ଭୁବନେଶ୍ୱର, ଡିସେମ୍ବର ୨: ଓଡ଼ିଶାରେ ଆଜି ଠାରୁ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଧାନ କିଣା ସମ୍ବନ୍ଧରେ ଲୋକସେବା ଭବନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କାର୍ଯ୍ୟାଳୟରେ ରାଜ୍ୟ ଓ ଜିଲ୍ଲା ରାଇସ ମିଲର୍ସ ଆସୋସିଏସନର କର୍ମକର୍ତ୍ତାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଚଳିତ ଖରିଫ ଋତୁରେ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବା ଏବଂ ସେମାନଙ୍କୁ ସଠିକ୍ ସମୟରେ ପ୍ରାପ୍ୟ ପ୍ରଦାନ କରିବା ଦିଗରେ ସରକାରୀ ସ୍ତରରେ ବିହିତ ପଦକ୍ଷେପ ନିଆଯାଇଛି। ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା ଉପରେ ମଧ୍ୟ ଉକ୍ତ ବୈଠକରେ ବିଶେଷ ଭାବେ ଆଲୋଚନା କରାଯାଇଛି।
ଏହି ବୈଠକରେ ଓଡ଼ିଶା ରାଇସ ମିଲର୍ସ ଆସୋସିଏସନର ସଭାପତି ମହେଶ କୁମାର ବଂଶଲ, ସାଧାରଣ ସମ୍ପାଦକ ଲକ୍ଷ୍ମୀନାରାୟଣ ଦୀପକ ରଞ୍ଜନ ଦାସ, ଏବଂ ୩୦ଟି ଜିଲ୍ଲାର ମିଲର୍ସ ସଂଘ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।ବୈଠକ ସମୟରେ ମିଲର୍ସ ସଂଘ ପକ୍ଷରୁ ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଏକ ଦାବିପତ୍ର ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ମନ୍ତ୍ରୀ ପାତ୍ର ଏହି ଦାବିଗୁଡ଼ିକୁ ବିଚାରକୁ ନେଇ ଖୁବ୍ ଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ମିଲର୍ସମାନେ ସହଯୋଗ ପାଇଁ ସମ୍ମତି ପ୍ରକାଶ କରିଥିଲେ।
