡୋଶୀ ରାଜ୍ୟରେ ଏଭଳି ଅପରାଧ କରିଥାନ୍ତେ , ତେବେ ସେ ରାଜ୍ୟର ସରକାର ନିରବ ରହିଥାନ୍ତେ କି ? ସଂଘ ସଭାପତି ଶ୍ରୀଯୁକ୍ତ ସାମଲ ଏହି ପ୍ରଶ୍ନ ର ଉତ୍ତର ଦେବେ କି ? ବିଗତ ତିନି ବର୍ଷ ମଧ୍ୟରେ ସଂଘ ସଭାପତି ଉତ୍ତର ଦେବାକୁ ବୋଧେ ଉଚିତ ମଣି ନାହାନ୍ତି ।
ସେହିପରି ଓଡ଼ିଶାର ନବୀନ ପଟ୍ଟନାୟକ ସରକାରର ରାଜସ୍ବ ମନ୍ତ୍ରୀଙ୍କ ସହିତ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ନିଜ ନିଜର ଜିଭ ଉପରେ ସଂଯମତା ରକ୍ଷା ନକରି , ପବିତ୍ର ବିଧାନସଭାରେ ଯେଭଳି ବିଷ ଉଦଗାରିଥିଲେ, ତା’ର ପ୍ରଭାବରେ ପଡୋଶୀ ଭଗାରି ଓଡ଼ିଶାର ମାଟି ଓ ଅମୂଲ୍ୟ ଖଣିଜ ସଂପଦ ଲୁଟିବାକୁ ଉତ୍ସାହିତ ହୋଇ ଏଭଳି ଚକ୍ରାନ୍ତିଆ ଯୋଜନା କରିଚାଲିଛି ,ଯାହାକୁ ସମ୍ମୁଖୀନ ହେବାକୁ ଲହୁ ଲୁହାଣ ହେବାକୁ ପଡ଼ିଥିଲା, ୨୦୨୩ ଅକ୍ଟୋବର ୧୬ ତାରିଖ ଦିନ ” ଚାଲ ଦେଓମାଳି, ଚାଲ କୋଟିଆ” ଅଭିଯାନର ସଫଳତା ଆମେ ପାଇଲେ ।କେବଳ କୋଟିଆ ନୁହେଁ, ଓଡ଼ିଶାର ସମସ୍ତ ସୀମାବର୍ତ୍ତୀ ଅଞ୍ଚଳ ଏବେ ପଡୋଶୀ ଭଗାରି ରାଜ୍ୟ ମାନଙ୍କ ଦ୍ବାରା ଅପହୃତ । ସେଥିପାଇଁ ବର୍ତ୍ତମାନର ଆହ୍ବାନ ହୋଇଛି , “ପୂର୍ଣ୍ଣାଙ୍ଗ ଓଡିଶା ଗଠନ” ପାଇଁ ବ୍ୟାପକ ଗଣ ଆନ୍ଦୋଳନ ଗଢ଼ି ତୋଳିବା । ବିଜୟ ବାହୁଡ଼ା ଠାରୁ ମେଦିନୀପୁର ସମେତ ଷଢେ଼ଇକଳା, ଖରସୁଆଁ, ସିଂହଭୂମ, ଚକ୍ରଧରପୁର,ଚାଇଁବସା , ଜଗଦଲପୁର, ବସ୍ତର ଆଦି ଓଡ଼ିଆ ମାନଙ୍କ ଅଞ୍ଚଳକୁ ନେଇ ପୂର୍ଣ୍ଣାଙ୍ଗ ଓଡିଶା ଗଠନ ହିଁ ସମୟର ଆହ୍ବାନ ।
ଦୀର୍ଘବର୍ଷ ହେଲା ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ଲାଗି ରହିଛି। ପଶ୍ଚିମବଙ୍ଗ ବାଲି ମାଫିଆମାନେ ଓଡ଼ିଶା ସୀମାରୁ କୋଟି କୋଟି ଟଙ୍କାର ବାଲି ଚୋରାଚାଲାଣ କରି ମାଲେମାଲ ହେଉଛନ୍ତି। ବେଆଇନ ବାଲି ଉତ୍ତୋଳନ ଯୋଗୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ନଦୀକୂଳ ଗ୍ରାମ ବିଳାସପୁର, ଗୋପାଳପୁର, କୁଆଁରପୁର, ମାକିଡ଼ିଆ, ତୋଟାପଡ଼ା, ବେହେରାସାହି, ପ୍ରହରାଜପୁର, ଦକ୍ଷିଣ ପ୍ରହରାଜପୁର ଓ ମକରମପୁର ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଏନ୍ଜିଟିରେ ମାମଲା ଚାଲୁ ରହିଥିଲା ବେଳେ ଉଭୟ ରାଜ୍ୟକୁ କୋର୍ଟ ତାଗିଦ୍ କରିବା ସହ ଏହାର ସୀମା ନିର୍ଦ୍ଧାରଣ ଲାଗି ପରାମର୍ଶ ଦେଇଥିଲେ। ବର୍ତ୍ତମାନର ସରକାର ପବିତ୍ର ବିଧାନସଭାରେ ସ୍ବୀକାର କରିଛନ୍ତି ଯେ ଭୟଙ୍କର ସୀମା ବିବାଦରେ ଛନ୍ଦି ହେଉଛି ଓଡ଼ିଶା ।
ପଡୋଶୀ ୪ ରାଜ୍ୟ ସହିତ ରାଜ୍ୟ ୧୪ଟି ଜିଲ୍ଲାର ଆନ୍ତଃ-ରାଜ୍ୟ ସୀମା ବିବାଦ ଲାଗି ରହିଛି । ଯାହାକୁ ନେଇ ଗୃହରେ ଉତ୍ତର ରଖିଥିଲେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ଉତ୍ତର ଦେଇ ମନ୍ତ୍ରୀ କହିଥିଲେ ଯେ, ଆନ୍ଧ୍ର ପ୍ରଦେଶ, ଛତିଶଗଡ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟ ସହ ଓଡ଼ିଶାର ୧୪ଟି ଜିଲ୍ଲାର ଆନ୍ତଃ ରାଜ୍ୟ ସୀମା ସଂଲଗ୍ନ ଅଛି । ଯାହାକୁ ନେଇ ବିବାଦ ଲାଗି ରହିଛି । ତେବେ କୋଟିଆ ଗ୍ରାମପୁଞ୍ଜକୁ ଛାଡିଦେଲେ ଅନ୍ୟ କେଉଁ ସ୍ଥାନରେ ବିବାଦ ସେତେ ବଡ ଧରଣର ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟୋକ୍ତି ରଖିବା ଜଣାଇ ଦେଉଛି ଯେ ସରକାରଙ୍କ ନିକଟରେ
ବାସ୍ତବ ତଥ୍ୟ ନାହିଁ ଅବା ସୀମା ସମ୍ପର୍କରେ ସରକାର ସଚେତନ ନୁହନ୍ତି ।
ଗତ ଅଧିବେଶନରେ ବିଜେଡି ବିଧାୟକ ରମେଶ ବେହେରା ଏନେଇ ଗୃହରେ ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ ଯେ, ଆନ୍ତଃ ରାଜ୍ୟ ସୀମା ବିବାଦର ସମାଧାନ ଓ ଅନୁପ୍ରବେଶ ରୋକିବାକୁ ସରକାର କି କି ପଦକ୍ଷେପ ନେଉଛନ୍ତି ? ଆଉ କେଉଁ କେଉଁ ସୀମାନ୍ତ ରାଜ୍ୟ ସହ କେତୋଟି ବିବାଦ ରହିଛି? ଏହାର ଉତ୍ତର ଦେଇ ମନ୍ତ୍ରୀ ଏହି ସମ୍ପର୍କରେ ସୂଚନା ଦେଇଥିଲେ । ମନ୍ତ୍ରୀଙ୍କ ସୂଚନା ମୁତାବକ, କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ରପ୍ରଦେଶ ସହିତ ୧୯୬୮ ମସିହାରୁ ସୀମା ବିବାଦ ରହିଛି । ଏନେଇ ଓଡ଼ିଶା ସରକାର ଆନ୍ଧ୍ର ସରାକରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଛନ୍ତି ।
ତେବେ ଏହି କେଶକୁ ଖାରଜ କରିବା ସହ ଆଲୋଚନା ମାଧ୍ୟମରେ ଏହାର ଫଇସଲା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ବୋଲି ଗୃହରେ ଉତ୍ତର ରଖିଥିଲେ ମନ୍ତ୍ରୀ ।ଅନ୍ୟପଟେ ବିବାଦୀୟ କୋଟିଆ ଅଞ୍ଚଳର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ୧୦୮ କୋଟି ୫୩ ଲକ୍ଷ ୧୨ ହଜାର ୩୩୯ ଟଙ୍କା ଖର୍ଚ୍ଚ କରାଯାଇଛି । ପ୍ରତି ଗ୍ରାମକୁ ରାସ୍ତା, ବିଦ୍ୟାଳୟ ଗୃହ, ଆବାସିକ ଶ୍ରେଣୀ ଗୃହ, ଅଙ୍ଗନୱାଡି ଗୃହ, ମିଶନ ଶକ୍ତି ଗୃହ, ୧୦ ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବଜାର ପିଣ୍ଡି, ପୋଲିସ ଥାନା ନିର୍ମାଣ କରିବା ସଙ୍ଗେ ସଙ୍ଗେ ବିଦ୍ୟୁତ ସଂଯୋଗ ଓ ମୋବାଇଲ ଟାୱାର ସ୍ଥାପନ ସହ ଲୋକମାନଙ୍କ ପାଇଁ ଜୀବିକାର ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ । ସୀମା ସୁରକ୍ଷା ଅଭିଯାନର ଧାରାବାହିକ ଆନ୍ଦୋଳନ ଫଳରେ ଅନ୍ତତଃ ଏତିକି ମାତ୍ର ପଦକ୍ଷେପ ସରକାର ନେଇଛନ୍ତି । ବିଗତ ଦୁଇ ଦଶନ୍ଧି ଧରି ସୁବାର୍ତ୍ତାରେ ବିଭିନ୍ନ ଆଲେଖ୍ୟ ଆଲୋଚନା ଏବଂ ଅଗ୍ରଲେଖରେ ପ୍ରକାଶ ପାଇ ଆସୁଛି ଯେ ଓଡ଼ିଶାର ସୀମା,ଜଳ, ଜମି ଓ ଜଙ୍ଗଲକୁ ଉପଜିବ୍ୟ କରି ପଡୋଶୀ ଆନ୍ଧ୍ର, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ସହିତ ବିବାଦ ଲାଗି ରହିବା , ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥି ପ୍ରତି ଗୁରୁତ୍ବ ନଦେବା ଫଳରେ ଯେଉଁ ସ୍ଥିତି ସୃଷ୍ଟି ହୋଇ ଚାଲିଛି , ତାହା ଆଗାମୀ ଦିନରେ ଭୟଙ୍କର ନକରାତ୍ମକ ପ୍ରଭାବ ଏହି ପାଞ୍ଚ ରାଜ୍ୟ ଉପରେ ପଡିବା ଅବଧାରିତ ।
ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ରାଜେନ୍ଦ୍ର ନାରାୟଣ ସିଂହଦେଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବାବେଳେ ୧୯୬୮ ମସିହାରେ ଆନ୍ଧ୍ର ସହିତ ଓଡ଼ିଶାର ସୀମା ବିବାଦ ଘେନି ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟରେ ଦୁଇଟି ମାମଲା ରୁଜୁ କରାଯାଇଥିଲା । ପଟ୍ଟାଙ୍ଗୀ ତହସିଲର କୋଟିଆ ସମେତ ୨୧ଟି ଗ୍ରାମପୁଞ୍ଜକୁ ନେଇ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟଟି ଥିଲା ବୋରାମୁଥା ସମେତ ୧୩ଟି ଗ୍ରାମ ପ୍ରସଙ୍ଗ ଆଧାରିତ। ଏହି ମାମଲା ଦୁଇଟିରୁ ବୋରାମୁଥା ମାମଲାରେ ୨୦୧୦ ମସିହାରେ ଓଡ଼ିଶା ସରକାର ହାରିଥିବା ବେଳେ ଅନ୍ୟ ମାମଲାଟିକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ବା ସୁପ୍ରିମକୋର୍ଟ ଖାରଜ କରିଦେଇ ଆପୋଷ ଆଲୋଚନା ମାଧ୍ୟମରେ ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହାର ପ୍ରମୁଖ କାରଣ ଓଡ଼ିଶା ସରକାର ମକଦ୍ଦମା କରି ଚୁପ ବସିଗଲେ । ଯାହା ଫଳରେ ଆନ୍ଧ୍ର ଯାହା ଚାହୁଁ ଥିଲା , ତାହା ହେଲା ଏବଂ ସେ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ତାଙ୍କ ଆଦେଶରେ ଉଲ୍ଳେଖ କରିଥିଲେ ମଧ୍ୟ ବାରମ୍ବାର ଆନ୍ଧ୍ର ପକ୍ଷରୁ ତାହାର ଉଲ୍ଲଂଘନ କରାଯାଉଥିବାରୁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିବାର ଇତିମଧ୍ୟରେ ୪ବର୍ଷ ବର୍ଷ ବିତିଗଲାଣି । ଏହାଛଡ଼ା ୨୦୨୩ରେ ବି ଓଡ଼ିଶା ସରକାର ଅନ୍ୟ ଏକ ମୂଳ ମାମଲା ସୁପ୍ରିମକୋର୍ଟରେ ଦାଏର କରିଥିଲେ ,ଯାହା ଏଯାବତ୍ ବିଚାରାଧୀନ ରହିଛି ।
ସେହିପରି ଆନ୍ଧ୍ର ପ୍ରଦେଶ ସହିତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଅଞ୍ଚଳର ମାଣିକ ପାଟଣା, ଗଙ୍ଗା ବାଡ଼ ଆଦି ବିସ୍ତୃତ ଅଞ୍ଚଳ ଓ କାଶୀନଗର ତହସିଲ ଅନ୍ତର୍ଗତ କେତେକ ଗ୍ରାମକୁ ନେଇ ଆନ୍ଧ୍ର ପ୍ରାୟୋଜିତ ବିବାଦ ଦୀର୍ଘ ଦିନରୁ ଚାଲିଛି ।ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ସରକାର ଆଖିବୁଜା ବନ୍ଧ ନିର୍ମାଣ କରି ଓଡ଼ିଶାରେ ମହାନଦୀର ଜଳପ୍ରବାହକୁ ଏକ ପ୍ରକାର ସଂକୁଚିତ କରିଦେଇଥିବା ଘେନି ପ୍ରାୟ ୧୦ବର୍ଷ ହେବ ଟ୍ରିବ୍ୟୁନାଲ୍ରେ ମାମଲା ଗଡୁଛି । ଏହି ମାମଲା ପାଇଁ ଓଡ଼ିଶା ସରକାର ମଧ୍ୟ କୋଟିକୋଟି ଟଙ୍କା ଗରିବ ଲୋକଙ୍କ ରାଜକୋଷରୁ ଖର୍ଚ୍ଚ କଲେଣି ।
କିନ୍ତୁ ସମୟ ଗଡ଼ି ଚାଲୁଥିବା ସହିତ ମହାନଦୀର ତଳମୁଣ୍ଡ ଶୁଖିଲା ପଡୁଛି । ଏହି ସମସ୍ୟାର କେବେ ସମାଧାନ ହେବ ଏବଂ ପୁଣି ମହାନଦୀ ବକ୍ଷରେ ଜଳଧାରା ପ୍ରବାହିତ ହେବ ସେ ସଂକ୍ରାନ୍ତରେ କେହି ନିର୍ଦ୍ଦିଷ୍ଟ ଭାବେ କିଛି କହିପାରୁ ନାହାନ୍ତି । ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ତହସିଲ ଅନ୍ତର୍ଗତ ଝାରଗାଁ ଅଞ୍ଚଳରେ ଓଡ଼ିଶାର କେତେକ ଜମିକୁ ନେଇ ବି ଛତିଶଗଡ଼ ସହ ସୀମା ବିବାଦ ଲାଗି ରହିଛି । ସେହିପରି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଓ ସାରସକଣା ତହସିଲ ଅନ୍ତର୍ଗତ ୮ଟି ରାଜସ୍ୱ ଗ୍ରାମକୁ ନେଇ ପଶ୍ଚିମବଙ୍ଗ ସହିତ ସୀମା ବିବାଦ ଚାଲିଛି । ସେହିପରି ବାଲେଶ୍ୱର ଜିଲ୍ଲାର ଭୋଗରାଇ ତହସିଲ ଅନ୍ତର୍ଗତ ସାହବାଜପୁର ଗାଁ ଏବଂ ସୁବର୍ଣ୍ଣରେଖା ନଦୀ ଶଯ୍ୟା ପ୍ରସଂଗରେ ବି ପଶ୍ଚିମବଙ୍ଗ ସହ ଓଡ଼ିଶାର ସୀମା ବିବାଦ ଲାଗି ରହିଛି ।
କେନ୍ଦୁଝର ଜିଲ୍ଲାର ଚମ୍ପୁଆ ତହସିଲ ଅନ୍ତର୍ଗତ ସୀମାନ୍ତବର୍ତ୍ତୀ ଗ୍ରାମ ପୁରୁଷୋତ୍ତମପୁର ଓ ମୟୂରଭଞ୍ଜର ସାରସକଣା ତହସିଲ ଅନ୍ତର୍ଗତ ନୂଆଗାଁ ଓ ନେଡ଼ା ଗ୍ରାମକୁ ନେଇ ପଡ଼ୋଶୀ ଝାଡ଼ଖଣ୍ଡ ସହିତ ଓଡ଼ିଶାର ଆନ୍ତଃରାଜ୍ୟ ସୀମା ବିବାଦ ଗଡ଼ି ଆସୁଛି ।ତେବେ ସୀମାନ୍ତବର୍ତ୍ତୀ ଜିଲ୍ଲା ସୁନ୍ଦରଗଡ଼, ନବରଙ୍ଗପୁର, ଗଞ୍ଜାମ, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ମାଲକାନଗିରି ଓ ରାୟଗଡ଼ା ସହିତ ପଡ଼ୋଶୀ ରାଜ୍ୟମାନଙ୍କର ସୀମା ବିବାଦ ଥିବା ସତ୍ତ୍ବେ ସରକାରଙ୍କ ନିକଟରେ ଖବର ନାହିଁ । ଆମେ ସୀମା ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ଭାବରେ ବାରମ୍ବାର ଓଡ଼ିଶାର ସୀମାନ୍ତ ଅଞ୍ଚଳ ବୁଲି , ସେଠାକାର ବାସିନ୍ଦାଙ୍କ ସହିତ ଆଲୋଚନା କରି , ବାସ୍ତବ ତଥ୍ୟ ସଂଗ୍ରହ କରି ଗତ ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ ଶହଶହ ପତ୍ର ମାଧ୍ୟମରେ ଜଣାଇଥିଲେ ମଧ୍ୟ ତାହା ଅଳିଆଗଦାର ପଣ୍ୟ ଅବା ଠୁଙ୍ଗା ଶିଳ୍ପର କଞ୍ଚା ମାଲ ଯେ ହୋଇଛି , ସେଥିରେ ଆମେ ଦୃଢ଼ ନିଶ୍ଚିତ ।
ହଁ , ଏହା ଅତ୍ୟନ୍ତ ଭାରି ହୃଦୟରେ ସ୍ବୀକାର କରୁଛୁ ଯେ ଯେଭଳି ବ୍ୟାପକ ଗଣ ଆନ୍ଦୋଳନ ସୃଷ୍ଟି କରିବା କଥା , ତାହା କରି ପାରିନାହୁଁ । ଏହାର ବହୁବିଧ କାରଣ ମଧ୍ୟରୁ ଆର୍ଥିକ ଅନଟନ ଏକ ପ୍ରମୁଖ କାରଣ । ଏହା ଆମର ଅନୁଭବର କଥା ଯେ ଏଭଳି ଜନସ୍ବାର୍ଥ, ଓଡ଼ିଶାର ସ୍ବାର୍ଥ ଆଧାରିତ ଆନ୍ଦୋଳନକୁ ସ୍ବତଃ କେହି କେବେ ଆର୍ଥିକ ସାହାଯ୍ୟ ସହଯୋଗ କରି ନଥାନ୍ତି । ନବୀନ ପଟ୍ଟନାୟକ ଏହି ସତ୍ୟ ଜାଣିଥିବାରୁ , ଆମେ କିଭଳି ସର୍ବଦା ଆର୍ଥିକ ଅନଟନରେ ରହିବୁ , ତା’ର ସମସ୍ତ ବ୍ୟବସ୍ଥା କରିଥିଲେ , ଯାହାର ଉଦାହରଣ ପ୍ରଚୁର । ସକଳ ପ୍ରତିକୂଳ ପରିସ୍ଥିତିରେ ଓ ସକଳପ୍ରକାର ପ୍ରତିବନ୍ଧକ ସତ୍ତ୍ୱେ ନିଃସଙ୍ଗ ପଦାତିକ ଭାବେ ଅଭିଯାନ ଅବ୍ୟାହତ ରହିଛି ।