SI ପରୀକ୍ଷା କେଳେଙ୍କାରୀରେ ବଡ଼ ଖୁଲାସା

October 17, 2025 · By R P 1 min read
SI ପରୀକ୍ଷା କେଳେଙ୍କାରୀରେ ବଡ଼ ଖୁଲାସା

ପୋଲିସ SI ପରୀକ୍ଷା ଦୁର୍ନୀତି ଚେର ଲମ୍ବିଛି । କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ବଡ଼ ଖୁଲାସା କରି କହିଛନ୍ତି, ଘଟଣାରେ ମୋଷ୍ଟ ୱାଣ୍ଟେଡ ଦଲାଲ ମୁନା ମହାନ୍ତି ଓ ଜଣେ ମହିଳା ସମେତ ୩ ଗିରଫ ହୋଇଛନ୍ତି। ସୁକାନ୍ତ ମହାରଣା, ସୌମ୍ୟା ପିୟଦର୍ଶିନୀ ଓ ଅଭିମନ୍ୟୁ ଦୋରାଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଆଉ କିଛି ଲୋକ ସଂପୃକ୍ତ ଅଛନ୍ତି । ସେମାନଙ୍କୁ ଆମେ ଗିରଫ କରିବୁ । ଏହି ମାମଲାରେ ଗିରଫ ହୋଇଥିବା ସୌମ୍ୟା ପ୍ରିୟଦର୍ଶିନୀ ପରୀକ୍ଷାର୍ଥୀ ଯୋଗାଡ଼ କରୁଥିଲେ। ଦିଲ୍ଲୀରେ ରହି ସବୁ ପରିଚାଳନା କରୁଥିଲେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି। ପ୍ରଥମେ ମୁନା ମହାନ୍ତିଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ। କାହା ପାଖରେ କିଛି ସୂଚନା ଥିଲେ ଜଣାଇବାକୁ କ୍ରାଇମବ୍ରାଞ୍ଚ ଡିଜି ଅପିଲ କରିଛନ୍ତି। ଶଙ୍କର ପୃଷ୍ଟିକୁ ଶୀଘ୍ର ଗିରଫ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି।

ଏସଆଇ ପରୀକ୍ଷା ସ୍କାମକୁ ନେଇ ତନାଘନା ଚଲାଇଥିବା କ୍ରାଇମବ୍ରାଞ୍ଚ ମୋଷ୍ଟ ଓ୍ଵାଣ୍ଟେଡ ମୁନା ମହାନ୍ତିକୁ ଗିରଫ କରିବା ପରେ ଏବେ ଅନ୍ୟମାନେ ଗିରଫ ହେବେ ବୋଲି କ୍ରାଇମ ବ୍ରାଞ୍ଚ ସ୍ପଷ୍ଟ କରିଛି । ମୁନାଙ୍କୁ ଦଶପଲ୍ଲା କୁଜାମେଣ୍ଡିରୁ ଉଠାଇ ଆଣିଲା କ୍ରାଇମବ୍ରାଞ୍ଚ। ଫାର୍ମ  ହାଉସରେ ଲୁଚିଥିବା ବେଳେ ଧରା ପଡ଼ିଲା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି। ଫାର୍ମ ହାଉସ ମାଲିକଙ୍କୁ ମଧ୍ୟ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢଉ ଜାରି ରହିଛି।

ପୋଲିସର ସଚେତନତା ପାଇଁ ଏସଆଇ ପରୀକ୍ଷା ଆଗରୁ ଏତେ ବଡ଼ ଦୁର୍ନୀତି ଖୁଲାସା ହେଲା। ପୂର୍ବରୁ ପରୀକ୍ଷା ତ୍ରୁଟି ଶୂନ୍ୟ ଏବଂ ଦୁର୍ନୀତି ମୁକ୍ତ କରିବା ପାଇଁ ଆମେ ବ୍ୟବସ୍ଥା କରିଥିଲୁ। ଏଥିପାଇଁ ଜିଲ୍ଲା ଏସପି ଓ ପୋଲିସ ଅଧିକାରୀ ମାନଙ୍କୁ ସତର୍କ କରାଯାଇଥିଲା। ଫଳ ସ୍ବରୂପ ଆମେ ପରୀକ୍ଷାରେ ବିଭ୍ରାଟ ହେବା ପୂର୍ବରୁ ଠାବ କରିପାରିଲୁ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି।   

ପୋଲିସ ଏସ. ଆଇ ପରୀକ୍ଷା କେଳେଙ୍କାରୀରେ ସଂପୃକ୍ତ ଅଭିଯୋଗରେ ଗିରଫ  ୧୧୩ ପରୀକ୍ଷାର୍ଥୀ ଜାମିନ ଆବେଦନ କରିଛନ୍ତି। । ମାମଲାରେ ୧୧୪ ପରୀକ୍ଷାର୍ଥୀ ଓ ୫ ଦଲାଲଙ୍କୁ ମିଶାଇ ୧୧୯ ଜଣଙ୍କୁ  ଗିରଫ କରାଯାଇଛି। ଜେ ଏମ ଏଫ ସି ଗ୍ରାମାଞ୍ଚଳ କୋର୍ଟ ଏମାନଙ୍କର ଜାମିନ ନାମଞ୍ଜୁର କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଜିଲ୍ଲା ଦୌରା ଜଜ କୋର୍ଟରେ ୧୧୩ ଜଣ ଆବେଦନ କରିଛନ୍ତି। ପରବର୍ତ୍ତୀ ଶୁଣାଣୀ ଆସନ୍ତା ୨୩ ତାରିଖକୁ ଧାର୍ଯ୍ୟ ହୋଇଛି।

ତେବେ ପୂର୍ବରୁ ଅନେକ ପରୀକ୍ଷାରେ ଏଭଳି ସ୍କାମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ସେଗୁଡିକର ତଦନ୍ତ କରାଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ଦାବି କରୁଛନ୍ତି ।

Read Next