ବାତ୍ୟା-ସ୍ବପ୍ନ-ବାସ୍ତବତାର ଏକ କାହାଣୀ

ବାତ୍ୟା-ସ୍ବପ୍ନ-ବାସ୍ତବତାର ଏକ କାହାଣୀ

ବିଗତ ପାଞ୍ଚ ଦଶନ୍ଧି ଧରି ଅକ୍ଟୋବର ମାସ ଆସିଲେ କେମିତି କେଜାଣି ଦେହ ଶୀତେଇ ଉଠେ । ବିଶେଷ କରି ଅକ୍ଟୋବର ୨୯ ଦିନ ସ୍ବତଃ ମନ ରେ ଭୟ ସଞ୍ଚାରିତ ହୁଏ । ୧୯୯୯ ର ସେହି ଭୟାନକ ପ୍ରଳୟଙ୍କରୀ ଦୃଶ୍ୟ ବାରମ୍ବାର ହୁଏ ପ୍ରତିଫଳିତ । ପ୍ରକୃତି ର କ୍ରୋଧ, ତା’ର ତାଣ୍ଡବଲୀଳା ଯେ କେତେ ଭୟଙ୍କର ହୋଇପାରେ ତାହା ର ଦୃଶ୍ୟ ହୁଏ ପରିଦୃଶ୍ୟ । ଅହଙ୍କାରୀ ମଣିଷ ଯେ କେତେ ନଗନ୍ୟ ପ୍ରକୃତି ନିକଟରେ , ତାହା ବାରମ୍ବାର ପ୍ରମାଣିତ ହୋଇ ଆସୁଥିଲେ ମଧ୍ୟ କୃତଘ୍ନ ମଣିଷ ପ୍ରକୃତି ବିରୋଧରେ ଅହରହ ସଂଗ୍ରାମ ରଖି ଚାଲିଛି ଅବ୍ୟାହତ । ବିଗତ କୋଡ଼ିଏ ବର୍ଷ ଧରି ପ୍ରତି ବର୍ଷ ଆଜିର ତାରିଖରେ ” ସୁଶାନ୍ତ” ରେ ବାତ୍ୟା କୁ ଉପଜିବ୍ୟ କରି ଆଲେଖ୍ୟ ଆଲୋଚନା କରି ଆସିଛୁ , ଅନେକ ପ୍ରସ୍ତାବ ମଧ୍ୟ ଦେଇ ଆସିଛୁ ।

ଠିକ୍ ସେହିପରି ଗତ ୨୦୧୩ ମସିହାରୁ ମୁଖ ପୁସ୍ତକରେ ମଧ୍ୟ ଉପସ୍ଥାପିତ କରି ଆସିଛୁ , ଯଦିଓ ପ୍ରାୟତଃ ସମସ୍ତ ବୌଦ୍ଧିକ ଶ୍ରମ ବ୍ୟର୍ଥ ହୋଇଛି ବୋଲି ଅନୁଭଵ କରୁଛୁ । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଗଣ ସଚେତନତା,ଗଣ ସ୍ବାର୍ଥ ସୁରକ୍ଷା, ଗଣ ପ୍ରତିବାଦ, ଆନ୍ଦୋଳନ ଏକାନ୍ତ ଆବଶ୍ୟକ , ସେଥିପାଇଁ ସାମ୍ବିଧାନିକ ସ୍ବୀକୃତି ନଥିଲେ ମଧ୍ୟ ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ଗଣବିଶ୍ବାସ ରହିଛି । ଗତକାଲି ମଧ୍ୟ ସୁବାର୍ତ୍ତାର ଅଗ୍ରଲେଖ ସାମ୍ଭାବ୍ୟ ବାତ୍ୟାକୁ ଉପଜିବ୍ୟ କରି ପ୍ରକାଶିତ , ଯାହା ନିମ୍ନରେ ଉପସ୍ଥାପନ କରୁଛୁ ।
ଏହା ନିର୍ଵିବାଦୀୟ ସତ୍ୟ ଯେ ସମ୍ପ୍ରତି ସମଗ୍ର ଭାରତ ବର୍ଷରେ ବହୁବିଧ ଆତଙ୍କ ସୃଷ୍ଟି ହୋଇ ସାଧାରଣ ମଣିଷ ମାନଙ୍କ ଭିତରେ ଏକ କୋକୁଆ ଭୟ ସୃଷ୍ଟି ହୋଇଛି, ଯାହାର ଫଳଶ୍ରୁତିରେ ଜନଜୀବନ ଦୁର୍ବିସହ ।

କଳିଙ୍ଗ ସାଗର ( ବିଗତସରକାରୀ ଭାଷା ରେ ବଙ୍ଗୋପସାଗର) ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ସ୍ଥଳଭାଗ ସ୍ପର୍ଶ ବା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆଜି ସନ୍ଧ୍ୟା ପ୍ରାୟ ୭ଟାରେ ଆରମ୍ଭ ହୋଇଯାଇଛି। ଦିନ ଭଳି ମୁଦ୍ରିତ ଗଣମାଧ୍ୟମ, ବିଶେଷ କରି ଦୃଶ୍ୟ -ଶ୍ରାବ୍ୟ ଗଣମାଧ୍ୟମରେ ଜନାତଙ୍କ ସୃଷ୍ଟି ପ୍ରତିଯୋଗିତା ଚାଲିଛି , ଅର୍ଥାତ୍ ” ମୋନ୍ଥା” କୁ ଉପଜିଵ୍ୟ କରି ଜନଜୀବନ ଅସ୍ତବ୍ୟସ୍ତ , ଆତଙ୍କିତ । ସମ୍ପ୍ରତି କେତେବେଳେ ବର୍ଷାର ପରିମାଣ ବଢୁଛି ତ ଆଉ କେତେବେଳେ ସାମାନ୍ୟ କମି ଯାଉଛି।ବାତ୍ୟା ‘ମୋନ୍ଥା’ର ସ୍ଥଳ ପଥ ସ୍ପର୍ଶ ବା ଲ୍ୟାଣ୍ଡଫଲ୍‌ ନେଇ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅନେକ ସମୟରେ ବାତ୍ୟାର ଆଖି ଦୃଶ୍ୟମାନ ହୋଇଥାଏ। କିନ୍ତୁ ଏହ ବାତ୍ୟା ‘ମୋନ୍ଥା’ର ଆଖି ଦୃଶ୍ୟମାନ ହେବ ନାହିଁ। କାରଣ ଏହି ବାତ୍ୟା ସେହିଭଳି ବର୍ଗରେ ଆସୁନାହିଁ। ତେଣୁ ଆଖି ଦୃଶ୍ୟ ହେବାର ସମ୍ଭାବନା ନାହିଁ। ” ସୁବାର୍ତ୍ତା” ଠିକ୍ ଏହି ସମୟରେ ବିଗତ ବର୍ଷ ମାନଙ୍କରେ ବାତ୍ୟା କୁ ଉପଜିବ୍ୟ କରି ଅଗ୍ରଲେଖ, ଆଲେଖ୍ୟ ଆଲୋଚନା କରିବା ସହିତ ସରକାରଙ୍କୁ ଅନେକ ପ୍ରସ୍ତାବ ଦେଇଆସିଛି ।

ବିଗତ ସରକାର ଙ୍କ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା ସମୟରେ “ସୁବାର୍ତ୍ତା ‘ ପ୍ରସ୍ତାବ ହିଁ ବାତ୍ୟା ନିରୋଧ ପାଇଁ ବିକଳ୍ପ ବିହୀନ ପ୍ରସ୍ତାବ ବୋଲି ସ୍ବୀକାର କରିବା ସହିତ ତଦନୁସାରେ ପଦକ୍ଷେପ ନେବା ପାଇଁ ସମ୍ମତି ଦେଇଥିଲେ ଏବଂ ପ୍ରାରମ୍ଭିକ ପଦକ୍ଷେପ ମଧ୍ୟ ନେଇଥିଲେ । ସରକାର ପରିବର୍ତ୍ତନ ହେଲା ଏବଂ ମୁଖ୍ୟ ଶାସନ ସଚିବ ଶ୍ରଦ୍ଧେୟ ପ୍ରଦୀପ ଜେନା ମଧ୍ୟ ସେବା ନିବୃତ ହେବା ପରେ ଆମର ପ୍ରସ୍ତାବର ଭାଗ୍ୟ ବୋଧେ ଶୀତଳ ଭଣ୍ଡାରର ପଣ୍ୟ ହୋଇଥିବ ।

କଥା ହେଉଛି ୧୯୬୭ , ୧୯୭୧,୭୪ ଠାରୁ ୧୯୯୯ ର ମହାବାତ୍ୟା ହେଉ ଅବା ୨୦୧୨ ର ନିଲମ,୨୦୧୪ ର ହୁଡୁ ହୁଡୁ,୨୦୧୬ ର ଭରଦାହ,୨୦୧୭ର ଓକି, ୨୦୧୮ ର ତିତିଲି,୨୦୧୯ର ବୁଲ୍ ବୁଲ୍ ଏବଂ ତା’ର ପରବର୍ତ୍ତୀ ଫନି ହେଉ କିମ୍ବା “ଅମ୍ପାନ” ନାମଧେୟ ବାତ୍ୟା ର ପ୍ରକୋପ ଆଧାରରେ ” ୟସ୍” ହେଉ, ନତୁବା ମୋନ୍ଥା ଆଗମନ ରେ ସାମ୍ଭାବ୍ୟ କ୍ଷୟକ୍ଷତି ର ଭିନ୍ନ ଭିନ୍ନ ଆକଳନ , ବିଶେଷ କରି ନକରାତ୍ମକ ପ୍ରଚାର ଧର୍ମୀୟ ଭାବନାକୁ ପୁଞ୍ଜି କରିଆସିଥିବା ତଥାକଥିତ ଗଣମାଧ୍ୟମର ପ୍ରଚାରିତ ଆଶଙ୍କା ପ୍ରଭାବରେ ଜନଜୀବନ ଆତଙ୍କିତ ।

ବିଗତ ବର୍ଷ , ଠିକ୍ ଅକ୍ଟୋବର ୨୬ ତାରିଖରେ ଦୈନିକ ସମାଜ ରେ ଜଣେ ଯୁବ ଅଧ୍ୟାପକ ଶିବଶଙ୍କର ସାହୁଙ୍କ ” କ୍ରାନ୍ତୀୟ ବାତ୍ୟା ବୃଦ୍ଧି ର କାରଣ ” ଶୀର୍ଷକ ରେ ଏକ ଆଲେଖ୍ୟ ପ୍ରକାଶ ପାଇଥିଲା, ଯାହା ଏକ ଶୈକ୍ଷିକ ପ୍ରୟୋଗ ଶାଳା ପ୍ରସ୍ତୁତ ଆଲେଖ୍ୟ , ବାତ୍ୟାର କାରଣ ଓ ଇତିହାସ ସମ୍ବନ୍ଧିତ ଆଲେଖ୍ୟ । ବିଭିନ୍ନ ବାତ୍ୟା ଆଗମନ ପୂର୍ବରୁ ଆମର କେତେକ ବୁଦ୍ଧିଜୀବୀ ମାନେ ସ୍ଵକୀୟ ପ୍ରଜ୍ଞା ଆଧାରରେ ଆଲେଖ୍ୟ ପ୍ରକାଶିତ କରାଇଥାନ୍ତି । ଆମେ ନିଜେ ମଧ୍ୟ ବିଗତ ସମୟରେ ଅନେକ ଆଲେଖ୍ୟ ” ସୁବାର୍ତ୍ତା” ରେ ପ୍ରକାଶିତ କରାଇଛୁ ।

ଏଯାବତ୍ ପଢି ଆସିଥିବା ବାତ୍ୟା ସମ୍ପର୍କିତ ଆଲେଖ୍ୟ ସମୂହ ଭିତରୁ ଆମକୁ ଓଡ଼ିଶାର ପ୍ରବୀଣ ବୁଦ୍ଧିବାଦୀ , ଜନାଦୃତ ଶ୍ରମିକ ନେତା ତଥା ପ୍ରାଜ୍ଞ ଅଜେୟ ରାଉତଙ୍କ ଆଲେଖ୍ୟ ଶୈକ୍ଷିକ ପ୍ରୟୋଗଶାଳା ନୁହେଁ, ସାମାଜିକ ପ୍ରୟୋଗାତ୍ମକ ପରୀକ୍ଷାଗାର ପ୍ରସ୍ତୁତ ଆଲେଖ୍ୟ ବୋଲି ସ୍ଵକୀୟ ବିଚାର ବ୍ୟକ୍ତ କରୁଛୁ । ଅତଏବ ଯୁବ ଅଧ୍ୟାପକ ସାହୁଙ୍କ ଆଲେଖ୍ୟ ଓ ପରମ ସମ୍ମାନନୀୟ ଅଜେୟ ରାଉତଙ୍କ ଆଲେଖ୍ୟ କୁ ଉପଜିଵ୍ୟ କରି ଯେଉଁ ଆଲୋଚନା ଏଠି କରିବାକୁ ଯାଉଛୁ , ତାହା ଆମ ବିଚାରରେ ସମଗ୍ର ଓଡ଼ିଶା ପାଇଁ , ବିଶେଷ କରି ପରବର୍ତ୍ତୀ ପିଢ଼ିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରୁ ।

ଏହା ମଧ୍ୟ ଜାଣିଛୁ ଯେ “ସୁବାର୍ତ୍ତା” ଦୈନିକର ହଜାର ହଜାର ପାଠକ ମାନଙ୍କ ମଧ୍ୟରୁ ବରିଷ୍ଠ ସାମ୍ବାଦିକ ତଥା ଉକ୍ତ ଦୈନିକ ର ସମ୍ପୂର୍ଣ୍ଣ ଦାୟିତ୍ଵ ନିର୍ବାହୀ କ୍ରାନ୍ତି କୁମାର ସାକ୍ସେନାଙ୍କ ବ୍ୟତୀତ ଅନ୍ୟ ପ୍ରାୟତଃ ୫୦ ଜଣ ମଧ୍ୟ ଏହାକୁ ସମ୍ପୁର୍ଣ୍ଣ ଭାବେ ପଢିବେ ନାହିଁ , ମୁଖ ପୁସ୍ତକରେ ଉପସ୍ଥାପନ ହେଉଥିବାରୁ ବୋଧେ ଶହେ ରୁ ଦୁଇ ଶହ ଜଣ ନପଢି ପସନ୍ଦ ବୋତାମ ( ଲାଇକ୍) ରେ ହାତ ମାରିଵେ । ଏହା ଜାଣିବା ସତ୍ତ୍ବେ ଆମେ ଏହି ଆଲେଖ୍ୟ ଟି ଆମର ପରବର୍ତ୍ତୀ ପିଢ଼ିଙ୍କ ଅବଗତି ପାଇଁ ଉପସ୍ଥାପନ କରୁଛୁ ।

ପରବର୍ତ୍ତୀ ପିଢ଼ି ବୋଲି ଉଲ୍ଲେଖ କରିବାର ବହୁବିଧ କାରଣ ମଧ୍ୟରୁ ଗୋଟିଏ କାରଣ, ଯାହା ଆମର ନିଜସ୍ୱ ମତ, ତାହା ହେଲା ୧୫୬୮ ରୁ ୧୯୪୭, ଦୀର୍ଘ ୩୭୯ ବର୍ଷ ର ପରାଧୀନ, ତାହା ପୁଣି ବିଭିନ୍ନ ଜାତି,ଧର୍ମ, ଦର୍ଶନ ଓ ଆଚରଣ ରେ ଭିନ୍ନ ଭିନ୍ନ, ଯଥା ଆଫଗାନ,ମୋଗଲ, ମରହଟ୍ଟା, ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ଅଵଶେଷରେ ଇଙ୍ଗ୍ରେଜ ମାନଙ୍କ ଦ୍ଵାରା ଶାସିତ ହେବା ଫଳରେ ସ୍ବାଭିମାନ ଵିଵର୍ଜିତ , ସ୍ବାର୍ଥ ସର୍ବସ୍ବ, ପରଚର୍ଚ୍ଚାପ୍ରବଣ, ପରସ୍ପର କୁ କଟୁସମାଲୋଚନା ପୂର୍ବକ କଙ୍କଡ଼ା ଧର୍ମୀ ଆଚରଣ ସ଼ହିତ ଭିକାରୀ ସଂସ୍କୃତି ଆହରଣ ଆଧାର ରେ ଅବକ୍ଷୟୀ ଲୋକ ଚରିତ୍ର ର ନିମ୍ନ ଗତି ସର୍ବୋଚ୍ଚ ସ୍ତରରେ ( ପିକ୍ ପଏଣ୍ଟ) ଉପନୀତ ।

ଏହା ପରେ ଯେଉଁ ପିଢ଼ି ଆସୁଛନ୍ତି, ସେମାନେ ପୂର୍ବଜମାନଙ୍କ ଅପେକ୍ଷା ଅଧିକ ସ୍ଵାଭିମାନୀ, ଅଧିକାର ସଚେତନ, ମାଟି ମନସ୍କ, ମାନବତାବାଦୀ ଦର୍ଶନକୁ ଆପଣେଇବା ପାଇଁ ରହିଛି ମାନସିକତା ବୋଲି ନିଜସ୍ଵ ଅଭିଜ୍ଞତା ଆଧାରରେ ଆଶା ବ୍ୟକ୍ତ କରୁଛୁ । ଏହା ନିର୍ଵିବାଦୀୟ ସତ୍ୟ ଯେ ପ୍ରାକୃତିକ ବିପର୍ଯ୍ୟୟର ଚିର ସାଥୀ ଆମର ପ୍ରିୟ ଜନ୍ମଭୂମି ଓଡ଼ିଶା କେଉଁ ଆବହମାନ କାଳରୁ ଲହୁ ଲୁହାଣ ହୋଇ ସଂଘର୍ଷ କରିଆସିଛି, ଯାହା ହରାଇଛି , ତାହା ଅବର୍ଣ୍ଣନୀୟ , ଗୋଟିଏ ଉଦାହରଣ ନ ଅଙ୍କ ଦୁର୍ଭିକ୍ଷ ରେ ଏମାଟିର ଅର୍ଦ୍ଧାଧିକ ଲୋକେ ପୋକ ମାଛି ପରି ମରିଥିଲେ । ଇତିହାସର ଗର୍ଭାନୁଶୀଳନ ପୂର୍ବକ ଓଡ଼ିଶାରେ ପ୍ରତିଧ୍ବନିତ ପ୍ରାକୃତିକ ବିପର୍ଯ୍ୟୟ କହିଲେ ” ବଢ଼ି, ମରୁଡି, ଘଡଘଡି, ଘରପୋଡି ଏବଂ ଏଥି ସହ ବାଡି ” ହିଁ ବୁଝା ଯାଉଥିଲା ।

ଇତିହାସ ମଧ୍ୟ କୁହେ ଯେ କଳିଙ୍ଗ ମହାସାଗର ରେ ସୃଷ୍ଟି ହୋଇଆସିଥିବା ଶହଶହ ବାତ୍ୟା ୧୯୬୭ ମସିହା ପୂର୍ବରୁ କେବେ କୈାଣସି ପ୍ରକାର କ୍ଷୟକ୍ଷତି କରିନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମଗ୍ର ବିଶ୍ଵରେ ଓଡ଼ିଆ ମାନେ ହିଁ ନୌ- ବାଣିଜ୍ୟ ସଂସ୍କୃତିର ଆଦ୍ୟ ଦର୍ଶନ ପ୍ରଦାତା । ଅତଏବ ସାମୁଦ୍ରିକ ଝଡ ସହିତ କେଉଁ ଆବହମାନ କାଳରୁ ଓଡ଼ିଆ ମାନେ ବୁଝାମଣା କରିଥିଲେ । ଏଠାରେ ସ୍ପଷ୍ଟ ଭାବରେ ସୂଚାଇ ଦେବାକୁ ଉଚିତ ମନେ କରୁ ଯେ ସରକାରୀ ହିସାବ ରେ ଓଡ଼ିଶା ର କ୍ଷୟକ୍ଷତି କରିଥିବା ପ୍ରଥମ ବାତ୍ୟା ୧୯୭୧, କିନ୍ତୁ ନିଜ ଅଭିଜ୍ଞତା ଆଧାରରେ ସମ୍ମାନାଷ୍ପଦ ଅଜେୟ ରାଉତ ଙ୍କ ଭାଷାରେ ଏହା ୧୯୬୭ ମସିହାରେ ତାଙ୍କର ଜନ୍ମ ମାଟି ପଟ୍ଟାମୁଣ୍ଡାଇ – ରାଜନଗର ଅଞ୍ଚଳରେ ହୋଇଥିଲା ବୋଲି ଉଲ୍ଲେଖ କରିଛନ୍ତି ।

ଅତଏବ ସ୍ବତଃ ପ୍ରଶ୍ନ ଉଠିବା ସ୍ବଭାବିକ ଯେ କଳିଙ୍ଗ ମହାସାଗରରେ ସୃଷ୍ଟ ବାତ୍ୟା ସମୂହ ଓଡ଼ିଶାରେ କୌଣସି କ୍ଷୟକ୍ଷତି କରିନଥିବା ବେଳେ , କଳିଙ୍ଗ ମହାସାଗରକୁ ପରାଧୀନ ଓଡ଼ିଶାରେ କେତେକ ବଙ୍ଗୀୟ ପଦାଧିକାରୀ ବଙ୍ଗୋପସାଗରରେ ପରିବର୍ତ୍ତନ କରିଦେବା ପରେ କ’ଣ ଏମିତି ହେଲା ଯେ ପ୍ରାୟତଃ ପ୍ରତିବର୍ଷ ଓଡ଼ିଶାବାସୀ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ସକଳ ସମ୍ପଦର ଅଧିକାରୀ ହୋଇ ମଧ୍ୟ ଗରିବୀ ଜୀବନ ନିର୍ବାହ କରୁଛନ୍ତି ? ଏହାର କାରଣ ଏଯାବତ୍ ସଠିକ୍ ଭାବେ ଆଲୋଚିତ ହୋଇନାହିଁ, ଯଦିଓ କେବଳ ଜଣେ ମାତ୍ର ବୁଦ୍ଧିବାଦୀ ଅଜେୟ ବାବୁ କେତୋଟି ନିର୍ଦ୍ଧିଷ୍ଟ ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି , କିଛି ମଧ୍ୟ ସେ ଜାଣିଥିବା ସତ୍ତ୍ବେ କେଉଁ ଏକ ଅନାଲୋଚିତ କାରଣରୁ ତାହାକୁ ଆଲୋଚିତ କରି ନାହାନ୍ତି ।

ଏଠାରେ ଅଧ୍ୟବସାୟ ଆଧାରରେ ଉଲ୍ଲେଖ କରୁଛୁ ଯେ ସ୍ଵାଧୀନୋତ୍ତର ଓଡ଼ିଶା ସରକାର ସର୍ବଦା ପ୍ରତିକାର ପାଇଁ ବ୍ୟବସ୍ଥା କରିଛନ୍ତି, କେବେ ପ୍ରତିଷେଧ ପାଇଁ ଚିନ୍ତା ମଧ୍ୟ କରିନାହାନ୍ତି କି କୌଣସି ବୁଦ୍ଧିଜୀବୀ ବିଧିବଦ୍ଧ ଭାବେ କୌଣସି ପ୍ରତିଷେଧ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିନାହାନ୍ତି । ବରଂ ପ୍ରାକୃତିକ ବିପର୍ଯ୍ୟୟକୁ ନିମନ୍ତ୍ରଣ କରିଛନ୍ତି , ଅନେକ କ୍ଷମତା ରାଜନୀତିର ବ୍ୟକ୍ତି, ଭ୍ରଷ୍ଟ ପଦାଧିକାରୀ, ଅନେକ ବିନା ମୂଳ ଧନରେ ପ୍ରଚୁର ଉତ୍ପାଦନ କାରୀ ବୃତ୍ତି ଏନ ଜିଓ ର ସତ୍ତ୍ବାଧିକାରୀ, ଠିକାଦାରମାନେ, ଯେଉଁ ମାନେ ଏଭଳି ସମ୍ଭାବନା ସମୟରେ ଦିଅଁ ଦେବତାଙ୍କ ନିକଟରେ ପୂଜା କରନ୍ତି କିଭଳି ପ୍ରାକୃତିକ ବିପର୍ଯ୍ୟୟ ମାଡିଆସୁ । ଲୋକଙ୍କ ସର୍ବନାଶ ସମୟ ରେ ଏମାନଙ୍କର ହୁଏ ପୁଷ ମାସ ।

ଯଥାର୍ଥରେ ଜନପ୍ରିୟ ସାମ୍ବାଦିକ ପି .ସାଇନାଥ ତାଙ୍କର “ମରୁଡି ପଡ଼ିଲେ ସଭିଙ୍କ ମଉଜ ” ଶୀର୍ଷକ ପୁସ୍ତକରେ ବିସ୍ତୃତ ଭାବରେ ଉଲ୍ଲେଖ କରିଛନ୍ତି , ଯାହାକୁ ଟିକେ ସଂଶୋଧିତ କରି ଅଜେୟ ବାବୁ ” ବନ୍ୟା, ବାତ୍ୟା ମରୁଡି ପଡ଼ିଲେ ସଭିଙ୍କ ମଉଜ” ବୋଲି ଉଲ୍ଲେଖ କରିଛନ୍ତି । ବିଗତ ୪୫ ବର୍ଷର ଅଭିଜ୍ଞତା ଆଧାରରେ ଆମେ ଅଜେୟ ବାବୁଙ୍କ ଏହି ମତର ଜଣେ ଦୃଢ ସମର୍ଥକ । କାରଣ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେଉଁ ବିପୁଳ ପରିମାଣର ଅର୍ଥ ରାଜକୋଷରୁ ଖର୍ଚ୍ଚ ହୁଏ, ତା’ର ହିସାବ ରହେ ନାହିଁ, ଏବଂ କେହି ଉତ୍ତରଦାୟୀ ହେବାର ବ୍ୟବସ୍ଥା ନ ଥିବାରୁ ପଦାଧିକାରୀମାନଙ୍କ ଠାରୁ ଆରମ୍ଭ କରି ଠିକାଦାରମାନେ ଧର୍ମଶାଳା ଦର୍ଶନ ଆଧାରରେ ରାଜକୋଷକୁ ଲୁଣ୍ଠନ କରିଥାନ୍ତି ।ଆମେ ପ୍ରାୟ ସମସ୍ତେ ଅବଗତ ଅଛେ ଯେ ଲଘୁଚାପ କାହିଁକି ସୃଷ୍ଟି ହୁଏ ଏବଂ ତାହା କେତେବେଳେ ବାତ୍ୟା ଅବା ମହାବାତ୍ୟା ର ରୂପ ନିଏ ।

ସମୁଦ୍ର ଜଳରାଶିର କୌଣସି ଏକ ବୃହତ୍ତର ଅଞ୍ଚଳ , ସାଧାରଣ ଉତ୍ତାପ ଠାରୁ ଅଧିକ ଉତ୍ତପ୍ତ ହେଲେ ବା ୨୭° ସେଣ୍ଟିଗ୍ରେଡରୁ ଅଧିକ ହେଲେ , ତା’ର ଉପରିସ୍ଥ ବାୟୁମଣ୍ଡଳ ଉତ୍ତପ୍ତ ତଥା ହାଲକା ହୋଇ ଏକ ସ୍ତମ୍ଭାକାରରେ ଉପରକୁ ଉଠେ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଥଣ୍ଡା ବାୟୁମଣ୍ଡଳ ଉତ୍ତପ୍ତ ଅଞ୍ଚଳକୁ ଅତି କ୍ଷିପ୍ର ଗତିରେ ମାଡି ଆସେ ଏବଂ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣୟମାନ ବାୟୁମଣ୍ଡଳ ସୃଷ୍ଟି କରେ । ଚକ୍ରୀବାଣ ଭଳି ଏହା ଗୋଲାକାର ରୂପ ନେଇ ଶୂନ୍ୟକୁ ଉଠେ । ଘୁରି ଘରି ବୁଲୁଥିବା କାରଣରୁ ଏହାକୁ ଅନେକ ଚକ୍ରଵାତ୍ କହିଥାନ୍ତି । ଏହା ଯେତିକି ଉପରକୁ ଯିବ ତାହା ତଦନୁପାତରେ ଶକ୍ତି ସମ୍ପର୍ଣ୍ଣ ପବନ ହୋଇ ସ୍ଥଳଭାଗ ଆଡ଼କୁ ମାଡିଚାଲେ ଏବଂ ଘନିଭୂତ ହୋଇ ଉଗ୍ର ରୂପ ନେଇଥାଏ ‌ ।

ସରକାରୀ ହିସାବ ରେ ଗତ ଶତାବ୍ଦୀରେ , ଅର୍ଥାତ୍ ୧୯୦୧ ରୁ ଏଯାବତ୍ ୧୨୫୮ ଥର ବାତ୍ୟା ଉତ୍ପନ୍ନ କାରୀ ଲଘୁଚାପ ହୋଇଛି , ଅଥଚ ୧୯୬୭ ରେ ପ୍ରଥମେ ଆଂଶିକ ଏବଂ ୧୯୭୧ ରେ ଭୟଙ୍କର ଭାବେ ଓଡ଼ିଶାର କ୍ଷୟ କ୍ଷତି କରିଥିଲା । ଅଜେୟ ବାବୁ ଠିକ୍ କହିଛନ୍ତି ଓ ସଠିକ୍ କାରଣର ଗର୍ଭାନୁଶୀଳନ ( ପୋଷ୍ଟମର୍ଟମ) କରିଛନ୍ତି । ବିଗତ ୪୫ ବର୍ଷ ଧରି ଆମର ଶତାଧିକ ଆଲେଖ୍ୟରେ ସତ୍ୟ ଉନ୍ମୋଚନ କରିବା ସମୟରେ ଆମରି ଓଡ଼ିଆ ଭାଇମାନେ ଆମକୁ ବିଭିନ୍ନ ବିଶେଷଣ ଯଥା ବଙ୍ଗୀୟ ବିଦ୍ବେଷୀ, ଭାବ ପ୍ରବଣ ଓଡ଼ିଆ, ଜନମ ବାହାଦୁରିଆ, ମତଲଵୀ, ଚୋର ଆଦି ବିଶେଷଣ ରେ ବିଭୂଷିତ କରିଛନ୍ତି , ବିଗତ ସାତ ବର୍ଷ ଧରି ଜଣେ ଚରଣ ପଟ୍ଟନାୟକ ଧର୍ମ୍ମୀ ପାରାନୋଇଆ ରୋଗାକ୍ରାନ୍ତ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ଧାରାବାହିକ ଭାବେ କରିଆସୁଛି ଏବଂ ଏହା କରିବାକୁ ପୂର୍ବତନ କ୍ଷମତା ଅଳିନ୍ଦଜୀବୀ ମାନଙ୍କ ଆର୍ଥିକ ସହାୟତା ମଧ୍ୟ ପାଇଥିଲା ।

ଏଠାରେ ଯେଉଁ ତଥ୍ୟାର୍ପଣ କରିବାକୁ ଯାଉଛୁ ତାହା ଆମ ନିଜସ୍ୱ ନୁହେଁ, ତାହା ଆମ ଭାଷାରେ ବହୁମୁଖି ପ୍ରତିଭାଦୀପ୍ତ ବ୍ୟକ୍ତିତ୍ଵ , ବିଶେଷ କରି ଏକଦା ଭାରତୀୟ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ଭାବରେ କାର୍ଯ୍ୟ କରିଥିବା ବିଶିଷ୍ଟ ଶ୍ରମିକ ନେତା ସମ୍ମାନନୀୟ ଅଜେୟ ରାଉତ ତାଙ୍କର ସେହି ଆଲେଖ୍ୟରେ ଅତି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି । ଏହା ସତ୍ୟ ଯେ ୧୮୦୩ ରେ ବ୍ରିଟିଶ ଶାସକମାନେ ସେମାନଙ୍କୁ ଶାସନ କାର୍ଯ୍ୟରେ ସହାୟକ ହେଵା ପାଇଁ ଅନେକ ବଙ୍ଗୀୟ କର୍ମଚାରୀଙ୍କୁ ଆଣି ଆସିଥିଲେ , ଯେଉଁମାନେ ଓଡ଼ିଶାର ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ତଥା ଅମାପ ସମ୍ପତ୍ତି ସମୂହକୁ ବ୍ୟାଜାପ୍ତ କରିବା ସହିତ ଓଡ଼ିଆ ଙ୍କ ସକଳ ସଫଳ କୃତି ଓ କୀର୍ତ୍ତି କୁ ବଙ୍ଗାଳୀ ମାନଙ୍କର ବୋଲି ସାବ୍ୟସ୍ତ କରିବାକୁ ସକଳ ପ୍ରକାର ଚକ୍ରାନ୍ତ କରିଥିଲେ ଏବଂ ଅନେକାଂଶରେ ସଫଳ ମଧ୍ୟ ହୋଇଥିଲେ ।

କଳିଙ୍ଗ ସାଗରକୁ ବଙ୍ଗୋପସାଗର ରେ ପରିବର୍ତନ କରିବା ଠାରୁ ଆରମ୍ଭ କରି କବିରାଜ ଜୟଦେବଙ୍କୁ ଅପହରଣ କରିବା ପର୍ଯ୍ୟନ୍ତ, ଓଡ଼ିଆ ଗୋଟିଏ ଭାଷା ନୁହେଁ ଠାରୁ ଆରମ୍ଭ କରି ଆମର ପୀଠ ପୂଜା କୁ ମଣ୍ମୟ ମୂର୍ତ୍ତି ପୂଜାରେ ରୂପାନ୍ତରିତ କରିବା ପର୍ଯ୍ୟନ୍ତ , ବକ୍ସି ଜଗବନ୍ଧୁଙ୍କ ସମ୍ପତ୍ତି ଅପହରଣ ଠାରୁ ସୂର୍ଯ୍ୟାସ୍ତ ଆଇନ୍ ଆଧାର ରେ ଓଡ଼ିଶାର ଜମିଦାରୀ ହାତେଇବା ପର୍ଯ୍ୟନ୍ତ ସମୂହର ତାଲିକା ପ୍ରଲମ୍ବିତ । ଅତଏବ ଚକ୍ରାନ୍ତ ଆଧାରରେ ଠିକ୍ ସମୟରେ କୁଆଡେ ଜମିଦାରୀ ଖଜଣା ଦାଖଲ ନ କରିଥିବା ଦେଖେଇ ନିଲାମ ଜରିଆରେ ଓଡ଼ିଶାର ଜମିଦାରୀ ହାସଲ କରିଥିବା ବହୁ ବଙ୍ଗାଳୀ ଜମିଦାର ମାନେ ରାଜର୍ଷୀ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଜମିଦାରୀ ଉଚ୍ଛେଦ ଘୋଷଣା ପରେ ଏବଂ ପରବର୍ତ୍ତୀ ସମୟରେ ବରେଣ୍ୟ ସଦାଶିବ ତ୍ରିପାଠୀ ଯେତେବେଳେ ରାଜସ୍ବ ବିଭାଗ ମନ୍ତ୍ରୀ ଥିଲେ, ସେତେବେଳେ ତାଙ୍କର ଜଣେ ସହଯୋଗୀଙ୍କୁ ଧରି ବଙ୍ଗୀୟ ଜମିଦାର ମାନେ ପ୍ରଭାବିତ କରିବାରେ ବିଫଳ ହେବା ପରେ ସେମାନେ ତାଙ୍କର ଶହଶହ ଏକର ଜମିକୁ ନିଜର ଵିରାଦରୀ ବଙ୍ଗାଳୀମାନଙ୍କୁ ହାତ ପଟ୍ଟା ଦେଇ ସମୁଦ୍ର କୂଳିଆ ଜମି ସବୁ କୁ ପିଛିଲା ତାରିଖ ପକାଇ ସେମାନଙ୍କ ନାମରେ ଅଧିକାରଭୁକ୍ତ କରାଇଦେଲେ ।

ପରବର୍ତ୍ତୀ ସମୟରେ ଏହି ବଙ୍ଗୀୟମାନେ ନିଜ ନାମରେ ଥିବା ଜମି ସ଼ହିତ ସରକାରୀ ଜମି ଜବରଦଖଲ କରିଦେଲେ । ଯେଉଁ ଉପକୂଳିଆ ଜମି ସବୁ ପ୍ରାକୃତିକ ଲୁଣାଜଙ୍ଗଲ ପୂର୍ଣ ଥିଲା । ସେମାନେ ଅଧିକାଂଶ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟତା ଗ୍ରହଣ କରିଥିଲେ । ପଶ୍ଚିମବଙ୍ଗର କମ୍ୟୁନିଷ୍ଟ ନେତା ମାନଙ୍କୁ ଧରି ଓଡ଼ିଶାର କମ୍ୟୁନିଷ୍ଟ ପାର୍ଟିର ନେତା ମାନଙ୍କ ସହଯୋଗ ପାଇଲେ । ଏମାନଙ୍କ ସହିତ ପ୍ରଜା ସୋସିଆଲିଷ୍ଟ ମାନେ ସହଯୋଗ କରିଥିଲେ । ଭୂମିହୀନକୁ ଭୂମିଦାନ ଆହ୍ବାନରେ ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଚାନ୍ଦବାଲି ଠାରୁ ଜମ୍ବୁ ପାରାଦୀପ ଓ ଏରସମା ଯାଏଁ ଜଙ୍ଗଲ ଜମି,ପଠା,କନ୍ଦା ଜମି ଦଖଲ ଅଭିଯାନ ସମୟରେ ସରକାରଙ୍କ ନିରବ ସମର୍ଥନ ରହିଥିଲା, ଜଣେ ସମାଲୋଚକ ବିଜୁ ବାବୁଙ୍କ ମାମୁଁ ଘର, ବୀରେନ୍ ମିତ୍ରଙ୍କ ବିରାଦରୀ ଅଭିଯୋଗ ଉଠିଥିଲା, ସେଥିପ୍ରତି କୌଣସି ଓଡ଼ିଆ ଦୃଷ୍ଟି ଦେଇ ନଥିଲେ । ସେମାନେ ସମୁଦ୍ର କୂଳିଆ ଜଙ୍ଗଲ କାଟି ସଫା କରୁଥିବା ସମୟରେ , ଏପଟେ ପାରାଦୀପ ବନ୍ଦର ନିର୍ମାଣ ପାଇଁ ଅବାରିତ ଭାବେ କୋଟି କୋଟି ସଂଖ୍ୟାରେ ହେନ୍ତାଳ ଓ ଅନ୍ୟାନ୍ୟ ବାତ୍ୟା ନିରୋଧକ ବୃକ୍ଷ ଛେଦନ କରାଗଲା । ହାତ ପଟ୍ଟାଧାରୀ ବଙ୍ଗୀୟମାନେ ସେମାନଙ୍କ ଭାଇ ଵିରାଦରୀ , ବିଶେଷ କରି ଆଜିର ବଙ୍ଗଳା ଦେଶରୁ ଆସିଥିବା ଲୋକଙ୍କୁ ଏହି ଜମି ବିକ୍ରି କରିଦେଲେ ।

ଭୋଟଜୀବୀ ନେତାମାନେ ସେମାନଙ୍କୁ ଭୋଟର କରାଇଦେବା ସହିତ ଜମିପଟ୍ଟା ମଧ୍ୟ କରାଇଦେଲେ । ଏହି ବଙ୍ଗଦେଶୀବର୍ଗ ସ୍ଥାନୀୟ କୁଜି ନେତାଙ୍କ ଠାରୁ କ୍ଷମତାଧାରୀ ନେତା, ଗ୍ରାମ ପଞ୍ଚାୟତ ସମ୍ପାଦକ ଠାରୁ ପଞ୍ଚାୟତ ସମିତିର ମଣ୍ଡଳ ଉନ୍ନୟନ ଅଧିକାରୀ, ଜିଲ୍ଲା ନେତା ଙ୍କୁ ବଶିଭୂତ କରି , ସେମାନଙ୍କ ପୂର୍ଣ୍ଣ ସହଯୋଗରେ ହଜାର ହଜାର ସଂଖ୍ୟାରେ ଭାଇ ବିରାଦରୀ ମାନଙ୍କୁ ଅଣେଇ ବସତି ସ୍ଥାପନ କଲେ ,ଅତି ସହଜ ଲାଭଦାୟକ ଧାନ ଚାଷ କରିବା ପାଇଁ ଜଙ୍ଗଲ ସଫା କରିବାକୁ ଲାଗିଲେ ଏବଂ ଅଧିକ ରୁ ଅଧିକ ଜଙ୍ଗଲ ଜମି ଜବରଦଖଲ କରିଚାଲିଲେ । ଅନେକ ମାଛ ଧରି ବେପାର କରିବାକୁ ଲାଗିଲେ । କରଦ ରାଜ୍ୟ ଏବଂ ଜମିଦାରୀ ଉଚ୍ଛେଦ ପରେ ଜଙ୍ଗଲ ରୁ କାଠ କାଟିବା ଲାଗି ଆଉ ଅନୁମତିର ଆବଶ୍ୟକତା ପଡ଼ିଲା ନାହିଁ ।

ଅତଏବ ଅବାଧରେ ଜଙ୍ଗଲ ପଦା କରି ପକା ଇଲେ,ପ୍ରଶାସନ ଏଦିଗ ପ୍ରତି ନଜର ମଧ୍ୟ ଦେଲା ନାହିଁ । ଏସବୁ ବଙ୍ଗୀୟ ମାନଙ୍କ ବିତ୍ପାତ ଫଳରେ ଲଘୁଚାପ ଜନିତ ସାମୁଦ୍ରିକ ଭୟଙ୍କର ଝଡ଼ ତୋଫାନ ସମ୍ପୂର୍ଣ୍ଣ ରୂପେ ପ୍ରତିରୋଧ ଶୂନ୍ୟ ହୋଇ ଉପକୂଳ ରେ ତା’ର ତାଣ୍ଡବଲୀଳା ଦେଖାଇ ଚାଲିଛି ୧୯୬୭ ମସିହା ପର ଠାରୁ । ସେହି ସମୟରୁ ଯେତେବେଳେ ବାତ୍ୟା ଆସିବାର ସମ୍ଭାବନା ପାଣିପାଗ ବିଭାଗ ସୂଚନା ଦିଏ , ସେତେବେଳେ ବହୁ ଲୁକ୍କାୟିତ ଚରିତ୍ର ସମୂହ ଫୁଟି ପ୍ରକାଶ ପାଏ । ଗଣମାଧ୍ୟମରେ ଏହାର ଆଗମନ ର ଭୟ ଉଦ୍ରେକକାରୀ ବ୍ୟାପକ ପ୍ରଚାର କରାଇବାକୁ ବ୍ୟବସାୟୀ ମାନେ ଧରାଧରି କରିଥାନ୍ତି ।

ଉଭୟ ବ୍ୟବସାୟୀ ଓ ଖାଉଟି ମାନେ ଅତ୍ୟାବଶ୍ୟକ ସାମଗ୍ରୀ କୁ ଅଯଥା ଜମା ( ହୋର୍ଡିଂ) କରିବାରେ , ଅର୍ଥାତ୍ ଲୁଚାଇ ରଖିବା ଫଳରେ ସୃଷ୍ଟ କୃତ୍ରିମ ଅଭାବରେ ବ୍ୟବସାୟୀମାନେ ମାଲେମାଲ ହୋଇ ଆସୁଛନ୍ତି । ବିଭିନ୍ନ ମିଥ୍ୟା ହିସାବ ପାରଙ୍ଗମ ପଦାଧିକାରୀ ମାନେ ଭିତରେ ଭିତରେ କୁରୁଳି ଉଠନ୍ତି । ଅନେକ ଯନ୍ତ୍ରୀ ତନ୍ତ୍ରୀ ମାନଙ୍କ ପତ୍ନୀ ମାନେ ଭୋଗଡାଲା ଧରି ବିଭିନ୍ନ ମନ୍ଦିରରେ ବିପର୍ଯ୍ୟୟ ଭୟଙ୍କର ହେଉ ବୋଲି ପୂଜା କରିଥାନ୍ତି । ବାତ୍ୟା,ବନ୍ୟା ସମୟରେ କେତେ ଅଇଲା,ଗଲା , ତା’ର ହିସାବ ରହେ ନାହିଁ । ଆମର ନିଜସ୍ୱ ଅଭିଜ୍ଞତା ଆଧାରରେ ଏହା ଆମେ ଦୃଢ଼ତାର ସହ କହୁଛୁ ।

ଏବେ ଯେଉଁ ବାତ୍ୟା ସମ୍ଭାବନା କୁ ନେଇ ସର୍ବତ୍ର ଚର୍ଚ୍ଚା, ଦୃଶ୍ୟ ଶ୍ରାଵ୍ୟ ଗଣମାଧ୍ୟମ ରେ ସ୍ଵକୀୟ ଜନାନୁଧ୍ୟାନ ପରିସଂଖ୍ୟାନ ଅଭିବୃଦ୍ଧି ଲକ୍ଷ୍ୟରେ (ଟିଆରପି) ପ୍ରତିଯୋଗିତା , ଯାହା କେବଳ ଭୟ ଉଦ୍ରେକକାରୀ ନୁହେଁ, ପରୋକ୍ଷରେ କୃତ୍ରିମ ଅଭାବ ସୃଷ୍ଟି କାରୀ ମହଜୁଦକାରୀଙ୍କ କଚେପୁଅ ବାର ପାଇଁ ଉଦ୍ଦିଷ୍ଟ । ବିଗତ ୪୭ ବର୍ଷ ର ଅଭିଜ୍ଞତା କୁ ଉପଜିଵ୍ୟ କରି ଆମର ଏକ ମୌଳିକ ପ୍ରଶ୍ନ ” କାହିଁକି ସରକାର, ବିରୋଧୀ ଦଳ, ଆମର ତଥାକଥିତ ବୁଦ୍ଧିଜୀବୀ ସର୍ବଦା ସାମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ହେଉ , ହେଉ ଅବା ବିଭିନ୍ନ ଘଟଣା ସମୟ ରେ, ତା’ର ସମ୍ମୁଖୀନ ହେବାପାଇଁ ଯେପରି ପଦକ୍ଷେପ ଗ୍ରହଣ କରିବାକୁ ପ୍ରଚାର କରିଥାନ୍ତି, ପ୍ରତିକାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଉଛନ୍ନ ହୋଇଥାନ୍ତି ।

ସେମିତି କେବେ ଥରେ ହେଲେ ପ୍ରାକୃତିକ ବିପର୍ଯ୍ୟୟ ହେଉ, ହେଉ ଅବା ଖଣି ଡକାୟତି, ଚିଟଫଣ୍ଡ ଦୁର୍ନୀତି, ମହାନଦୀ ଜଳ ଅବରୋଧ, ସୀମା ଦଖଲ, ଅମୂଲ୍ୟ ସମ୍ପଦ ଅପହରଣ ଆଦି ଘଟଣା ସମୂହ ର ପ୍ରତିଷେଧକ ପାଇଁ ଯୋଜନା କରିବା ଛାଡ, ଏଥିପାଇଁ ଚିନ୍ତା କରିଛନ୍ତି କି ? ଅତଏବ କେବଳ ବଢ଼ି, ମରୁଡି,ଝଡି , କରୋନା ଭଳି ବାଡି ବା ମହାମାରୀ ସମ୍ପର୍କରେ ନୁହେଁ, ପ୍ରତ୍ୟକ ଟି ଘଟଣା ଓ ଅଘଟଣ ସମୟରେ ପ୍ରତିଷେଧ ବ୍ୟବସ୍ଥା ସମ୍ଭବ ଓ ତୁଳନାତ୍ମକ ଭାବେ ସାର୍ବଜନୀନ ଲାଭଦାୟକ ହୋଇଥିଲେ ହେଁ, ପ୍ରତିଷେଧକ ବ୍ୟବସ୍ଥା ପ୍ରତି ଅଣଦେଖା କରି ପ୍ରତିକାର ଲାଗି ଅତି ମାତ୍ରାରେ ଉତ୍ସୁକତାର କାରଣ କ’ଣ ଜାଣନ୍ତି ? ଏହା ମୂଳ ରେ କେବଳ ବ୍ୟକ୍ତିଗତ ଲାଭ, ଆତ୍ମ ପ୍ରଚାର ବା ବାଃ ବାଃ ନେବାର ଲାଳସା, ପରବର୍ତ୍ତୀ ନିର୍ବାଚନରେ ବିଜୟୀ ହୋଇ ସିଂହାସନ କୁ ଜାବତ୍ ଚନ୍ଦ୍ରାକେ ଭୋଗ ଦଖଲ ।

ତେଣୁ ତ ବ୍ୟାପକ କ୍ଷୟକ୍ଷତି ର ପ୍ରଚାର କରାଇ ମହଜୁଦକାରୀଙ୍କ ସମ୍ପତ୍ତି ବଢାଇ ମୁଦ୍ରିତ ଓ ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମ ରେ କିଣା ସମ୍ବାଦ ( ପେଡ ନ୍ୟୁଜ) ପରିବେଷଣ କରାଯାଏ । ଏକଦା ଏକ ହିନ୍ଦୀ ଚଳଚ୍ଚିତ୍ର ” ନାୟକ” ର କାହାଣୀ କୁ ଉପଜିଵ୍ୟ କରି ଆମେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗୋଟିଏ ପତ୍ର ଲେଖିଥିଲୁ । ତାଙ୍କର ୨୪ ଶାସନ ସମୟ ଭିତରେ ଜଣେ ଯେ କିଏ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଦେଇ ପ୍ରାପ୍ତି ସ୍ବୀକାର ପତ୍ର ପାଇଛି, ତାହା ଆମକୁ ଜଣା ନାହିଁ , ତଦାନୁସାରେ ଆମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୌଣସି ଉତ୍ତର ସିନା ପାଇଲୁ ନାହିଁ , ଜୀବନର ପ୍ରଥମ ଥରପାଇଁ ଭ୍ରାମ୍ୟମାଣ ଦୂରଭାଷରେ ସେତେବେଳେର ଅସଲି କ୍ଷମତା କେନ୍ଦ୍ରଙ୍କ ମଧୁର କଟାକ୍ଷ, ଖଟାଙ୍ଗ ,ଧମକ ପାଇଥିଲୁ ଓ ପରବର୍ତ୍ତୀ ସମୟରେ ସରକାରୀ କଳର ଅତ୍ୟାଚାରର ମାତ୍ରା ବୃଦ୍ଧି ପାଇଥିଲା । ଆମେ ସେହି ପତ୍ରରେ କେବଳ କହିଥିଲୁ ଯେ ଆପଣ ଦୀର୍ଘ ଦିନ ଧରି ଶାସନ କାର୍ଯ୍ୟ ଠାରୁ ନିର୍ବାଚନ ପରିଚାଳନାରେ ବ୍ୟସ୍ତ ରହି ନିଜ ଶରୀର ପ୍ରତି ଅବହେଳା ପ୍ରଦର୍ଶନ କରିଆସୁଛନ୍ତି, ଶୁଣାଯାଏ ଆପଣଙ୍କ ପୂର୍ବ ଅସ୍ତ୍ରୋପଚାର ର ନବୀକରଣ ସମୟ ଅତିବାହିତ ହୋଇଗଲାଣି , ଆପଣ ଅନ୍ତତଃ ପାଞ୍ଚ ମାସ ଛୁଟି ନେଇ ରୁଷ ଯାଇ ଚିକିତ୍ସା କରାନ୍ତୁ ଏବଂ ସେହି ପାଞ୍ଚ ମାସ ଆମକୁ ଶାସନ କରିବାର ସୁଯୋଗ ଦିଅନ୍ତୁ, ଯାହା ସମ୍ବିଧାନରେ ମଧ୍ୟ ଅଛି, ସଭ୍ୟ ନଥାଇ ମଧ୍ୟ ଜଣେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିପାରିବେ, ଯେପରି ମମତା ବାନାର୍ଜୀ ନିର୍ବାଚନରେ ପରାଜୟ ବରଣ କରିବା ସତ୍ତ୍ୱେ
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରହିଥିଲେ ଏବଂ ପରେ ନିର୍ବାଚିତ ହୋଇଥିଲେ । ଓଡ଼ିଶାରେ ବିଗତ ଦିନରେ ୧୯୮୦ ଓ ୧୯୯୫ ରେ ଜାନକୀ ବଲ୍ଲଭ ପଟ୍ଟନାୟକ, ୧୯୯୮ ରେ ଗିରିଧାରୀ ଗମାଙ୍ଗ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଶାସକ ଦଳର ମୁଣ୍ଡ ଆମକୁ ପଚାରିଲେ , ଏଭଳି ପିଲାଳିଆମି କରିବା କ’ଣ ଶସ୍ତା ଲୋକପ୍ରିୟତା ପାଇଁ ଉଦ୍ଧିଷ୍ଟ ? ଆମେ କହିଲୁ ନା, ଏହା ପିଲାଳିଆମି ନୁହେଁ,ଏକ ଆହ୍ବାନ । ଆପଣଙ୍କ ଦଳର ବିଧାୟକ ମାନଙ୍କୁ ନେଇ ମନ୍ତ୍ରିମଣ୍ଡଳ ଗଠିତ ହେବ, ସେବା ସଂଯୁକ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଏଭଳି ଶାସନ ହେବ, ପାଞ୍ଚ ମାସ ପରେ ଆପଣ ଦେଖିବେ ଓଡ଼ିଶାର ପରିବର୍ତ୍ତନ , ଯଦି ନିଜେ ଆପଣ ନାହିଁ ବୋଲି ମତପୋଷଣ କରନ୍ତି , ତେବେ ଆମେ ଆପଣଙ୍କ ନେତାଙ୍କ ବାସଭବନ ସମ୍ମୁଖ ବତୀ ଖୁଣ୍ଟରେ ନିଜକୁ ନିଜେ ଫାଶୀ ଦଣ୍ଡାଦେଶ ଦିଆଇବୁ ।

ସେ ଇଂରାଜୀ ଭାଷାରେ କ଼ହିଲେ ରିଲ କାହାଣୀ ରିଅଲ ଭିତରେ ବହୁ ପାର୍ଥକ । ଆପଣ କ’ଣ ଅନୀଲ କାପୁର ? ହଁ ପରିବର୍ତ୍ତନ ନିର୍ଭର କରେ ନେତୃତ୍ବର ମାନସିକତା ଉପରେ । କ’ଣ ଆପଣ ଯାଦୁ କରିବେ ? ନା, ଆମେ ଯାଦୁକର ନୋହୁଁ, କର୍ମକାର । କେମିତି କରିବେ ? ଆମେ ଉତ୍ତର ଦେଇଥିଲୁ ତାହା ଆପଣଙ୍କୁ କାହିଁକି କହିବୁ ? ସେ ବିରକ୍ତି ପ୍ରକାଶ କରି କହିଲେ ” ଦୟାକରି ପବନ କରନ୍ତୁ ନାହିଁ । ଆମେ ତାଙ୍କ ଆହ୍ବାନ କୁ ଗ୍ରହଣ କରି କହିଥିଲୁ ଯେ ଶହେଟି ପଦକ୍ଷେପ ରୁ ଆଜି ଆପଣ ଙ୍କୁ ଗୋଟିଏ ଉଦାହରଣ ଦେଉଛୁ । ସେହି ଗୋଟିଏ ଯୋଜନା କଥା କହିବା ପରେ ସେ ଚୁପ୍ ହୋଇଯାଇଥିଲେ । ଏହି ଆଲୋଚନାଟି ଆମ ପାଇଁ ଟିକେ ମଙ୍ଗଳ ସାବ୍ୟସ୍ତ ହୋଇଥିଲା ।

ସେହି ଦିନ ଠାରୁ ଦୂରଭାଷ ରେ ପ୍ରତି ଦିନ ଅଜଣା ଲୋକ ଙ୍କ ଗାଳି, ଧମକପୂର୍ଣ୍ଣ କଥାବାର୍ତ୍ତା ବନ୍ଦ ହୋଇଗଲା । ପରବର୍ତ୍ତୀ କିଛି ଦିନ ପରେ କ’ଣ ପାଇଁ ଦେଖାଦେଲା ଯେ ବାର ବର୍ଷର ଫେବିକଲ ଯୋଡ଼ି ମେଲା ହୋଇଗଲା ଏବଂ ମେ,୨୯ ର ଐତିହାସିକ ନାଟକ, ବେଇନାମ ( ବେଇମାନ ଶବ୍ଦ ଟି ବୋଧେ ପାଟି ର ବେଇନାମ ହୋଇଗଲା ଅବା ତାହାହିଁ ଭାବିଚିନ୍ତି କହିଥିଲେ) ବିଶେଷଣ, ବହିସ୍କାର, ନୂତନ ଦଳ ଗଠନ, ବ୍ରହ୍ମାସ୍ତ୍ର ପ୍ରାୟ ର ଧମକ, ଶେଷରେ କର୍କଟାକ୍ରାନ୍ତ ହୋଇ ଜୀବନ ପାଖରୁ ବିଦାୟ ନେବା ଘଟଣା ଇତିହାସ ର କଥାବସ୍ତୁ । ଏହା ନିର୍ବିବାଦୀୟ ସତ୍ୟ ଯେ ୧୨ ଶହ ବର୍ଷ ତଳେ ( ଅଷ୍ଟମ ଶତାବ୍ଦୀ) ପଦ୍ମ ପୁରାଣରେ ଯାହା ଉଲ୍ଲେଖ ଥିଲା ” ବର୍ଷାଣାଂ ଭାରତ ଶ୍ରେଷ୍ଠ, ଦେଶାନାମ୍ ଉତ୍କଳ ସ୍ମୃତ, ଉତ୍କଳସ୍ୟ ସମୋଦେଶ , ଦେଶ ନାସ୍ତି ମହୀତଳେ” ଏବେବି ପ୍ରାସଙ୍ଗିକ । ସମଗ୍ର ବିଶ୍ବରେ ପ୍ରତିଟି ସାମାଜିକ ଦୃଷ୍ଟିକୋଣରୁ ଓଡ଼ିଶା ଏକ ଉର୍ବର ମାଟି । ଯଦି ସଠିକ୍ ନେତୃତ୍ବ ମିଳେ, ତେବେ ପୂର୍ବଜଙ୍କ ଅବଦାନ ଭଳି ଏହା ବିଭିନ୍ନ କ୍ଷେତ୍ରରେ ବିଶ୍ବଗୁରୁ ହୋଇପାରିବ । ନବୀନ ବାବୁଙ୍କୁ ଓଡ଼ିଶାବାସୀ ଯେଭଳି ଅକୁଣ୍ଠିତ ସମର୍ଥନ ଦେଇଆସୁଛନ୍ତି, ତାହା ତାଙ୍କର ପିତା ବିଜୁ ପଟ୍ଟନାୟକ ଙ୍କୁ ଅବା ଅନ୍ୟ କାହାକୁ ଦେଇ ନଥିଲେ ।
ଏପରିକି ଯେଉଁ ବିଜୁ ବାବୁ ଙ୍କ ପୁତ୍ରର ଏକମାତ୍ର ପରିଚୟ ଆଧାରରେ , କାରଣ ୧୯୯୭ ରେ ଓଡ଼ିଶାରେ ତାଙ୍କର ରାଜନୈତିକ ଜନ୍ମ୍ ସମୟରେ ସେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ପରମ୍ପରା, ଇତିହାସ, ଭୂଗୋଳ, ରାଜନୀତି, କିଛି ବି ଜାଣି ନ ଥିଲେ, ସେ କ’ଣ ଥିଲେ ତାହା ଆମେ ନିଜେ ଦିଲ୍ଲୀରେ ଦେଖିଛୁ, ଯେତେବେଳେ ସମ୍ମାନାଷ୍ପଦ ରଣଜିତ୍ ମହାନ୍ତି ତାଙ୍କ ସହିତ ଆମକୁ ପରିଚିତ କରାଇଥିଲେ , ସେହି ବିଜୁ ବାବୁ ମାତ୍ର ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ରହି ପାରିନଥିଲେ, ପୁଣି ୨୭ ବର୍ଷ ପରେ ଭିପି ସିଂ ଙ୍କ ସପକ୍ଷବାଦୀ ହାଓ୍ବା ରେ ମୁଖ୍ୟମନ୍ତ୍ରୀ ହେବା ମଝିରେ ଏକଦା ୪ ଟି ବିଧାନସଭା ଓ ଗୋଟିଏ ଲୋକସଭାରେ , ଏହି ପରି ପାଞ୍ଚଟି ନିର୍ବାଚନ ମଣ୍ଡଳୀ ରେ ପ୍ରାର୍ଥୀ ହୋଇ ପାଞ୍ଚ ଟି ଯାକ ସ୍ଥାନରେ ହାରିଥିଲେ ।

ଅତଏବ ନବୀନ ବାବୁଙ୍କ ଭଳି ଭାଗ୍ୟବାନ ବ୍ୟକ୍ତି ବିଶ୍ବ ଇତିହାସରେ ବିରଳ । ଏତେ ସବୁ ଜନସମର୍ଥନ ଠାରୁ ଆରମ୍ଭ କରି ସକଳ ପ୍ରକାର ସୁବିଧା ସୁଯୋଗ ଥିଲେ ମଧ୍ୟ ରାଜ୍ୟ ର ବିକାଶ ପରିବର୍ତ୍ତେ ବିନାଶ ଦିଗକୁ ନେବା, ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା କୁ ଅମଲାତାନ୍ତ୍ରିକ ଶାସନ ବ୍ୟବସ୍ଥା ରେ ରୂପାନ୍ତରିତ କରାଇବା, ରାଜ୍ୟ ରେ ଭିକାରୀ ସଂସ୍କୃତି କୁ ସାର୍ବଜନୀନ କରାଇବା ( ଅନ୍ତୁଡିଶାଳରେ ପ୍ରସୂତି ଭତ୍ତା ଠାରୁ ଅନ୍ତିମ ସମୟରେ ହରିଶ୍ଚନ୍ଦ୍ର ଭତ୍ତା ମଝିରେ ଅନେକ ଛତର ଯୋଜନା ) , ରାଜକୋଷ କୁ ୠଣ ଭାରରେ ଭାରାକ୍ରାନ୍ତ କରାଇଦେବା, ଦଶଲକ୍ଷ କୋଟି ଟଙ୍କାର ଖଣି ଡକାୟତି , ସୀମା ଅସୁରକ୍ଷିତ, କର୍ମବୀର ଓଡ଼ିଆ ଙ୍କୁ କର୍ମକୋଢି କରାଇଦେବା ଆଦି ଶତାଧିକ ଅପକୀର୍ତ୍ତିମାନ ସୃଷ୍ଟି କରାଇଛନ୍ତି ବୋଲି ଆମେ ପ୍ୟାରୀ ଆଜ୍ଞାଙ୍କୁ ରୋକଠୋକ ଶୁଣାଇଥିଲୁ ।
ସରଳ ବିଶ୍ୱାସୀ, ଶାନ୍ତି ପ୍ରିୟ ଓଡ଼ିଆ ଙ୍କୁ ଠକି , ଚଞ୍ଚକତା କରି, ଏପରିକି ନିଜର ଭାବମୂର୍ତ୍ତି ଗଠନ କରିବାକୁ କୋଟି କୋଟି ଟଙ୍କା ବିଜ୍ଞାପନରେ ଖର୍ଚ୍ଚ କରିବା, ନିଜକୁ ଓଡ଼ିଶାର ପରିଚୟ ବୋଲି ପ୍ରଚାରିତ କରାଇବା , ନିର୍ବାଚନ ରାଜନୀତି କୁ ବ୍ୟୟବହୁଳ କରାଇବା, କ୍ଷମତା ରାଜନୀତି ରେ ପରିବାରବାଦ ( ବିଧାୟକ କିମ୍ବା ସାଂସଦ ଙ୍କ ମୃତ୍ୟୁ ପରେ ଉପ ନିର୍ବାଚନରେ ତାଙ୍କର ପୁତ୍ର, ପତ୍ନୀ ଙ୍କୁ ପ୍ରାର୍ଥିତ୍ଵ ଦେବା ହେଉ ଅବା ଦୁର୍ନୀତି ଅଭିଯୋଗ ରେ ଗିରଫ ନେତାଙ୍କ ନିର୍ବାଚନ ମଣ୍ଡଳୀ ରେ ତାଙ୍କର ନାଁ ବାଳକ ପୁତ୍ର କୁ ପ୍ରାର୍ଥିତ୍ଵ ପ୍ରଦାନ) କୁ ଉପଜିଵ୍ୟ କରି କଳେବଳେ କୌଶଳେ ବିଜୟୀ ହେବା, ବିରୋଧୀ ଦଳ କୁ ଭାଙ୍ଗି ଛିନ୍ନବିଛିନ୍ନ କରାଇଦେବା, ଏପରିକି ବିରୋଧୀ ଦଳ ନେତା ଙ୍କୁ ପ୍ରଲୋଭିତ କରାଇବା ଭଳି ଅନେକ ଅଭାବନୀୟ କାର୍ଯ୍ୟ କରିବା, ମୁଖ୍ୟମନ୍ତ୍ରୀ ଆସନ ସୁରକ୍ଷିତ ରଖିବା ପାଇଁ ସକଳ ପ୍ରକାର କୂଟକପଟ ପ୍ରୟୋଗ କରିବା, ଓଡ଼ିଶା ର ଅମୂଲ୍ୟ ଖଣିଜ ସମ୍ପଦକୁ ଅଣ ଓଡ଼ିଆ ଦେଶି ବିଦେଶୀ ଙ୍କ ହାତକୁ ଟେକି ଦେବା ଭଳି ଅନେକ ଘଟଣା , ଆଚରଣ ଓ ଉଚ୍ଚାରଣ କୁ ଉପଜିଵ୍ୟ କରି ଆଗାମୀ ଇତିହାସ ତାଙ୍କୁ ଅନେକ କୁବିଶେଷଣରେ ଯେ ବିଭୂଷିତ କରିବ , ଏଥିରେ ସାମାନ୍ୟ ସନ୍ଦେହର ଅବକାଶ ନାହିଁ ବୋଲି ମଧ୍ୟ ଶୁଣାଇଥିଲୁ।

ଏବେ ବି ସମୟ ଅଛି, ପ୍ରଥମ ବିଜେପି ସରକାରର ଅଧିନାୟକ ମୋହନ ଆଜ୍ଞା ଚାହିଁଲେ, ଓଡ଼ିଶା ବିକାଶର ନନ୍ଦିଘୋଷ ରଥ ଆଗକୁ ଆଗକୁ ଦ୍ରୁତ ଗତିରେ ଆଗେଇ ଚାଲିବ । ଯୋଗ୍ୟ ଲୋକ ଙ୍କ ଠାରୁ ପରାମର୍ଶ ନିଅନ୍ତୁ, ଓଡ଼ିଶାରେ ଯୋଗ୍ୟ ଲୋକଙ୍କ ଅଭାବ ନାହିଁ କି ଯୋଗ୍ୟ ଭାରତୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ଅଭାବ ନାହିଁ । ଅନେକ ଓଡ଼ିଆ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ବିଭିନ୍ନ ରାଜ୍ୟରେ ସ୍ଵକୀୟ ପ୍ରତିଭା ଓ କର୍ମ ଆଧାର ରେ କେବଳ ଜନପ୍ରିୟ ନୁହନ୍ତି, ଇତିହାସ ସୃଷ୍ଟି କରିଛନ୍ତି । ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଅନେକ ସୁଯୋଗ୍ୟ ଓଡ଼ିଆ ପଦାଧିକାରୀ ମାନଙ୍କୁ ଯେଭଳି ମାନସିକ ନିର୍ଯ୍ୟାତନା ଦେଇ ,ଅଣ ଓଡ଼ିଆ ପ୍ରଶାସନିକ ଅଧିକାରୀଙ୍କ ପ୍ରରୋଚନାରେ, ତାହାର ତାଲିକା ଚବିଶ ବର୍ଷ ଭିତରେ ଡକ୍ଟର ହୃଷୀକେଶ ପଣ୍ଡାଙ୍କ ଠାରୁ ଡକ୍ଟର ଅରୁଣ ପଣ୍ଡା ମାନଙ୍କ ଉଦାହରଣ ପ୍ରଚୁର ।

ଆମର କ’ଣ ନାହିଁ ? ପ୍ରକୃତି ଓ ପ୍ରଭୁ ଜଗନ୍ନାଥ ଓଡ଼ିଶା କୁ କ’ଣ ନ ଦେଇଛନ୍ତି ? ଅମାପ ଖଣିଜ ସମ୍ପଦ,ବନ୍ୟ ସମ୍ପଦ, ସୁଦୀର୍ଘ ବେଳାଭୂମି, ବିଶ୍ବ ଚକିତ ନୈସର୍ଗିକ ପ୍ରାକୃତିକ ଶୋଭା ର ଭଣ୍ଡାର , ସୁଦୀର୍ଘ ବେଳାଭୂମି , କୁଶଳୀ ମାନବ ସମ୍ବଳ ଏବଂ ଶେଷରେ ସାମାଜିକ ସଂହତି ପାଇଁ ଜଗନ୍ନାଥ ଙ୍କ ନୀତି କ୍ରାନ୍ତି ଆଧାରିତ ମହାମାନବୀୟ ଦର୍ଶନ । ପୃଥିବୀର ଅନ୍ୟ କୌଣସି ଜାତି, କୌଣସି ଧର୍ମ, କୌଣସି ଦେଶ ଏକାବେଳେକେ ଏସବୁ ପାଇଛି କି ? ସେମାନଙ୍କ କୃତ୍ରିମ ପର୍ଯ୍ୟଟନ ସ୍ଥଳ ଆଜି ଲକ୍ଷ ଲକ୍ଷ କୋଟି ଟଙ୍କାର ରାଜସ୍ବ ପାଉଥିବା ସମୟରେ ଆମର ପ୍ରକୃତି ପ୍ରଦତ୍ତ ନୈସର୍ଗିକ ଶୋଭାର ଭଣ୍ଡାର ଅବହେଳିତ, ଅନାଲୋଚିତ, ଅଧିକନ୍ତୁ ଆମରି ଲୋକଙ୍କ ଦ୍ଵାରା ପ୍ରଦୂଷିତ ହୋଇଚାଲିଛି ।

ସମସ୍ୟା ଲେଖି ବସିଲେ ସାତଖଣ୍ଡ ରାମାୟଣ ଠାରୁ ଅଧିକ ହେବ । ଅତଏବ ସମାଧାନ ର ସୂତ୍ର ଉପରେ ଆଧାରିତ ଆଲୋଚନା କୁ ଆଗେଇ ନେବା । ଯେହେତୁ ଆଲୋଚନା ଟି ବାତ୍ୟା କୁ ଉପଜିଵ୍ୟ କରି ଆରମ୍ଭ ହୋଇଛି, ସେହେତୁ ବାତ୍ୟା ସମସ୍ୟାର କିପରି ସ୍ଥାୟୀ ସମାଧାନ ହୋଇପାରିବ , ତାହା ଉପରେ ଆଲୋଚନା କରିବାକୁ ଯାଉଛୁ ।

ଧରାଯାଉ କୌଣସି ଏକ ସ୍ଥିତି ରେ ଆମେ ରାଜ୍ୟର ନେତୃତ୍ବ ନେଲୁ, ଯଦିଓ ଏହା ସମ୍ପୂର୍ଣ୍ଣ ଅସମ୍ଭବ, ଆଜିର ପରିବେଶରେ ଓ୍ବାର୍ଡ ସଭ୍ୟ ପାଇଁ ପ୍ରତିଦ୍ୱନ୍ଦିତା କଲେ ଆମର ଅମାନତ ରହିବ କି ନାହିଁ ତାହା ସନ୍ଦେହ , ଆମେ କିଭଳି ବାତ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଥମେ କି ପଦକ୍ଷେପ ନେବୁ । ସମୁଦ୍ର ଉପକୂଳର ସମସ୍ତ ହଡ଼ପ ଜବର ଦଖଲ ଜମି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସରକାରଙ୍କ ଖାତା କୁ ଆଣିବା ପାଇଁ ପ୍ରଶାସନକୁ କଡା ନିର୍ଦ୍ଦେଶ ଦେବୁ ।

ଏହି କାର୍ଯ୍ୟକ୍ରମରେ ହିଁ ଶୂନ୍ୟ ସହନଶୀଳ ହେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବୁ । ଏହା ପରେ ହାତପଟ୍ଟା କିଭଳି ସରକାରୀ ପଟ୍ଟା ରେ ପରିବର୍ତନ ହେଲା, ତାହାର ତଦନ୍ତ ମଧ୍ୟ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କରି ବେଳାଭୂମିର ଜଙ୍ଗଲ କିସମ ଜମିକୁ ଗୋଟିଏ ମାସ ମଧ୍ୟରେ ସରକାରୀ ଖାତାକୁ ଫେରାଇ ଆଣିବୁ । ଏଥିସହିତ ଚନ୍ଦନେଶ୍ଵର ( ଦୀଘା) ଠାରୁ ଇଚ୍ଛାପୁର ପର୍ଯ୍ୟନ୍ତ ଏକ ସାମୁଦ୍ରିକ ବାତ୍ୟା ପ୍ରତିରୋଧକ ପ୍ରାକୃତିକ ପ୍ରାଚୀର ( ଘଞ୍ଚ ଜଙ୍ଗଲ) ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇ ନିଜ ତଦାରଖରେ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିବୁ । ବିଧାନସଭାରେ କଳିଙ୍ଗ ସାଗର ନାମରେ ମହୋଦଧି କୁ ପୁନଃ ନାମିତ କରାଇବୁ । କଳିଙ୍ଗ ସାଗର ବେଳାଭୂମିର ସର୍ବାଧିକ ପାଞ୍ଚ କିଲୋମିଟର ଏବଂ ସ୍ଥଳ ବିଶେଷରେ ତିନି କିଲୋମିଟର ଓସାରର ଏକ ସାମୁଦ୍ରିକ ଲୁଣା ଅଭୟାରଣ୍ୟ ସୃଷ୍ଟି କରାଇବୁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରସ୍ତାବିତ ଲୁଣା ଜଙ୍ଗଲରେ ଅତି କମ୍ ସ୍ଥାନ କୁ ଛାଡି ଦେଲେ ବୃକ୍ଷରୋପଣର କୌଣସି ଆବଶ୍ୟକତା ପଡ଼ିବ ନାହିଁ, ସେ ଆପେ ଆପେ ସୃଷ୍ଟି ହୋଇଯିବ, କେବଳ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗରେ କୈାଣସି କାମ ନକରି ମାସକୁ ମାସ ଦରମା ଭତ୍ତା ନେଉଥିବା କର୍ମଚାରୀଙ୍କୁ ଉତ୍ତର ଦାୟିତ୍ଵ ସହିତ ନିଯୁକ୍ତି ଦିଆଯିବ ।

ଏକ ମୋଟା ତାର ବାଡ଼ ଦିଆଯାଇ ଗାଈଗୋରୁ ଙ୍କ ଠାରୁ କୌଣସି ପ୍ରକାରର ଯାନବାହାନ ନିଷେଧ କରାଯିବା ସହିତ ଯେ କୌଣସି ଅନୁପ୍ରବେଶକାରୀଙ୍କୁ ଚୋରି ଅପରାଧରେ ଗିରଫ କରି ଦଣ୍ଡିତ କରାଯିବ । ୧୯୬୭ ଠାରୁ ଏଯାବତ୍ ପାଖାପାଖି ୫୦ ଲକ୍ଷ କୋଟି ଟଙ୍କାର ୦.୦୦୧ ପ୍ରତିଶତ ଅର୍ଥ ଖର୍ଚ୍ଚ କରି ପାଞ୍ଚ ବର୍ଷ ପରେ ଯେ କୌଣସି ବାତ୍ୟା ଆସୁନା କାହିଁକି ସାମାନ୍ୟ ଖାତିରି କରିବାର ନାହିଁ ।ଏହି ଉପସ୍ଥାପନ କୁ କ୍ରମାଗତ ଭାବରେ ଲେଖା ଚାଲିଛି ।

ଆଜି କେତେକ ଉତ୍ସାହୀ ବନ୍ଧୁ, କେତେକ ହିତୈଷୀ ଆମକୁ ଭ୍ରାମ୍ୟମାଣ ଦୂରଭାଷରେ ପ୍ରଶ୍ନ କଲେ, ଆପଣ କାହିଁକି କ୍ଷମତା ରାଜନୀତି ତ୍ୟାଗ କଲେ । ଯେତେବେଳେ ଖୁବ୍ କମ୍ ବୟସରେ ଜାତୀୟ ରାଜନୀତିରେ ଆପଣ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ, ପ୍ରଧାନମନ୍ତ୍ରୀ ଭିପି ଙ୍କ ଖୁବ୍ ନିକଟତର ଥିଲେ, ସେତେବେଳେ ଛାଡ଼ିବାର କାରଣ କ’ଣ ହୋଇପାରେ ? ଆମେ ସେମାନଙ୍କୁ କହିଲୁ ଯେ ” ମନ ଜାଣେ ପାପ ,ମାଆ ଜାଣେ ବାପ ” ନ୍ୟାୟ ରେ ଆମେ କ’ଣ ଆମେ ଜାଣିଛୁ । ୧୯୮୯ ରେ ଆମେ ନିଜର ସରଳପଣ ରେ ବିଶ୍ବାସ କରୁଥିବା ଏବଂ ତାଙ୍କୁ ନିଜର ନେତା, ଏପରିକି ଆଦର୍ଶ ବୋଲି ବିବେଚିତ କରୁଥିବା ଜଣେ ଛଳନା ସଂଯୁକ୍ତ ନେତାଙ୍କ ଚକ୍ରାନ୍ତିଆ କୁଵୁଦ୍ଧିରେ ପ୍ରଭାବିତ ହୋଇ ଭିପିଜୀ ଙ୍କ ବାରମ୍ବାର ସତ୍ତର୍କ ସତ୍ତ୍ଵେ ପୁରୀ ରୁ ସଂସଦୀୟ ନିର୍ବାଚନରେ ପ୍ରାର୍ଥୀ ହେବାକୁ ମନା କରିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନିଳମଣୀ ରାଉତରାୟ, ଯାହାଙ୍କର ବାଲେଶ୍ଵର ପ୍ରାର୍ଥିତ୍ଵ ଜନତା ଦଳର ସଂସଦୀୟ ବୋର୍ଡ଼ କାଟି ସମରେନ୍ଦ୍ର କୁଣ୍ଡୁ ଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲା, ସେହି ନୀଳମଣି ବାବୁ ଙ୍କୁ ପୁରୀ ରୁ ପ୍ରାର୍ଥୀ କରାଯାଇଥିଲା । ୧୯୯୦ ମସିହା ବିଧାନ ସଭା ନିର୍ବାଚନ ସମୟରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ରୁ ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲା, ମାତ୍ର ଅଭିମନ୍ୟୁ ଙ୍କୁ ସପ୍ତରଥି ଘେରି ବଧ କଲା ଭଳି ଆମକୁ ବିଜୁ ବାବୁ ଙ୍କ ନେତୃତ୍ବରେ ସତର ରଥି ଚକ୍ରାନ୍ତ କରି ଶେଷ ମୁହୂର୍ତ୍ତରେ ପ୍ରାର୍ଥୀତ୍ବ ରୁ ବଞ୍ଚିତ କରି ଅଜୟ ଜେନା ଙ୍କୁ ନାମାଙ୍କନ ପତ୍ର ଦାଖଲ ସମୟ ଶେଷ ଦିନ ପ୍ରାର୍ଥୀତ୍ବ ପ୍ରଦାନ କରାଯାଇଥିଲା ।

ଅତଏବ ଆମେ ଦେଖିଲୁ ,ଆମ ଦ୍ବାରା କ୍ଷମତା ରାଜନୀତି ହେବନାହିଁ । ଆଜି ର କ୍ଷମତା ରାଜନୀତିର ଅର୍ଥ ହେଉଛି, ସାଲିସ୍, ମାଲିସ୍ ଅର୍ଥାତ୍ ତୈଳମର୍ଦ୍ଦନ, ପ୍ରଭାବଶାଳୀ ନେତା ଓ ନେତାଙ୍କ ପରାମର୍ଶଦାତା ପ୍ରଶାସନିକ ଅଧିକାରୀଙ୍କ ପଦଲେହନ, ଚାମଚାଗିରି, ସେମାନଙ୍କ ଭ୍ରଷ୍ଟାଚାରରେ ନିଜ ସେବା ଦାନ ହିଁ ସଫଳତା ଦିଆଇବ । ଅର୍ଥାତ୍ ଯିଏ ଯେତେ ପରିମାଣରେ ନିଜର ବିବେକ, ନିଜର ବିଚାର, ନିଜର ସ୍ଵାଭିମାନ ସହିତ ଯେତେ ବେଶି ସାଲିସ୍ କରିପାରିବ, ସିଏ ସେତେ ସଫଳତା ହାସଲ କରିବ । ଏହା କ’ଣ ଆମ ଦ୍ବାରା ସମ୍ଭବ ହୋଇପାରେ ? ଆମେ ଯେତେବେଳେ ୧୯୮୦ ରେ ଦେଶର ଏକ ବଡ଼ ଔଷଧ ନିର୍ମାଣ କମ୍ପାନୀରେ ଉଚ୍ଚ ବେତନର ଚାକିରି ଛାଡ଼ି ସାଧାରଣ ଜୀବନକୁ ଆସିଥିଲୁ, ସେତେବେଳେ ରାଜନୀତି କହିଲେ ଆମେ ବୁଝୁଥିଲୁ ଶ୍ରେଷ୍ଠ ନୀତି, ରାଜ ଶବ୍ଦ ର ଅର୍ଥ ଶ୍ରେଷ୍ଠ, ଯେପରି ରାଜଭୋଗ, ରାଜଭାଗ,ରାଜଦାଣ୍ଡ, ରାଜଦଣ୍ଡ । ଅତଏବ ଆମେ ବୁଝିଥିଲୁ ରାଜନୀତି ଗୋଟିଏ ସ୍ବପ୍ନ, ଗୋଟିଏ ଆଦର୍ଶ ପ୍ରତିଷ୍ଠା କରିବା ପାଇଁ ନିରବଚ୍ଛିନ୍ନ,ବେସାଲିସ୍ ସଂଗ୍ରାମ ।

ଅତଏବ କେବଳ ବାତ୍ୟା ନୁହେଁ, ଯେ କୌଣସି ସମସ୍ୟାର ସମାଧାନ ପାଇଁ ସକଳ ଫଳପ୍ରସୂ କ୍ଷେତ୍ର ତଥା ପରିବେଶ ଓଡ଼ିଶାରେ ଉପଲବ୍ଧ ଏବଂ ଶୀଘ୍ରାତିଶୀଘ୍ର ଅବକ୍ଷୟୀ ଲୋକ ଚରିତ୍ର ର ପରିବର୍ତ୍ତନ ସ଼ହିତ ଦ୍ରୁତ ବିକାଶ ପାଇଁ ଓଡ଼ିଶା ରେ ଅଛି ଅକଳ୍ପନୀୟ ଉପାଦାନ , କେବଳ ଏକ ଦୃଢ଼ ଇଚ୍ଛାଶକ୍ତି ସମ୍ପନ୍ନ , ଦୂରଦୃଷ୍ଟି ସମ୍ପନ୍ନ, ନୀତିବାନ ନେତୃତ୍ବର ଆବଶ୍ୟକ । ବିଗତ ଚାରି ଦଶନ୍ଧି ଧରି ଆମେ ନିଃସଙ୍ଗ ପଦାତିକ ଭାବେ ପାଟି କରି ଆସୁଛୁ, ଶହଶହ ଆଲେଖ୍ୟ, ବିଭିନ୍ନ ଦୃଶ୍ୟ ଶ୍ରାଵ୍ୟ ଗଣମାଧ୍ୟମ ଆଲୋଚନା, ସଭା ସମିତିରେ କହି ଆସୁଛୁଯେ ” ଓଡ଼ିଶା ବିକାଶ ର ଅସଲ କୁଞ୍ଚିକାଠି କୃଷି ଓ କୃଷକର ବିକାଶ ” ।

ମାତ୍ର ସରକାର ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା ନ୍ୟାୟ କୁ ପ୍ରତିପାଦିତ କରି କୃଷି କ୍ଷେତ୍ର କୁ କେବଳ ଅଣଦେଖା ନୁହେଁ, ଅଧିକନ୍ତୁ ବିପର୍ଯ୍ୟୟ ଭିତରକୁ ଠେଲି ଦେଇଛନ୍ତି । ଆଜି ଜମି ପଡିଆ । ଯେଉଁ ରାଜ୍ୟ ଦିନେ ହାତଟେକି ଅନ୍ୟ ରାଜ୍ୟ କୁ ବଳକା ଖାଦ୍ୟ ପଦାର୍ଥ ଦେଉଥିଲା, ବିଦେଶ କୁ ରତ୍ପାନୀ କରୁଥିଲା, ସେହି ଜାତିର ଦାୟାଦ ଆଜି ତା’ର ଦୈନନ୍ଦିନର ଆବଶ୍ୟକତା ମେଣ୍ଟାଇବା ପାଇଁ ଅନ୍ୟ ପ୍ରଦେଶ ଉପରେ ନିର୍ଭର ଶୀଳ । ଚୁନି,ଚୋକଡ, ଅଣ୍ଡା କଦଳୀ,ମାଛ ଆଦି ଅନେକ ଖାଉଟି ଦ୍ରବ୍ୟ ଆନ୍ଧ୍ର ପ୍ରଦେଶରୁ ଆସୁଥିବା ବେଳେ ,ଆଳୁ ପିଆଜ,ରସୁଣ, ଡାଲି ଠାରୁ ଆରମ୍ଭ କରି ଅନେକ ଦ୍ରବ୍ୟ ପଶ୍ଚିମବଙ୍ଗ, ମହାରାଷ୍ଟ୍ର ପ୍ରଭୃତି ରାଜ୍ୟ ଉପରେ ନିର୍ଭରଶୀଳ, ଏପରିକି ଆମ ନେତା, ନେତା ମାନଙ୍କ ଠାରୁ ଶକ୍ତିଶାଳୀ ପ୍ରଶାସନିକ ଅଧିକାରୀ ମାନଙ୍କ ଗଳା ମଣ୍ଡନ କରୁଥିବା ଫୁଲ ମାଳ ପାଇଁ ଫୁଲ ଆସିଥାଏ କଲିକତା ରୁ ।

ସବୁଠାରୁ ଲଜ୍ଜା ଜନକ କଥା ଆମ ଭଳି ଚିଲିକା ଉପକୂଳିଆ ଲୋକେ ଆନ୍ଧ୍ର ପ୍ରଦେଶରୁ ଆସୁଥିବା ମାଛ ଉପରେ ନିର୍ଭରଶୀଳ । ” ଚିଲିକା” ଯାହା ଥିଲା ଓଡ଼ିଶାର ଗୌରବମୟ ଐତିହ୍ୟର ଧରୋବର, ମତ୍ସ୍ୟ ସମ୍ପଦର ବିଶ୍ବଶ୍ରେଷ୍ଠ ଗନ୍ତାଘର, ପ୍ରାକୃତିକ ଶୋଭାର ଅପୂର୍ବ ଭଣ୍ଡାର, କବିବର ରାଧାନାଥ ଙ୍କ ଭାଷାରେ ” ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନିଳାମ୍ବୁ ଚିଲିକା” ଅଧୁନା ” ଗରଳ ଗାଳିନୀ ଗୋଳାମ୍ବ ଚିଲିକା” । ” ଚିଲିକା ର ଆର୍ତ୍ତ ଚିତ୍କାର” ଶୀର୍ଷକ ରେ ୨୦୦୫ ମସିହାରେ ଏକ ଆଲେଖ୍ୟ ” ସୁବାର୍ତ୍ତ” ରେ ପ୍ରକାଶ କରାଇ ତା’ର ନକଲ ସରକାର ଙ୍କୁ ଦେଇଥିଲୁ, କିଛି ପ୍ରତିକାର ଆଶା କରି, ୨୦ ବର୍ଷ ପରେ ଏହାର ସ୍ଥିତି ଆଜି ଦୟନୀୟ । ପ୍ରଥମ ଶତାବ୍ଦୀରେ ପେରିପ୍ଲସରେ ଚିଲିକା ହ୍ରଦର ମହନୀୟତା କୁ ପ୍ଲେନିଂ ପ୍ରକାଶ କରାଇ ବିଶ୍ବ ଦୃଷ୍ଟି ଆକର୍ଷଣ କରିଥିଲେ । ହଜାର ହଜାର ବର୍ଷ ତଳେ ବ୍ରହ୍ମାଣ୍ଡ ପୁରାଣରେ ବର୍ଣିତ ଅଛି -;
” ଚିଲିକାହ୍ରଦେ ସହସ୍ରଂ ତୁ ଜଳଗାମୀ ସୁବୋଇତାଃ
ବହୁଚକ୍ରାନ୍ବିତାଃ ଶୀଘ୍ରୋଃ ଯନ୍ତ୍ରଗାଃ ଚାଳକାଶ୍ରିତଃ ।
ବାଣିଜ୍ୟକରଣେ ଶକ୍ତାଃ ତ୍ରିପଞ୍ଚଶିଖରାକୃତାଃ
ଦ୍ବୀପାନ୍ତର ଗତାୟାତା଼ଃ ଜାବା ମଳୟ ସିଂହଳେ ।
ଗଙ୍ଗାସାଗର ପେଚିନା ତଦାଗତି ଯଦେଛୟା
ଦେଶଦେଶାନ୍ତ ଦ୍ରବ୍ୟାଣି ଗମନାଗମନେପି ବା
ଜଳନିମ୍ନେ ତୁ ବା କେଚିତ୍ ମଜ୍ଜନେ ଗୁପ୍ତ କୌଶଳେ
ଲୁକ୍କାୟିତୋ ଭୂତ ରୂପଂ ମହାଶ୍ଚର୍ଯ୍ୟପରଂ ଗତଃ
କୁର୍ମଯନ୍ତ୍ରଂ ଲାବଯନ୍ତ୍ରଂ ମତ୍ସ୍ୟରୂପଂ ତୁ ପକ୍ଷୀକଂ
ତମ୍ରାଛାଦିତ ବୈଦ୍ରୁତାଃ ସହସ୍ରଜନଧାରକାଃ
ହ୍ରସ୍ବକାଷ୍ଠମୟଂ ଦେହଂ ତାମ୍ରପଟେ ସୁରକ୍ଷିତଂ
ଲୌହଚକ୍ରଗତଂ ନିମ୍ନରେ ଚକ୍ରବ୍ୟୁହ ସମନ୍ବିତଂ ।”
ଉପରୋକ୍ତ ସଂସ୍କୃତ ଶ୍ଲୋକ ର ଭାବାର୍ଥ ବୁଝି ହୃଦୟଙ୍ଗମ କଲେ ରୋମାଞ୍ଚିତ ଯେକେହି ହେବ । କେତେ ମ଼ହାନ ଥିଲା ଆମର ଏଇ ପବିତ୍ର ଜନ୍ମ ମାଟି ଓଡ଼ିଶା, ଆଜି ତା’ର ଏଭଳି ଦୀନହୀନ ଅବସ୍ଥା କ’ଣ ପାଇଁ ? ବ୍ରହ୍ମାଣ୍ଡ ପୁରାଣ ହେଉ ଅବା ଖ୍ରୀଷ୍ଟିଅ ପ୍ରଥମ ଶତାବ୍ଦୀରେ ଲିଖିତ ପେରିପ୍ଲସ୍ ଶୀର୍ଷକ ଗ୍ରନ୍ଥ ହେଉ, ସେଥିରେ ଚିଲିକାର ବିଶାଳତା, ଗଭୀରତା, ସୌନ୍ଦର୍ଯ୍ୟ, ମତ୍ସ୍ୟ ସମ୍ପଦ ଏବଂ ଚିଲିକା ହ୍ରଦରେ ନୌବାଣିଜ୍ୟ ପରମ୍ପରାର ହଜାର ହଜାର ବର୍ଷ ର ଇତିହାସ ସୁଵିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । କ୍ରମଶଃ ଚିଲିକା ର ବିଶାଳ କଳେବର କ୍ଷୟ ହୋଇ ଗତ ୧୯୬୧ ମସିହା ରେ ଥିଲା ୧୧୬୫ ବର୍ଗ କିଲୋମିଟର, ସେହି ସମୟରେ ସରକାରୀ ନଥିରେ ଉଲ୍ଲେଖ ରହିଛି ଯେ ଚିଲିକାରେ ୨୨୫ ପ୍ରଜାତି ର ମାଛ,୬୧ ପ୍ରକାରର ପ୍ରଟୋଜୋଆ ( ଆଦିପ୍ରାଣୀ),୩୭ ପ୍ରଜାତିର ସରୀସୃପ,୨୦୫ ପ୍ରଜାତିର ପକ୍ଷୀ ବର୍ଗ ଥିଲେ , ହେଲେ ଆଜି ର ସ୍ଥିତି କ’ଣ ? ମାତ୍ର ୬୦/୬୧ ବର୍ଷ ପରେ ବୋଧେ ଏହା ଏବେ ୬୦୦/୭୦୦ ବର୍ଗ କିଲୋମିଟର ଅବୟବ ଏବଂ ବିଷାକ୍ତ ମିଥେନ ଗ୍ୟାସ୍ ର ଗନ୍ତାଘର ।

ଏହା ଆମର ତଥ୍ୟ ନୁହେଁ, ଖୋଦ୍ ବୈଜ୍ଞାନିକ ମାନେ କହିଛନ୍ତି ଯେ ଚିଲିକାର ପ୍ରତି ବର୍ଗ କିଲୋମିଟର ପାଣିରେ ୩୬୦ ଗ୍ରାମ ମିଥେନ ରହୁଛି । ଚିଲିକା ହ୍ରଦ ରେ ବିଲିନ ହେଉଥିବା ୫୨ ଟି ନଦୀ ପୋତି ହୋଇଗଲାଣି । ଯାହାର ଜଳରେ ଆମର ଜନ୍ମ, ଆମର ଜୀବନ, ସେହି ପୁରାଣ ପ୍ରସିଦ୍ଧ ଚିରସ୍ରୋତା ଦଧିଭଦ୍ରା ବା ଦୟାନଦୀ ଆଜି ମୃତା ଘୋଷିତା । ପ୍ରତି ବର୍ଷ ଦେଶ ବିଦେଶ ରୁ ବିଭିନ୍ନ ପ୍ରଜାତି ର ଦଶଲକ୍ଷ ରୁ ଉର୍ଦ୍ଧ୍ବ ପକ୍ଷୀ ଚିଲିକାକୁ ଆସିଥିବାବେଳେ , ଆଜି ତାହା ସେମାନଙ୍କ ପାଇଁ ମରଣଯନ୍ତା ପାଲଟିଛି । ଏଥିପ୍ରତି କାହାରି ଦୃଷ୍ଟି ନାହିଁ, ଏପରିକି ବଂଶାନୁକ୍ରମେ ଏହି ଚିଲିକା ଉପରେ ନିର୍ଭର କରିଆସୁଥିବା ତିନୋଟି ଜିଲ୍ଲାର ଲକ୍ଷ ଲକ୍ଷ ମତ୍ସ୍ୟଜୀବୀଙ୍କର ମଧ୍ୟ ନାହିଁ ।

ଅତଏବ ଚିଲିକାର ଜୈବବିଭିନ୍ନତା, ବିଶେଷ କରି ସାମଗ୍ରିକ ଭାବେ ଏହାର ପୁନରୁଦ୍ଧାର ଏକାନ୍ତ ଆବଶ୍ୟକ ହୋଇପଡିଛି । ଅତଏବ ଏକଦା ସୁଜଳା, ସୁଫଳା,ଶସ୍ୟଶ୍ୟାମଳା ,ରତ୍ନଗର୍ଭା, ବୀର ପ୍ରତିଭା ପ୍ରସବିନୀ, ପ୍ରାକୃତିକ ସମ୍ପଦ ର ବିଶ୍ବଶ୍ରେଷ୍ଠ ଗନ୍ତାଘର, ପ୍ରାୟ ଶତାଧିକ କ୍ଷେତ୍ରରେ ବିଶ୍ବଗୁରୁ, କୁଶଳୀ ମାନବ ସମ୍ବଳ , ଗଙ୍ଗା ଠାରୁ ଗୋଦାବରୀ ଯେଉଁ ଉତ୍କଳ ର ଥିଲା ବିଶାଳ କଳେବର, ସେହି ଜାତିର ଦାୟାଦ ଆଜି କାହିଁକି ଉଭୟ ଖାଦ୍ୟ ଓ ବସ୍ତ୍ର ପାଇଁ ଭଗାରି ରାଜ୍ୟ ଠାରୁ ଆରମ୍ଭ କରି ଅନ୍ୟ ରାଜ୍ୟ ନିକଟରେ ହାତ ପତାଉଛି ? ଏହି ପ୍ରଶ୍ନ ଯେତେବେଳେ ଗଣମାଧ୍ୟମ ପିଚାରେ ନାହିଁ, କାରଣ ଅଧିକାଂଶ ଖର୍ଦ୍ଦି , ସେହି ପ୍ରଶ୍ନ ଯଦି ବିରୋଧୀ ଦଳ ପଚାରେନା, କାରଣ ” ଛତାବର, ସଵୁପତ୍ନୀଭ୍ରାତା ଏକାଦର” ନ୍ୟାୟ ରେ ” ଆଙ୍ଗୁଳି ସନ୍ଧିରେ ମଳି, ଭିତରେ ଭିତରେ ସଲାସୁତୁରା ଉପରେ ଉପରେ କଳି” ନାଟକ ଅତି ସୁନ୍ଦର ଭାବରେ ଅଭିନୀତ ହୋଇ ଚାଲିଛି, ସେତେବେଳେ ଲୋକେ ପଚାରିବା କଥା କାହିଁକି ଆଳୁ, ପିଆଜ ରସୁଣ, ଜିରା, ଫୁଟଣ ଠାରୁ ମାଛ, ଟମାଟୋ ଆଦି ବିଭିନ୍ନ କିସମର ଅତ୍ୟାବଶ୍ୟକ ସାମଗ୍ରୀ ଆନ୍ଧ୍ର, ବଙ୍ଗଳା, ମହାରାଷ୍ଟ୍ର, ଝାଡ଼ଖଣ୍ ପ୍ରଭୃତି ରାଜ୍ୟରୁ ଆଣିବାକୁ ପଡୁଛି ? ଲୋକେ ବି ଛତର ଖାଇ ଚୁପଚାପ୍ ବସି ରହିଛନ୍ତି ।

ଗତ ବର୍ଷ ଠିକ୍ ଏହି ସମୟରେ ଜଣେ ଓଡ଼ିଆ , ଯିଏ ସୁରଟକୁ ଶ୍ରମିକ ଭାବେ କାମ କରିବା ପାଇଁ ଯାଇ ନିଜ ଶ୍ରମ ରେ ଆଜି ବିରାଟ ମିଲ୍ ମାଲିକ୍, ସିଏ ଆହ୍ବାନ ଦେଇଥିଲେ ଯେ ତାଙ୍କୁ ଯଦି ସରକାର ସହଯୋଗ ଦେବେ, ତେବେ ସିଏ ଏଭଳି ଏକ ମିଲ କରିବେ , ଯାହା ଫଳରେ ଯେଉଁ ୭/୮ ଲକ୍ଷ ଓଡ଼ିଆ ସୁରଟ ରେ ଅଛନ୍ତି, ସେମାନେ ସମସ୍ତେ ଏଠାରେ କାମ ପାଇବେ । କେହି ଶୁଣିଲେ ତାଙ୍କ କଥା ? ଆଜି ଓଡ଼ିଆ ଦାଦନ ଶ୍ରମିକ ହୋଇ ବାହାର ରାଜ୍ୟରେ ଯେଉଁ ଅକଥନୀୟ ନିର୍ଯାତନା ଭିତରେ , ରାଜ୍ୟ ଭିତରେ ଛତର ଯୋଜନା ସମୂହ ଫଳରେ ଉର୍ବର ଚାଷ ଜମି ପଡିଆ, ସେଥିପାଇଁ ଜଣେ ଓଡ଼ିଆ ର ମୁଣ୍ଡ ପିଛା ଆୟ ଦୈନିକ ମାତ୍ର ୧୮ ଟଙ୍କା ୫୪ ପଇସା, ୪୩ ଭାଗ ଲୋକ ଜମିହୀନ, ସରକାରୀ ହିସାବ ରେ ମାତ୍ର ୩୪ ଭାଗ ଜମି ରେ ଜଳସେଚନ ବ୍ୟବସ୍ଥା ଅଛି, ଯାହା କରୋନା ମୃତ୍ୟୁ ପରିସଂଖ୍ୟାନ ର ଓଲଟା ହିସାବ, ବାସ୍ତବରେ ୨୦ ଭାଗ ବି ନାହିଁ, ସେହିପରି ଲକ୍ଷ ଲକ୍ଷ ସଂଖ୍ୟକ କର୍ମକ୍ଷମ ଓ କର୍ମ ଅକ୍ଷମ ବେକାର ଯୁବକ,ଯୁବତୀ ( କର୍ମ ଅକ୍ଷମ ର କାରଣ ଆମର ଶିକ୍ଷା ବ୍ୟବସ୍ଥା) ।
କ୍ରମଶଃ

Posted in ରାଜ୍ୟ, ସମ୍ପାଦକୀୟ.