ମହାନ୍ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଶିକ୍ଷକ, ସଂପାଦକ, ପ୍ରାବନ୍ଧିକ, ବାଗ୍ମୀ ,ଉତ୍କଳ ସାହିତ୍ୟ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ , ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ତଥା ବିହାର-ଓଡ଼ିଶା ପ୍ରଦେଶର ପ୍ରଥମ ଓଡ଼ିଆ ବ୍ୟବସ୍ଥାପକ ବାଗ୍ମୀ ବିଶ୍ବନାଥ କରଙ୍କ ୯୧ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଧାନସଭା ନିକଟରେ ଥିବା ତାଙ୍କର ପ୍ରତିମୂର୍ତ୍ତି ସ୍ଥଳରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମାନ୍ୟବର ଏକାମ୍ର ବିଧାୟକ ବାଵୁ ସିଂ ଏବଂ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ , ନରେନ୍ ସାହୁ ଓ ଉମାକାନ୍ତ ମିଶ୍ର ଙ୍କ ନେତୃତ୍ବରେ “ଆମ ଭୁବନେଶ୍ୱର” ସଙ୍ଗଠନର ସଦସ୍ୟ ବୃନ୍ଦ , ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପ୍ରତିନିଧି ମାନଙ୍କ ସମେତ ଅନେକ ପୂଜ୍ୟପୂଜା ପ୍ରାଣ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।

ବାଗ୍ମୀ ବିଶ୍ୱନାଥ କର (୧୮୬୪-୧୯୩୪) ଓଡ଼ିଆ ସାହିତ୍ୟ ଓ ସମାଜ ସୁଧାରର ଏକ ମହାନ୍ ବ୍ୟକ୍ତିତ୍ୱ। ୧୮୬୪ ଡିସେମ୍ବର ୨୪ ତାରିଖରେ କଟକ ଜିଲ୍ଲାର ମାହାଙ୍ଗା ନିକଟମୁହଁ ମୂଳବସନ୍ତ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିତା ନାରାୟଣ କର ଓ ମାତା ବୈଦେହୀ ଦେବୀ। ସେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷକ, ସଂପାଦକ, ପ୍ରାବନ୍ଧିକ ଓ ଅଦ୍ୱିତୀୟ ବାଗ୍ମୀ ଥିଲେ। ତାଙ୍କର ବକ୍ତୃତାର ମଜା ଅନୁଭବ କରିବା ଏକ ଆନନ୍ଦର ବ୍ୟବସ୍ଥା ଥିଲା।ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ବଙ୍ଗଭଙ୍ଗ ଆନ୍ଦୋଳନରେ ତୀବ୍ର ଭାବେ ଭାଗ ନେଇ ଓଡ଼ିଆ ଭାଷାର ସ୍ୱାଧୀନତା ପାଇଁ ଲଢ଼ିଥିଲେ।
ଉତ୍କଳ ସାହିତ୍ୟ ପତ୍ରିକାର ସଂପାଦକ ହୋଇ ନଅଙ୍କ ଦୁର୍ଭିକ୍ଷ ଓ ଓଡ଼ିଆ ନବଜାଗରଣ ବିଷୟରେ ଅନେକ ଲେଖ ପ୍ରକାଶ କରିଥିଲେ। ଉତ୍କଳ ସମ୍ମିଳନୀର ଅନ୍ୟତମ ପ୍ରତିଷ୍ଠାତା ଥିଲେ। ସମାଜ ସୁଧାରରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଲଢ଼ିଥିଲେ। ରାଜା ରାମମୋହନ ରାୟଙ୍କ ବ୍ରାହ୍ମସମାଜରେ ଯୋଗଦାନ ଦେଇ ବ୍ରାହ୍ମଧର୍ମର ନୀତି ପ୍ରଚାର କରିଥିଲେ।ତାଙ୍କର ପ୍ରସିଦ୍ଧ ଉକ୍ତି, “ଓଡ଼ିଆ ଏକ ସ୍ୱୀକୃତ ପ୍ରାଚୀନ ଭାଷା। ମୁଁ ଓଡ଼ିଆ, ମୋ ଭାଷା ଓଡ଼ିଆ। ମୋର ଓଡ଼ିଆ ଜିଭକୁ କାଟିଦେବାର ଅଧିକାର ଏଠାରେ କାହାର ନାହିଁ” – ଓଡ଼ିଆ ଭାଷାର ସମ୍ମାନ ରକ୍ଷାର ପ୍ରତୀକ। ୧୯୩୪ ଅକ୍ଟୋବର ୧୯ ତାରିଖରେ ସ୍ୱର୍ଗବାସୀ ହୋଇଥିଲେ। ୨୦୨୪ରେ ଓଡ଼ିଶା ସରକାର ତାଙ୍କର ପ୍ରତିମା ଉନ୍ମୋଚନ କରି ସମ୍ମାନ ଦେଇଛନ୍ତି। ତାଙ୍କର କୃତି ଓ ଚିନ୍ତାଧାରା ଆଜି ମଧ୍ୟ ଓଡ଼ିଆ ସମାଜକୁ ପ୍ରେରଣା ଦେଉଛି।
ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ସେ ଭାରତୀୟ ଜାତୀୟ କଂଗ୍ରେସରେ ସେ ଯୋଗଦାନ କରିଥିଲେ । ବିହାର ଓ ଓଡ଼ିଶା ବ୍ୟବସ୍ଥାପକ ସଭାକୁ ସେ ପ୍ରତିନିଧି ଭାବରେ ଯାଇଥିଲେ । ଓଡ଼ିଶା-ବିହାର କାଉନ୍ସିଲର ସଭ୍ୟ ଥିବା ସମୟରେ ବ୍ୟବସ୍ଥାପକ ସଭାରେ ସେ ନିଜ ମାତୃଭାଷା ଓଡ଼ିଆରେ ଭାଷଣ ଦେଇଥିଲେ । ସେଠାରେ ଅନ୍ୟ ସଭ୍ୟମାନେ ତାଙ୍କୁ ଇଂରାଜୀରେ କହିବା ଲାଗି ବାଧ୍ୟ କଲାପରେ ମଧ୍ୟ ସେ ମାତୃଭାଷା ଓଡ଼ିଆରେ ହିଁ ନିଜର ବକ୍ତବ୍ୟ ରଖିଥିଲେ । ସେହି ସଭାରେ ସେ କହିଥିଲେ-ଓଡ଼ିଆ ଏକ ସ୍ୱୀକୃତ ପ୍ରାଚୀନ ଭାଷା, ମୁଁ ଓଡ଼ିଆ, ମୋ ଭାଷା ଓଡ଼ିଆ ।
କୁସଂସ୍କାର ଦୂର କରିବା ପାଇଁ ସେ ଲୋକମାନଙ୍କୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ମଣିଷର ବିକାଶରେ ପ୍ରତିବନ୍ଧକ ସାଜିବା କଥା ବୁଝାଉଥିଲେ । ରାଜା ରାମମୋହନ ରାୟଙ୍କ ପ୍ରତିଷ୍ଠିତ ବ୍ରାହ୍ମସମାଜରେ ଯୋଗଦେଇ ପରେ ସାମାଜିକ ପରିବର୍ତ୍ତନ ପାଇଁ ବ୍ରାହ୍ମଧର୍ମର ନୀତି ନିୟମ, ଆଦର୍ଶ ଭାବ ଦେଖି କରି ଏହି ଧର୍ମ ଗ୍ରହଣ କରିଥିଲେ । ସେତେବେଳେ ହେଉଥିବା କର୍ମକାଣ୍ଡ ଓ ପୂଜା ପଦ୍ଧତିକୁ ସେ ବିରୋଧ କରି ଓଡ଼ିଶାରେ ବ୍ରାହ୍ମଧର୍ମର ପ୍ରଚାର ପ୍ରସାରର ଭୂମିକା ସଂପାଦନ କରିଥିଲେ । ଜଣେ ସମାଜସେବୀ ଭାବରେ କର ନିଜ ଗ୍ରାମ ମୂଳବସନ୍ତଠାରେ ପ୍ରଥମେ ବାଳକ ଓ ବାଳିକାମାନଙ୍କ ପାଇଁ ଅଲଗା ଅଲଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଇଥିଲେ ।