—————-
“ପିତୃ ଲୋକଂ ପରିତାଜ୍ୟଆଗତା ଯେ ମହାଳୟେ
ଉଜ୍ଜ୍ୱଳଂ ଜ୍ୟୋତିଷାଂ ମାର୍ଗେ ପ୍ରପଦ୍ୟନ୍ତୋ ବ୍ରଜନ୍ତୁତେ ।
ସହସ୍ର ସହସ୍ର ଭୂତାନାଂଯମ୍ ଭୁତୟେ ଭୁତ ଦର୍ଷୟେ ,
ଉଜ୍ଜ୍ୱଳଂ ଜ୍ୟୋତିଷାବଟ୍ଟ ସୁଖେ ଯାନ୍ତୁ ପିତାମହ ।”
ବଡ ବଡ଼ିଆ ହୋ , ବଡ଼ବଡ଼ିଆ ହୋ !
ଅନ୍ଧାରେ ଆସି ଆଲୁଏ ଯାଅ ,
ବାଇଶି ପାହାଚରେ ଶ୍ରୀ ମହାପ୍ରସାଦ ଖାଇ,
ଆମକୁ ଅମୃତ ଦୃଷ୍ଟି ରେ ଚାହିଁ ଥାଅ ।”
କେଉଁ ଅନାଦି ଅନନ୍ତ କାଳରୁ ଓଡ଼ିଆ ଜାତି ପବିତ୍ର ଦୀପାବଳି ଅବସରରେ ସ୍ବର୍ଗତ ପୂର୍ବଜ ମାନଙ୍କ ଆଗମନରେ ଯଥୋଚିତ ସମ୍ମାନ ପ୍ରଦର୍ଶନ ପୂର୍ବକ ଶ୍ରଦ୍ଧାବଚନାର୍ପଣ ସହିତ ଘିଅ ଦୀପ, କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ଉର୍ଦ୍ଧ୍ବ କୁ ଟେକି ଉଚ୍ଚାରଣ ପୂର୍ବକ ନିଜର ପୂର୍ବଜମାନଙ୍କୁ ପଥ ପ୍ରଦର୍ଶିତ କରି ଆସୁଛନ୍ତି । ଅଧୁନା ସ୍ଥିତି ଅତ୍ୟନ୍ତ ହୃଦ ବିଦାରକ । ପବିତ୍ର ଦୀପାବଳି ଟି ଆଜି ହାପି ଦିବାଲି,ହାପି ଦିଓ୍ବାଲି , ଚାଇନାଗତ ବାଣ ଫୁଟା, ପ୍ରଦୂଷିତ ପରିବେଶ , ତୈଳ ମର୍ଦ୍ଦନ ସ୍ବାର୍ଥାନ୍ଧ ମାନଙ୍କ ଉପହାର ନାମଧେୟ ଦ୍ରବ୍ୟ ଆଦାନ ପ୍ରଦାନ ର ଦିବସ ହୋଇଯାଇଛି । ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ
ନାନା ପୌରାଣିକ ମତବାଦ, ସଂଯୋଗ ଓ ଧର୍ମୀୟ ବିଶ୍ୱାସ ମଧ୍ୟରେ ବାନ୍ଧି ହୋଇ ରହିଥିବା ଏହି ପର୍ବକୁ ବୈଜ୍ଞାନିକ ଅନୁଶୀଳନ କଲେ ଜଣାପଡ଼େ ଏହା ଏକ କୃଷିଭିତ୍ତିକ ବିଧି । ଯାହା ପ୍ରାଚୀନ କଳିଙ୍ଗର ତାର କୃଷିକ୍ଷେତ୍ର ଓ ତତସହିତ ପୁରପଲ୍ଲୀରେ ପୋକ ନିୟନ୍ତ୍ରଣ ପାଇଁ ଆୟୋଜନ ହେଉଥିଲା । ଧାନର ଅନ୍ତୁଡ଼ିଶାଳ ଓଡ଼ିଶା ଚାଷବାସରେ ସମୃଦ୍ଧ ଥିଲା । ଏହାର ପାରମ୍ପରିକ ଚାଷ ପ୍ରଣାଳୀ ମଧ୍ୟ ବିଜ୍ଞାନ ସମ୍ମତ । ପୂର୍ବକାଳର ରୋଗପୋକ ନିୟନ୍ତ୍ରଣ ପଦ୍ଧତି ଅତି ଉତ୍କୃଷ୍ଟ ଥିଲା ବୋଲି ଆମେରିକାର ଗବେଷକ ଉପନୀତ ହୋଇଛନ୍ତି । ରୋଗପୋକ ଦମନ ପାଇଁ ଓଡ଼ିଆମାନେ ନିମ୍ବ ପତ୍ର ଓ ଆଲୋକ ଦିହୁରୀର ବହୁଳ ଉପଯୋଗ କରୁଥିବାର ଗବେଷକମାନେ ମତ ଦିଅନ୍ତି । ଏ ଦୁଇଟି ଉପାୟ ଏବେ ସୁଦ୍ଧା ବୈଜ୍ଞାନିକଙ୍କଦ୍ୱାରା ସର୍ବୋତ୍କୃଷ୍ଟ ବିବେଚିତ ହୋଇଛି ।”ଅନଳ ଦେଖିଣ ପତଙ୍ଗ ଧାବନ୍ତି ହୋଇ ଉଦବେଗ “।’ଅମଳ ଋତୁ ଉପନୀତ ହୁଅନ୍ତେ ଶସ୍ୟକ୍ଷେତ୍ର ସମେତ ଜନବସତିରେ କୀଟ ପତଙ୍ଗଙ୍କ ସଂଖ୍ୟା ବୃଦ୍ଧି ପାଏ । କାର୍ତ୍ତିକ ମାସର ଅମାବାସ୍ୟା ଆଡକୁ ଏମାନଙ୍କ ସଂଖ୍ୟା ଏତେ ବୃଦ୍ଧି ପାଏ ଯେ ବିଶେଷ କରି ରାତ୍ରୀ ସମୟରେ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ । ଅମାବାସ୍ୟା ପୂର୍ବ ପରକୁ ମିଶାଇ ପାଞ୍ଚ ଦିନ ମଶାଲ, ଦିହୁରୀ, ଦୀପ, ଲଣ୍ଠନ ଆଦି ଜଳାଇ ପୋକଙ୍କୁ ଆକୃଷ୍ଟ କରି ଦମନ କରାଯାଏ । ଅପରପକ୍ଷରେ ପୁରାଣ ଶାସ୍ତ୍ର କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଥିଲେ । ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳେଇଥିଲେ । ସେହି ଦିନରୁ ଏହି ଉତ୍ସବ ପାଳନ କରାଯାଉଛି । ଉତ୍ତର ଭାରତରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଭକ୍ତମାନେ ଏହି ଦିନ ଟିକୁ ବହୁ ଯାକଜମକରେ ପାଳନ କରନ୍ତି । ଅନ୍ୟ ଏକ କିମ୍ବଦନ୍ତୀ କୁହେ ଅର୍ଥାତ୍
ଉତ୍ସବ ତତ୍ତ୍ୱାଭିଧାନ’ ଅନୁଯାୟୀ ଏକଦା କାର୍ତ୍ତିକ(ତୁଳା)ମାସ- ଘନଅନ୍ଧକାର କୃଷ୍ଣପକ୍ଷରେ ଜଣେ ଭବିଷ୍ୟଦ୍ରଷ୍ଟା ଜ୍ୟୋତିଷ ପ୍ରଭୁ ଶ୍ରୀରାମଙ୍କୁ ବିପର୍ଯ୍ୟସ୍ଥ ଦୁର୍ଭାଗ୍ୟ କାଳସର୍ପ ରୂପେ ଅମାରାତିରେ ଦଂଶନ କରିବା ପାଇଁ ଲୁଚିଛପି ଆସିବାର ଭବିଷ୍ୟବାଣୀ କରିଥିଲେ । ସତର୍କତା ପୂର୍ବକ ଅଯୋଧ୍ୟା ରାଜନଗରୀର କୃଷ୍ଣପକ୍ଷ ସାରା ଉଜ୍ଜଳଆଲୋକ ପ୍ରଜ୍ଜଳନ କରାଯାଇଥିଲା ଏବଂ କାଳସର୍ପ ଦଂଶନର ଚକ୍ରାନ୍ତ ପଣ୍ଡହୋଇଥିଲା । ସେହିପରି ଅନ୍ୟ ଏକ ପୁରାଣ କିମ୍ବଦନ୍ତୀ ଅନୁସାରେ ଦୈତ୍ୟରାଜ ବଳି ମହାଦାନୀ ଥିଲେ । ସେ ଏପରି ଦାନ କଲେ ଯେ ସ୍ୱର୍ଗର ଦେବତାମାନଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା , କାରଣ ତାଙ୍କର ପୂଣ୍ୟ ଫଳରେ ସେ ସ୍ୱର୍ଗପୁରର ଅଧିକାରୀ ହେଇପାରନ୍ତି । ଏଣୁ ଦେବତାମାନଙ୍କ କଥା ରକ୍ଷାକରି ବିଷ୍ଣୁ ବାମନ ଅବତାର ଗ୍ରହଣ କରି ବଳିରାଜଙ୍କ ପାଖରେ ପହଞ୍ଚି ତାଙ୍କୁ ତିନିପାଦ ଭୂମି ମାଗିଥିଲେ । ଗୋଟିଏ ପାଦରେ ପୃଥିବୀ, ଗୋଟିଏ ପାଦରେ ସ୍ୱର୍ଗ ଏବଂ ତୃତୀୟ ପାଦରେ ବଳିଙ୍କୁ ପାତାଳକୁ ଚାପିଦେଲେ । ତେଣୁ ସେ ପାତାଳ ପୁରକୁ ଚାଲିଗଲେ । ତା’ ପରେ ବଳିଙ୍କ ପ୍ରାର୍ଥନା ଶୁଣି ପାତାଳରେ ବଳିକୁ ରାଜା କରିଦେଲେ । ବର୍ଷକରେ ଥରେ ମର୍ତ୍ତ୍ୟପୁରକୁ ଆସି ପ୍ରଜାମାନଙ୍କୁ ଦେଖିବାକୁ ବଳି ବର ମାଗନ୍ତେ ବିଷ୍ଣୁ ଏଥିରେ ସମ୍ମତି ଜଣାଇ କାର୍ତ୍ତିକ ଶୁକ୍ଲ୍ଲ ପ୍ରତିପଦା ଦିନ ବଳି ମର୍ତ୍ତ୍ୟକୁ ଆସିବାକୁ ତଥାସ୍ତୁ କହିଲେ । ତେଣୁ ସେଦିନକୁ ମର୍ତ୍ତ୍ୟବାସୀ ଆନନ୍ଦର ଦୀପ ଜାଳି ଆଲୋକିତ କରନ୍ତି । ଏତଦ୍ ବ୍ୟତୀତ ଅନ୍ୟ ଏକ କିମ୍ବଦନ୍ତୀ କୁହେ ଯେ ଭଗବାନ ବିଷ୍ଣୁ ଭକ୍ତ ପ୍ରହ୍ଲାଦଙ୍କୁ ଇନ୍ଦ୍ରପଦ ଯାଚିବାରୁ ସେ ବିନୀତ ଭାବେ ପ୍ରତ୍ୟାଖାନ କରିବାରୁ, ତାଙ୍କର ନାତି ବଳୀରାଜାଙ୍କୁ ଏହି ଦିନ ‘ଇନ୍ଦ୍ରପଦ’ ପ୍ରଦାନ କରିଥିଲେ । ତେଣୁ ଦାନବଗଣ ଦୀପଜଳାଇ, ବାଣ, ଆତସବାଜି ଫୁଟାଇ ଉତ୍ସବ ପାଳିଥିଲେ । ଏତଦ୍ ଭିନ୍ନ ଅନ୍ୟ ଏକ କିମ୍ବଦନ୍ତୀ କୁହେ ଯେ ବିରୋଚନ ପୁତ୍ର ବଳି ଇନ୍ଦ୍ର ଓ ମରୁତଗଣଙ୍କୁ ପରାସ୍ତ କରି ତ୍ରିଭୁବନ ଜୟକରି ପ୍ରଜାପାଳନ କରୁଥିଲେ । ଦାନପାଇଁ ସେ ପ୍ରସିଦ୍ଧ ଥିଲେ ଏବଂ ଯେ ଯାହା ମାଗୁଥିଲେ, ତାହା ଦାନ କରୁଥିଲେ । ତାଙ୍କର ବିକ୍ରମ ଓ ଦାନର ପ୍ରଭାବରେ ସେ ଇନ୍ଦ୍ର ଓ ଦେବତାମାନଙ୍କୁ ନିଷ୍ପ୍ରଭ କରିବାକୁ ବସିଲେ । ଏଥିରେ ଇନ୍ଦ୍ର ଓ ଦେବଗଣ ଭୟଭୀତ ହେଲେ । ବଳି ଏକ ପ୍ରସିଦ୍ଧ ଯଜ୍ଞ କଲେ । ଏହି ଯଜ୍ଞ ଶେଷହେଲେ ଇନ୍ଦ୍ର ଓ ଦେବଗଣଙ୍କର ସମସ୍ତ ଶକ୍ତି ଓ ତେଜ ଚାଲିଯିବ । ଏହାର ଆଶୁ ନିରାକରଣ ପାଇଁ ଭଗବାନ ବିଷ୍ଣୁଙ୍କର ଶରଣାପନ୍ନ ହେଲେ । ବିଷ୍ଣୁ ବାମନ ରୂପରେ ବଳିଙ୍କଠାରୁ ତିନିଲୋକ ପ୍ରାପ୍ତହେଲେ । ଦାନପ୍ରଦାନ ଛଳରେ ମାୟାବୀବିଷ୍ଣୁ ଗର୍ବୀବଳିଙ୍କୁ ତୃତୀୟପାଦରେ ପାତାଳ ଚାପି ଦେଲେ । କଥା ଦେଲେ ଯେ ବଳି ବର୍ଷରେ ଥରେ କାର୍ତ୍ତିକ ଶୁକ୍ଲ୍ଲ ପ୍ରତିପଦା ଦିନ ପୃଥ୍ୱୀଲୋକକୁ ଆସିପାରିବ । ତାଙ୍କ ଆଗମନରେ ଭୂଲୋକବାସୀ ଆନନ୍ଦ ଉଲ୍ଲାସରେ ପ୍ରଦୀପ ଜାଳି ତାଙ୍କୁ ସମ୍ବର୍ଦ୍ଧିତ କରିବେ । ସେହି ଆଲୋକ ସମ୍ବର୍ଦ୍ଧନା କାଳକ୍ରମେ ଦୀପାବଳି ଉତ୍ସବରେ ରୂପାନ୍ତରିତ ହେଲା । କିମ୍ବଦନ୍ତୀ ରେ ସମୃଦ୍ଧ ଆମର ପୁରାଣ ଶାସ୍ତ୍ର ଅନୁସାରେ ଶ୍ରୀକୃଷ୍ଣ ଅତ୍ୟାଚାରୀ ନରକାସୁରକୁ କୃଷ୍ଣ ଚତୁର୍ଦଶୀ ଦିନ ବଧ କରିଥିଲେ ତେଣୁ ଖୁସିରେ ଆଲୋକର ଉତ୍ସବ ପାଳିତ ହେଇଥିଲା । ଏହି ଦିନକୁ ନରକ ଚତୁର୍ଦ୍ଦଶୀ କୁହଯାଏ । ଏ ଦିନ ସୂର୍ୟୋଦୟ କାଳରେ ସମସ୍ତ ଶରୀରରେ ସୁଗନ୍ଧ ତୈଳ ଲଗାଇ ଗାଧୋଇବାର ପ୍ରଥା ଅଛି । ଅନ୍ୟ ଏକ କିମ୍ବଦନ୍ତୀ କୁହେ ଯେ ଦ୍ୱାପରଯୁଗରେ ଶ୍ରୀକୃଷ୍ଣ ରାକ୍ଷସ ନରକାସୁରକୁ ମାରି ଚଉଷଠିସହସ୍ର ରାଜକନ୍ୟାଙ୍କୁ ଉଦ୍ଧାରକଲା ପରେ ଇନ୍ଦ୍ରମାତାଙ୍କୁ ନରକାଦ୍ୱାରା ଅପହୃତ ମଣିକୁଣ୍ଡଳକୁ ଫେରାଇବାକୁ ସତ୍ୟଭାମାଙ୍କୁ ନେଇ ସ୍ୱର୍ଗକୁ ଯାଇଥିଲେ । ସତ୍ୟଭାମାଙ୍କ ଅନୁରୋଧରେ ପାରିଜାତ ବୃକ୍ଷର ଚାରାଟିଏ ଆଣିବାକୁ ଗଲାବେଳେ ଇନ୍ଦ୍ରଙ୍କ ସହିତ ସମସ୍ତଦେବତା ବାଧାଦେବାରୁ ଏକାକି ସବୁଦେବତାଙ୍କୁ ପରାସ୍ତ କରି ପାରିଜାତ ବୃକ୍ଷ ସହ ଅନେକ ଧନରତ୍ନ ନେଇ ଏହିଦିବସରେ ଦ୍ୱାରକା ଫେରିଥିଲେ । ତେଣୁ ଦ୍ୱାରକାବାସୀ ପ୍ରଭୁଙ୍କୁ ସ୍ୱାଗତ ଜଣାଇ ସମଗ୍ରନଗରୀକୁ ଦୀପମାଳାରେ ସଜାଇ, ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ । ଋକ୍ ବେଦରୁ ସୂଚନା ମିଳେ ଯେ, ପୃଥିବୀ ଏକଦା ଘୋର ଅନ୍ଧକାର ଭିତରେ ବୁଡି ରହିଥିଲା । କାଳ କ୍ରମେ ସୂର୍ଯ୍ୟଙ୍କର କିରଣ ପାଇ ପୃଥିବୀ ଦିନେ ଆଲୋକିତ ହେଲା । ଏହାକୁ ମନେ ରଖିବା ପାଇଁ ଦୀପାବଳି ଉତ୍ସବ ପାଳନ କରାଯାଏ । ଇତିହାସ କିନ୍ତୁ ଦୀପାବଳୀ ଉତ୍ସବ ପାଳନର ଭିତ୍ତିଭୂମି ଉପରେ ଆଧାରିତ ଅନେକ ଆଲୋଚନା କରିଛି ।
ମୋଗଲ ଯୁଗର ପ୍ରସିଦ୍ଧଐତିହାସିକ ଆବୁଲ ଫଜୀଲ ତାଙ୍କର ଆଇନ ଆକବରୀରେ ମୋଗଲ ଶାସନକାଳୀନ ବଣିକ, ଆଲୋକ ଜ୍ଜଳନ୍ତ ଓ ଅକ୍ଷକ୍ରୀଡା ନାମକ ଦୀପାବଳି ଆଧାରିତ ମନୋଜ୍ଞ ଉପକଥାର ଉଲ୍ଲେଖ କରିଛନ୍ତି । ଆଲବରୁଣୀରେ ମୋଗଲ ସମ୍ରାଟଙ୍କ ଲମ୍ବା ବାଉଁଶ ପୋତି ତା’ର ଅଗରେ ଶିକାରେ ଆକାଶପ୍ରଦୀପ ଜାଳିବାକଥା ବରୋଦା ସଂଗ୍ରହାଳୟରେ ରଖାଯାଇଥିବା ପ୍ରାଚୀନ ଆକାଶପ୍ରଦୀପ ଅତୀତରେ ଦୀପାବଳି ପାଳନ କରାଯାଉଥିବାର ପ୍ରମାଣ ଦିଏ ।ସେହିପରି ଦର୍ଶାଯାଇଛି ଯେ ଚାଣକ୍ୟ ଓ ଚୋଳବଂଶକାଳୀନ ଉତ୍ସବ ପରମ୍ପରାରେ ଦୀପାବଳିପାଳନ ହେଉଥିବାର କନୌଜବଂଶୀୟ ରାଜା ହର୍ଷବର୍ଦ୍ଧନଙ୍କ କାଳଜୟୀ ଅମରକୃତି ନାଟକ ନାଗାନନ୍ଦରୁ ଜଣାପଡେ ।ଗୁପ୍ତବଂଶୀୟ ସମ୍ରାଟ ଦ୍ୱିତୀୟଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ, ପବିତ୍ର ଦୀପାବଳି ତିଥିରେ ସିଂହାସନ ଆରୋହଣ କରିଥିବାରୁ ତା’ର ସ୍ମାରକୀ ରୂପେ ଦୀପାବଳି ଦିନଠାରୁ ଗୁପ୍ତାଦ୍ଧର ପ୍ରଚଳନ ହୋଇଥିଲା ବୋଲି ଉଲ୍ଲେଖ ରହିଛି । ଏଠାରେ ଗର୍ବର ସହିତ ଉଲ୍ଲେଖ କରା ଯାଇପାରେ ଯେ ପୃଥିବୀର ପ୍ରଥମ ନୌବାଣିଜ୍ୟର ଜାତି ଓଡ଼ିଆ ମାନେ ଯେଉଁ ଯେଉଁ ଦେଶକୁ ଯାଇ ପ୍ରଭାବ ବିସ୍ତାର କରିଥିଲେ, ସେହି ସବୁ ଦେଶରେ ଯଥା ନେପାଳ, ଶ୍ରୀଲଙ୍କା, ମିଆଁମାର, ମରିସସ, ଗୁଏନା, ତ୍ରିନିଦାଦ ଓ ଟବାଗୋ, ସୁରିନେମ, ମାଲେସିଆ, ସିଙ୍ଗାପୁର ,ଫିଜି ଆଦି ଅନେକ ଦେଶରେ ଦୀପାବଳି କେବଳ ପାଳନ ହେଉନାହିଁ , ସେଠାରେ ଏହି ଦିବସରେ ସରକାରୀ ଛୁଟିଦିନ ଭାବରେ ଘୋଷିତ ହୋଇଛି । ଓଡ଼ିଶା କୁ ଯେଉଁ ବିଜାତୀୟ ମାନେ ଶାସନ କରିଛନ୍ତି , ଏପରିକି ଧର୍ମ ପ୍ରଚାର କରିବା ପାଇଁ ଆସିଛନ୍ତି , ସେମାନେ ମଧ୍ୟ ଦୀପାବଳି ପର୍ବକୁ ଆପଣେଇ ବିଭିନ୍ନ ପ୍ରସଙ୍ଗ ଅବତରଣ କରିଛନ୍ତି । ଯଥା
ଜୈନଧର୍ମରେ ଦୀକ୍ଷିତ ବ୍ୟକ୍ତିମାନେ ୨୪ତୀର୍ଥଙ୍କର ମହାବୀରଙ୍କର ନିର୍ବାଣ ଦିବସ ରୂପେ ଏହିଦିବସକୁ ପାଳନ କରିଥା’ନ୍ତି । ଏ ସମ୍ପର୍କରେ ଗୋଟିଏ କାହାଣୀ ରହିଛି । ମହାବୀରଙ୍କର ଯେତେବେଳେ ମହାପ୍ରୟାଣ ଘଟିଲା, ସେତେବେଳେ ତାଙ୍କପାଖରେ ବହୁ ଜୈନ ଧର୍ମାବଲମ୍ବୀ ସନ୍ନ୍ୟାସୀ ଭକ୍ତ ଉପସ୍ଥିତ ହୋଇଥିଲେ । ମହାପ୍ରୟାଣ ପରେ ଏ ପୃଥିବୀ ପାଇଁ କିଏ ଆଉ ଜ୍ଞାନାଲୋକ ଦେବ, ଏହା ହିଁ ସେମାନେ ଚିନ୍ତାକଲେ । ସେମାନେ ସମସ୍ତେ ଏକତ୍ରିତ ହୋଇ ଦୀପାବଳି ଦିନ ମଶାଲ ଜଳାଇ ଦିବ୍ୟଜ୍ଞାନ ସନ୍ଧାନରେ ଯାଇଥିଲେ । ସେହିଦିନରୁ ଦୀପାବଳି ଦିନ ଆଲୋକ ଜଳେବାର ଚାଳି ଆସୁଛି ।ଖ୍ରୀଷ୍ଟପୂର୍ବ ୫୨୭ରେ ମହାବୀରଙ୍କୁ ଏହିଦିନରେ ନିର୍ବାଣ ପ୍ରାପ୍ତି ହୋଇଥିଲା । ସେହିଦିନକୁ ସ୍ମରଣକରିବା ପାଇଁ ଜୈନମାନେ ଦୀପାବଳି ପାଳନ କରନ୍ତି । ଏହି ଅବସରରେ ଦୀପ ଜଳାଯାଏ ଏବଂ ମିଷ୍ଟାନ୍ନ ବଣ୍ଟାଯାଏ । ଜୈନ ବ୍ୟବସାୟୀମାନେ ହିସାବଖାତା ଏବଂ ମୁଦ୍ରା ପୂଜାକରନ୍ତି । ସେହିବର୍ଷ ପାଇଁ ହିସାବଖାତା ବନ୍ଦ କରାଯାଏ । ପରବର୍ତ୍ତୀ ଆଠଦିନ କୌଣସି ବ୍ୟବସାୟ କରନ୍ତି ନାହିଁ । ସେମାନେ ଉପବାସ କରନ୍ତି; ଜପତପ କରନ୍ତି । ନବମଦିନରେ ଜୈନ ନବବର୍ଷ ପାଳିତ ହୁଏ । ସେହିପରି ଏକଦଶଦର୍ଶି ମୋଗଲ ସମ୍ରାଟ ଔରଙ୍ଗଜେବ ଙ୍କ ଦ୍ୱାରା ଶିଖଧର୍ମର ଷଷ୍ଠଗୁରୁ ହରଗୋବିନ୍ଦ ସିଂହ ବନ୍ଦୀହୋଇ କାରାକୋଠରୀରେ ଆବଦ୍ଧ ହୋଇଥିଲେ । ଅଗଣିତ ଶିଖ ଧର୍ମାବଲମ୍ବୀଙ୍କ ଦୃଢବିରୋଧ ଯୋଗୁଁ ପରିଶେଷରେ ତାଙ୍କୁ କାରାମୁକ୍ତ କରାଗଲା । ତାଙ୍କୁ ସ୍ୱାଗତକରିବା ପାଇଁ ସେତେବେଳେ ସ୍ୱର୍ଣ୍ଣମନ୍ଦିରକୁ ଦୀପରେ ସଜାଯାଇଥିଲା । ସେ ଏହି ଦୀପାବଳିଦିନ କାରାମୁକ୍ତ ହୋଇ ଥିବାରୁ, ଏହିଦିନଟିକୁ ଅନ୍ଧାରରୁ ଆଲୋକସନ୍ଧାନ ପ୍ରାପ୍ତିର ଦିବସ ରୂପେ ଶିଖ ସମ୍ପ୍ରଦାୟ ପାଳିଆସୁଛନ୍ତି । ପାରମ୍ପରିକ ଭାବେ ଏହିଦିନରେ ଶିଖମାନେ ଗୋଇନ୍ଦୱ।ଲ୍ ସାହିବ ଗୁରୁଦ୍ୱାରକୁ ତୀର୍ଥକରି ଯାଆନ୍ତି ।