କେନ୍ଦ୍ର ଗୃହ ମନ୍ତ୍ରାଳୟ ନିଷ୍ପତ୍ତି ପରେ ନାମ ପରିବର୍ତ୍ତନ
ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି। ଭୁବନେଶ୍ୱର ଓ ପୁରୀସ୍ଥିତ ରାଜ ଭବନର ନାମ ପରିବର୍ତ୍ତନ କରାଯାଇ ଏଣିକି ଏହାକୁ ‘ଲୋକ ଭବନ’ ଭାବରେ ନାମିତ କରାଯାଇଛି। ଡକ୍ଟର କମ୍ଭମପାଟି ଆହୁରି ମଧ୍ୟ କହିଛନ୍ତି ଯେ ‘ଲୋକ ଭବନ’ ଏବେ ସାର୍ବଜନୀନ ଯୋଗାଯୋଗ ଏବଂ ସମସ୍ତଙ୍କର ପ୍ରଗତି ପାଇଁ ଏକ ଜୀବନ୍ତ ସ୍ଥାନ ଭାବରେ ଛିଡ଼ା ହେଉଛି। ଏହା ଶାସନରେ ଗଭୀର ଅଂଶଗ୍ରହଣ ସୃଷ୍ଟି କରିବାର ସଂକଳ୍ପକୁ ପ୍ରତିଫଳିତ କରୁଛି।
କେନ୍ଦ୍ର ଗୃହ ମନ୍ତ୍ରାଳୟର ନିଷ୍ପତ୍ତି ଆଧାରରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ ସୋମବାରଠାରୁ ଏହା ସରକାରୀ ଭାବେ ଲାଗୁ ହୋଇଛି। ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ସୋସିଆଲ ମିଡ଼ିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ଏବଂ ଏହି ନାମ ପରିବର୍ତ୍ତନକୁ ସ୍ୱାଗତ କରିଛନ୍ତି। ରାଜ୍ୟପାଳ କହିଛନ୍ତି ଯେ ଏହି ନାମ ପରିବର୍ତ୍ତନ ଲୋକଙ୍କ ଆଶାକୁ ପ୍ରତିଫଳିତ କରୁଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏବଂ ଗୃହ ମନ୍ତ୍ରାଳୟର ମାର୍ଗଦର୍ଶନରେ ଏହି ପରିବର୍ତ୍ତନ ସ୍ୱଚ୍ଛତା, ସୁଗମତା ଏବଂ ଜନସାଧାରଣଙ୍କ ସହ ଦୃଢ଼ ସମ୍ପର୍କ ସ୍ଥାପନ ପ୍ରତି ପ୍ରତିବଦ୍ଧତାକୁ ଦର୍ଶାଉଛି।”
