ବିପ୍ଲବୀ ଭଗବତୀ ଚରଣ ପାଣିଗ୍ରାହୀ

ବିପ୍ଲବୀ ଭଗବତୀ ଚରଣ ପାଣିଗ୍ରାହୀ

ଠିକ୍ ଆଜିର ତାରିଖ, ଅକ୍ଟୋବର ମାସ ୨୩ ତାରିଖ,୧୯୪୩ ମସିହାରେ ମହାନ୍ ସ୍ଵାଧୀନତା ସଂଗ୍ରାମୀ, ସାମ୍ୟବାଦୀ ଚେତନାର ପ୍ରତିଭୂ ତଥା କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା, ଓଡ଼ିଆ ଭାଷା ସାହିତ୍ୟ ଜଗତରେ “ପ୍ରଗତି ଯୁଗ”ର ବାର୍ତ୍ତାବହ, ଚାଷୀ ମୂଲିଆ ଗରିବ ଖଟିଖିଆ ମେହନତୀ ,ସର୍ବହରା, ଶ୍ରମିକ ଆନ୍ଦୋଳନ ତଥା ଗଡ଼ଜାତ ପ୍ରଜା ଆନ୍ଦୋଳନର ବେସାଲିସ୍ ବିଦ୍ରୋହୀ ସେନାନାୟକ, ଓଡ଼ିଆ ସାଂସ୍କୃତିକ ଜାଗରଣର ମହାନ୍ କାଣ୍ଡାରୀ ସାଥୀ ଭଗବତୀ ଚରଣ ପାଣିଗ୍ରାହୀ ଇହଲୀଳା ସମ୍ବରଣ କରିଥିଲେ । ଛାତ୍ର ଜୀବନରୁ ଶୋଷକ ବ୍ରିଟିଶ ଶାସନ ବ୍ୟବସ୍ଥା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ । ବିଶେଷ କରି ପାଟନା ବିଶ୍ଵ ବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିବା ସମୟରେ ରାଜନୈତିକ ଅର୍ଥନୀତି ( political Economy) ପଢ଼ିବା ସମୟରେ ସମାଜବାଦୀ ଅର୍ଥନୀତିଜ୍ଞ ଜ୍ଞାନ ଚାନ୍ଦ ଙ୍କ ଦ୍ଵାରା ପ୍ରଭାବିତ ହୋଇଥିଲେ, ଠିକ୍ ସେହି ସମୟରେ ୧୯୩୧ , ମସିହା, ମାର୍ଚ୍ଚ ୨୩ ତାରିଖ ରେ ଭଗତ୍ ସିଂ, ଶୁକଦେବ ଓ ରାଜଗୁରୁ ଙ୍କୁ ପ୍ରାଣ ଦଣ୍ଡ ଘୋଷଣା ପରେ ତାଙ୍କ ବିଦ୍ରୋହୀ ଆତ୍ମା ଜାଗି ଉଠିଥିଲା । ୧୯୩୩ ରୁ ୧୯୪୩ , ମାତ୍ର ୧୦ ବର୍ଷ ର ଜୀବନ ଥିଲା ଘଟଣା ବହୁଳ, ଯାହା ବିଶ୍ଵ ଇତିହାସରେ ବିରଳ । ୧୯୩୪ରେ ଜୟ ପ୍ରକାଶ ନାରାୟଣଙ୍କ ଉପସ୍ଥିତି ରେ ନବକୃଷ୍ଣ ଚୌଧୁରୀ ଙ୍କ ଘରେ ସମାଜବାଦୀ କଙ୍ଗ୍ରେସ ଗଠନ କରାଇଥିଲେ, ଯାହାର ସଭାପତି ହୋଇଥିଲେ ପ୍ରାଣନାଥ ପଟ୍ଟନାୟକ ଓ ସେ ହୋଇଥିଲେ ସମ୍ପାଦକ , ସୁରେନ୍ଦ୍ର ନାଥ ଦ୍ବିବେଦୀ, ମୋହନ ଦାଶ, ନବକୃଷ୍ଣ ଚୌଧୁରୀ ହୋଇଥିଲେ କାର୍ଯ୍ୟକାରୀ କମିଟିର ସଦସ୍ୟ । ୧୯୩୬ ମସିହାରେ ପ୍ରାଣନାଥ, ଗୁରୁଚରଣ ଙ୍କ ସହ କୋଲକାତା ଯାଇ କମ୍ୟୁନିଷ୍ଟ ପାର୍ଟି ର ସଦସ୍ୟ ହୋଇଥିଲେ ଓ ଓଡ଼ିଶାରେ ପ୍ରତିଷ୍ଠା କରିଥିଲେ କମ୍ୟୁନିଷ୍ଟ ପାର୍ଟି । କାର୍ଲ ମାର୍କସ ଙ୍କ ” କମ୍ୟୁନିଷ୍ଟ ମାନିଫୋଷ୍ଟ” କୁ ଅନୁବାଦ କରି “ବୈଜ୍ଞାନିକ ସାମ୍ୟବାଦ” ନାମରେ ପ୍ରକାଶ କରାଇଥିଲେ । ପ୍ରାଣନାଥ ଙ୍କ ସହ ପୁରୀ ରେ ପ୍ରଥମ ଶ୍ରମିକ ଆନ୍ଦୋଳନ “ମାହାରୀ ଆନ୍ଦୋଳନ”ର ନେତୃତ୍ବ ନେଇଥିଲେ । ୧୯୩୫, ମସିହା, ନଭେମ୍ବର ୨୯ରୁ ଛ ଦିନିଆ ” ନବଯୁଗ ସାହିତ୍ୟ ସଂସଦ” ଅଧିବେଶନ ଆୟୋଜନ କରିଥିଲେ, ଯାହାର ବିବରଣୀ ପଣ୍ଡିତ ନୀଳକଣ୍ଠ ଦାସ ” ନବ ଭାରତ” ର ବିଶେଷ ସଂଖ୍ୟାରେ ରହିଛି ଓ ଯାହା ଓଡ଼ିଆ ସାରସ୍ଵତ ଭଣ୍ଡାରର ଅମୂଲ୍ୟ ରତ୍ନ । ୧୯୩୮, ଅକ୍ଟୋବର ୧୦ ତାରିଖ ରେ ବ୍ରହ୍ମଣୀ ନଦୀର ନୀଳକଣ୍ଠ ପୁର ଘାଟରେ ଗୁଳିକାଣ୍ଡରେ ସହିଦ୍ ବାଜି ରାଉତ,ନଟ, ଲକ୍ଷ୍ମଣ, ରଘୁ,ଗୁରୀ, ହୃଷୀକେଶ ଙ୍କ ଶବକୁ ଶଗଡ଼ ଗାଡ଼ି ରେ କଟକ ଆଣି ଯେଉଁ ପ୍ରତିବାଦ କରିଥିଲେ, ସେହି ଶୋକ ଯାତ୍ରାର ଜନସମାଗମ ଥିଲା ଅଦ୍ଭୁତପୂର୍ଵ । ୧୯୪୦, ଜୁଲାଇ ୧୧ ତାରିଖ ରେ ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଲୋଚନା ସଭା କରୁଥିବା ବେଳେ କମ୍ୟୁନିଷ୍ଟ ଷଡ଼ଯନ୍ତ୍ର ମାମଲାରେ ତାଙ୍କ ସହିତ ଗୁରୁଚରଣ ପଟ୍ଟନାୟକ, ବୈଦ୍ୟନାଥ ରଥ, ଅନନ୍ତ ପଟ୍ଟନାୟକ,ଶରତ ପଟ୍ଟନାୟକ, ବନମାଳୀ ଦାସ, ବିଜୟ ଦାସ ପ୍ରମୁଖ ଙ୍କୁ ବ୍ରିଟିଶ ଶାସନ ବନ୍ଦୀ କରାଇ କାରାରୁଦ୍ଧ କରିଥିଲେ । ଦୁଇ ବର୍ଷ କାରାଦଣ୍ଡ ଭୋଗି ଫେରି ପ୍ରାକୃତିକ ବିପର୍ଯ୍ୟସ୍ତ ଓଡ଼ିଶାର ଚାରିଆଡେ ବୁଲି ରିଲିଫ କମିଟି ଗଠନ କରି ସାହାଯ୍ୟ କରିବା ସମୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମାତ୍ର ୩୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଓଡ଼ିଶା ପାଇଁ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି କରିଥିଲା, ତାହା ଯୁଗ ଯୁଗ ପାଇଁ ପୂରଣ ହୋଇ ପାରିବ ନାହିଁ । ସେହି ଅକଳ୍ପନୀୟ ଅଜ୍ରାମରକନ୍ଦ କୀର୍ତ୍ତି ସ୍ରଷ୍ଟା ଙ୍କ ପବିତ୍ର ବିପ୍ଲବୀ ସ୍ମୃତି କୁ କୋଟି କୋଟି ଲାଲ୍ ସଲାମ୍ ।

ବରେଣ୍ୟ ସୀତାକାନ୍ତ ମହାପାତ୍ର ଜନ୍ମଦିନର ଶୁଭାଭିନନ୍ଦନ

ବରେଣ୍ୟ ସୀତାକାନ୍ତ ମହାପାତ୍ର ଜନ୍ମଦିନର ଶୁଭାଭିନନ୍ଦନ

ଆଜି ତେୟାଅଶି ବର୍ଷରେ ପଦାର୍ପଣ କରିଛନ୍ତି ପରମ ସମ୍ମାନନୀୟ , ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ, ଅହଙ୍କାର ବିବର୍ଜୀତ ସକରାତ୍ମକ ମାନସିକତା ବିଜଡ଼ିତ ପ୍ରତିବଦ୍ଧତାଧର୍ମୀ ବ୍ୟକ୍ତିତ୍ବ, ପୂର୍ବତନ ମନ୍ତ୍ରୀ ତଥା ପୂଜ୍ୟ ପୂଜା ସଂସ୍କୃତି ପ୍ରାଣ ବରେଣ୍ୟ ସୀତାକାନ୍ତ ମହାପାତ୍ର । ତାଙ୍କର ଶୁଭ ଜନ୍ମଦିନର ଶୁଭାବସରରେ ଶୁଭାଭିନନ୍ଦନ ସହିତ ଶୁଭକାମନା ଜଣାଉଛି । ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଓ ଅସୀମ ଆଶୀର୍ଵାଦରେ ସେ ମହାଶୟ ହୁଅନ୍ତୁ ଚଳଚଞ୍ଚଳ ଶତବିଶାସେ ବର୍ଷୀୟ ବୁଦ୍ଧିବାଦୀ, ଏହାହିଁ କାମନାନ୍ତେ ବନ୍ଦେ ଉତ୍କଳ ଜନନୀ । ମହାନ୍ ସ୍ଵାଧୀନତା ସଂଗ୍ରାମୀ ବାସୁଦେବ ମହାପାତ୍ରଙ୍କ ଏହି ସୁଯୋଗ୍ୟ ସନ୍ତାନ ରେଭେନ୍ସା ମହାବିଦ୍ୟାଳୟର ଛାତ୍ର ନେତା ଭାବେ ପ୍ରଶଂସିତ ସୋଇଥିଲେ ଏବଂ ବିଜ୍ଞାନ ରେ ସ୍ନାତକ ଉପାଧି ହାସଲ କରିଥିଲେ । ୧୯୮୦,୧୯୮୫ ଓ ୨୦୦୪ ମସିହାରେ ବଡ଼ଚଣା ବିଧାନ ସଭା ନିର୍ବାଚନ ମଣ୍ଡଳୀ, ଯେଉଁ ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟକ ଥିଲେ ରାଜର୍ଷୀ ନବକୃଷ୍ଣ ଚୌଧୁରୀ (୧୯୫୧) ଓ ହୋଇଥିଲେ ମୁଖ୍ୟମନ୍ତ୍ରୀ, ସେହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ମନ୍ତ୍ରୀ ମଧ୍ୟ ହୋଇଥିଲେ । ଏହି ନିରହଙ୍କାରୀ ଜନନେତା ଙ୍କ ସମର୍ପିତ ମାନସିକତାର ପ୍ରମାଣ ଆମେ ବ୍ୟକ୍ତିଗତ ଭାବେ ଅନେକ ଥର ପାଇଛୁ । ଭାଷା ଆନ୍ଦୋଳନ ସମୟରେ ଯେତେବେଳେ ଡାକିବୁ, ସେ ମହାଶୟ ଝଡି ବର୍ଷାରେ ମଧ୍ୟ ଆସି କଳାପତାକା ଧରି ପ୍ରତିବାଦ କରି ଆମକୁ ଉତ୍ସାହିତ କରିଥିଲେ । ସେହିପରି ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଆନ୍ଦୋଳନରେ ମଧ୍ୟ ସାମିଲ ହୋଇଥିଲେ ।

ବିକ୍ରମଙ୍କୁ ଫସାଇବା ପାଇଁ ଷଡ଼ଯନ୍ତ୍ର: ବିଜେଡି

ବିକ୍ରମଙ୍କୁ ଫସାଇବା ପାଇଁ ଷଡ଼ଯନ୍ତ୍ର: ବିଜେଡି

ଗଞ୍ଜାମର ବହୁଚର୍ଚ୍ଚିତ ପୀତବାସ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଆଜି ବିଜେଡିର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଶ୍ରୀ ବିକ୍ରମ ପଣ୍ଡାଙ୍କୁ ଗିରଫ କରିବା ପରେ, ବିଜୁ ଜନତା ଦଳ ଏହାକୁ ସମ୍ପୂର୍ଣ୍ଣ ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ ବୋଲି କହିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ଉପସଭାପତି ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଶ୍ରୀ ଭୃଗୁ ବକ୍ସିପାତ୍ର, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି, ଗୋପାଳପୁର ବିଧାୟକ ତଥା ରାଜ୍ୟର ଖଣି ଓ ପରିବହନ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ରହିଥିଲା ବେଳେ, ତାଙ୍କୁ ଓ ରାଜ୍ୟ ସରକାରଙ୍କୁ ବଞ୍ଚାଇବାକୁ ଯାଇ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଶ୍ରୀ ବିକ୍ରମ ପଣ୍ଡାଙ୍କୁ ଚକ୍ରାନ୍ତ କରି ଫସାଯାଇଛି ବୋଲି କହିଥିଲେ । ଶ୍ରୀ ପଣ୍ଡାଙ୍କ ସମ୍ପୃକ୍ତି ନେଇ ଗୁଡିଏ ଗପ ଶୁଣାଇଛି ପୋଲିସ, କିନ୍ତୁ ତାଙ୍କ ବିରୋଧରେ ତିଳେ ମାତ୍ର ପ୍ରମାଣ ଦେଇ ପାରିନାହିଁ ।
ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ଗତ ୧୬ ମାସର ବିଜେପି ଶାସନରେ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଗଞ୍ଜାମ ଜିଲ୍ଲା ଶୀର୍ଷରେ ରହିଛି । ଗଞ୍ଜାମ ଜିଲ୍ଲାରେ ୧୫୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୧୨୮ଟି ହତ୍ୟା ଘଟିଛି । ଗୋପାଳପୁର ଗଣଦୁଷ୍କର୍ମ ଘଟଣା କେବଳ ଓଡିଶା ନୁହେଁ ସମଗ୍ର ଦେଶ ଓ ବିଶ୍ୱରେ ଚର୍ଚ୍ଚିତ ଘଟଣା ପାଲଟିଥିଲା । ସମଗ୍ର ଜିଲ୍ଲାରେ ବିଜେପି ସରକାର ସମୟରେ ୧୮୨୩ଟି ମହିଳା ନିର୍ଯାତନା ମାମଲା ହୋଇଛି । ଏହାଛଡା, ଗଞ୍ଜାମ ଜିଲ୍ଲାରେ ବେଆଇନ ବାଲି ଚାଲାଣ ଶୀର୍ଷରେ ପହଁଚିଛି । ଏହି ଚୋରା ବାଲି କାରବାର ନେଇ ଅନେକ ହିଂସାକାଣ୍ଡ ଘଟିଛି । ଏହି ଚୋରା ବାଲି କାରବାରରେ ଗୋପାଳପୁର ବିଧାୟକ ତଥା ରାଜ୍ୟର ଖଣି ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଜେନାଙ୍କ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ ହୋଇ ଆସୁଛି । ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ଘଟିବା ପରେ ପ୍ରଥମେ ଏହା ଚୋରା ବାଲି କାରବାରକୁ ନେଇ ଘଟିଛି ଓ ଏଥିରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସମ୍ପୃକ୍ତି ରହିଛି ବୋଲି ଆଲୋଚନା ହୋଇଥିଲା ।
ଶ୍ରୀମତୀ ମଲ୍ଲିକ କହିଥିଲେ, ବିଜେପିର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଏନ.ଡମ୍ୱୁରୁ ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମନ୍ତ୍ରୀ ବିଭୁତି ଜେନାଙ୍କର ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ନେଇ ଅଭିଯୋଗ କରିବା ସହିତ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରି ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାବି କରିଥିଲେ । ଏହା ବିଜେପି ପାଇଁ ବିସ୍ପୋରକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ, ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇବାକୁ ଯାଉଥିବାରୁ, ଏଭଳି ନାଟକୀୟ ଢଙ୍ଗରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଛି । ଗଞ୍ଜାମ ଏସପି ସାମ୍ୱାଦିକ ସମ୍ମିଳନୀରେ ଦେଇଥିବା ତଥ୍ୟରେ ବିକ୍ରମଙ୍କ ବିରୋଧରେ କୌଣସି ପ୍ରମାଣ ପ୍ରସ୍ତୁତ କରିନାହାନ୍ତି, କେବଳ ଗୁଡିଏ କାହାଣୀ କହିଛନ୍ତି । ଏହି ଗିରଫଦାରୀକୁ ଆମେ ଦୃଢ଼ ନିନ୍ଦା କରୁଛୁ । ବିଜୁ ଜନତା ଦଳ ଏଭଳି ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବ ।
ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ, କେବଳ ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ ଭାବେ, ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସମ୍ପୃକ୍ତି ଦେଖାଇ ତାଙ୍କୁ ଗିରଫ କରାଯାଇଛି । ରାଜନୈତିକ ଉଦେ୍ଦଶ୍ୟ ରଖି ନେତାମାନଙ୍କୁ ଟାର୍ଗେଟ କରିବା ବିଜେପିର ପୁରୁଣା ଅଭ୍ୟାସ । ପୀତବାସ ପଣ୍ଡାଙ୍କ ହତ୍ୟା ପାଇଁ ତିଆରି ହୋଇଥିବା ପ୍ଲଟ ଠାରୁ ବିକ୍ରମ ପଣ୍ଡାଙ୍କୁ ଫସାଇବା ପାଇଁ ବିଜେପି ଇଙ୍ଗିତରେ ପୋଲିସ ରଚିଥିବା ପ୍ଲଟ ଅଧିକ ଭୟଙ୍କର ଓ ମାରାତ୍ମକ । ଗଞ୍ଜାମ ଏସ୍ପି ଶ୍ରବଣା ବିବେକ ସମ୍ୱାଦିକ ସମ୍ମିଳନୀରେ ଦେଇଥିବା ତଥ୍ୟ ଅନୁସାରେ, ବିକ୍ରମ ପଣ୍ଡାଙ୍କ ସମ୍ପୃକ୍ତିର କୌଣସି ପ୍ରମାଣ ରଖି ନାହାନ୍ତି । କେବଳ କିଛି କାହାଣୀ କହିଛନ୍ତି । ଏସ୍ପି ମହୋଦୟ ବିକ୍ରମଙ୍କ ବିରୋଧରେ କେବଳ ଅଭିଯୋଗ ରଖିଛନ୍ତି, କୌଣସି ପ୍ରମାଣ ରଖିପାରି ନାହାନ୍ତି । ଏସ୍ପି ଯେଉଁ ୫୦ ଲକ୍ଷ ଟଙ୍କା ଡିଲର କଥା କହିଛନ୍ତି, ତାର ମଧ୍ୟ କୌଣସି ମନି ଟ୍ରେଲ ଥିବାକଥା କହି ନାହାନ୍ତି । ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ବିରୋଧରେ ଉଚ୍ଚନ୍ୟାୟାଳୟରେ ଚାଲିଥିବା ମିଥ୍ୟା ସତ୍ୟପାଠ ମାମଲାରେ ଓକିଲ ଖର୍ଚ୍ଚ ଶ୍ରୀ ବିକ୍ରମ ପଣ୍ଡା ବହନ କରୁଛନ୍ତି ବୋଲି ଏସ୍ପି କହିଛନ୍ତି । କିନ୍ତୁ, ଓକିଲ ଖର୍ଚ୍ଚ ବହନ ସହିତ ପୀତବାସ ପଣ୍ଡାଙ୍କ ହତ୍ୟାର କଣ ସଂପର୍କ ରହିଛି, ସେକଥା ସେ ସ୍ପଷ୍ଟ କରି ନାହାନ୍ତି । ଏସ୍ପିଙ୍କ କଥାରୁ ସ୍ପଷ୍ଟ ଜଣା ପଡୁଛି, ରାଜ୍ୟ ସରକାରଙ୍କ ଇଙ୍ଗିତରେ ମିଛ କାହାଣୀ ସୃଷ୍ଟି କରି ସେ ବିକ୍ରମ ପଣ୍ଡାଙ୍କୁ ଫସାଇବାକୁ ଅପଚେଷ୍ଟା କରିଛନ୍ତି । ବିଜେପିର ଅନ୍ତଦ୍ୱନ୍ଦ୍ୱ ଓ ଚୋରା ବାଲି କାରବାର ନେଇ ନିଜ ଦଳ ଭିତର ବିବାଦ ଯୋଗୁ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟିଛି ବୋଲି ପୁରା ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚା ଚାଲିଛି । ନୂଆପଡା ଉପନିର୍ବାଚନକୁ ଆଖି ଆଗରେ ରଖି, ବିକ୍ରମ ପଣ୍ଡାଙ୍କୁ ଫସାଯାଇଛି ।

ହତ୍ୟାକାଣ୍ଡର ରାଜନୀତିକରଣ ହେବା ଅନୁଚିତ : ବିଜେପି

ହତ୍ୟାକାଣ୍ଡର ରାଜନୀତିକରଣ ହେବା ଅନୁଚିତ : ବିଜେପି

ଗତ ୬ ତାରିଖ ଦିନ ବ୍ରହ୍ମପୁରରେ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଅତ୍ୟନ୍ତ ଦୁଃଖଦ ଘଟଣା । ଏହି ଘଟଣାର ରହସ୍ୟ ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି । ଘଟଣା ସଂପର୍କରେ ସୁଚନା ଦେଇ ଆଜି ବ୍ରହ୍ମପୁର ଏସପି ଗଣମାଧ୍ୟମ ସମ୍ମୁଖରେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି । ଅନ୍ୟ ପଟେ ବ୍ରହ୍ମପୁର ଏସପିଙ୍କ ବିବୃତି ପରେ ବିଜୁ ଜନତା ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ କରି ନିଜ ରାଜନୈତିକ ଅପରିପକ୍ୱତାର ପରିଚୟ ପ୍ରଦାନ କରିଛି । ତରବରିଆ ଭାବେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ରମାନେ ଦର୍ଶାଇଛନ୍ତି ଯେ, ମନ୍ଦିର ଭିତରେ କିଏ, ନା ମୁଁ କଦଳୀ ଖାଇ ନାହିଁ । ନିଜ ଦଳର ଅସାମାଜିକ ତତ୍ୱ ତଥା ଅପରାଧିମାନଙ୍କର ସଂପୃକ୍ତି ସମ୍ବନ୍ଧରେ ନିଜ ସଫେଇ ଦେବା ସହିତ ବିଜେଡି ପ୍ରବକ୍ତାମାନେ ଅନେକ ଗମ୍ଭୀର ଆରୋପ କରିଛନ୍ତି, ଯାହା ତାଙ୍କର ସମ୍ପୂର୍ଣ୍ଣ ଅପରିପକ୍ୱତା ଏବଂ ପିଲାଳିଆମିର ପରିଚୟ ବୋଲି ଡ. ମହାନ୍ତି କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ମହାନ୍ତି କହିଛନ୍ତି ଯେ, ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟାକାଣ୍ଡର ରାଜନୀତିକରଣ ହେବା ଅନୁଚିତ । ତଦନ୍ତ ପ୍ରକ୍ରିୟା ଜାରୀ ରହିିଛି ଏବଂ ସମସ୍ତେ ଏହି ନ୍ୟାୟର ପ୍ରକ୍ରିୟାରେ ସହଯୋଗ କରିବା ଉଚିତ । ଅସାମାଜିକ ତତ୍ୱ ତଥା ଅପରାଧିଙ୍କ କୈାଣସି ଜାତି ବା ଧର୍ମ ନାହିଁ । ଯେଉଁମାନଙ୍କ ସମ୍ପୃକ୍ତି ଅଛି ସେମାନେ ତଦନ୍ତ ପରିସରକୁ ଆସିବେ । ସମସ୍ତ ଦୋଷୀଙ୍କୁ ଧରି ଉପଯୁକ୍ତ ଦଣ୍ଡବିଧାନ କରିବା ହେଉଛି ମୂଳ ଉଦ୍ଦେଶ୍ୟ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ସଠିକ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀଙ୍କୁ ଦଣ୍ଡ ମିଳିବା ସୁନିଶ୍ଚିତ ବୋଲି ଡ.ମହାନ୍ତି କହିଛନ୍ତି ।
ଶାସନରେ ଥିଲାବେଳେ ବିଜୁ ଜନତା ଦଳର ନେତା, ବିଧାୟକ, ମନ୍ତ୍ରୀମାନେ ହତ୍ୟା, ଧର୍ଷଣ, ଅଙ୍ଗ ତସ୍କରୀ ଭଳି ଜଘନ୍ୟ ଅପରାଧରେ ସମ୍ପୃକ୍ତ ଥିଲେ ଏବଂ ଅପରାଧିମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉଥିଲା । ଆଜି ବି ସେ ଅଭ୍ୟାସ ଛାଡି ନାହାନ୍ତି ଏବେ ବି ବିଜେଡି ନେତାମାନେ ରାଜ୍ୟରେ ହତ୍ୟା, ଧର୍ଷଣ ଭଳି ଅପରାଧ ଚଳାଇଛନ୍ତି । ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପିତବାସ ପଣ୍ଡାଙ୍କ ହତ୍ୟା ହେଉଛି ଏହାର ସଦ୍ୟ ଉଦାହରଣ । ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେଡିର ପ୍ରବକ୍ତାମାନେ ନିଜେ ଜଜ୍ ଏବଂ ପୋଲିସ ସାଜି ଶବ ଉପରେ ରାଜନୀତିର ନଗ୍ନ ରୂପ ପ୍ରକାଶ କରୁଥିଲେ । ମାତ୍ର ସେମାନେ ମନେ ରଖିବା ଉଚିତ ଯେ, ଗତ ୨୪ ବର୍ଷ ଧରି ଗଞ୍ଜାମ ଜିଲ୍ଲାରେ ଅପରାଧୀମାନଙ୍କ ପ୍ରାଦୁର୍ଭାବ ବଢିଥିଲା । ଅସାମାଜିକ ତତ୍ୱମାନଙ୍କୁ ତତ୍କାଳୀନ ବିଜେଡି ସରକାର ପ୍ରୋତ୍ସାହନ ଦେବା ସହ ରାଜନୀତିରେ ବ୍ୟବହାର କରୁଥିଲେ । ଆଇନଶୃଙ୍ଖଳା କ୍ଷେତ୍ରରେ ଗଞ୍ଜାମ ସବୁବେଳେ ସମ୍ବେଦନଶୀଳ ଜିଲ୍ଲା ହୋଇରହିଥିଲା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସେହି ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଥିଲେ ।
ଆଇନଜୀବି ପୀତବାସ ପଣ୍ଡା ହତ୍ୟାକାଣ୍ଡ ପ୍ରସଙ୍ଗରେ ପୋଲିସ ଯାହା କହିଛି ତାହାକୁ ନ୍ୟାୟାଳୟରେ ପ୍ରମାଣ କରିବାକୁ ପଡିବ । ବିଚାର ପରସରକୁ ସମସ୍ତେ ଆସିବେ । ତଦନ୍ତ ସମୟରେ ଗୋଟିଏ ରାଜନୈତିକ ଦଳ ପକ୍ଷରୁ ଏଭଳି ମନ୍ତବ୍ୟ ଅପରିପକ୍ୱତାର ପରିଚୟ ଦେଉଛି । କେବଳ ଅଭିଯୋଗ କଲେ ହେବ ନାହିଁ । ଯାହା ପାଖରେ ଯାହା ସୂଚନା ଓ ତଥ୍ୟ ଅଛି, ତାହା କୋର୍ଟରେ ଦେଇପାରିବେ । ମାତ୍ର ଏଭଳି ପ୍ରଶ୍ନ କରିବା ସମ୍ପୂର୍ଣ୍ଣ ଅପରିପକ୍ୱତା ଏବଂ ପିଲାଳିଆମିର ପରିଚୟ ବୋଲି ଡ. ମହାନ୍ତି କହିଛନ୍ତି ।
କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ “ଲୋକଙ୍କ ସରକାର” ହିଂସା ବିରୁଦ୍ଧରେ ଶୂନ୍ୟ ସହନଶୀଳତା ସରକାର । ଆମ ସରକାରରେ ମାତ୍ର ୧୫ ଦିନରେ ପିତବାସ ପଣ୍ଡାଙ୍କ ହତ୍ୟା ଘଟଣାର ସମସ୍ତ ଖୁଲାସା କରିଛି ପୋଲିସ । ହତ୍ୟା ମାମଲାରେ ସମ୍ପୃକ୍ତ ଅପରାଧୀମାନେ ବିଭିନ୍ନ ରାଜ୍ୟରେ ଲୁଚି ରହିଥିବା ବେଳେ ସେମାନଙ୍କୁ ଠାବ କରି ସମୁଦାୟ ୧୨ଜଣଙ୍କୁ ଗିରଫ କରିବାକୁ ସକ୍ଷମ ହୋଇପାରିଛି ପୋଲିସ । ତଦନ୍ତ ଜାରି ରହିଛି ଆଉ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ବହୁତ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛନ୍ତି । ସତ୍ୟକୁ ହଜମ କରିପାରୁନି ବିଜେଡି । ନିଜ ଦଳର ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କ ସମ୍ପୃକ୍ତି ଓ ଗିରଫ ପରେ ବିଜେଡିର ଚରିତ୍ର ଧରାପଡିଯାଇଛି । ନିଜ ଅପରାଧକୁ ଲୁଚେଇବା ପାଇଁ ଅପଚେଷ୍ଟା ନକରି ପୋଲିସର ତଦନ୍ତକୁ ସହଯୋଗ କରୁ ବିଜେଡି ବୋଲି ଡ. ମହାନ୍ତି କହିଛନ୍ତି ।

ନିଜ ଶତାଧିକ ସମର୍ତକଙ୍କ ଗହଣରେ ବିଜେପିରେ ଯୋଗ ଦେଲେ ବିଶିଷ୍ଟ ଓ ବରିଷ୍ଟ ଆଦିବାସୀ ନେତା ଶ୍ରୀ ଭୁଜବଳ ଅଡବାଙ୍ଗ

ନୂଆପଡା : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ିଚାଲିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ଗଠନ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୂରଣ କରିବା ପାଇଁ ବିଜେପିରେ ନୂତନ କାର୍ଯ୍ୟକର୍ତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି । ନୂଆପଡା ଉପନିର୍ବାଚନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି । ଆଜି ନୂଆପଡାରେ ଅନୁଷ୍ଠିତ ଏକ ବଡ ମିଶ୍ରଣ ପର୍ବରେ ବିଶିଷ୍ଟ ଓ ବରିଷ୍ଟ ଆଦିବାସୀ ନେତା ଶ୍ରୀ ଭୁଜବଳ ଅଡବାଙ୍ଗ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ ସୁନାମଧନ୍ୟ ଆଇନଜୀବି ତଥା ଆଦିବାସୀ ନେତା ଆଡଭୋକେଟ ଘାସିରାମ ବାଗ, ଆଡଭୋକେଟ ଗୋପାଳ ସାମନ୍ତ, ଆଡଭୋକେଟ ପୂର୍ଣ୍ଣଚନ୍ଦ୍ର ସାହୁ, ଅଶୋକ ଦେବଗାନ ପ୍ରମୁଖ ବିଜେପିରେ ଯୋଗଦାନ କରିଛନ୍ତି ।
ପ୍ରକାଶ ଥାଉକି ଶ୍ରୀ ଅଡବାଙ୍ଗ ଗତ ୨୦୨୪ ସାଧାରଣ ନିର୍ବାଚନରେ ନୂଆପଡା ବିଧାନସଭା ନିର୍ବାଚନମଣ୍ଢଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇ ପାଖାପାଖି ୬ ହଜାର ଭୋଟ ପାଇଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଉପରେ ନୂଆପଡାବାସୀ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି । ବିଶେଷ ଭାବେ ମୁଖ୍ୟମନ୍ତ୍ରୀ ନିଜେ ଜଣେ ଆଦିବାସୀ ଏବଂ ତାଙ୍କର ନୂଆପଡା ଜିଲ୍ଲା ପ୍ରତି ଭଲ ପାଇବା ଓ ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି । ରାଜ୍ୟରେ ବିଜେପିର ଡବଲ ଇଂଜିନ ସରକାର କାରଣରୁ ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ସମ୍ଭବ ହୋଇପାରିବ ବୋଲି ଶ୍ରୀ ଅଡବାଙ୍ଗ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଏହି ଅବସରରେ ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଡ.ମୁକେଶ ମହାଲିଙ୍ଗ, ସାଂସଦ ଶ୍ରୀ ଅନନ୍ତ ନାୟକ, ଶ୍ରୀ ପ୍ରଦୀପ ପୁରୋହିତ, ଶ୍ରୀ ସୁଜିତ କୁମାର, ଶ୍ରୀ ରବିନାରାୟଣ ବେହେରା, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ଶ୍ରୀ ଅଭିନନ୍ଦନ ପଣ୍ଡା, ଶ୍ରୀ ପ୍ରସନ୍ନ ପାଢୀ, ରାଜ୍ୟ ଉପ ସଭାପତି ଶ୍ରୀ ଅଶୋକ ମିଶ୍ର, ଜିଲ୍ଲା ପ୍ରଭାରୀ ଶ୍ରୀ ଅର୍ତତ୍ରାଣ ମହାପାତ୍ର, ଜିଲ୍ଲା ସଭାପତି ଶ୍ରୀ କମଳେଶ ଦିକ୍ଷୀତ ପ୍ରମୁଖ ଉପସ୍ଥିତ ରହି ନୂତନ ସଦସ୍ୟଙ୍କୁ ଦଳୀୟ ଟୋପି ଉତରୀୟ ପିନ୍ଧାଇ ସ୍ୱାଗତ କରିଛନ୍ତି ।