ସୁରେନ୍ଦ୍ର ନାଥ ଦାଶ ଆଉ ଆମ ଗହଣରେ ନାହାନ୍ତି

October 17, 2025 · By R P 1 min read
ସୁରେନ୍ଦ୍ର ନାଥ ଦାଶ ଆଉ ଆମ ଗହଣରେ ନାହାନ୍ତି

ବିଶ୍ବାସ କରି ହେଉନାହିଁ ଯେ ଓଡିଆ ଭାଷା ସାହିତ୍ୟର ପ୍ରତିବଦ୍ଧତା ଧର୍ମୀ, ବଦ୍ଧାନୁସୟୀ ଗବେଷକ, ବିଶେଷ କରି ପ୍ରଭୁ ଜଗନ୍ନାଥ ସଂସ୍କୃତି ଗବେଷକ , ମହାନ୍ ସାରସ୍ବତ ସାଧକ ପ୍ରାଚାର୍ଯ୍ୟ କଳା ଭୂଷଣ ସୁରେନ୍ଦ୍ର ନାଥ ଦାଶ ଆଉ ଆମ ଗହଣରେ ନାହାନ୍ତି ବୋଲି । ୭୭ ବର୍ଷ ବୟସରେ ଦିଲ୍ଲୀରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାରପ୍ରସାର ଓ ଗବେଷଣାରେ ମନୋନିବେଶ କରି ସେ ବହୁ ବିରଳ ତଥା ପୁରାତନ ପୁସ୍ତକ ଓ ପୋଥିକୁ ସଂଗ୍ରହ କରିଥିଲେ। ତଥ୍ୟ ସମ୍ବଳିତ ଏକାଧିକ ଗବେଷଣାଧର୍ମୀ ଆଧ୍ୟାତ୍ମିକ ଓ ପୌରାଣିକ ପୁସ୍ତକ ରଚନା କରି ସେ ଆତ୍ମସନ୍ତୋଷ ଲାଭ କରନ୍ତି ବୋଲି ଆମକୁ ଅନେକ ବାର କହିଥିଲେ । ବରେଣ୍ୟ ଡଃ ଦାଶ ଏକ ଧାରାରେ ଜଣେ ଶିକ୍ଷାବିତ୍‌, ଭାଷ୍ୟକାର, ଲେଖକ ଓ ବାଗ୍ମୀ ଥିଲେ।

ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡ଼ି ଅଞ୍ଚଳର ରତନପୁର ବ୍ରାହ୍ମଣ ଶାସନରେ ତାଙ୍କର ଜନ୍ମ ଜାନୁଆରୀ ୧୧ ତାରିଖ,୧୯୪୯ ମସିହାରେ । ପିତା ଉଦ୍ୟନାଥ ଦାଶ, ମା’ ବାୟାଣୀ ଦେବୀଙ୍କ କୋଳରେ ଜନ୍ମିତ ଦାଶ କ୍ଷେତ୍ରବାସୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ,କୁହୁଡ଼ିରେ ପ୍ରାଥମିକ ପାଠପଢ଼ା ସାରିପରେ ଜନତା ଜନତା ଉଚ୍ଚବିଦ୍ୟାଳୟରୁ ୧୯୬୬ରେ ଏକାଦଶ ପାସ୍‌ କରି ଗୋଦାବରୀଶ ମହାବିଦ୍ୟାଳୟରେ ପିଉ ବା ପ୍ରି-ୟୁନିଭର୍ସିଟି, ରେଭେନ୍‌ସାରେ ସ୍ନାତକ ବା
ଗ୍ରାଜୁଏଶନ୍‌ ଓ ବାଣୀବିହାରରେ ଓଡ଼ିଆରେ ସ୍ନାତକୋତ୍ତର କରିଥିଲେ। ତା’ପରେ ୧୯୭୩ ମସିହାରେ କେନ୍ଦୁଝର ମହାବିଦ୍ୟାଳୟରେ ପ୍ରାୟ ଦୁଇ ବର୍ଷ ଅସ୍ଥାୟୀ ବା
ଆଡହକ୍‌ରେ ଓଡ଼ିଆ ଅଧ୍ୟାପକ ଭାବେ ଚାକିରି କରିଥିଲେ। ତତ୍ ପରେ ଓଡ଼ିଶା ସୂଚନା ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସରକାରୀ ଲୋକସମ୍ପର୍କ ଅଧିକାରୀ ଭାବେ ସୁନ୍ଦରଗଡ଼ରେ ସାତ ମାସ ଓ ସମ୍ବଲପୁରରେ ଆଠ ମାସ କାମ କରିଥିଲେ। ମାତ୍ର ଅଧ୍ୟାପନା ପ୍ରତି ମନରେ ଅଧିକ ଆଗ୍ରହ ହେବାରୁ ଓଡ଼ିଶା ଏଜୁକେଶନ ସର୍ଭିସ୍‌ ଏକ୍‌ଜାମ୍‌ ଦେଇ କୃତକାର୍ଯ୍ୟ ହୋଇଥିଲେ। ଆଉ ୧୯୭୮ରେ ପାରଳାଖେମୁ୍‌ଣ୍ଡିସ୍ଥିତ ଏସ୍‌.କେ.ସି.ଜି. କଲେଜରେ ଓଡ଼ିଆ ଅଧ୍ୟାପକ ଭାବେ ଯୋଗଦେଲେ।

ପ୍ରାୟ ସାତ ବର୍ଷ କାମ କରିବା ଭିତରେ ଦୁଇବର୍ଷ ଛୁଟିରେ ରହି ଉତ୍କଳ ବିଶ୍ୱବିଦ୍ୟାଳୟରେ ଗବେଷଣା ବା ପିଏଚ୍‌.ଡି. କରିଥିଲେ। ପ୍ରଫେସର୍‌ ଡ. ବଂଶୀଧର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଓଡ଼ିଆ ଚଉତିଶା ଉପରେ ଗବେଷଣା ସନ୍ଦର୍ଭ ଲେଖି ୧୯୮୪ରେ ଡକ୍ଟରେଟ୍‌ ଡିଗ୍ରୀ ହାସଲ କରିଥିଲେ । ପ୍ରଫେସର୍‌ ଡ. ବଂଶୀଧରଙ୍କ ସଂସ୍ପର୍ଶରେ ଆସି ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଅଧିକ କିଛି ଜାଣିବାପାଇଁ ମନରେ ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା । ଦୁହେଁ ମିଶି ‘ଶ୍ରୀଜଗନ୍ନାଥ’ ନାମରେ ଏକ ପତ୍ରିକା ପ୍ରକାଶ କରିଥିଲେ । ଏହାପରେ ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ନାମରେ ଏକ ଅନୁଷ୍ଠାନ ମଧ୍ୟ ଗଠନ କରିଥିଲେ।
ଯାହାର ସଭାପତି ଥିଲେ ପ୍ରଫେସର୍‌ ଡ. ମହାନ୍ତି ଆଉ ସେ ଥିଲେ ସାଧାରଣ ସମ୍ପାଦକ। ବିଭିନ୍ନ ମହାବିଦ୍ୟାଳୟରେ ଶିକ୍ଷା ଦାନ କରି ୧୯୯୦ରେ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ପ୍ରାଧ୍ୟାପକ ଭାବେ ଯୋଗଦେଇଥିଲେ ଏବଂ ୧୯୯୯ରେ ପ୍ରଫେସର୍‌ ଭାବେ ପଦୋନ୍ନତି ପାଇଥିଲେ ।

ତାଙ୍କର ତତ୍ତ୍ୱାବଧାନରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏମ୍‌ଫିଲ୍‌, ୨ ଜଣ ଡି.ଲିଟ୍‌ ଏବଂ ୪୦ରୁ ଊର୍ଦ୍ଧ୍ୱ ଗବେଷକ, ଗବେଷିକା ପିଏଚ୍‌.ଡି. ଡିଗ୍ରୀ ହାସଲ କରିସାରିଲେଣି। ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ସାଂସ୍କୃତିକ ସଂସ୍ଥା ସହିତ ସେ ଜଡ଼ିତ ଥିଲେ। ଏହା ସହ ଓଡ଼ିଆ ସମ୍ମିଳନୀ, ପରିଚୟ ଆଠଗଡ଼, ଡ. ହରେକୃଷ୍ଣ ମହତାବ ସିଲଭର ମେଡ଼ାଲ, ସତ୍ୟ ସନ୍ଧାନ ପୁରୀ, କଳିଙ୍ଗସାହିତ୍ୟ ସମାଜ ବ୍ରହ୍ମପୁର, ଅନ୍ୟାନ୍ୟ ଶ୍ରୀଜଗନ୍ନାଥ -୨୦୧୫, ଭୁବନେଶ୍ୱର ଭଞ୍ଜଭାରତୀ-୨୦୧୬ ଓ ଗାଁ ଲୋକକଳା ଉତ୍ସବ-୨୦୧୯ ରତନପୁର ଆଦି ବହୁ ଅନୁଷ୍ଠାନରୁ ଅନେକ ସମ୍ମାନ ଓ ପୁରସ୍କୃତ ହୋଇଥିଲେ ।

୨୦୦୯ରେ ଚାକିରିରୁ ଅବସର ପରେ ତାଙ୍କୁ ୟୁଜିସି ତରଫରୁ ତିନୋଟି ପ୍ରୋଜେକ୍ଟ ଉପରେ କାମ କରିବାର ଦାୟିତ୍ୱ ମିଳିଥିଲା। ଓଡ଼ିଶାରେ ଶ୍ରୀଜଗନ୍ନାଥ ମନ୍ଦିର, ଭାରତରେ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଶ୍ରୀମନ୍ଦିର ଭିତରେ ଯେଉଁ ପାରମ୍ପରିକ ଶବ୍ଦର ବ୍ୟବହାର କରାଯାଉଛି ତା’ ଉପରେ ଗବେଷଣା କରିବାକୁ ଯାଇ ସେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରାୟ ୧୬୩୧ଟି ଏବଂ ଭାରତର ବିଭିନ୍ନ ସ୍ଥାନରେ ଥିବା ପ୍ରାୟ ୩୭୨୧ଟି ଶ୍ରୀଜଗନ୍ନାଥ ମନ୍ଦିରର କ୍ଷେତ୍ରୀୟ ସର୍ବେକ୍ଷଣ କରି ତା’ର ଇତିହାସ ସଂଗ୍ରହ କରିଥିଲେ ।

ସିଙ୍ଗାପୁର, ମାଲେସିଆ, ଦୁବାଇ, ୟୁନାଇଟେଡ଼ କିଙ୍ଗଡ଼ମ, ନେପାଳ, ଥାଇଲାଣ୍ଡ ଆଦି ବିଦେଶରାଷ୍ଟ୍ରକୁ ବୁଲିଯାଇ ଗବେଷଣା ମଧ୍ୟ କରିଥିଲେ। ଇଂଲିଶ ଭାଷାରେ ‘ମହାପ୍ରଭୁ ଶ୍ରୀଜଗନ୍ନାଥ: ଦି ଲର୍ଡ ଅଫ୍‌ ଦି ୟୁନିଭର୍ସ’ ନାମରେ ଏକ ପୁସ୍ତକ ଦିଲ୍ଲୀ ପ୍ରତିଭା ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଛି । ସେହିପରି ମନ୍ଦିରରେ ଯେଉଁ ପାରମ୍ପରିକ ଶବ୍ଦର ବ୍ୟବହାର କରାଯାଏ ତା’ ଉପରେ ଗବେଷଣା କରି ‘ଶ୍ରୀମନ୍ଦିର ଶବ୍ଦକୋଷ’ ନାମରେ ତାଙ୍କର ସୃଷ୍ଟି କାଳଜୟୀ ।
ପରବର୍ତ୍ତୀ କାଳରେ ଶ୍ରୀମନ୍ଦିର ସମ୍ପର୍କରେ ବିଭିନ୍ନ ରିପୋର୍ଟ, ବିଭିନ୍ନ କମିଶନଙ୍କ ସୁପାରିସ, ଭକ୍ତ ଓ ସେବାୟତଙ୍କ ଦ୍ୱାରା ଶ୍ରୀମନ୍ଦିରକୁ ଆଧାରିତ କରି ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମାକୁ ନେଇ ଅନ୍ୟ ଏକ ପୁସ୍ତକ ‘ରିପୋଟର୍ସ ଆଣ୍ଡ ନୋଟିସ ଅନ୍‌ ଶ୍ରୀଜଗନ୍ନାଥ ଟେମ୍ପୁଲ ପୁରୀ’ ୨୦୧୮ରେ ପ୍ରକାଶିତ କରିଥିଲେ। ଏମିତିରେ ଟୀକା ଗୋବିନ୍ଦଚନ୍ଦ୍ର, ଶାକ୍ତଧର୍ମ ଓ ଶ୍ରୀଜଗନ୍ନାଥ, ଉଧବ ଚଉତିଶା, ଶିବସହସ୍ରନାମ, ଶ୍ରୀଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷାସାହିତ୍ୟ ସଂସ୍କୃତି, କାଞ୍ଚି କାବେରୀ, ପାରମ୍ପରିକ ଧର୍ମ, ପୂର୍ବଭାରତ ଓ ଶ୍ରୀଜଗନ୍ନାଥ ପୁରୁଷୋତ୍ତମ, ଭୁବନେଶ୍ୱରୀ, ଓଡ଼ିଆ ସାହିତ୍ୟ ଯୁଗେଯୁଗେ, ମହାପ୍ରଭୁ ଶ୍ରୀଜଗନ୍ନାଥ, ପୌରାଣିକ ଶବ୍ଦକୋଷ, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଆଦି ଏକାଧିକ ପୁସ୍ତକ ରଚନା କରି ଯାଇଛନ୍ତି ।କେବଳ ଓଡ଼ିଶା କାହିଁକି ଭାରତ ବାହାରେ ମଧ୍ୟ ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ଓ ପ୍ରସାର କାର୍ଯ୍ୟରେ ଯୋଗଦେଇ ସେ ଆନନ୍ଦ ପାଉଥିଲେ ।
ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।

Read Next