ଜଣକ ପରେ ଜଣେ ୪ ବ୍ଲକ୍ ଅଧ୍ୟକ୍ଷ ଇସ୍ତଫା, ‘ବିଜେପି’ରେ ସାମିଲ ହେବା ନେଇ ଚର୍ଚ୍ଚା

ଜଣକ ପରେ ଜଣେ ୪ ବ୍ଲକ୍ ଅଧ୍ୟକ୍ଷ ଇସ୍ତଫା, ‘ବିଜେପି’ରେ ସାମିଲ ହେବା ନେଇ ଚର୍ଚ୍ଚା

ଭଦ୍ରକରେ ଜଣଙ୍କ ପରେ ଜଣେ ବ୍ଲକ୍‌ ଅଧ୍ୟକ୍ଷ ଇସ୍ତଫା ଦେଇ ଏବେ ଦଳର ମୁଣ୍ଡବ୍ୟଥା ବଢ଼ାଇଛନ୍ତି। ଦୁଇଦିନ ତଳେ ବିଜେଡି ସମର୍ଥିତ ବନ୍ତ, ଭଣ୍ଡାରିପୋଖରୀ ଓ ଭଦ୍ରକ ବ୍ଲକ୍‌ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଇଥିଲେ। ଆଜି ପୁଣି ଜିଲ୍ଲାର ବାସୁଦେବପୁର ବ୍ଲକ୍‌ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ବାଳ ଦଳ ଛାଡ଼ିଛନ୍ତି। ଭଦ୍ରକ ଜିଲ୍ଲା ରାଜନୀତିରେ ସୃଷ୍ଟି ହୋଇଥିବା ଏହି ହଟଚମଟ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ଭଦ୍ରକର ପ୍ରଭାବ କାଳେ ରାଜ୍ୟର ଅନ୍ୟ ବ୍ଲକ୍‌ଗୁଡ଼ିକ ଉପରେ ପଡ଼ିବ, ସେହି ଆଶଙ୍କାରେ ବିଜେଡି ପକ୍ଷରୁ ତୁରନ୍ତ ରଣନୀତି ପ୍ରସ୍ତୁତ କରାଯାଉଛି।

ଦଳରୁ ଇସ୍ତଫା ଦେଇଥିବା ଚାରି ଜଣ ଯାକ ଅଧ୍ୟକ୍ଷ ଖୁବ୍‌ଶୀଘ୍ର ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା‌ ଚାଲିଛି। ଭଦ୍ରକ ଜିଲ୍ଲା ରାଜନୀତିରେ ସୃଷ୍ଟି ହୋଇଥିବା ଏହି ହଟଚମଟ ଏବେ ରାଜ୍ୟ ରାଜନୀତିରେ ଆଲୋଡ଼ନ ଖେଳାଇ ଦେଇଛି। ଜିଲ୍ଲାର ନେତାମାନେ ଆଜି ନବୀନ ନିବାସରେ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଭଦ୍ରକରେ ଚାରି ଅଧ୍ୟକ୍ଷଙ୍କ ସହ ଅନେକ ସମିତିସଭ୍ୟ ମଧ୍ୟ ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି। ତେଣୁ ଏହି ବ୍ଲକ୍‌ଗୁଡ଼ିକ ବିଜେଡି ହାତରୁ ଖସିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।

ଏବେ ବି ରାଜ୍ୟର ଅଧିକାଂଶ ବ୍ଲକ୍‌ରେ ବିଜେଡି ସମର୍ଥିତ ଅଧ୍ୟକ୍ଷ ଅଛନ୍ତି। କିନ୍ତୁ ଭଦ୍ରକର ପ୍ରଭାବ କାଳେ ଅନ୍ୟ ଜାଗାରେ ପଡ଼ିବ, ସେହି ଆଶଙ୍କାରେ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି। ଆଜି ନବୀନ ନିବାସରୁ ଡାକରା ପାଇ ଭଦ୍ରକର ସବୁ ବରିଷ୍ଠ ନେତା ଓ ବିଧାୟକ ସେଠାରେ ପହଞ୍ଚି ସଭାପତିଙ୍କ ସହ ଆଲୋଚନା କରିଥିଲେ। ସମସ୍ତେ ଏକାଠି ହୋଇ କାମ କରିବାକୁ ନବୀନ ପରାମର୍ଶ ଦେଇଥିଲେ। ନବୀନ ନିବାସ ଯାଇଥିବା ନେତାମାନଙ୍କ ମଧ୍ୟରେ ଥିଲେ ଜିଲ୍ଲାର ଦୁଇ ବିଧାୟକ ବ୍ୟୋମକେଶ ରାୟ ଓ ସଞ୍ଜୀବ ମଲ୍ଲିକ, ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁ ଓ ଧାମନଗରର ବିଧାୟକ ପ୍ରାର୍ଥୀ ଡାକ୍ତର ସଞ୍ଜୟ ଦାସ।

Posted in Uncategorized.